Unknown

 

 

 

 

 

 

 

 

 

 

 

ଅଜ୍ଞାତ ଦେଶ

ଶ୍ରୀ ମନ୍ମଥ କୁମାର ଦାସ

 

 

 

 

 

 

 

 

 

ଉତ୍ସର୍ଗ

 

ଭ୍ରାତୃପ୍ରତିମ ମୋର ପରମ ପୂଜ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଜେନାଙ୍କ କରକମଳରେ

 

ମନ୍ମଥ

 

ଅଜ୍ଞାତ ଦେଶ

(ଏକ)

 

ଓଡ଼ିଶାର ବାଲେଶ୍ୱର ଉପକୂଳବର୍ତ୍ତୀ ଗୋଟିଏ ଛୋଟ ଗାଁ ନିମତପୁର । ଏହି ଗ୍ରାମରେ ୧୯୪୦ ମସିହା ଡିସେମ୍ବର ୨୪ ତାରିଖରେ ମୋର ଜନ୍ମ । ମୋର ଜନ୍ମର ଚାରି ମାସ ପରେ ବାପାଙ୍କର ମୃତ୍ୟୁ ହୋଇଥିଲା । ମୋର ନାମ ରଖାଯାଇଥିଲା–କୁନାଳ; ମାତ୍ର ସମସ୍ତେ ମୋତେ ଡାକୁଥିଲେ ବୁଲୁ ବୋଲି ।

 

ମୋ ଜେଜେବାପାଙ୍କର ଚାନ୍ଦିପୁରରେ ଗୋଟିଏ ଦୋକାନ ଥିଲା । ସେ ବେଶ୍‌ ବୁଦ୍ଧିମାନ ବ୍ୟବସାୟୀ ଥିଲେ । ସେ ତାଙ୍କର ଦୋକାନର ଆୟରୁ ପ୍ରାୟ କୋଡ଼ିଏ ହଜାର ଟଙ୍କାର ଭୂସମ୍ପତ୍ତି ଏବଂ ଅନେକ ନଗଦ ଟଙ୍କା ସଞ୍ଚୟ କରି ଯାଇଥିଲେ ।

 

ଜେଜେବାପାଙ୍କର ମୃତ୍ୟୁ ପରେ ବାପା ସେ ସମସ୍ତ ସମ୍ପତ୍ତିର ମାଲିକ ହେଲେ । ବାପା ମଧ୍ୟ ଖୁବ୍‌ ହିସାବୀ ଲୋକ ଥିଲେ । ତାଙ୍କର ଚେଷ୍ଟା ଯତ୍ନରେ ସମ୍ପତ୍ତି ବହୁଳ ପରିମାଣରେ ବୃଦ୍ଧି ପାଇଥିଲା । ତାଙ୍କ ମୃତ୍ୟୁ ପରେ ମୋର ମା’ ତାଙ୍କର ସମସ୍ତ ସ୍ନେହ ଓ ଆକର୍ଷଣ ମୋ ଉପରେ ଅଜାଡ଼ିଦେଇ ବାପାଙ୍କ ମୃତ୍ୟୁଜନିତ ସମୁଦାୟ ଦୁଃଖ କଷ୍ଟ ସେ ମୋତେ ପାଇ ଭୁଲିଯିବାକୁ ବସିଲେ-

 

ଏଇଥିପାଇଁ ଅତିଶୟ ସ୍ନେହ ଓ ମମତା ମଧ୍ୟ ଦେଇ ମୋ ଜୀବନର ଚୌଦଟି ବର୍ଷ କଟିଯାଇଥିଲା । ଏହି ସମୟରେ ମୁଁ ଲେଖାପଢ଼ା ଆଡ଼କୁ ଆଦୌ ମନ ଦେଲି ନାହିଁ । ଗାଁ ପ୍ରତିବେଶୀ ପିଲାଙ୍କ ସହିତ ଖେଳି କୁଦି ଦିନ କଟାଇ ଦେଇଥିଲି । ଭାବନା ଚିନ୍ତା ବୋଲି କୌଣସି କିଛି ମୋର ନ ଥିଲା । ଏମିତି ନିଶ୍ଚିନ୍ତ ଭାବରେ ମୁଁ ଷୋହଳ ବର୍ଷ ବୟସରେ ପଦାର୍ପଣ କଲି ।

 

ଏହି ସମୟରେ ମୋର ଜଣେ ଭଦ୍ରଲୋକଙ୍କ ସହିତ ପରିଚୟ ହେଲା । ସେଇ ଭଦ୍ରଲୋକଙ୍କର ଅଳ୍ପ କିଛି ସମ୍ପତ୍ତି ଥିଲା । ସେହି ସମ୍ପତ୍ତିର ଆୟ ସେମିତି ବିଶେଷ ନ ଥିଲା, ଯେଉଁଥିପାଇଁକି ତାଙ୍କର ବେଶ୍‌ କିଛି ୠଣ ହୋଇଯାଇଥିଲା । ସେ ୠଣ ମୋ ମା’ଙ୍କ ପାଖରେ ଥିବା ଯୋଗୁ ସେ ମୋ’ପ୍ରତି ଟିକିଏ ବେଶୀ ସ୍ନେହ ଓ ଆଦର ଦେଖାଇ ତାଙ୍କର କୃପାଦୃଷ୍ଟି ଆକର୍ଷଣ କରିବାପାଇଁ ଚେଷ୍ଟା କରିଥିଲେ ।

 

ମୋର ମା’ ଦେଖିବାକୁ ଖୁବ୍‌ ସୁଶ୍ରୀ ଥିଲେ । ବାପାଙ୍କ ମୃତ୍ୟୁ ପରେ ସେ ଦୁନିଆର କାହାରି ସହିତ ସେମିତି ବିଶେଷ ମିଳାମିଶା କରୁନଥିଲେ । ଅଧିକାଂଶ ସମୟରେ ବସି ସିଲେଇ କାମ କରୁଥିଲେ, ଘରର ଦେଖାଶୁଣା କରୁଥିଲେ । ମୂଲ ମଜୁରି ରଖି ଚାଷବାସର ତତ୍ତ୍ୱାବଧାନ କରୁଥିଲେ ଏବଂ ଟଙ୍କା ପଇସାର ହିସାବ ନିକାଶରେ ବ୍ୟସ୍ତ ରହୁଥିଲେ ।

 

ମୋ ମା’ଙ୍କ ଚରିତ୍ର ମଧ୍ୟରେ ଏମିତି ଗୋଟିଏ ଗାମ୍ଭୀର୍ଯ୍ୟ ଥିଲା ଯେ ବାହାରର କୌଣସି ଲୋକ ତାଙ୍କ ସହିତ ମିଳାମିଶା କରିବାକୁ ସାହସୀ ହେଉ ନ ଥିଲେ । କିନ୍ତୁ ଏଇ ଭଦ୍ରଲୋକଟି ଆମ ପାଖ ଗାଁରେ ବାସ କରୁଥିଲେ ଏବଂ ସର୍ବଦା ମୋ’ପ୍ରତି ସ୍ନେହପୂର୍ଣ୍ଣ ବ୍ୟବହାର ଦେଖାଇ ମା’ଙ୍କ ମନରେ ଅନେକ ପ୍ରଭାବ ବିସ୍ତାର କରିପାରିଥିଲେ । ଧୀରେ ଧୀରେ ମା’ ମଧ୍ୟ ଏହାଙ୍କ ସହିତ ନାନା ବିଷୟରେ ପରାମର୍ଶ କରି କାର୍ଯ୍ୟ କଲେ ।

 

ଦିନେ ଏହି ଭଦ୍ରଲୋକ ମା’ଙ୍କୁ କହିଲେ, ‘‘ପ୍ରତ୍ୟେକ ପିତାମାତାର କର୍ତ୍ତବ୍ୟ ସନ୍ତାନର ଉନ୍ନତିପାଇଁ ମନଯୋଗୀ ହେବା । ଆପଣ ମଧ୍ୟ ବୁଲୁର ଲେଖାପଢ଼ା ପ୍ରତି ଯତ୍ନ ନେଇ ତାହାକୁ ମଣିଷ କରିବା ଉଚିତ । ଏବେ ତାହାକୁ ଘରେ ବସାଇ ତାହାର ଭବିଷ୍ୟତ ନଷ୍ଟ କରିବା ଉଚିତ ନୁହେଁ ।’’

 

ମା’ଙ୍କ ନିକଟରେ ତାଙ୍କର ପରାମର୍ଶ ଯୁକ୍ତିଯୁକ୍ତ ଥିଲା । ସେ ମୋତେ ଗୋଟିଏ ଭଲ ବିଦ୍ୟାଳୟକୁ ପଠାଇ ମଣିଷ କରିବାପାଇଁ ବ୍ୟଗ୍ର ହୋଇଉଠିଲେ । ମୁଁ ସେତେବେଳେ ବୁଝି ପାରି ନ ଥିଲି ଯେ, ଏଇ ହିତୈଷୀ ବନ୍ଧୁଟିର ଏକମାତ୍ର ଉଦ୍ଦେଶ୍ୟ ଷୋହଳ ବର୍ଷ ବୟସ କିଶୋରକୁ ଘରୁ ଦୂର କରି ତାହାର ସର୍ବନାଶ କରିବା ।

 

କିଛି ବର୍ଷ ଆଗରୁ ମୁଁ ମାଇନର ପାସ୍‍ କରିଥିଲେ ବି ସେମିତି ବିଶେଷ କିଛି ପଢ଼ାପଢ଼ି କରିପାରୁନଥଲି । ରାମାୟଣ, ମହାଭାରତ କିମ୍ବା ଭାଗବତଟିଏ ମଧ୍ୟ ପ୍ରାଞ୍ଜଳ ଭାବରେ ପଢ଼ିପାରୁନଥିଲି । ଯେଉଁ ମା’ ମୋତେ ଗୋଟିଏ ଦିନ ତ ଦୂରର କଥା, ଗୋଟିଏ ଓଳି ନ ଦେଖିଲେ ତାଙ୍କୁ ଗୋଟା ପୃଥିବୀଟା ଅନ୍ଧକାର ଦେଖାଯାଉଥିଲା, ସେଇ ମା’ ମୋର ପଢ଼ାପଢ଼ି ଓ ଜ୍ଞାନର ବିକାଶପାଇଁ ମୋତେ ଦୂରକୁ ପଠାଇବାକୁ ବ୍ୟାକୁଳ ହୋଇପଡ଼ିଲେ ଏବଂ ଭଦ୍ରଲୋକ ସାହାଯ୍ୟରେ ଦୂରବର୍ତ୍ତୀ ସହର ବାଲେଶ୍ୱରରେ ଗୋଟିଏ ଭଲ ହାଇସ୍କୁଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରାଇଲେ ।

 

ମୁଁ ସେତେବେଳେ ଅବଶ୍ୟ ଅନ୍ୟ କଥା କିଛି ଚିନ୍ତା କରିନଥିଲି । ଭାବିଲି ଯଦି ଦୂର ସ୍କୁଲକୁ ଯାଇ ପଢ଼ାପଢ଼ି କରିପାରିବି, ଜ୍ଞାନ ହାସଲ କରିବି, ତା’ହେଲେ ସମସ୍ତେ ମୋତେ ଆହୁରି ଆଦର ଯତ୍ନ କରିବେ–ତେଣୁ ମୋର ଆଗ୍ରହ ବଢ଼ିଲା, ଦୂରକୁ ଯିବାପାଇଁ ଉନ୍ମୁଖ ହେଲି । କିନ୍ତୁ ଚେଷ୍ଟା ସେପରି ନ ଥିଲା, ଜ୍ଞାନ ହାସଲପାଇଁ ସେମିତି ତତ୍ପର ହୋଇପାରିଲି ନାହିଁ ସେଠାରେ ।

 

ଦିନେ ପ୍ରତ୍ୟୁଷରେ ମୋ ଘର ସମ୍ମୁଖରେ ଖଣ୍ଡିଏ ରିକ୍‌ସା ଆସି ଛିଡ଼ା ହେଲା । ମୋ ସହିତ ଆମ ପରିବାରର ସେହି ହିତୈଷୀ ବନ୍ଧୁଟି ମଧ୍ୟ ଚାଲିଲେ । ମା’ ଆଖିର ଲୁହ ପୋଛୁ ପୋଛୁ ମୋତେ ବିଦାୟ ଦେଇ କହିଲେ, ‘‘ବାବା ! ଆଶୀର୍ବାଦ କରୁଛି, ମଣିଷ ହୁଅ ।’’

 

ଏଇ କଥା କହି ଦରଜା ପାଖରେ ଛିଡ଼ା ହୋଇ ଆମ୍ଭମାନମଙ୍କୁ ବିଦାୟ ଦେଲେ । ରିକ୍‌ସା ଚାଲିଲା । ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ଗ୍ରାମର ରାସ୍ତାଘାଟ, ସାଇପଡ଼ିଶା, ବିଲବନ ପ୍ରାନ୍ତର ମୋର ଅତି ପରିଚିତ ଥିଲା, ଯେଉଁ ମା’ର ସ୍ନେହଛାୟାରେ ମୁଁ ବର୍ଦ୍ଧିତ ହୋଇଥିଲି ଆଜିଠାରୁ ସେ ସମସ୍ତ ତ୍ୟାଗ କରି ଦୂରକୁ ଚାଲିଲି । ମୋ ଚକ୍ଷୁରେ ପାଣି ଆସିଲା । ମା’ପାଇଁ କାନ୍ଦିବାକୁ ଲାଗିଲି ।

 

ରିକ୍‌ସା ଛାଡ଼ି ବସରେ ବସିଲି ।

 

କେଉଁଠାକୁ ଯାଉଛି ଜାଣେନା । ମଫସଲ ଛାଡ଼ି ସହରକୁ କେବେ ଯାଇନି । ସେଠାକାର ଲୋକମାନେ କିଏ କେମିତି ଭାବରେ ମୋତେ ଗ୍ରହଣ କରିବେ ଜାଣେନା, ପ୍ରାୟ ଶଙ୍କିତ ଚିତ୍ତରେ ଯାଇଥିଲି ।

 

ଭଦ୍ରଲୋକଟି କହିଲେ, ‘‘ତୁମେ ପିଲାଙ୍କଭଳି କାନ୍ଦୁଛ କାହିଁକି ? ତୁମର ବୟସ ହୋଇଛି, ଆଜିଠାରୁ ତୁମେ ସ୍ୱାଧୀନ ହେଲ ଆଜିଠାରୁ ଇଚ୍ଛାନୁସାରେ ଟଙ୍କା ପଇସା ଖରଚ କରିପାରିବ । ତୁମର ମା’ ତୁମର ଖରଚ ପାଇଁ ଯେଉଁ ଟଙ୍କା ଦେବେ, ସେଥିରେ ତମର ଆଦୌ ଅସୁବିଧା ହେବ ନାହିଁ ।’’

 

ମୁଁ ମଧ୍ୟ ଭାବିଲି, ସତେ ତ ମୁଁ କାହିଁକି ଦୁଃଖ କରୁଛି । ମୁଁ ଯେ ପ୍ରକୃତରେ ଆଉ ପିଲା ନୁହେଁ । ମୋର ବୟସ ହୋଇଛି । ଏ ସମୟରେ ମୁଁ ଯଦି ପାଠ ନ ପଢ଼ିବି, ତାହାହେଲେ ଯେ ଭବିଷ୍ୟତ ମୋର ଅନ୍ଧକାର ହୋଇଯିବ । କି ଭୁଲ ମୁଁ କରିଛି ଚାରି ବର୍ଷକାଳ ଘରେ ବସିରହି । ମା’ଙ୍କର ଯଦି ଏହି ବୁଦ୍ଧି ସେତେବେଳେ ହୋଇଥାନ୍ତା, ଦୂରକୁ ପଠାଇ ପଢ଼ାଇବାର ବନ୍ଦୋବସ୍ତ କରିଥାଆନ୍ତେ–ତାହାହେଲେ । ନା, ମୁଁ ଆଉ କାନ୍ଦିଲି ନାହିଁ ।

 

ବସ୍‌ ଚାଲିଛି । ଚତୁର୍ଦ୍ଦିଗକୁ ଶୋଭା ଦେଖି ମୁଁ ମୁଗ୍‌ଧ ହେଲି । ମନ ଆଉ ବିବେକର ଦ୍ୱନ୍ଦ୍ୱ ଭିତରେ ମୁଁ ଆସି ପହଞ୍ଚିଲି ନିର୍ଦ୍ଦିଷ୍ଟ ସ୍ଥାନରେ । ହଷ୍ଟେଲରେ ରହିବାର ସବୁ ବନ୍ଦୋବସ୍ତ କରି ଭଦ୍ରଲୋକ ବିଦାୟ ନେଲେ । ବିଦାୟ ନେବା ପୂର୍ବରୁ ସେ ମୋ ହାତରେ ଖଣ୍ଡିଏ ଦଶଟଙ୍କିଆ ନୋଟ ଗୁଞ୍ଜିଦେଇ କହିଲେ ଯେ ତାହା ତାଙ୍କର ଉପହାର । ସେଦିନ ତାଙ୍କର ଏହିଭଳି ବ୍ୟବହାରରେ ମୁଁ ତାଙ୍କ ପ୍ରତି ଆହୁରି ଆକୃଷ୍ଟ ହେଲି ।

 

ମୋତେ ମୋର ସହପାଠୀମାନେ କି ଭାବରେ ଗ୍ରହଣ କଲେ ଏବଂ ଶିକ୍ଷକ ମହାଶୟମାନେ କ’ଣ ମନେକଲେ, ସେ ସମସ୍ତ କଥା ବିସ୍ତାରିତ ଭାବରେ କହିବାର ଆବଶ୍ୟକତା ନାହିଁ । କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଯେଉଁ ଷୋହଳ ବର୍ଷ କାଳ ଅଳସ ଜୀବନ କଟାଇଥିଲି, ଏଠାକୁ ଆସି ଗୁଡ଼ାଏ ଫର୍ମୁଲା କିମ୍ବା ସଂସ୍କୃତରେ ଶବ୍ଦରୂପ ଧାତୁରୂପ ମୁଖସ୍ଥ କରିବାକୁ ଆଗ୍ରହ ଜନ୍ମିଲା ନାହିଁ ।

 

କାର୍ଯ୍ୟତଃ ଶିକ୍ଷକମାନେ ଜାଣିଲେ, ଇଂରେଜୀକୁ ଛାଡ଼ିଦେଲେ ଅନ୍ୟ ବିଷୟ ପ୍ରତି ମୋର ଆଗ୍ରହ କମ୍‌; ପୁଣି ଜ୍ଞାନଲାଭ ଅପେକ୍ଷା ପଇସା ଖର୍ଚ୍ଚ କରି ବିଳାସ ଜୀବନ ଯାପନରେ ମୋର ସଉକ ବେଶୀ । ଅଳ୍ପକଥାରେ କୁହାଯାଇପାରେ, ମୁଁ ଏଠାକୁ ଆସି ଲେଖାପଢ଼ାରେ ଆଶାନୁରୂପ ଉନ୍ନତି କରିପାରିଲି ନାହିଁ ।

 

(ଦୁଇ)

 

ତିନି ବର୍ଷ ଏହା ମଧ୍ୟରେ ଚାଲିଗଲା ।

 

ମୁଁ ନିୟମିତ ଭାବରେ ଖରଚପତ୍ର ପାଇଥାଏ ଏବଂ ମା’ ମୋତେ ପ୍ରତ୍ୟେକ ପତ୍ରରେ ଉତ୍ସାହ ଦେଇ ଲେଖନ୍ତି, ‘‘ତୁମେ ମନ ଦେଇ ପଢ଼ାଶୁଣା କରିବ, ଯେଉଁଥିରେ ମଣିଷ ହୋଇପାରିବ-।’’

 

କିନ୍ତୁ କିଏ ମଣିଷ ହେବ ? ଯାହାର ଭାଗ୍ୟରେ ମଣିଷ ହେବାର ନାହିଁ, ସେ ପୁଣି ମଣିଷ ହେବ କିପରି !

 

ଏହି ତିନି ବର୍ଷକାଳ ମୋର କୌଣସି ଅସୁବିଧା ହୋଇନାହିଁ । ବେଶିଦିନ ଛୁଟିମାନଙ୍କରେ ମୁଁ ଘରକୁ ଯାଏ । ମା’ ମୋତେ ଦେଖି ଆନନ୍ଦିତ ହୁଅନ୍ତି । ଛୁଟିଦିନ କେତୋଟି ଆନନ୍ଦରେ କଟାଇ ପୁଣି ହସ ହସ ମୁହଁରେ ମୁଁ ଫେରିଆସେ । କିନ୍ତୁ ଥରେ ହଠାତ୍‌ ଘରୁ ଟଙ୍କା ପଇସା ଆସିବା ବନ୍ଦ ହୋଇଗଲା । ପୂଜାଛୁଟିରେ ଘରୁ ଆସି ମୁଁ ଆଉ ଯାଇନି । ବାରମ୍ବାର ପତ୍ର ଦେଲି, କିନ୍ତୁ କୌଣସି ଉତ୍ତର ନାହିଁ । ଆଉ କେତୋଟି ଦିନ ପରେ ଶୀତଛୁଟି ପଡ଼ିବ । ଟଙ୍କା ପଇସାର ଅଭାବ ଥିଲେ ବି ଶିକ୍ଷକମାନଙ୍କର ବଦାନ୍ୟତାରେ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ମୁଁ ହେଲି ନାହିଁ ।

 

ତଥାପି ମୁଁ ଭାବିପାରୁନଥିଲି ଯେ ମୋ ମା’ ମୋ’ପ୍ରତି ଏମିତି ନିଷ୍ଠୁର ବ୍ୟବହାର କେମିତି କରିପାରିଲେ ? କିନ୍ତୁ ଅଭାଗା ମୁଁ ଜାଣିପାରିଲି ନାହିଁ ଯେ, ସେ ମୋ’ପ୍ରତି ନିଷ୍ଠୁର ହୋଇନାହାନ୍ତି, ବିଧାତା ମୋ’ପ୍ରତି ନିଷ୍ଠୁର ହୋଇଛନ୍ତି । ଦିନେ ଖଣ୍ଡିଏ ଚିଠି ପାଇଲି । ସେଇଥିରେ ମୋ ପରିବାରର ସେହି ଦରଦୀ ବନ୍ଧୁ ଜଣକ ଲେଖିଛନ୍ତି–‘‘ପୁତ୍ରବତ୍‌ ବୁଲୁ, ଶୁଣି ଦୁଃଖିତ ହେବ ଯେ, ଆଜକୁ ଦୁଇ ମାସ ହେଲା ତୁମ ମା’ଙ୍କର ମୃତ୍ୟୁ ହୋଇଛି । ସେ କେତେ ଦିନ ଧରି ପୀଡ଼ିତା ଥିଲେ । ତୁମର ପଢ଼ାପଢ଼ିରେ ବ୍ୟାଘାତ ହେବ ବୋଲି ମୁଁ ତୁମକୁ କୌଣସି ସମ୍ବାଦ ଦେଇନାହିଁ । ତୁମେ ଏଥିପାଇଁ ଶୋକରେ ମର୍ମାହତ ହେବନାହିଁ-। ମୃତ୍ୟୁ ମଣିଷର ସ୍ୱାଭାବିକ ପରିଣତି । ଏଥିପାଇଁ ଦୁଃଖ ନ କରି ତୁମର ପାଠପଢ଼ାରେ ମନ ଦେବା ଉଚିତ । ମୃତ୍ୟୁ ସମୟରେ ସେ ତାଙ୍କର ସମସ୍ତ ସମ୍ପତ୍ତିର ତତ୍ତ୍ୱାବଧାନର ଭାର ମୋ ଉପରେ ଦେଇ ଯାଇଛନ୍ତି ।

 

ବୟସ ବର୍ତ୍ତମାନ ମୋର ଊଣାଇଶ ମାତ୍ର । ବିଦ୍ୟାଳୟରେ ତିନି ବର୍ଷକାଳ ରହିବା ଫଳରେ ମୁଁ ମନୋଯୋଗୀ ବା ମେଧାବୀ ଛାତ୍ର ହୋଇପାରିନଥିଲେ ବି ଶିକ୍ଷକମାନଙ୍କର ଶ୍ରେଣୀରେ ଶିକ୍ଷାଦାନ ଶୁଣି ଏବଂ ହଷ୍ଟେଲରେ ପଢ଼ାପଢ଼ି ତଥା ସହପାଠୀମାନଙ୍କ ସହ ଆଲୋଚନା କରି କରି ଇଂରାଜୀ, ସାହିତ୍ୟ, ଇତିହାସ, ଭୂଗୋଳ ଇତ୍ୟାଦି ବିଷୟରେ ଅନେକଟା ଜ୍ଞାନ ଲାଭ କରିଥିଲି ଏବଂ ଧୀରେ ଧୀରେ ଯେତେବେଳେ ବିଦ୍ୟା ଶିକ୍ଷା ପ୍ରତି ଅନୁରାଗ ଜନ୍ମିଥିଲା, ଠିକ୍‌ ସେତିକିବେଳେ ଏଇ ପତ୍ର ଖଣ୍ଡିକ ପାଇ କ’ଣ କରିବି, କେଉଁ ପଥରେ ଯିବି, ତାହା ସ୍ଥିର କରିପାରିଲି ନାହିଁ ।

 

ଜଣେ ଶିକ୍ଷକ ମୋତେ ଖୁବ୍‌ ଭଲ ପାଉଥିଲେ । ପ୍ରାୟ ଅଧିକାଂଶ ସମୟରେ ମୁଁ ତାଙ୍କ ପାଖକୁ ଯାଉଥିଲି । ଶ୍ରେଣୀରେ ବୁଝିପାରି ନ ଥିବା ବିଷୟ ସେ ପ୍ରାଞ୍ଜଳ ଭାବରେ ବୁଝାଇ ଦେଉଥିଲେ, ଅନେକ ଉପଦେଶ ମଧ୍ୟ ଦେଉଥିଲେ ।

 

ସେହି ଶିକ୍ଷକ ମହୋଦୟଙ୍କୁ ମୁଁ ଏହି ପତ୍ରଖଣ୍ଡିକ ଦେଖାଇବାରୁ ସେ ଦୁଃଖିତ ହୋଇ କହିଲେ, ‘‘ଦେଖ ବୁଲୁ, ମୋର ବିଶ୍ୱାସ ଏହି ଲୋକଟିର କୌଣସି ନା କୌଣସି ଚକ୍ରାନ୍ତରେ ପଡ଼ି ତୁମ ମା’ଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ମୋର ମନେହୁଏ, ବର୍ତ୍ତମାନ ତୁମର ଆଉ ସମୟ ନଷ୍ଟ ନ କରି ଖୁବ୍‌ ଶୀଘ୍ର ଘରକୁ ଯିବା ଉଚିତ ।’’

 

ତାଙ୍କର ଉପଦେଶ ମୋ ମନକୁ ପାଇବାରୁ ମୁଁ କହିଲି, ‘‘ଏବେ ତ ଶୀତଛୁଟି ଦୁଇଦିନ ପରେ ପଡ଼ିବ । ଆପଣ ଯଦି ଦୟାପରବଶ ହୋଇ ମୋ ସଙ୍ଗରେ ମୋ ଗାଁକୁ ଯାଆନ୍ତେ, ତାହାହେଲେ ସେହି ଲୋକଟି ସହ ବିଷୟ ସମ୍ପତ୍ତି ନେଇ କଥାବାର୍ତ୍ତା କରନ୍ତେ ।’’

 

ଶିକ୍ଷକ ମହାଶୟ କହିଲେ, ‘‘ବୁଲୁ, ଛୁଟି ଦିନମାନଙ୍କରେ ମୁଁ କୌଣସି ନା କୌଣସି ସ୍ଥାନକୁ ବୁଲି ଯାଇଥାଏ । ବେଶ୍‌, ମୁଁ ତୁମ ସହିତ ତୁମ ଗ୍ରାମକୁ ଯିବି । ଚାନ୍ଦିପୁର ମଧ୍ୟ ମୁଁ କେବେ ଯାଇନି । ପୁଣି ତୁମର ଯଦି କୌଣସି ଉପକାର କରିପାରେ, ତାହାହେଲେ ନିଜକୁ ଧନ୍ୟ ମଣିବି ।’’

 

ଶିକ୍ଷକ ମହାଶୟ ଛୁଟିରେ ତାଙ୍କ ଗ୍ରାମ ପାରାଦ୍ୱୀପ ଯିବା ବନ୍ଦ କଲେ ।

 

ଆମେ ଦୁଇ ଜଣ ଦିନେ ପ୍ରତ୍ୟୁଷରୁ ବସରେ ବସି ଚାନ୍ଦିପୁର ଅଭିମୁଖରେ ଚାଲିଲୁ । ବାବାଙ୍କ ସମସ୍ତ ସମ୍ପତ୍ତି ଏବେ ମୋ ହାତକୁ ଆସିବ, ମୋର କୌଣସି ଅଭାବ ଅଭିଯୋଗ ରହିବ ନାହିଁ । ମାତୃଶୋକରେ ଜର୍ଜରିତ ହୋଇଥିଲେ ବି ଭବିଷ୍ୟତ ଆନନ୍ଦରେ ଉତ୍ସାହିତ ହୋଇପଡ଼ୁଥିଲି ।

 

ଗାଁରେ ପହଞ୍ଚିଲୁ ।

 

ମା’ ଯଦି ଆଜି ବଞ୍ଚିଥାଆନ୍ତେ, ମୁଁ ଆସି ପହଞ୍ଚିବା ମାତ୍ରକେ ମୋତେ ଆଲିଙ୍ଗନ କରିଥାନ୍ତେ । କିନ୍ତୁ ହାୟ, ଏ ଜୀବନରେ ଆଉ ମାତସ୍ପର୍ଶ ପାଇବି ନାହିଁ । ନିଜ ଗୃହକୁ ଏକ ଅପରିଚିତ ଆଗନ୍ତୁକ ଭଳି ଆସିଲି ।

ମୋ ପରିବାରର ବନ୍ଧୁ ଜଣକ ଆମ୍ଭର ଆସିବା ମାତ୍ରକେ ଖବର ପାଇ ଆସିଲେ ଏବଂ ଗମ୍ଭୀର ସ୍ୱରରେ କହିଲେ, ‘‘ତୁମର ଆସିବା ବିଷୟରେ କୌଣସି ଖବର ତ ମୋତେ ପୂର୍ବରୁ ଜଣାଇଲ ନାହିଁ । ଆଉ, ଏ ଭଦ୍ରଲୋକ କିଏ ?’’

ମୁଁ ମୋର ଶିକ୍ଷକଙ୍କର ପରିଚୟ ଦେଲି ।

ମୋ ଶିକ୍ଷକ ମହାଶୟ କହିଲେ, ‘‘ବୁଲୁ ତା’ର ମାତାର ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ହୋଇପଡ଼ିଥିଲା । ସେ ଏବେ ଜାଣିବାକୁ ଚାହେଁ, ଆପଣ କେବେ ତା’ର ପିତୃ-ସମ୍ପତ୍ତି ତାହାକୁ ବୁଝାଇ ଘର ପରିତ୍ୟାଗ କରିବେ ?

ଭଦ୍ରଲୋକ କହିଲେ, ‘‘କ’ଣ ଆପଣ କହୁଛନ୍ତି ? ଆପଣ କ’ଣ ବୁଲୁ ମୁଖରୁ ଶୁଣିନାହାନ୍ତି ଯେ, ତା’ର ବାପା–ତାଙ୍କର ସମୁଦାୟ ବିଷୟ ସମ୍ପତ୍ତି, ବେଙ୍କ ବେଲେନସ୍‌, ତାଙ୍କ ସ୍ତ୍ରୀଙ୍କୁ ଆଇନସଙ୍ଗତ ଭାବରେ ଉଇଲ କରିଦେଇ ଯାଇଥିଲେ ଏବଂ ସେଥିରେ ଏମିତି ଲେଖାଥିଲା ଯେ, ସେହି ସମ୍ପତ୍ତି ବୁଲୁର ମାତା ନିଜ ଇଚ୍ଛାନୁସାରେ ବ୍ୟବହାର କରିପାରିବେ । ଏବେ ବୁଲୁ ମାତାର କଠିଣ ରୋଗ ସମୟରେ ମୁଁ ସର୍ବଦା ତାଙ୍କ ନିକଟରେ ରହୁଥିଲି ଏବଂ ପ୍ରାଣପଣେ ତାଙ୍କର ସେବା ମଧ୍ୟ କରିଆସୁଥିଲି । ସେଇଥିପାଇଁ ସେ ଗ୍ରାମର କେତେଜଣ ଭଦ୍ରୋକଙ୍କ ସମ୍ମୁଖରେ ଏବଂ ଜଣେ ଓକିଲଙ୍କ ସାକ୍ଷାତରେ ସେ ସମସ୍ତ ସମ୍ପତ୍ତି ମୋତେ ଦାନ କରିଯାଇଛନ୍ତି । ହୁଏତ ବୁଲୁ ପ୍ରତି ତାଙ୍କର ଏ ଦୁର୍ବ୍ୟବହାର କାହିଁକି ମୁଁ ଜାଣେନା ।’’

ଶିକ୍ଷକ ମହାଶୟ ଭଦ୍ରଲୋକଙ୍କର ଏତାଦୃଶ କଥା ଶୁଣି ସ୍ତମ୍ଭିତ ହୋଇଗଲେ ।

ଭଦ୍ରଲୋକଟି କହିଲେ, ‘‘ମୁଁ କିନ୍ତୁ ଅକୃତଜ୍ଞ ନୁହେଁ । ମୁଁ ବୁଲୁର ଶିକ୍ଷାର ବ୍ୟୟ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବହନ କରିପାରେ । ତାହାଠାରୁ ଅଧିକ ନୁହେଁ ।’’

ମୋର ପ୍ରତି ଶିରାରେ ଶିରାରେ ଉଷ୍ମ ରକ୍ତଧାରା ପ୍ରବାହିତ ହେବାକୁ ଲାଗିଲା ।

ହେ ପୃଥିବୀ ! ମଣିଷ ଏମିତି ଅକୃତଜ୍ଞ ହୋଇପାରେ, ଏ ଯେ ମୋର କଳ୍ପନାତୀତ ।

ମୁଁ କହିଲି, ‘‘ଭାଗ୍ୟ ଦୋଷରୁ ଯେତେବେଳେ ମୋର ନାଯ୍ୟଦାବିରୁ ବଞ୍ଚିତ ହେଲି, ସେତେବେଳେ ମୁଁ ଆପଣଙ୍କ ନିକଟରେ ଭିକାରିଭଳି କୃପାପ୍ରାର୍ଥୀ ହେବାକୁ ଆସିନାହିଁ । ଆଜି ମୁଁ ଆପଣଙ୍କଠାରୁ ସାମାନ୍ୟ ଅନୁଗ୍ରହ ସୁଦ୍ଧା ଚାହେଁନା । ଦିନେ ମୁଁ ପୁଣି ଆସିବି, ଯେଉଁଦିନ ମୁଁ ହୋଇଥିବି ପିତୃ ସମ୍ପତ୍ତିର ପ୍ରକୃତ ହକ୍‌ଦାର । ସେଦିନ କିନ୍ତୁ ଆପଣଙ୍କୁ ଏ ଘରୁ ତଡ଼ି ଦେବିନି, ମୋର ଆସିବା ପୂର୍ବରୁ ଆପଣ ନିଜେ ହିଁ ବିତାଡ଼ିତ ହୋଇସାରିଥିବେ ।’’

ହାୟରେ ପୃଥିବୀର ମଣିଷ ! ଏମିତି ଅକୃତଜ୍ଞତା କିପରି ଯେ ମଣିଷ ମନରେ ବସାବାନ୍ଧି ରହିପାରେ ? ଏମିତି ବିଶ୍ୱାସଘାତକ ମଣିଷର ଶଠତାପୂର୍ଣ୍ଣ ବ୍ୟବହାରରେ ପୃଥିବୀ ଯେ ଆଜି ନରକରେ ପରିଣତ ହେବାକୁ ବସିଛି ।

ଆମେ ଆଉ ସେଠାରେ ମୁହୂର୍ତ୍ତେ ସୁଦ୍ଧା ଅପେକ୍ଷା କଲୁ ନାହିଁ । ସେଦିନ ରାତ୍ରିରେ ଚାନ୍ଦିପୁର ହୋଟେଲରେ ରହି ସକାଳେ ସହୃଦୟ ଶିକ୍ଷକ ସହିତ ଫେରିଆସିଲି ।

ଶୀତ ଛୁଟିଟି ଗାଁରେ କଟାଇବେ ବୋଲି ଶିକ୍ଷକ ମହାଶୟ ମୋତେ ସଙ୍ଗରେ ଧରି ପାରାଦ୍ୱୀପ ଆସିଲେ । ତାଙ୍କ ଗାଁ ପାଖରୁ ପାରାଦ୍ୱୀପ ବନ୍ଦରକୁ ଦଶ କିଲୋମିଟର ଦୂର ।

ସେ ମୋତେ ଅତ୍ୟନ୍ତ ସମାଦର ସହିତ ଗ୍ରହଣ କଲେ ଏବଂ କହିଲେ, ‘‘ବୁଲୁ, ତୁମର ଯେତେଦିନ ଇଚ୍ଛା ମୋ ପାଖରେ ରହିପାର । ତୁମେ ଯଦି ମୋର ଆବଶ୍ୟକୀୟ କେତେ ଖଣ୍ଡ ଛୋଟ ଛୋଟ କାମ କରିଦେଇପାର ତାହାହେଲେ ମୁଁ ତୁମକୁ ବିନା ବ୍ୟୟରେ ବିଦ୍ୟାଶିକ୍ଷା ଦେବି । ତୁମେ ମଣିଷଭଳି ମଣିଷ ହେଲା ପର୍ଯ୍ୟନ୍ତ ମୋ ପାଖରେ ରହିବ, ଉଚ୍ଚଶିକ୍ଷା ପାଇବ । ଉପାର୍ଜନକ୍ଷମ ନ ହେଲା ପର୍ଯ୍ୟନ୍ତ ନିଃଶୋଙ୍କଚରେ ମୋ ପାଖରେ ରହିପାର । ମୁଁ ତୁମର ପିତୃପ୍ରତିମ ଶିକ୍ଷକ, ତୁମ ପ୍ରତି ପୁତ୍ରବତ୍‌ ଯତ୍ନ ନେବାରେ ମୁଁ ଦ୍ୱିଧାବୋଧ କରିବି ନାହିଁ ।’’

ଶିକ୍ଷକ ମହାଶୟଙ୍କ ପକ୍ଷରେ ଏହା ସହୃଦୟତାର ପରିଚାୟକ ହେଲେ ମଧ୍ୟ ମୋ ନିକଟରେ ତାଙ୍କର ଏଇ କଥା ଅପମାନଜନକ ବୋଲି ମନେହେଲା–ଦିନେ ମୁଁ ଥିଲି ଏକ ଧନୀର ସନ୍ତାନ । ଏବେ ମଧ୍ୟ ମୁଁ ତାହା ହିଁ ଅଛି, କେବଳ ପ୍ରବଞ୍ଚକ ହାତରେ ପଡ଼ି ଆଜି ଏଇ ଦୁର୍ଦ୍ଦଶା, କପର୍ଦ୍ଦକହୀନ ।

ମନର ଭାବ ଗୋପନ କରି ଶିକ୍ଷକ ମହାଶୟଙ୍କୁ କହିଲି, ‘‘ଆପଣଙ୍କଠାରେ ମୁଁ କୃତଜ୍ଞ । ଜୀବନରେ ଆପଣଙ୍କ କଥା ଭୁଲିବିନି । ତଥାପି ଆପଣଙ୍କର ଆଜିର ଏ କଥା ମୁଁ ବିବେଚନା କରି ଦେଖିବି ।’’

ମୁଁ ଯେଉଁ କେତେଦିନ ତାଙ୍କ ପାଖରେ ଥିଲି, ସେ ସର୍ବଦା କହୁଥିଲେ, ‘‘ମଣିଷ ଯେତେବେଳେ ଯେଉଁ ଅବସ୍ଥାରେ ପଡ଼େ ସେହି ଅବସ୍ଥାରେ ସେ ସନ୍ତୁଷ୍ଟ ରହିବା ଉଚିତ । ଈଶ୍ୱର ମଣିଷ ଉପରେ କେତେବେଳେ କେମିତି ବିଚାର କରନ୍ତି, ତାହା ମଣିଷ ବୁଝିପାରେନା । ଅନେକ ସମୟରେ ପିତା ମାତାର ଅନ୍ୟାୟର ଦଣ୍ଡ ପୁତ୍ରକୁ ଭୋଗିବାକୁ ହୁଏ । ବିଧାତାର ଏଇ ଯେଉଁ ପାପ ପୁଣ୍ୟର ବିଚାର, ଯେଉଁ ବିଧାନ, ଏହା ମଣିଷ ବୁଝିପାରେନା । ତୁମେ ଅତୀତ ଆଡ଼କୁ ଦୃଷ୍ଟି ନ ଦେଇ ଏବେ ଭବିଷ୍ୟତ ପ୍ରତି ଲକ୍ଷ୍ୟ ରଖ । ମନରେ ଏଇ ଧାରଣା ନିଅ ଯେ କେହି କାହାରି ପ୍ରତି ଅନ୍ୟାୟ ବିଚାର କରି ବଞ୍ଚିପାରେନା । ସେହି ଭଦ୍ରଲୋକ ତୁମ ପ୍ରତି ଯେଉଁ ଅନ୍ୟାୟ କଲେ, ତାହାର ଉପଯୁକ୍ତ ଦଣ୍ଡ ଦିନେ ତାହାଙ୍କୁ ଭୋଗିବାକୁ ହେବ । ଏବେ ତୁମେ ସେ ସମସ୍ତ ଭୁଲି ନୂତନ ଭାବରେ ଜୀବନର ଗତିପଥ ନିୟନ୍ତ୍ରଣ କର ।’’

 

(ତିନି)

 

ମୋର ଜୀବନ ଏବେ ନୂତନ ପଥରେ ପରିଚାଳିତ ହେଲା ।

 

ପ୍ରାଣରେ ଟିକିଏ ବୋଲି ଶାନ୍ତି ନାହିଁ । ମୋ ମନର ଯେତେ କିଛି ଅଶାନ୍ତି ଏବଂ ମନସ୍ତାପ ଶିକ୍ଷକ ମହାଶୟଙ୍କର ଉପଦେଶରେ ଦୂର ହେଲା ।

 

ମନେ ମନେ ସ୍ଥିର କଲି ଏ ଦେଶ ପରିତ୍ୟାଗ କରିବି, କିନ୍ତୁ କେଉଁଠାକୁ ଯିବି ଜାଣେନା ।

 

କାହାରିକୁ କିଛି ନ ଜଣାଇ ଦିନେ ରାତ୍ରି ଶେଷରେ ଶିକ୍ଷକ ମହାଶୟଙ୍କ ଘରୁ ବାହାରିପଡ଼ିଲି ।

 

ମୁଁ ଖୁବ୍‌ ଜୋରରେ ଚାଲିବାକୁ ଲାଗିଲି । କିଏ ଜାଣେ ହୁଏତ ଶିକ୍ଷକ ମହାଶୟ ପଛରୁ ଆସି ମୋତେ ଧରି ନେଇପାରନ୍ତି; ସତ୍ୟ ସତ୍ୟରେ ମୁଁ ତାଙ୍କୁ ଖୁବ୍‌ ଭଲପାଉଥିଲି ଖୁବ୍‌ ଭକ୍ତିକରୁଥିଲି-। ତାଙ୍କର ସ୍ନେହ ଓ ଉପଦେଶ ମୋ ମନରେ ଅନେକ ପରିବର୍ତ୍ତନ ଆଣିପାରିଥିଲା-

 

ପଥରେ ମୁଁ ଚାଲୁ ଚାଲୁ ମନେହେଉଥିଲା, ଈଶ୍ୱରଙ୍କ ବିଧାନ ବୁଝିବା ନିଶ୍ଚୟ କଷ୍ଟ । ମଣିଷ ଯେ ନିୟତିର ଡୋରିରେ ବନ୍ଧା, ସେ ଯୁଆଡ଼କୁ ଟାଣୁଥିବେ, ମଣିଷ ତାହାରି ଇଙ୍ଗିତରେ ପରିଚାଳିତ ହେବାକୁ ବାଧ୍ୟ ।

 

କିଏ ଜାଣେ ଆଜି ହୁଏତ ମୋତେ ବି ଏକାନ୍ତ ଅଭାଗା ଓ ନିରାଶ୍ରୟଭଳି କେବଳ ପଥେ ପଥେ ଚାଲିବାକୁ ହେବ । ପଥ ହିଁ ହେବ ମୋର ଏକମାତ୍ର ଆଶ୍ରୟ । ଈଶ୍ୱର ମଙ୍ଗଳମୟ, ତାଙ୍କରି ଇଚ୍ଛା ପୂର୍ଣ୍ଣ ହେବ । ଏମିତି ଭାବି ଭାବି ଭଗବାନଙ୍କ ନିକଟରେ ବେଦନା ଜଣାଇ ପଥରେ ଚାଲିବାକୁ ଲାଗିଲି । ଦିନ ଏଗାରଟା ବେଳକୁ ପାରାଦ୍ୱୀପ ବନ୍ଦରଠାରେ ଆସି ପହଞ୍ଚିଲି । ରାସ୍ତାରେ ଚାଲୁ ଚାଲୁ ସ୍ଥିର କଲି ଯେ ମୁଁ କୌଣସି ଏକ ଜାହାଜର ନାବିକ ହୋଇ ସମୁଦ୍ର ଯାତ୍ରା କରିବି ।

 

ବନ୍ଦର ପାଖରେ ପହଞ୍ଚି ଜାଣିଲି, ବନ୍ଦରର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇନି । ଅଳ୍ପ କେତୋଟି ଜାହାଜ ରହିଛି । ସେଗୁଡ଼ିକ ତେବେ କୁଆଡ଼େ ଯିବ ତାହାର ଅନୁସନ୍ଧାନ କଲି । ମୋ’ଭଳି ଏକ ଅପରିଚିତ ଯୁବକକୁ ଏ ଖବର କିଏ ବା ଦେବ, ବିଶେଷତଃ କୌଣସି ଚାକିରି କିମ୍ବା କୌଣସି କାର୍ଯ୍ୟ ପାଇବାକୁ ଚାହିଁଲେ ।

 

ସେଦିନ ସନ୍ଧ୍ୟା ସୁଦ୍ଧା କାହାରିଠାରୁ କୌଣସି ସମ୍ବାଦ ପାଇଲି ନାହିଁ । ରାତ୍ରି ସମୟରେ କୌଣସି ହୋଟେଲରେ କେବଳ ଆଶ୍ରୟ ଟିକିଏ ପାଇଲି । ରାତ୍ରିରେ ପ୍ରାର୍ଥନା କଲି–ହେ ଭଗବାନ, ମୋତେ ନୂତନ ଦେଶକୁ ନେଇଚାଲ ।

 

ପରଦିନ ଭୋର ସମୟରେ ପୁଣି ବନ୍ଦରକୁ ଚାଲିଲି । ଯାହାକୁ ଦେଖିଲି ତାହାକୁ ପଚାରିଲି କୌଣସି କାର୍ଯ୍ୟ ଖାଲି ଅଛି କି ନା । କେହି ଉତ୍ତର ଦିଏ, କେହି ଅବା ଦିଏନା । ଏହି ସମସ୍ତ ଲୋକମାନଙ୍କ ମଧ୍ୟରେ ଅନେକ ଥିଲେ ବିଭିନ୍ନ ଦେଶର ଯାତ୍ରୀ । କେଉଁ ଜାହାଜ କେଉଁଠାକୁ ଯିବ ଜାହାଜ ଯାତ୍ରୀ ନେବ କି ନା–ଖୋଜି ଖବର ନେଲି । କାର୍ଯ୍ୟତଃ ମୁଁ କାହାରି ପାଖରୁ ସନ୍ତୋଷଜନକ ଉତ୍ତର ପାଉନଥିଲି ।

 

ଶେଷରେ ନିରାଶ ହୋଇ ଫେରିଆସୁଛି ଏଇ ସମୟରେ ଦେଖିବାକୁ ପାଇଲି ଯେ, ଦୁଇଜଣ ଭଦ୍ରଲୋକଙ୍କୁ ସଙ୍ଗରେ ଧରି କେତେଜଣ ନାବିକ ଗୋଟିଏ ଜାହାଜରୁ ଓହ୍ଲାଇ ଆସୁଛନ୍ତି । ମୁଁ ନାବିକମାନଙ୍କୁ ଭଙ୍ଗା ଭଙ୍ଗା ହିନ୍ଦୀ ଶିକ୍ଷା ଇଂରାଜୀରେ ପଚାରିଲି, କୌଣସି ଜାହାଜରେ କାମ ଖାଲି ଅଛି କି ନା !

 

ଜଣେ ଭଦ୍ରଲୋକ, ପରେ ଜାଣିଲି ସେ ଗୋଟିଏ ଜାହାଜର ମାଲିକ,–ତାଙ୍କର ଜାହାଜଟି ଲଣ୍ଡନ ଯିବ–ସେଠାରେ କିଛି ଦିନ ରହି ଆଫ୍ରିକା ଯିବ । ମୋ’ଆଡ଼କୁ ଚାହିଁ କହିଲେ, ‘‘ଯୁବକ ! ତୁମେ କ’ଣ ଜାହାଜରେ କାମ କରିବାକୁ ଚାହଁ ?’’

 

ମୁଁ ତାହାଙ୍କୁ ନମସ୍କାର କରି କହିଲି, ‘‘ଆଜ୍ଞା ହଁ ।’’

 

ସେତେବେଳେ ଆକାଶରେ ମେଘ ଢାଙ୍କି ଯାଇଥିଲା ଝିପିଝିପି ବର୍ଷା ମଧ୍ୟ ହେଉଥିଲା । ସେ ଭଦ୍ରଲୋକ କହିଲେ, ‘‘ଏଇ ବର୍ଷାରେ ଛିଡ଼ା ହୋଇ କୌଣସି କଥା ହୋଇ ହେବ ନାହିଁ । ତୁମେ ମୋ ସହିତ ଲଜିଂକୁ ଚାଲ, ସେହିଠାରେ ତୁମ କଥା ଶୁଣିବି ।’’

 

ମୁଁ ତାଙ୍କ ସହିତ ଲଜିଂକୁ ଚାଲିଲି । ସେଠାରେ ସେ ଗୋଟିଏ ଘର ମଧ୍ୟକୁ ଗଲେ । ନିଜେ ବସି ମୋତେ ବସିବାକୁ କହିଲେ । ପଚାରିଲେ, ‘‘ତୁମେ କ’ଣ ପୂର୍ବରୁ କୌଣସି ଜାହାଜରେ କାମ କରିଛ ?’’

 

ମୁଁ କହିଲି, ‘‘ନା । କିନ୍ତୁ ମୋର ବିଶ୍ୱାସ ଯେ, ମୁଁ ଖୁବ୍‌ ଶୀଘ୍ର ଜଣେ ଉତ୍ତମ ନାବିକ ହୋଇପାରିବି ।’’

 

ସେ ମୋ କଥା ଶୁଣି ମୋ ହାତଟି ଧରି କହିଲେ, ‘‘ତୁମକୁ ନାବିକର କାମ ପୋଷାଇବ ନାହିଁ, ତୁମର ହାତ ଯେ ନରମ ।’’

 

ମୁଁ କହିଲି, ‘‘ମୁଁ ପ୍ରତିଜ୍ଞା କରୁଛି, ନାବିକ ହେବି । କାମ କରୁ କରୁ ହାତ ଶକ୍ତ ହୋଇଯିବ-

 

ସେ ହସି କହିଲେ, ‘‘ତୁମଭଳି ଏକ ସୁଶ୍ରୀ ଯୁବକକୁ ନାବିକର କାମ ଆଦୌ ଠିକ୍‌ ହେବ ନାହିଁ । ଆଚ୍ଛା, ତୁମେ ହିସାବ ପତ୍ର ରଖି ଶିଖିଛ ? ଯଦି ତୁମ ହାତର ଲେଖା ଭଲ ହୁଏ ଏବଂ ମୋଟାମୁଟି ହିସାବ ରଖିପାର, ତାହାହେଲେ ମୁଁ ତୁମକୁ ମୋର କିରାଣି କରି ରଖିବି ।’’

 

ମୁଁ କହିଲି, ‘‘ଆଜ୍ଞା ! ମୁଁ ଲେଖିପଢ଼ି ଶିଖିଛି ଏବଂ ହିସାବପତ୍ର କରିବାରେ ମଧ୍ୟ ସମ୍ପୂର୍ଣ୍ଣ ଅନଭିଜ୍ଞ ନୁହେଁ ।’’

 

‘‘ତୁମର ଏଟେଚି କିମ୍ବା ବେଗ୍‌ କେଉଁଠି ?’’

 

‘‘ମୋର ସେ ସମସ୍ତ କିଛି ନାହିଁ ।’’

 

କ୍ୟାପଟେନ ହସି କହିଲେ, ‘‘ଯୁବକ ! ମୁଁ ଦେଖୁଛି ତୁମେ ଏକାବେଳକେ ମଫସଲି । ମୋ ଜାହାଜର ଜଣେ ସାମାନ୍ୟ ନାବିକର ମଧ୍ୟ ଗୋଟିଏ ବାକ୍‌ସ କିମ୍ବା ଏଟେଚି ଥାଏ । ସେ ଯାହାହେଉ, ତୁମକୁ ଦେଖି ମୋର ମନେହୁଏ ତୁମେ ପରିଶ୍ରମୀ ଏବଂ ସତ୍‌ ହେବ । ଯେଉଁମାନେ ପରିଶ୍ରମୀ ହୁଅନ୍ତି ଏବଂ ଭଲଭାବରେ କାମ କରନ୍ତି, ସେମାନଙ୍କର ଦିନେ ନା ଦିନେ ଉନ୍ନତି ହେବ । ମୁଁ ତୁମକୁ କିଛି ଟଙ୍କା ଦେଉଛି, ସେ ଟଙ୍କା ପରେ ତୁମେ ମୋତେ ଫେରାଇ ଦେଇପାର ।’’

 

ଏହା ଏହି କ୍ୟାପ୍ଟେନ ନିଜ ବାକ୍‌ସରୁ ମୋତେ କିଛି ଟଙ୍କା ଦେଲେ ଏବଂ କହିଲେ, ‘‘ଜାହାଜରେ ଯିବାକୁ ହେଲେ ଯେଉଁ ସମସ୍ତ ଜିନିଷ ଆବଶ୍ୟକ ତୁମେ ତୁମର ଜଣାଶୁଣା କୌଣସି ଲୋକଙ୍କୁ ସାଙ୍ଗରେ ଧରି କିଣି ନିଅ ।’’

 

ପୁଣି କିଛି ସମୟ ନୀରବ ରହି କହିଲେ, ‘‘ଆଚ୍ଛା, ମୁଁ ସେ ସମସ୍ତ ଜିନିଷପତ୍ର କିଣିବାର ବ୍ୟବସ୍ଥା କରୁଛି ତୁମେ ଜାହାଜକୁ ଯାଅ–’’ କହି ସେ ଜାହାଜକୁ ଯିବାପାଇଁ ନୌକାଟିଏ ଦେଖାଇ ମୋ’ପାଇଁ ଗୋଟିଏ ଛାଡ଼ପତ୍ର ଲେଖିଲେ ।

 

ମୁଁ ଛାଡ଼ପତ୍ର ପାଇ ଦେଖିଲି ନୌକାଟି ଅନେକ ଦୂର ଚାଲିଗଲାଣି । ମୁଁ ଛାଡ଼ପତ୍ର ଦେଖାଇ ଚିତ୍କାର କରିବାରୁ ନୌକାଟି ଫେରିଲା ।

 

ମୁଁ ନିରାପଦରେ ଜାହାଜରେ ପହଞ୍ଚି ନିଶ୍ଚିନ୍ତ ହେଲି ।

 

ଦୟାମୟ ଭଗବାନ ମୋତେ ସମ୍ପୂର୍ଣ୍ଣ ଅଜାଚିତ ଭାବରେ ଆଶ୍ରୟ ଦେଲେ । ମୁଁ ତାଙ୍କ ଉଦ୍ଦେଶ୍ୟରେ ନତମସ୍ତକ ହୋଇ ତାଙ୍କୁ ଧନ୍ୟବାଦ ଜଣାଇଲି ।

 

(ଚାରି)

 

ଜାହାଜକୁ ଆସି ମନେହେଲା, ଆଜି ମୁଁ ବାସ୍ତବିକ ଜଣେ ସୁଖୀ ମଣିଷ ।

 

ଜାହାଜର ନାବିକମାନେ ମୋର ଚେହେରା ଓ ପୋଷାକ ପରିଚ୍ଛେଦ ଦେଖି ମୋତେ ଜଣେ ଯାତ୍ରୀ ବୋଲି ଧରିନେଇଥିଲେ ।

 

ମୁଁ ଦିନେ ସେମାନଙ୍କୁ କହିଲି, ‘‘ତୁମେମାନେ ସମସ୍ତେ ମୋତେ ଭୁଲ ବୁଝୁଛ । ମୁଁ ଯାତ୍ରୀ ନୁହେଁ, ମୁଁ କ୍ୟାପ୍ଟେନ ସାହେବଙ୍କ ଖୋଦ୍‌ କିରାଣି ।’’

 

ଜଣେ ଲୋକ କହିଲା, ‘‘ମିଛ କଥା କହନା ପିଲା, ଆମ୍ଭେମାନେ ଜାଣୁ କ୍ୟାପ୍ଟେନ ସାହେବଙ୍କ ଖୋଦ୍‌ କିରାଣିର କାମ ଜଣେ ଭଲଲୋକ ହାତରେ ନ୍ୟସ୍ତ ରହିଛି । ତୁମେ ଏଠାରୁ ଚାଲିଯାଅ, ଆଉ ବେଶୀଦିନ ଏ ଜାହାଜରେ ତୁମକୁ ରହିବାକୁ ହେବନି ।’’

 

ସେଇ ଲୋକଟିର ଏମିତି ଔଦ୍ଧତ୍ୟରେ ମୁଁ ଭୀତତ୍ରସ୍ତ ହୋଇପଡ଼ିଲି ଏବଂ ସେହିଠାରୁ ଖୁବ୍‌ ସାବଧାନତାର ସହିତ ଜାହାଜର ଲୋକମାନଙ୍କ ସଙ୍ଗେ କଥାବାର୍ତ୍ତା କଲି ।

 

ଦିନେ ଜଣେ ଗମ୍ଭୀର ପ୍ରକୃତିର ଦୀର୍ଘକାୟ ବ୍ୟକ୍ତି ମୋ ନିକଟକୁ ଆସି କହିଲେ, ‘‘ଦେଖୁଛ, ଆଜି ଦିନ ତମାମ ବର୍ଷା ଲାଗି ରହିଛି । ଟିକିଏ ବୋଲି ବିଶ୍ରାମ ନାହିଁ । ଜାହାଜରୁ ଟିକିଏ ତଳକୁ ବି ଯାଇପାରିଲି ନାହିଁ ।’’

 

କହିଲି, ‘‘ଅଦିନ ମେଘ ଏମିତି କେବେ ଲାଗି ରହେନା ।’’

 

ତାହାପରେ ଜଣେ ଲୋକକୁ ଦେଖାଇ ତାଙ୍କୁ ପଚାରିଲି, ‘‘କୁହନ୍ତୁନା ଏଇ ଲୋକଟି କିଏ-? ସବୁବେଳେ ମୋ’ପ୍ରତି ଦୁର୍ବ୍ୟବହାର ଦେଖାଉଛି ।’’

 

ସେ କହିଲେ, ‘‘ଏଇ ଲୋକଟା ? ଜଣେ ସାମାନ୍ୟ ଲୋକ, କାପ୍ଟେନଙ୍କ କିରାଣି । ଲୋକଟି ସବୁବେଳେ ସେମିତି, ଖରାପ ମେଜାଜର ଲୋକ । ଜାହାଜ ଏଠାରେ ଲାଗିବାପରେ ଯେତେବେଳେ କ୍ୟାପ୍ଟେନ କୂଳକୁ ଗଲେ, ସେତେବେଳେ ଏହା ସହିତ ନାବିକମାନଙ୍କର ଖୁବ୍‌ ଗୋଟିଏ ଝଗଡ଼ା ଲାଗିଯାଇଛି । ତାହାର ବ୍ୟବହାରରେ କେହି ସନ୍ତୁଷ୍ଟ ନୁହନ୍ତି । ମୋ ସହିତ ଦିନେ ଯଦି ଲାଗନ୍ତା, ମୁଁ ତା’ର ମୁଣ୍ଡ ଫଟାଇ ଦିଅନ୍ତି । ଯାହାହେଉ ମୋର ମନେହୁଏ, କ୍ୟାପ୍ଟେନ ସାହେବ ତାହାକୁ ଆଉ କାର୍ଯ୍ୟରେ ରଖିବାକୁ ଚାହାନ୍ତି ନାହିଁ–ଜଣେ ଭଲଲୋକ ପାଇଲେ ତାକୁ ବାହାର କରିଦେବେ ।’’

 

ସେଦିନ ରାତିରେ କ୍ୟାପ୍ଟେନ ଜାହାଜକୁ ଆସିଲେ । ଜାହାଜକୁ ଆସି ସେ ସେହି ଲୋକଟି ପାଖରୁ ଚାବି ନେଇ ମୋ ହାତରେ ଦେଲେ ଏବଂ ତାହାକୁ ଦେଶକୁ ପଠାଇଦେଲେ ।

 

ପରଦିନ ପ୍ରତ୍ୟୁଷରେ କ୍ୟାପ୍ଟେନ ସାହେବ ଜାହାଜରୁ ତୀରକୁ ଗଲେ । ମେଘ କଟିଯାଇଥିଲା । ମୃଦୁମନ୍ଦ ପବନ ବୋହୁଥିଲା । ଦ୍ୱିପ୍ରହର ବେଳକୁ ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହୋଇଗଲା । ଉପରଓଳି କ୍ୟାପ୍ଟେନ ସାହେବ ମୋ’ପାଇଁ ଗୋଟିଏ ଲେଦରବାକ୍‌ସ ଜାହାଜକୁ ନେଇଆସିଲେ ଏବଂ ସେହିଦିନ ସନ୍ଧ୍ୟା ପୂର୍ବରୁ ଅନୁକୂଳ ପବନରେ ଜାହାଜ ଛାଡ଼ିବାପାଇଁ ଆଦେଶ ଦେଲେ ।

 

ଜାହାଜ ସମୁଦ୍ର ବୁକୁରେ ନାଚି ନାଚି ଭାସିଚାଲିଲା ।

 

ପ୍ରଥମ ଚଉଦଦିନ କାଳ ଜାହାଜ କିପରି ଭାବରେ ଚାଲିଲା, ସେ ଖବର ମୁଁ ଆଦୌ ଜାଣେନା । କାରଣ ସେହି କେତୋଟି ଦିନ ମୁଁ ସାମୁଦ୍ରିକ ପୀଡ଼ାରେ ଅତ୍ୟନ୍ତ କାତର ହୋଇପଡ଼ିଥିଲି-। କ୍ରମେ ସୁସ୍ଥ ହେଲି ।

 

କ୍ୟାପ୍ଟେନ ସାହେବ ଏହି କେତେଦିନ ମୋ’ପ୍ରତି ଭଲ ବ୍ୟବହାର ଦେଖାଇଲେ । ଔଷଧର ବନ୍ଦୋବସ୍ତ କରିଥିଲେ । ସେ ମୋତେ ବିଶେଷ କାମ କିଛି କରିବାକୁ ଦିଅନ୍ତି ନାହିଁ । ପ୍ରଥମେ ପ୍ରଥମେ କେମିତି ହିସାବ ରଖିବାକୁ ହୁଏ ଶିଖାଇଲେ ।

 

ତାଙ୍କର ଅନୁଗ୍ରହରେ ମୋର ଦିନଗୁଡ଼ିକ ବେଶ୍‌ ଆରାମରେ କଟି ଯାଉଥାଏ । କିଛିଦିନ ପରେ ଜାହାଜଟି ଆସି ଲଣ୍ଡନରେ ପହଞ୍ଚିଲା ।

 

ଯେଉଁ ଲଣ୍ଡନ ସହର ବିଷୟରେ ମୁଁ ବହିରୁ ପଢ଼ିଥିଲି, ଶିକ୍ଷକମାନଙ୍କ ମୁହଁରୁ ଶୁଣିଥିଲି; ଯେଉଁ ଦେଶ ମୋ କଳ୍ପନାର ବାହାରେ ଥିଲା, ସେଠାରେ ମୁଁ ନିଜେ ପଦାର୍ପଣ କରି ନିଜକୁ ଧନ୍ୟ ମଣିଲି ।

 

ଅଳ୍ପ କେତୋଟି ଦିନ ମାତ୍ର ସେଠାରେ ଅବସ୍ଥାନ । ପାଗ ଅନୁକୂଳ ଥିବାରୁ ଆମକୁ ଖୁବ୍‌ ଶୀଘ୍ର ଆଫ୍ରିକା ଯିବାକୁ ହେବ । ତଥାପି ସେହି କେତୋଟି ଦିନ ମଧ୍ୟରେ କ୍ୟାପ୍ଟେନ ସାହେବଙ୍କ ସହିତ ଲଣ୍ଡନ ସହରଟିକୁ ପରିଭ୍ରମଣ କଲି । ସେଠାରୁ ଯିବାକୁ ଇଛା ନ ଥିଲେ ବି ହଠାତ୍‌ ଦିନେ ଆମକୁ ବାହାରିବାକୁ ପଡ଼ିଲା ।

 

ଏଣିକି ସମୁଦ୍ରଯାତ୍ରା କରିବାକୁ ମୋତେ ଯେମିତି ଦ୍ୱିଧାବୋଧ ହେଉଥିଲା ।

 

ସମୁଦ୍ରର ସେହି ବିଶାଳ ରୂପ ଦେଖି ମୋତେ ଯେମିତି ଭୟ ଲାଗୁଥିଲା ।

 

ତଥାପି ମୁଁ ନିରୁପାୟ । ଚାକିରି କରିଛି, ଯିବାକୁ ହେବ । ଲଣ୍ଡନରେ ଯଦି ମୁଠାଏ ଖାଦ୍ୟର ସଂସ୍ଥା ମୁଁ କରିପାରିଥାନ୍ତି, ଚାକିରିରୁ ବିଦାୟ ନେଇଥାନ୍ତି ନିଶ୍ଚୟ । ମାତ୍ର ଭଗବାନ ମୋର ଗତିପଥ ଅଲଗା କରି ସୃଷ୍ଟି କରିଛନ୍ତି । ତେଣୁ ମୁଁ ଲଣ୍ଡନ ସହରରେ ଏତେ ସୌଖୀନ ଜୀବନ କଟାନ୍ତି କିପରି ?

 

ଦିନେ ରାତିରେ ଆମ ଜାହଜ ବନ୍ଦର ଛାଡ଼ିଲା ।

 

ପ୍ରାୟ ତିନି ସପ୍ତାହ ପରେ ଦିନେ ସନ୍ଧ୍ୟା ସମୟରେ ଆମ ଜାହାଜଟି ପାମିସ୍‌ ଅନ୍ତରୀପର ନିକଟବର୍ତ୍ତୀ ହେଲା । ଅବଶ୍ୟ ଜାହାଜଟି ସାମାନ୍ୟ ବିରୁଦ୍ଧ ପବନ ମଧ୍ୟ ଦେଇ ଅଗ୍ରସର ହେଉଥିଲା-

 

ଜାହାଜର ଜଣେ ନାବିକ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୂରରେ ଖଣ୍ଡିଏ ପାଲ ଦେଖିବାକୁ ପାଇଲେ । ସେ କ୍ୟାପ୍ଟେନଙ୍କୁ ଏହା ମଧ୍ୟ ଦେଖାଇଲେ ।

 

କ୍ୟାପ୍ଟେନ କୌଣସି ଆଶଙ୍କାର କାରଣ ଅଛି ବୋଲି ମନେକଲେନାହିଁ । ତେଣୁ ସେଆଡ଼କୁ କୌଣସି ଲକ୍ଷ୍ୟ ନ ରଖି ଆମ ଜାହାଜ ଚାଲିବାକୁ ଲାଗିଲା ।

 

କ୍ରମେ ରାତ୍ରି ହେଲା । ଏହି ସମୟରେ ଜଣାଗଲା ସେହିଟି ଗୋଟିଏ ଫରାସୀ ଜାହାଜ । ସେ ସମୟରେ ଫରାସୀ ଜାହାଜଗୁଡ଼ିକ ସମୁଦ୍ର ପଥରେ ଡକାୟତି କରିବା ଉଦ୍ଦେଶ୍ୟରେ ଘୂରିବୁଲୁଥିଲା । କ୍ୟାପ୍ଟେନ ଜାଣିଲେ, ସେହି ଜାହାଜଟି ନିଶ୍ଚୟ ଜଳଦସ୍ୟୁମାନଙ୍କର ।

 

ସେ ଜାହାଜର ସାଇରନ୍‌ ବଜାଇଲେ ।

 

ନିମିଷକ ମଧ୍ୟରେ ଯିଏ କେଉଁଠି ଥିଲେ ସମସ୍ତେ ଆସି ଉପସ୍ଥିତ ହେବାରୁ କ୍ୟାପ୍ଟେନ କହିଲେ, ‘‘ଅଳ୍ପକ୍ଷଣ ମଧ୍ୟରେ ଆମ୍ଭେମାନେ ଦସ୍ୟୁମାନଙ୍କ କବଳରେ ପଡ଼ିବୁ । ତୁମ୍ଭେମାନେ ସମସ୍ତେ ପ୍ରତିଜ୍ଞା କର ଯେ, ଆମ୍ଭେମାନେ କୌଣସି ପ୍ରକାରେ ଜାହାଜଟିକୁ ଦତ୍ସ୍ୟୁମାନଙ୍କ ହାତରେ ଛାଡ଼ିଦେବୁ ନାହିଁ ।’’

 

ସମସ୍ତେ ପ୍ରତିଜ୍ଞା କଲେ, ‘‘ଜୀବନ ଥିବା ପର୍ଯ୍ୟନ୍ତ ଆମ୍ଭେ ଆମ୍ଭମାନଙ୍କର ଜାହାଜଟିକୁ ଦସ୍ୟୁ ହାତରେ ସମର୍ପଣ କରିବୁ ନାହିଁ ।’’

 

କ୍ୟାପ୍ଟେନଙ୍କ ଆଦେଶରେ ଡେକ୍‍ ଉପରେ ବନ୍ଧୁକମାନ ଆଣି ରଖାଗଲା । ନାବିକମାନେ ସମସ୍ତେ ବନ୍ଧୁକ ହସ୍ତରେ ଦସ୍ୟୁ ଜାହାଜକୁ ଆକ୍ରମଣ କରି ଆତ୍ମରକ୍ଷାପାଇଁ ପ୍ରସ୍ତୁତ ହେଲେ ।

 

ଦସ୍ୟୁ ଜାହାଜଟି ଛୋଟ ଥିବା ହେତୁ ପାଣିରେ ନାଚି ନାଚି ଖୁବ୍‌ ଶୀଘ୍ର ଗତିରେ ଆମ୍ଭମାନଙ୍କ ଜାହାଜଠାରେ ଆସି ପହଞ୍ଚିଗଲା । ଆମ୍ଭେମାନେ ସେତେକ୍ଷଣ ଯାଏ ଚୁପ୍‌ ହୋଇ ରହିଥିଲୁ । ସମସ୍ତେ କେବଳ ପ୍ରତୀକ୍ଷାରେ ରହିଥାଉଁ ।

 

ପ୍ରଥମେ ଫରାସୀମାନେ ଗୁଳି ଆରମ୍ଭ କଲେ । ଆମ୍ଭେମାନେ ଗୁଳି ଛାଡ଼ିଲୁଁ । କିନ୍ତୁ ଜଳଦସ୍ୟୁମାନଙ୍କୁ ସାହାଯ୍ୟ କରିବାପାଇଁ ଆଉ ଖଣ୍ଡିଏ ଜାହାଜ ଆସି ନ ପହଞ୍ଚିଥିଲେ, ଆମ୍ଭେମାନେ ପ୍ରଥମ ଜାହାଜଟିକୁ ଅନାୟାସରେ ଧ୍ୱଂସ କରିପକାଇଥାନ୍ତୁ । କିନ୍ତୁ ତାହା ଆଉ ହୋଇପାରିଲା ନାହିଁ-। ସେମାନଙ୍କର ଦୁଇ ଦଳ ଆକ୍ରମଣରେ ଆମ୍ଭେମାନେ ପରାଜିତ ହେଲୁଁ ଓ ବନ୍ଦୀ ହେଲୁଁ ।

 

ଆମ୍ଭମାନଙ୍କର ଜାହାଜକୁ ଉଠି ସେମାନେ ସମସ୍ତ ଦ୍ରବ୍ୟ ଲୁଣ୍ଠନ କଲେ । କ୍ୟାପ୍ଟେନ ସାହେବ ପ୍ରଥମେ ବିପକ୍ଷ ଦଳର ଗୁଳି ଆଘାତରେ ନିହତ ହୋଇଥିଲେ । ଆମ୍ଭମାନଙ୍କ ମଧ୍ୟରେ ମଧ୍ୟ କାହାରି କାହାରିର ମୃତ୍ୟୁ ହୋଇଥିଲା । ବାକି ଯେଉଁ କେତେଜଣ ବଞ୍ଚି ରହିଲୁଁ, ଦୁଇ ଦୁଇଜଣ କରି ଲୌହ ଶିକୁଳିରେ ବାନ୍ଧି ଫରାସୀମାନେ ତାଙ୍କ ଜାହାଜକୁ ନେଇଗଲେ ।

 

ଏମିତି ଅବସ୍ଥାରେ ମୁଁ ଓ ଚୌଦଜଣ ନାବିକ ପ୍ରାୟ ଦେଢ଼ମାସ କାଳ ଦସ୍ୟୁମାନଙ୍କ ଜାହାଜରେ ସବୁବେଳେ ବନ୍ଧା ହୋଇ ରହିଲୁଁ । ଲୌହ ଶିକୁଳି ଆଘାତରେ ଆମ୍ଭମାନଙ୍କ ପାଦରେ ହାଡ଼ ପର୍ଯ୍ୟନ୍ତ ଦାଗ ପଡ଼ିଗଲା ।

 

ଆମ୍ଭେମାନେ ଯେଉଁ ଜାହାଜରେ ବନ୍ଦୀ ଥିଲୁ, ସେ ଜାହାଜଟି କ୍ରମାଗତ ଭାବରେ ଏକମାସ କାଳ ଉତ୍ତରାଭିମୁଖୀ ହୋଇ ଚାଲିଲା । ଏଇ ପାଞ୍ଚ ସପ୍ତାହ କାଳ ମଧ୍ୟରେ ଅନ୍ୟ କୌଣସି ଜାହାଜ ସହିତ ସାକ୍ଷାତ ହୋଇନଥିଲା ।

 

ପାଞ୍ଚ ସପ୍ତାହ ପରେ ଏଇ ଫରାସୀ ଦସ୍ୟୁ-ଜାହାଜ ଆଉ ଖଣ୍ଡିଏ ଖୁବ୍‌ ବଡ଼ ବାଣିଜ୍ୟ ଜାହାଜ ଆକ୍ରମଣ କଲେ ଏବଂ ସମୁଦାୟ ଜିନିଷପତ୍ର ଲୁଣ୍ଠନ କଲେ । ସେହି ଜାହାଜରେ ଛତିଶ ଜଣ ଲୋକ ଥିଲେ । ସେମାନେ ମଧ୍ୟ ସମସ୍ତେ ବନ୍ଦୀ ହୋଇ ଆସିଲେ । କିନ୍ତୁ ଏଇ ଲୁଣ୍ଠିତ ଜାହାଜ ଖଣ୍ଡିକରେ କିଏ ଜାଣେ କେମିତି ଭାବରେ ଗୋଟିଏ ଛିଦ୍ରପଥ ଦେଖାଗଲା ।

 

କ୍ୟାପ୍ଟେନ ବନ୍ଦୀ ଓ ନାବିକମାନଙ୍କ ସାହାଯ୍ୟରେ ନାନା ଉପାୟରେ ଛିଦ୍ରଟିକୁ ଖୋଜି ବାହାର କରିବାକୁ ଚେଷ୍ଟା କଲେ; କିନ୍ତୁ କୃତକାର୍ଯ୍ୟ ହୋଇପାରିଲେ ନାହିଁ । ଜାହାଜରୁ ସମସ୍ତ ଜିନିଷପତ୍ର ଉଠାଇ ଅଣାଗଲା । କିନ୍ତୁ ଜାହାଜଟିକୁ ସମ୍ପୂର୍ଣ୍ଣ କରିବା ପୂର୍ବରୁ ପାଣିରେ ବୁଡ଼ିଗଲା ।

 

ଏଆଡ଼େ ଫରାସୀ କ୍ୟାପ୍ଟେନ ଆମ୍ଭର ନିଜସ୍ୱ ସେଇ ଲୁଣ୍ଠିତ ଜାହାଜରେ ଆମ୍ଭମାନଙ୍କୁ ଦୁଇ ଦିନପାଇଁ ଖାଦ୍ୟ ସହ ଛାଡ଼ିଦେଲେ । କାରଣ ଏତେଗୁଡ଼ିଏ ବନ୍ଦୀକୁ ଖାଦ୍ୟ ଯୋଗାଇବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ପୁଣି ଫରାସୀ ଦସ୍ୟୁ ଜାହାଜର ଅନେକ ଲୋକ ଦୁଇ ଦୁଇ ଥର ଯୁଦ୍ଧ କରି ଶକ୍ତିହୀନ ହୋଇପଡ଼ିଥିଲେ । ତେଣୁ ସେମାନେ ଆମ୍ଭମାନଙ୍କୁ ଛାଡ଼ିଦେଲେ ଏବଂ ସେମାନେ ଅନ୍ୟ ପଥରେ ଚାଲିଗଲେ ।

 

ଆମ୍ଭେମାନେ ଆମ୍ଭମାନଙ୍କ ଅଦୃଷ୍ଟ ଉପରେ ନିର୍ଭର କରି ଅନିର୍ଦ୍ଦିଷ୍ଟ ପଥରେ ଭାସି ଚାଲିଲୁଁ ।

 

(ପାଞ୍ଚ)

 

ଆମେ ଏବେ ଆମ୍ଭମାନଙ୍କର ଶୋଚନୀୟ ଅବସ୍ଥାଟା ହୃଦୟଙ୍ଗମ କରିବାକୁ ଲାଗିଲୁଁ ।

 

ପ୍ରଥମେ ଭାବିଥିଲୁଁ, ଏମିତି ବନ୍ଧନଦଶାରୁ ଯେତେବେଳେ ମୁକ୍ତି ପାଇଲୁଁ, ସେତେବେଳେ ଆମ୍ଭେ ନିଶ୍ଚୟ ରକ୍ଷା ପାଇବୁ । ଜାହାଜଟି ନିଜ ମନକୁ ମନ ଚାଲିବାକୁ ଲାଗିଲା, କାରଣ ଜାହାଜରେ ପାଲ କିମ୍ବା ଦିଗଦର୍ଶନ ଯନ୍ତ୍ର ନ ଥିବାର ଜାଣିଲୁଁ ।

 

ଜାହାଜ ଚାଲିଲା । ସେଥିରେ ଯେଉଁ ଦୁଇ ଦିନର ଖାଦ୍ୟ ଥିଲା, ତାହାକୁ ନ’ଦିନ ପର୍ଯ୍ୟନ୍ତ ଭାଗ କରି ଖାଇଲୁଁ । ଏମିତି କେତେଦିନ ଚଳିବ ? ଷୋହଳ ଦିନ ରାତ୍ରିରେ ଆମ୍ଭମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହେଲା ।

 

ଆମ୍ଭମାନଙ୍କର କାହାରିର ଏମିତି ଶକ୍ତିନଥିଲା ଯେ ସେଇ ମୃତ ଦେହଗୁଡ଼ିକୁ ପାଣିକୁ ଫିଙ୍ଗିଦେବାକୁ ।

 

ଜାହାଜ ଗତିହୀନ ଭାବରେ ଚାଲିଛି; ମୃତ ଶରୀର ଦୁର୍ଗନ୍ଧ, ପିଇବା ପାଣିର ଅଭାବ, ଖାଦ୍ୟର ଅଭାବରେ ମଣିଷ କ’ଣ ବଞ୍ଚିପାରେ ?

 

ମୁଁ ପ୍ରଥମେ ପ୍ରଥମେ ଖୁବ୍‌ କାନ୍ଦୁଥିଲି । ଭାଗ୍ୟକୁ ନିନ୍ଦା କରି ଅସହାୟ ଅବସ୍ଥାରେ କେବଳ ବସି ରହୁଥିଲି କିମ୍ବା ଶୋଇ ରହୁଥିଲି । ଶିକ୍ଷକ ମହାଶୟଙ୍କର ଆଦେଶ ନ ମାନିଥିବା ଯୋଗୁଁ ନିଜକୁ ନିଜେ ଅଭିଶାପ ଦେଉଥିଲି । ନୂତନ ଦେଶ ଦେଖିବାର ଆଗ୍ରହ ମନରୁ ମୋର ହଜି ଯାଇଥିଲା । ମାତ୍ର ଏବେ ଆଉ ସେ ଚିନ୍ତା ନାହିଁ, ଅନୁଶୋଚନା ନାହିଁ, କେବଳ ବଞ୍ଚିବାର ଚିନ୍ତା ।

 

ଜୀବନ ରକ୍ଷା, ଭଗବାନଙ୍କଠାରେ ସମସ୍ତଙ୍କର ଖାଲି କରୁଣ ଆବେଦନ, ଏକମାତ୍ର ପ୍ରାର୍ଥନା ।

 

ଭଗବାନ ଆମେ ନିବେଦନ ଗ୍ରହଣ କଲେ ।

 

ହୁଏତ ଆମ ଏତେଜଣଙ୍କର କରୁଣ ଡାକରେ ତାଙ୍କର ସିଂହାସନ ଦୋହଲି ଗଲା । ଆମେ ସମସ୍ତେ ମୃତ୍ୟୁର ପ୍ରତୀକ୍ଷାରେ ଥିବାବେଳେ ଦିନେ ଦେଖିବାକୁ ପାଇଲୁଁ ସମୁଦ୍ରର ଉତ୍ତର ପଶ୍ଚିମ ଦିଗରେ ଖଣ୍ଡିଏ ପାଲ ।

 

ଆମ୍ଭେ ସମସ୍ତେ ଦେହର ଜାମା ଓ ଜାହାଜର କନାମାନ ବାନ୍ଧି ଜାହଜର ମାସ୍ତୁଲରେ ଟାଙ୍ଗିଲୁ, ଯଦି ଦୂରରୁ ସେ ଜାହାଜର ଲୋକମାନଙ୍କର ଦୃଷ୍ଟିରେ ପଡ଼େ । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଦେଖିବାକୁ ପାଇଲୁଁ, ସେ ଜାହାଜଟି ଆମ୍ଭମାନଙ୍କ ନିକଟକୁ ଆସିଯାଇଛି । ଆମ୍ଭମାନଙ୍କ ମଧ୍ୟରେ ଦୂରତ୍ୱ ପ୍ରାୟ ପାଞ୍ଚ କିଲୋମିଟର ହେବ ।

 

ଆମ୍ଭ ଜାହାଜର ମାଝି ଏତେ ବିପଦରେ ପଡ଼ି ମଧ୍ୟ ଧୈର୍ଯ୍ୟ ହରାଇନଥାଏ । ସେ ବନ୍ଧୁକର ଗୁଳି ଫୁଟାଇ ଶବ୍ଦ କରିବାରୁ ଅଧଘଣ୍ଟାଏ ମଧ୍ୟରେ ଜାହାଜଟି ଆସି ଆମ ପାଖରେ ପହଞ୍ଚିଲା । ସେତେବେକୁ ଆମର ସଂଖ୍ୟା ମାତ୍ର ସାତ ।

 

ଜାହାଜଟି ଥିଲା ପର୍ତ୍ତୁଗୀଜମାନଙ୍କର । ଆମ ସାତଜଣଙ୍କୁ ସେମାନେ ଉଠାଇନେଲେ । ସେ ଜାହାଜଟି ସେଣ୍ଟ ସାଲଭାଡ଼ୋର ଆଡ଼କୁ ଯାଉଥିଲା । ଆମେ କ୍ୟାପ୍ଟେନଙ୍କୁ କହିଲୁ, ‘‘ଦେଖନ୍ତୁ, ଆମେ ଆପଣଙ୍କ ଜାହାଜରେ ଅଳସୁଆଭଳି ବସି ରହିବାକୁ ଚାହୁଁନା, ଜାହାଜର କିଛି କାମରେ ନିଯୁକ୍ତ କରନ୍ତୁ ।’’

 

କ୍ୟାପ୍ଟେନ ତାହାହିଁ କଲେ । ଆମେ ସମସ୍ତେ ତାଙ୍କ ଜାହାଜର ବିଭିନ୍ନ କାର୍ଯ୍ୟ କରି ତାହାଙ୍କୁ ବିଶେଷ ସନ୍ତୁଷ୍ଟ କରିବାକୁ ଲାଗିଲୁଁ । ସେ ମଧ୍ୟ ଆମ୍ଭମାନଙ୍କୁ ସାଙ୍ଗରେ ଧରି ଚାଲିଲେ । ତାଙ୍କ ଜାହାଜରେ କେତେଜଣ ନାବିକର ଜ୍ୱରରେ ମୃତ୍ୟୁ ହୋଇଥିବା ଯୋଗୁଁ ସେ ଆମକୁ ପାଇ ସନ୍ତୁଷ୍ଟ ହୋଇଥିବାର ଉପଲବ୍‌ଧି କଲୁଁ ।

 

ଆମ୍ଭେମାନେ ଏକ ନିରାପଦ ବନ୍ଦରରେ ପହଞ୍ଚିଲୁ । କେତୋଟି ଦିନ ପରେ କ୍ୟାପ୍ଟେନ ଆମ୍ଭମାନଙ୍କୁ କେତେଜଣ ପର୍ତ୍ତୁଗୀଜ ନାବିକଙ୍କ ସହିତ ଉପରକୁ ପଠାଇଦେଲେ । ଆମେ ପର୍ତ୍ତୁଗୀଜ ଭାଷା ଜାଣିନଥିଲୁ । ତେଣୁ କାହିଁକି ଆମେ ଉପରକୁ ଯାଉଛୁ, କ’ଣ କାମରେ ଯାଉଛୁ, ସେ ବିଷୟରେ କୌଣସି ଅଭିଜ୍ଞତା ଆମର ନ ଥିଲା ।

 

ଆମ୍ଭେମାନେ ଉପରକୁ ଉଠି ବହୁତ ବାଟ ଚାଲିଲୁ ଏବଂ ଗୋଟିଏ ସ୍ଥାନରେ ଯାଇ ବନ୍ଦୀ ହେଲୁଁ । ସେଠାରୁ ଆମ୍ଭମାନଙ୍କୁ ଆଡ଼ୋଲା ନାମକ ଗୋଟିଏ ସ୍ଥାନକୁ ନିଆଗଲା ।

 

କାହିଁକି ବା ତୀରକୁ ଆସିଲୁ, କାହିଁକି ବା ବନ୍ଦୀ ହେଲୁ ତା’ର କୌଣସି କାରଣ ଆମ୍ଭେମାନେ ଜାଣିପାରିଲୁ ନାହିଁ । ଆମ୍ଭମାନଙ୍କ ପ୍ରହରୀ ଦିନେ କହିଲା ଯେ, ଆମ୍ଭମାନଙ୍କୁ ଆହୁରି ଅନେକ ଦୂରକୁ ଯିବାକୁ ହେବ । ତାହାପରେ ଆମ୍ଭମାନଙ୍କୁ ଦୁଇ ଦୁଇଜଣ କରି ବାନ୍ଧି ଜଣେ ପ୍ରହରୀର ତତ୍ତ୍ୱାବଧାନରେ କେଉଁ ଦେଶକୁ ନେଇ ଚାଲିଲେ ଜାଣୁନା ।

 

ଆମ୍ଭେମାନେ ଯିବା ପଥରେ ଗୋଟିଏ ବଡ଼ ନଦୀ ପାର ହେଲୁଁ । ନଦୀଟିର ଆରପାରିରେ ଗୋଟିଏ ପୁରୁଣା ଦୁର୍ଗ । ଦୁର୍ଗଟିର ଅବସ୍ଥା ଶୋଚନୀୟ । ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି । ପ୍ରହରୀର ଆଦେଶରେ ଆମେ ସେ ସ୍ଥାନରୁ ଇଟା, ପଥର, ବାଲି, ଚୂନ ଆଦି ଉଠାଇ ପରିଷ୍କାର କରିବାକୁ ଲାଗିଲୁ । ଏଇ କାର୍ଯ୍ୟ ଆମ୍ଭମାନଙ୍କୁ ପ୍ରାୟ ପାଞ୍ଚ ମାସ ପର୍ଯ୍ୟନ୍ତ କରିବାକୁ ପଡ଼ିଲା । ଏହି କାର୍ଯ୍ୟ ସମୟରେ ଆମ୍ଭେମାନେ କେବଳ ଖାଇବାକୁ ପାଉଥିଲୁଁ ।

 

ପୂର୍ବେ ଯେଉଁ ଅନ୍ଧକୂପ ମଧ୍ୟରେ ବନ୍ଦା ଅବସ୍ଥାରେ ଥିଲୁଁ, ତାହା ତୁଳନାରେ ଏ ସ୍ଥାନ ସ୍ୱର୍ଗ ବୋଲି ମନେହେଉଥିଲା । ଖୋଲା ସ୍ଥାନର ପ୍ରଚୁର ପବନ ଓ ଆଲୋକ । ଦିନତମାମ ପରିଶ୍ରମ ପରେ ସମସ୍ତେ ମିଶି ଗପସପ କରି ବେଶ୍‌ ଦିନ କଟାଇ ନେଉଥିଲୁଁ । ପ୍ରାୟ ତିନିଶହ ଲୋକ ଏଠାରେ କାମ କରୁଥିଲେ । କିଏ କେଉଁ ଦେଶର ଲୋକ ଜାଣିବା ଖୁବ୍‌ କଷ୍ଟକର ଥିଲା ।

 

ଏମିତି ଆହୁରି କେତୋଟି ମାସ କଟିଗଲା । ଆମ୍ଭମାନଙ୍କ ପ୍ରହରୀ ଏବେ ଆଉ ଆମ୍ଭମାନଙ୍କ ସମ୍ବନ୍ଧରେ ସେପରି ସତର୍କତା ଅବଲମ୍ବନ ଆଉ କରେନା । ମୋ ସହିତ ସେହି ଦେଶର ଜଣେ ଲୋକର ବେଶ ଘନିଷ୍ଟତା ଜମିଉଠିଲା । ସେ ଲୋକଟି ମଧ୍ୟ ମୋ’ଭଳି ଏକ ଅସହାୟ ବନ୍ଦୀ ଥିଲା ।

 

ଆମେ ଦୁଇଜଣ କୌଣସି ପ୍ରକାରରେ ପରସ୍ପର ବାକ୍ୟ ବିନିମୟ କରିପାରୁଥିଲୁ । ଦିନେ ସେ କହିଲା, ‘‘ଭାଇ, ଅନେକ ଦିନଧରି ଘର ଖବର କିଛି ବୁଝି ନାହିଁ । ଇଚ୍ଛା ହେଉଛି ଥରେ ମୋର ଆତ୍ମୀୟ ସ୍ୱଜନ, ସ୍ତ୍ରୀ, ପୁତ୍ର, ପରିବାରବର୍ଗ ସହିତ ସାକ୍ଷାତ କରି ଆସିବାକୁ । ଆଜକୁ ସାତବର୍ଷ ପୂର୍ବରୁ ଆମ ଦେଶର ରାଜାଙ୍କ ପକ୍ଷରେ ଯୁଦ୍ଧକରି ଏଇ ଦେଶର ରାଜାଙ୍କ ଦ୍ୱାରା ବନ୍ଦୀ ହୋଇ ଅସହାୟ ଅବସ୍ଥାରେ ପଡ଼ିଛି । ଏବେ ତ ଭାଇ ଏଠାକାର କାମ ଶେଷ ହୋଇ ଆସିଲାଣି । ତେଣୁ ଆମ୍ଭମାନଙ୍କ ଆଡ଼କୁ ସେମିତି ଆଉ ଦୃଷ୍ଟି ନାହିଁ । କିନ୍ତୁ ଭାଇ, ଏଠାକାର କାମ ଶେଷ ହେଲେ ପୁଣି ଅନ୍ୟ କେଉଁଠି ଆମକୁ ନେଇ କାମରେ ଲଗାଇବେ । ସାରାଜୀବନ କ୍ରୀତଦାସ ହେବା ଅପେକ୍ଷା ସ୍ୱାଧୀନତାପାଇଁ ଚେଷ୍ଟା କରିବା କ’ଣ କର୍ତ୍ତବ୍ୟ ନୁହେଁ ?

 

ତାହାର କଥା ମୋତେ ଖୁବ୍‌ ଭଲଲାଗିଲା । ତାହାପରେ ସେ ଆହୁରି କହିଲା ଯେ, ଏ ଦେଶର ନାନା ସ୍ଥାନରେ ସେ ବୁଲିଛି ବୋଲି ଏଠାକାର ବହୁ ରାସ୍ତାଘାଟ ସହ ତା’ର ପରିଚୟ ମଧ୍ୟ ଅଛି ।

 

ସେଦିନ କାମ ଶେଷ ହେବା ପରେ ଆମେ ଅନ୍ୟାନ୍ୟ ଦିନଭଳି ହାଜିର ହେବାକୁ ଗଲୁ । ଆମ୍ଭମାନେ ଦିନେ ବୋଲି ହାଜିର ହେବାକୁ ଭୁଲ କରିନାହୁଁ । କାରଣ ଆମ୍ଭମାନଙ୍କ ପ୍ରତି ମାଲିକର ସେମିତି ଆଉ ଦୃଷ୍ଟି ରହିବ ନାହିଁ । ଏମିତି କି ଦୀର୍ଘଦିନ ଧରି ଆମ୍ଭମାନଙ୍କୁ ଡକା ହୁଏନା । ସେମାନଙ୍କ ମନରେ ଏମିତି ବିଶ୍ୱାସ ଆଣିଲୁ ଯେ, ଆମ୍ଭେମାନେ ଆଉ କୁଆଡ଼େ ଯିବାକୁ ଚାହୁଁନା, ଏ ସ୍ଥାନ ଯଥେଷ୍ଟ ଭଲ । କର୍ତ୍ତୃପକ୍ଷ ବି ଜାଣନ୍ତି, ମୋ ଘର ଭାରତରେ; ତେଣୁ ଏଠାରୁ ଖସିଯିବାର ପ୍ରଶ୍ନ ମୋ’ପାଇଁ ଉଠୁନି ।

 

ଏମିତି ନାନା ଉପାୟରେ ନିରାପଦ ମନେକରି ଦିନେ ରାତ୍ରିରେ ମୁଁ ଏବଂ ମୋର ବିଦେଶୀ ବନ୍ଧୁ ଏଇ ଅଜଣା ଦେଶରୁ ପଳାୟନ କଲୁ । ଆମ୍ଭେ ଖୁବ୍‌ ଦ୍ରୁତଗତିରେ ଚାଲିଥିଲୁ ଏବଂ ଏମିତି ଭାବରେ ଚାଲିଲୁ ଯେ, ଯେମିତି ରାତ୍ରି ଭିତରେ କୌଣସି ଏକ ଦୂରବର୍ତ୍ତୀ ନିରାପଦ ସ୍ଥାନରେ ପହଞ୍ଚି ପାରିବୁ । କାରଣ ପଛରୁ ଯେ କେହି ସେ ପଥରେ ଶୀଘ୍ର ଆସି ଆମ୍ଭମାନଙ୍କୁ ଆଉ ଧରି ନ ପାରେ ।

 

(ଛ’)

 

ମୋର ବନ୍ଧୁଟିର ନାମ ଗ୍ଲେନ ଲେପ୍‌ଜି ।

 

ଲେପ୍‌ଜି ଓ ମୁଁ ଚାଲିବାକୁ ଲାଗିଲୁ । ଅନ୍ଧକାର ରାତ୍ରି । ମୋ ବନ୍ଧୁ ଯେପରି ଦ୍ରୁତପଦରେ ଚାଲୁଥିଲେ, ମୁଁ ସେମିତି ପାରୁନଥଲି । ଏ ଅଞ୍ଚଳର ସମସ୍ତ ରାସ୍ତାଘାଟ ତାହାଙ୍କୁ ଜଣା; କିନ୍ତୁ ମୋର ନୁହେଁ ।

 

ଆକାଶରେ ମିଟ୍‌ ମିଟ୍ କରି ତାରକାଗୁଡ଼ିକ ଚାହିଁରହିଛି । ଏତେଦୂର ଆସି ହୁଏତ ଆମେ ଧରାପଡ଼ିଯିବୁ, ଏଇଥି ପାଇଁ ଛାତି ଭୟରେ କମ୍ପି ଉଠୁଥାଏ । ଯେତେଦୂର ଅଗ୍ରସର ହେଉଥାଉଁ ମାତ୍ର ସେତିକି ପରିମାଣରେ ଆମର ଭୀତ ହ୍ରାସ ପାଉଥାଏ ।

 

ମୁକ୍ତିର ଆନନ୍ଦରେ ହୃଦୟ ପୁଲକିତ ହୋଇଉଠୁଥାଏ ।

 

ସେଇ ଆନନ୍ଦରେ, ସେହି ବନ୍ଧୁ ସହିତ ଅଜଣା ପଥରେ ଚାଲୁଥିଲେ ବି ପ୍ରାଣରେ ସାମାନ୍ୟ ଟିକିଏ ନିରାଶାର ସଞ୍ଚାର ହୁଏନା । ପ୍ରଥମ ଦୁଇଦିନ ଦିନରାତି ଚାଲିଥିଲେ ମଧ୍ୟ ସାମାନ୍ୟ କ୍ଳେଶ ମଧ୍ୟ ପାଇନାହୁଁ ।

 

ପ୍ରକୃତି ତାହାର ସ୍ୱାଭାବିକ ପ୍ରଭାବ ଜୀବଜନ୍ତୁ ସମସ୍ତଙ୍କ ଉପରେ ବିସ୍ତାର କରିଥାଏ । ଆମେ ମଧ୍ୟ ବିଶ୍ରାମ ଓ ଖାଦ୍ୟ ଏ ଦୁଇଟିପାଇଁ ଖୁବ୍‌ ଚିନ୍ତିତ ହୋଇପଡ଼ିଲୁଁ । କି ଦୁର୍ଗମ ପଥ ! ଏହି ପଥରେ ନ ଚାଲିଲେ କିମ୍ବା ନ ଦେଖିଲେ କେବଳ କଳ୍ପନାଦ୍ୱାରା ସେ ପଥର ଦୁର୍ଗମତା ସମ୍ବନ୍ଧରେ କହିହୁଏନା କିମ୍ବା ବୁଝାଇହୁଏନା ।

 

ଚତୁର୍ଦ୍ଦିଗରେ ବନ୍ଧୁର ପର୍ବତ ଶ୍ରେଣୀ । ଗୋଟିଏ ବୋଲି ଗଛ ନାହିଁ । କେବଳ ପାହାଡ଼ ପରେ ପାହାଡ଼ର ସାରି ମୁଣ୍ଡଟେକି ଛିଡ଼ା ହୋଇଛି ରାକ୍ଷସପରି । ପଥରେ ଅବଶ୍ୟ ପାଣିପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ହୋଇନାହିଁ ।

 

ତୃତୀୟ ଦିନ ପ୍ରାତଃକାଳେ ଗୋଟିଏ ପାହାଡ଼ିଆ ଝରଣା ଧାରରେ ଆସି ପହଞ୍ଚିଲୁ । ଝରଣାର ନିର୍ମଳ ପାଣି ପାନ କରି ପ୍ରାଣରେ ନବବଳ ଲାଭ କଲୁଁ । ପୁଣି ଚାଲିବାକୁ ଲାଗିଲୁଁ । ଆସିବା ସମୟରେ ଯେଉଁ ସାମାନ୍ୟ ଖାଦ୍ୟ ସଂଗ୍ରହ କରି ସଙ୍ଗରେ ଆଣିଥିଲୁ ତାହା ଦୁଇ ଦିନରେ ଶେଷ ହୋଇଗଲା ।

 

ଅଷ୍ଟମ ଦିନ ପ୍ରତ୍ୟୁଷରେ ମୋର ସଙ୍ଗୀ ଲେପ୍‌ଜି କହିଲେ, ‘‘ଆରେ ଭାଇ ! ଆମେ ଯେ କଙ୍ଗୋ ଦେଶର ନିକଟବର୍ତ୍ତୀ ହେଲୁଣି । ଏବେ ସୁଦ୍ଧା ଆଡ଼ୋଲା ଦେଶର ସୀମା ପାର ହୋଇନାହୁଁ । ଏଠାରୁ ଅଳ୍ପଦୂରରେ ଗୋଟିଏ ଗ୍ରାମ ଅଛି । ଯଦି ସେହି ଗ୍ରାମଟି ନିରାପଦରେ ପାରି ହୋଇପାରୁ ତାହାହେଲେ ଆମ୍ଭମାନଙ୍କର ଆଶଙ୍କାର ଆଉ କୌଣସି କାରଣ ନାହିଁ । ସେହି ଗ୍ରାମରୁ ମଧ୍ୟ ଆମ୍ଭେମାନେ ଖାଦ୍ୟ ସଂଗ୍ରହ କରିପାରିବୁ ।’’

 

ମୁଁ କହିଲି, ‘‘ମୁଁ ତ ଭାଇ ଅଜଣା ଦେଶର ଯାତ୍ରୀ । ମୁଁ କିଛି ଜାଣେନା । ତୁମେ ମୋତେ ଯେଉଁ ପଥରେ ଚଳାଇବ, ମୁଁ ସେହି ପଥରେ ଚଳିବି ।’’

 

ଲେପ୍‍ଜି ପଚାରିଲେ, ‘‘ତୁମ ସଙ୍ଗରେ କୌଣସି ଛୁରି ରହିଛି କି ?’’

 

ମୁଁ କହିଲି, ‘‘ହଁ ।’’

 

ସେ ମୋ ନିକଟରୁ ଛୁରି ନେଇ ରାସ୍ତାପାଖ ବୁଦାରୁ ଦୁଇ ଖଣ୍ଡ ଲାଠି କାଟି ପ୍ରସ୍ତୁତ କଲେ-। ତାହାପରେ କହିଲେ, ‘‘ତୁମେ ଆଦୌ ଭୟ କରନା, ଆସ ମୋ ସହିତ ।’’

 

ମୁଁ ତାହାଙ୍କ ପଛେ ପଛେ ଚାଲିଲି । ପ୍ରାୟ ଏକ କ୍ରୋଶ ରାସ୍ତା ଚାଲିବା ପରେ ଆମେ ଗୋଟିଏ ଗ୍ରାମର ସୀମାରେ ପହଞ୍ଚିଲୁ ।

 

ଗ୍ରାମଟି ଛୋଟ । ଗ୍ରାମର ଶେଷ ଭାଗରେ ଗୋଟିଏ ଛୋଟ କୁଡ଼ିଆ । ଆଫ୍ରିକା ଦେଶର କଙ୍ଗୋ ଅଞ୍ଚଳର କୁଟୀରଗୁଡ଼ିକ ଯେମିତି ଏହିଟି ସେହିଭଳି ଥିଲା ।

 

ମୋର ବନ୍ଧୁ କୁଟୀର ମଧ୍ୟରେ ପ୍ରବେଶ କରିବା ମାତ୍ରକେ ଜଣେ ବୃଦ୍ଧ ପଳାଇବାକୁ ଚେଷ୍ଟା କଲେ । ସେ ଯେମିତି ପଳାଇବାକୁ ଚେଷ୍ଟା କଲେ, ବନ୍ଧୁ ଲେପ୍‌ଜି ହଠାତ୍‌ ତାହାକୁ ଧରିପକାଇଲେ ଏବଂ ଘର ଭିତରକୁ ଟାଣି ନେଇଗଲେ ।

 

ଘରର ଗୋଟିଏ କୋଣରେ ଖଣ୍ଡିଏ ଦଉଡ଼ି ପଡ଼ିଥିଲା । ସେଇଥିରେ ଲେପ୍‌ଜି ବୃଦ୍ଧଟିର ହାତଗୋଡ଼ ଖୁବ୍‌ ଜୋରରେ ବାନ୍ଧି ପକାଇଲେ ।

 

ସେହି ଲୋକଟି ଚିତ୍କାର କରିବାକୁ ଆରମ୍ଭ କରିବା ମାତ୍ରକେ ଲେପ୍‌ଜି କହିଲେ, ‘‘ସାବଧାନ ! ଯଦି ପାଟି କରୁ, ତାହାହେଲେ ଏହି ଛୁରି ଦେଖୁଛୁ ? ଏହାରି ଦ୍ୱାରା ତୋ ଗଳାଟିରୁ ଗଣ୍ଡିରୁ ଅଲଗା କରିଦେବି ।’’

 

ମୋର ସଙ୍ଗୀ ବୁଦ୍ଧିମାନ ବୋଲି ଏଭଳି କାର୍ଯ୍ୟ କଲେ । ଯଦି ଏମିତିଭାବରେ ସେହି ଲୋକଟିକୁ ହାତଗୋଡ଼ ବାନ୍ଧି ଭୟ ଦେଖାଇ ନ ଥାନ୍ତେ, ତାହାହେଲେ ସେ ଗାଁର ଲୋକଙ୍କୁ ଡାକି ଗୋଟିଏ ବିଭୀଷିକା ସୃଷ୍ଟି କରିଥାଆନ୍ତା । ଆମେ ତ କାହାରିର ଅନିଷ୍ଟ କରିବାକୁ ଆସିନାହୁଁ, କେବଳ ଆସିଛୁ ଆମର କ୍ଷୁଧାତୃଷା ମେଣ୍ଟାଇବା ପାଇଁ ।

 

ସୌଭାଗ୍ୟବଶତଃ ଆମେ ଦେଖିବାକୁ ପାଇଲୁଁ, ଘରର ଗୋଟିଏ କୋଣରେ ଗୋଟିଏ ଛେଳିର ଫଡ଼ିଆ ଟଙ୍ଗା ହୋଇଛି । ଠିକ୍ ଏହି ସମୟରେ ସେ ଘରକୁ ଆଉ ଜଣେ ସ୍ତ୍ରୀଲୋକ ଆସିଲା । ସ୍ତ୍ରୀଲୋକଟିର ବୟସ ପଚିଶ ବର୍ଷ ହୋଇପାରେ । ତାହା ସହିତ ଛୋଟ ଛୋଟ ଦୁଇଟି ଶିଶୁ ସନ୍ତାନ ଥିଲେ । ସେ ଯେମିତି ଘରକୁ ପଶିଛି, ଲେପ୍‌ଜି ସେହି ବୃଦ୍ଧଭଳି ତାହାର ମଧ୍ୟ ହାତଗୋଡ଼ ବାନ୍ଧି ବୃଦ୍ଧ ପାଖରେ ଶୁଆଇଦେଲେ । ପିଲା ଦୁଇଟିକୁ ବାନ୍ଧିବାର ଆବଶ୍ୟକ ନ ଥିଲା, ସେମାନେ ତା’ର ମା’ର ବୁକୁ ଉପରେ ମୁହଁ ଲୁଚାଇ ଶୋଇପଡ଼ିଲେ ।

 

ସ୍ତ୍ରୀଲୋକଟି ପାଖରୁ ଜଣାଗଲା ଯେ ଏଇ ବୃଦ୍ଧଟି ତାହାର ପିତା । ତା’ର ସ୍ୱାମୀ କାଲି ରାତିରେ ଛେଳିଟିକୁ କାଟି କିଛି ନିଜ ଘରପାଇଁ ରଖି ବାକିତକ ତା’ର ଭଉଣୀ ଘରକୁ ସେହିଦିନ ସକାଳେ ନେଇଯାଇଛି ।

 

ପୁଣି ଲେପ୍‌ଜି କଥାର ଉତ୍ତର ଦେଇ ସେ କହିଲା ଯେ ତାହା ଘରେ ଗହମ ଆଦି କିଛି ନାହିଁ । ମାଟିର ଗୋଟିଏ ପାତ୍ର ଅଛି, ଜାଳିବାପାଇଁ କାଠ ଅଛି । ଇଚ୍ଛା ହେଲେ ଆମେ ମାଂସ ରୋଷାଇ କରି ଖାଇପାରୁ ।

 

ଆମେ କିନ୍ତୁ ବୁଦ୍ଧିମାନଭଳି କାମ କଲୁଁ । ଏଠାରେ ରହି ରୋଷାଇ କରି ଖାଇବାକୁ ଗଲେ ଅନେକ ସମୟ ନଷ୍ଟ ହେବ । ପୁଣି ହୁଏତ ଆଉ କେହି ଲୋକ ଏଠାକୁ ଆସିପାରେ । ତେଣୁ ଆମେ ସମୟ ନଷ୍ଟ ନ କରି ଛେଳିର ଫଡ଼ିଆ, ମାଟିର ପାତ୍ର ଏବଂ ଘର କୋଣରୁ ଖୋଜିକରି ପାଇଥିବା କିଛି ମଇଦା ବେଗରେ ପୂରାଇ ପୁଣି ଚାଲିବାକୁ ଆରମ୍ଭ କଲୁଁ ।

 

ଆମେ ଗ୍ରାମଟିକୁ ପଛରେ ଛାଡ଼ି ଅତି ଦ୍ରୁତଗତିରେ ଚାଲିଲୁ । କ୍ରମେ ଆକାଶରେ ଜହ୍ନ ଉଠିଲା ।

 

ଜହ୍ନର ଆଲୋକରେ ଦେଖିବାକୁ ପାଇଲୁଁ ସମ୍ମୁଖରେ ବଣ । ବଣ ପାଖକୁ ଯାଇ ଦେଖିଲୁ ତାହା ପାଖରେ ବିସ୍ତୃତ ଏକ ସମତଳଭୂମି । ସେଇ ସବୁଜ ପ୍ରାନ୍ତରଟି ଏକ ଚାରଣ ଭୂଇଁ ।

 

ଜ୍ୟୋତ୍ସ୍ନା, ରାତ୍ରିରେ ଧୀରେ ଧୀରେ ତାହାରି ଉପରେ ପ୍ରଫୁଲ୍ଲ ଚିତ୍ତରେ ଚାଲିବାକୁ ଲାଗିଲୁ । ମନରେ ଅନେକ ଶାନ୍ତି ଏଇଥିପାଇଁ ଯେ, ପାଖରେ ରହିଛି ସଂଗୃହୀତ ଖାଦ୍ୟଦ୍ରବ୍ୟ ।

 

ସେଇ ସବୁଜ ପ୍ରାନ୍ତର ଧାରେ ଧାରେ ଜଙ୍ଗଲ । ପ୍ରାନ୍ତରର ଶେଷ ସୀମାରେ ଗୋଟିଏ ନଦୀ । ଆମେ ଗୋଟିଏ ଗଛ ମୂଳରେ ବୃଦ୍ଧ ଘରୁ ଆଣିଥିବା ଛିଣ୍ଡା ମସିଣାଟିକୁ ପାରି ବିଶ୍ରାମ ନେଲୁ-। କିଛି ସମୟ ପରେ ବଣରୁ ଶୁଖିଲା କାଠ ସଂଗ୍ରହ କରି କାଠକୁ କାଠ ଘଷି ନିଆଁ ବାହାର କଲୁଁ । ସେଇ ନିଆଁରେ ରୁଟି ଓ ମାଂସ ରୋଷାଇ କଲୁଁ । ପରମ ଆନନ୍ଦରେ ଖିଆପିଆ ପରେ ମୁକ୍ତ ଆକାଶ ତଳେ ଶୋଇପଡ଼ିଲୁ ରାତିତମାମ ।

 

ପଥର ଯାତ୍ରୀ ଆମ୍ଭେମାନେ ।

 

ପରଦିନ ପ୍ରତ୍ୟୁଷରୁ ଜିନିଷପତ୍ର ସବୁ ଗୋଟାଇ ଆମର ଯାତ୍ରା ଆରମ୍ଭ କଲୁଁ । ଦୁଇ ପ୍ରହର ବେଳ ପର୍ଯ୍ୟନ୍ତ ଆମେ ସେଇ ନଦୀ କୂଳେ କୂଳେ ଚାଲିଲୁ । ନଦୀଟି ଖୁବ୍ ଗଭୀର ବୋଲି ଜଣା ଯାଉଥାଏ । ମୁଁ ସେ ନଦୀର ଭୟଙ୍କର ରୂପ ଦେଖି ଭୟରେ ଶିହରି ଉଠିଥିଲି ପ୍ରଥମେ । ନଦୀର ଟିକିଏ ଅଣଓସାରିଆ ସ୍ଥାନରେ ପହଞ୍ଚି ଲେପ୍‌ଜି କହିଲେ, ‘‘ଆମ୍ଭମାନଙ୍କୁ ଏଇ ନଦୀ ପହଁରି ପାରି ହେବାକୁ ହେବ । ନଦୀର ଆରପଟେ ମୋ ଘର ।

 

ମୁଁ କହିଲି, ‘‘ମୁଁ ତାହାହେଲେ କେମିତି ଯିବି ? ମୁଁ ଯେ ପହଁରି ଜାଣେନା ।’’

 

ଲେପ୍‌ଜି ହସି ହସି କହିଲେ, ‘‘ସେ ଭୟ ତୁମେ କରନା, ମୁଁ ତୁମକୁ ନଦୀ ପାର କରିଦେବି । ପାଣି ସବୁ ସ୍ଥାନରେ ଗଭୀର ନୁହେଁ ।’’

 

ଲେପ୍‌ଜି ଗୋଟିଏ ଗଛରୁ ଡାଳ କାଟି ଦୁଇଟି ବଡ଼ ବଡ଼ ଠେଙ୍ଗା ତିଆରି କଲେ । ନଦୀ ଗର୍ଭରେ ଅନେକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ବୋଧହୁଏ ପାହାଡ଼ ଧସିଯିବା ଫଳରେ ଏମିତି ହୋଇଛି । ନଦୀ ଭିତରେ କେଉଁଠି ପାଣି, କେଉଁଠି ଚଢ଼ା, ପୁଣି ପାଣି–ଏମିତି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ପାରି ହୋଇ ଚାଲିଲୁଁ ।

 

କିଛି ବାଟ ଯାଏଁ ଛାତିଏ ଜଳ ଥିଲା । ସେହିଟିକୁ ପାର ହେଲେ ନଦୀର ଅପର କୂଳରେ ପହଞ୍ଚିବୁ । ଆଉ ଅଳ୍ପ ବାଟ ଥାଏ । ମୋ ଗୋଡ଼ ଗୋଟିଏ କାଠ ଗଣ୍ଡିରେ ପଡ଼ିଲା ।

 

କିନ୍ତୁ ଏ କ’ଣ ? କାଠ ଗଣ୍ଡିଟି ଦୋହଲି ଯାଉଛି କାହିଁକି ? ମୁଁ ପାଦ ଉଠାଇଲେ ବି ଗଣ୍ଡିଟି ହଲୁଛି । ମୁଁ ଏହା ପ୍ରକାଶ କରିବାରୁ ଲେପ୍‌ଜି ଚିତ୍କାର କରି ଉଠିଲେ, ‘‘ଶୀଘ୍ର ଚାଲିଆସ । ଖୁବ୍‌ ଶୀଘ୍ର.... ପଛକୁ, ଆଉ ଚାହଁନା...... ।’’

 

ସେତେବେଳକୁ ଲେପ୍‌ଜି ତୀର ଦେଶରେ ପହଞ୍ଚି ଯାଇଥାନ୍ତି । ମୁଁ ଖୁବ୍‌ କ୍ଷୀପ୍ର ଗତିରେ ଯାଇ ତାଙ୍କ ପାଖରେ ଛିଡ଼ା ହେଲି ।

 

ସେ ମୋତେ କହିଲେ, ‘‘ତୁମ୍ଭେ ନିଶ୍ଚୟ କୁମ୍ଭୀର ଉପରେ ପାଦ ଦେଇଥିଲ ।

 

ଠିକ୍‌ ସତ, ମୁଁ ଦେଖିଲି ଗୋଟିଏ ଭୀଷଣ ଶବ୍ଦରେ ପାଣିକୁ ଆଲୋଡ଼ିତ କରି ପ୍ରକାଣ୍ତ କୁମ୍ଭୀରଟିଏ ଆମରି ଆଡ଼କୁ ବାଲି ଉପରକୁ ଉଠି ଆସୁଛି ।

 

ମୋ ଦେହର ରକ୍ତ ଶୀତଳ ହୋଇଗଲା । ମୁଁ ଜୀବନରେ କେବେ କୁମ୍ଭୀର ଦେଖିନଥିଲି-। କି କୁତ୍ସିତ ଓ ଭୀଷଣାକାର ପ୍ରାଣୀ ! ଏମିତି ଦେଶକୁ ମଣିଷ ଆସେ ! ମୁଁ ସେତେବେଳଯାଏ ଭୟରେ କମ୍ପୁଥିଲି ।

 

ମୋ ବନ୍ଧୁ ଜଣକ କହିଲେ, ‘‘ଏଇ ଦେଖ କୁମ୍ଭୀରଟା କିପରି ଆମରି ଆଡ଼କୁ ଆସୁଛି । ତୁମେ ଭୟ କରନା । ମୁଁ କୁମ୍ଭୀରଟିକୁ ବାନ୍ଧି ପକାଇବି । ଦେଖନା କିପରି ମଜା ହେଉଛି !’’

 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଲେପ୍‌ଜିଙ୍କ କଥା ବୁଝିପାରିଲି ନାହିଁ । ଠିକ୍‌ ଏତିକିବେଳେ କୁମ୍ଭୀରଟା ଅତି ଦ୍ରୁତ ଗତିରେ ଆମରି ଆଡ଼କୁ ଧାଇଁ ଆସିଲା । ମୋତେ ମୋର ବନ୍ଧୁ କହିଲେ, ‘‘ତୁମେ ଖୁବ୍‌ ଶୀଘ୍ର ସେହି ଉଚ୍ଚ ସ୍ଥାନରେ ଥିବା ଗଛମୂଳକୁ ଚାଲିଯାଅ । ମୁଁ ଦୁଷ୍ଟକୁ ଆଚ୍ଛାକରି ଶିକ୍ଷାଟିଏ ଦେଉଛି ।’’

 

ଏହା କହି ଲେପ୍‌ଜି କୁମ୍ଭୀର ଆଡ଼କୁ ଖଣ୍ଡିଏ ଦଉଡ଼ି ଓ ଲାଠି ଦୁଇ ଖଣ୍ଡ ନେଇ ଚାଲିଲେ-

 

କୁମ୍ଭୀରଟି ଯେମିତି ଦୁଇ ପାଦରେ ବାଲି ଛାଟି ଛାଟି ପାଖକୁ ମାଡ଼ିଆସିଲା, ଲେପ୍‌ଜି ତାହାର ମୁଖ ଆଡ଼କୁ ଲାଠିଟି ବଢ଼ାଇଦେଲେ । କୁମ୍ଭୀର ଲାଠିକୁ ଖୁବ୍‌ ଜୋରରେ କାମୁଡ଼ି ଧରିଲା । ଠିକ୍‌ ଏତିକିବେଳେ ଲେପ୍‌ଜି ଦଉଡ଼ିରେ ଫାସ କରି କୁମ୍ଭୀରର ଗଳା ଆଡ଼କୁ ଛାଟିଲେ ଏବଂ ଫାଶରେ ବାନ୍ଧି ଏତେ ଜୋରରେ ଟାଣିବାକୁ ଲାଗିଲେ ଯେ କୁମ୍ଭୀରଟି କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲା ।

 

ଲେପ୍‌ଜି କହିଲେ, ‘‘ବୁଲୁ ! ତୁମେ ତୁମର ଛୁରିଟିକୁ ନେଇ ଆସତ ।’’

 

ମୁଁ ଏତେବଡ଼ ଗୋଟିଏ ଭୀଷଣ ଜନ୍ତୁ ନିକଟକୁ ଯିବାକୁ ଇତସ୍ତତଃ କରୁଥିଲି, କିନ୍ତୁ ବନ୍ଧୁଙ୍କ କଥାରେ ନିଃଶଙ୍କୋଚ ଚିତ୍ତରେ ପାଖକୁ ଯାଇ ଛୁରିଟିକୁ ଦେଲି । ଲେପ୍‌ଜି ସେହି ଛୁରିରେ ନିର୍ଭୀକ ଭାବରେ କୁମ୍ଭୀରର ଚକ୍ଷୁ ଦୁଇଟିକୁ ବିଦ୍ଧ କଲେ । ଶେଷରେ କୁମ୍ଭୀରର ହାତଗୋଡ଼ ବାନ୍ଧି ସେହିଠାରେ ରଖି ଆମେ ଆମ ବାଟରେ ଚାଲିଲୁଁ ।

 

ଅନେକ ଦିନ ଧରି ବର୍ଷା ନ ହୋଇଥିବା ଯୋଗୁଁ ନଦୀ ଅଗଭୀର ଥିଲା । ଈଶ୍ୱରଙ୍କ କୃପାରୁ ଆମେ ସହଜରେ ତ ନିରାପଦରେ ନଦୀ ପାର ହୋଇପାରିଥିଲୁଁ ।

 

ନଦୀ ପାଖରୁ ତିନି କିଲୋମିଟର ଯିବା ପରେ ଆମେ ଗୋଟିଏ ନିର୍ଜନ ଛାୟାପୀଡ଼ିତ ସ୍ଥାନକୁ ଯାଇ ଆଶ୍ରୟ ନେଲୁ ।

 

ଦିଗନ୍ତବିସ୍ତୃତ ପ୍ରାନ୍ତର, ମଧ୍ୟେ ମଧ୍ୟେ ବନଭୂମି ।

 

ଜନମାନବର କୌଣସି ବସତି ଅଛି କି ନା ଜଣାଯାଏନା । କିନ୍ତୁ ସେହି ସ୍ଥାନରେ କେତୋଟି ବଡ଼ ବଡ଼ ବୃକ୍ଷ ରହିଛି । ବୃକ୍ଷର ନିମ୍ନଭାଗ ବେଶ୍‍ ପରିଷ୍କାର ପରିଚ୍ଛନ୍ନ । ଚତୁର୍ଦ୍ଦିଗରେ କଣ୍ଟାଜାତୀୟ ବୁଦା । ନଦୀର ଗୋଟିଏ ଶାଖା ମଧ୍ୟ ପାଖଦେଇ ବୋହି ଯାଉଛି ।

 

କାର୍ଯ୍ୟତଃ ଆମ୍ଭମାନଙ୍କଠାରେ ପାଣିର ଅଭାବ ନ ଥିଲା, ଏହି କେତେ ଦିନ ଅନାହାରରେ ରହି ଆମେ ସଞ୍ଚୟୀ ହେବାକୁ ଶିଖିଥିଲୁ । ତେଣୁ, ସେଦିନ ବି ଆମ୍ଭମାନଙ୍କ ପାଖରେ କିଛି ଛେଳି ମାଂସ ଓ ଲେପ୍‌ଜି ନଦୀରୁ ଧରିଥିବା ଗୋଟିଏ ମାଛ ଥିଲା । ଆମେ ଗଛଡାଳରେ ମାଂସ ଓ ମାଛ ଝୁଲାଇଦେଲୁ । ତାହାପରେ ଶୋଇବାର ବ୍ୟବସ୍ଥା କଲୁ ।

 

ଏଠାରେ ଦିନ ସମୟରେ ଯେପରି ଗରମ ରାତିରେ ସେହିପରି ଥଣ୍ଡା ଅନୁଭୂତ ହୁଏ । ଆମେ ଆରାମରେ ଶୋଇଛୁ, ଆଖିକୁ ନିଦ ପୂରା ଆସିନାହିଁ, ଏମିତି ସମୟରେ ଗୋଟିଏ ବିକଟ ଗର୍ଜନ ଶୁଣିବାକୁ ପାଇଲୁଁ । କ୍ରମେ ସେ ଶବ୍ଦଟି ଆହୁରି ଯେପରି ନିକଟତର ହେଲା ।

 

ଲେପ୍‌ଜି ଉଠିପଡ଼ି କିଛି ଦୂର ଅଗ୍ରସର ହେଲେ ଏବଂ ଫେରିଆସି କହିଲେ, ‘‘ବୁଲୁ ! ଶୀଘ୍ର ଉଠିପଡ଼, ନିଆଁ ଜଳାଅ । ଏହି ଦେଖ ଗୋଟିଏ ସିଂହୀ ତା’ର ତିନୋଟି ପିଲାକୁ ନେଇ ଏହି ଆଡ଼କୁ ଆସୁଛି । ବୋଧହୁଏ ସିଂହୀଟା ମାଂସର ଗନ୍ଧ ପାଇଛି ।’’

 

ମୁଁ ଶୀଘ୍ର ନିଆଁ ଜାଳିଲି । ଲେପ୍‌ଜି ଦୁଇଟା ଜ୍ୱଳନ୍ତ କାଠ ନେଇ ସିଂହୀ ଆଡ଼କୁ ଅଗ୍ରସର ହେଲା ମାତ୍ରକେ ସିଂହୀଟା ଭୟରେ ଦୌଡ଼ି ପଳାଇଲା । ଆମ୍ଭେମାନେ ବଞ୍ଚିଗଲୁଁ ।

 

ଲେପ୍‌ଜି କହିଲେ, ‘‘ଭାଇ ବୁଲୁ ! ଭାବିଥିଲି ଏହିଠାରେ ରାତିଟା କଟାଇଦେବୁ ବୋଲି । କିନ୍ତୁ ଏ ସ୍ଥାନ ନିରାପଦ ନୁହେଁ । ନିକଟରେ କେଉଁଠି ସିଂହର ରହିବା ସ୍ଥାନ । ଯଦି ଦଳବାନ୍ଧି ପୁଣି ସିଂହ ଆସେ, ତାହାହେଲେ ଆଉ ରକ୍ଷା ନାହିଁ । ତେଣୁ ଆମକୁ ଆହୁରି କିଛି ବାଟ ଆଗକୁ ଯାଇ ନିରାପଦ ସ୍ଥାନ ଖୋଜି ରହିବାକୁ ହେବ ।

 

ଏହାପରେ ଆମେ ସେହି ଜଳନ୍ତା କାଠ ହାତରେ ଧରି ଅନ୍ଧକାର ରାତ୍ରିରେ ଆହୁରି ଚାରି କିଲୋମିଟର ଆଗକୁ ଯାଇ ଗୋଟିଏ ନିରାପଦ ସ୍ଥାନରେ ନିଦ୍ରାଗଲୁଁ ।

 

ମୁଁ ମୋର ଶିକ୍ଷକ ମହାଶୟଙ୍କୁ ଘରୁ ବାହାରି ପାରାଦ୍ୱୀପ ଯିବା ପଥରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲି । ପ୍ରାର୍ଥନା ଭିତରେ ଯେ କେଉଁ ଶକ୍ତି ନିହିତ ଥାଏ, ତାହା ମୁଁ ଅନୁଭବ କରିଛି ଏବଂ ଈଶ୍ୱରଙ୍କ କୃପାରେ ଯେ ନାନା ବିପଦରୁ ରକ୍ଷା ପାଇଛି, ତାହା ମଧ୍ୟ ମୁଁ ଜାଣିଛି ।

 

କିନ୍ତୁ ହାୟରେ ମନ ! ଏବେ ଦିନେ ବୋଲି ଈଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରାର୍ଥନା କରିନାହିଁ-। ଆଜି ମନେ ମନେ ଭାବିଲି କୁମ୍ଭୀର ମୁଖରୁ କିଏ ମୋତେ ବଞ୍ଚାଇଲା ? ସିଂହୀର ଆକ୍ରମଣରୁ କିଏ ଆମକୁ ରକ୍ଷା କଲା ? ତେଣୁ ରାତିରେ ମୁଁ ପ୍ରାଣଭରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି । ଏହି ପ୍ରାର୍ଥନାରେ ମୋ ହୃଦୟରେ ଯେତିକି ଶାନ୍ତି ଆସିଲା, ସେତିକି ନିର୍ଭୀକ ଭାବରେ ମୁଁ ନିଶ୍ଚିନ୍ତ ମନରେ ନିଦ୍ରା ଗଲି ।

 

ଏହାପରେ ପଥରେ ଆଉ ଗୋଟେ ଦୁଇଟା ବିପଦ ଆସିଥିଲେ ବି ତାହା ସେମିତି ଉଲ୍ଲେଖଯୋଗ୍ୟ ନୁହେଁ । ଗୋଟିଏ ପଥର ଦେହରେ ଝୁଣ୍ଟି ପଡ଼ି ଲେପ୍‌ଜିଙ୍କ ଗୋଡ଼ଟି ବିଶେଷ ଭାବରେ କ୍ଷତବିକ୍ଷତ ହୋଇଗଲା । ଏମିତି କି ଏତେ ରକ୍ତ ଦେଖି ମୁଁ ଭୟ ପାଇଗଲି ।

 

କିନ୍ତୁ ଔଷଧ ଅବା କେଉଁଠୁ ପାଇବି ? କେବଳ ବଣର ଲତାପତ୍ରର ରସ ଦେଇ ପଟି ବାନ୍ଧି ଚିକିତ୍ସା କଲି । ଏହି ଚିକିତ୍ସାରେ ସେ କେବଳ ସାମାନ୍ୟ ଆରୋଗ୍ୟ ଲାଭ କଲେ । କିନ୍ତୁ ଘରେ ପହଞ୍ଚିବେ, ଏହି ଆନନ୍ଦରେ ସେ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲେ ।

 

ଶେଷରେ ଆମେ କୋୟାମି ନାମକ ସ୍ଥାନରେ ପହଞ୍ଚିଲୁ । କୋୟାମି ନଦୀର ନାମାନୁସାରେ ଏହି ଗ୍ରାମର ନାମକରଣ ହୋଇଛି । ସେହି ଗ୍ରାମରେ ଶେଷ ସୀମାରେ ଲେପ୍‌ଜିଙ୍କ ଘର ।

 

ଲେପ୍‌ଜି କହିଲେ, ‘‘ବୁଲୁ ! ମୁଁ ଏମିତି ହଠାତ୍‌ ଘରକୁ ଯିବିନାହିଁ । ତୁମେ ପ୍ରଥମେ ମୋ ଘରକୁ ଯାଅ । ଯଦି ଦେଖ ଯେ ମୋ ସ୍ତ୍ରୀ ଏବଂ ଛୁଆ ପିଲା ବଞ୍ଚିଅଛନ୍ତି ଏବଂ ମୋ ସ୍ତ୍ରୀ ଏବେ ସୁଦ୍ଧା ମୋତେ ଭୁଲି ନାହିଁ, ତାହାହେଲେ ମୁଁ ଘରକୁ ଯିବି, ନ ହେଲେ ଯେଉଁ ଦିଗକୁ ଦୁଇଚକ୍ଷୁ ଯିବ ସେହି ଦିଗକୁ ଯିବି ।’’

 

ଏ କଥା କହି ଲେପ୍‌ଜି ଗାଁର ଗୋଟିଏ ଗଛମୂଳେ ଚୁପ୍‌ ହୋଇ ବସିଲେ । ମୁଁ ତାଙ୍କର ନିର୍ଦ୍ଦେଶାନୁସାରେ ତାଙ୍କ ଘରେ ଯାଇ ପହଞ୍ଚିଲି ।

 

ଘରଟି ଖୁବ୍‌ ଛୋଟ ଏବଂ ପରିଷ୍କାର ପରିଚ୍ଛନ୍ନ । ମୁଁ ସେହି ଘରର ଦରଜାରେ ଲାଠିଦ୍ୱାରା ଠକ୍‌ ଠକ୍‌ କରିବାରୁ ଜଣେ ସ୍ତ୍ରୀଲୋକ ଦରଜା ଖୋଲିଲେ ।

 

ଲେପ୍‌ଜିଙ୍କ ସଙ୍ଗରେ ବହୁତ ଦିନ ଧରି ରହିବା ଫଳରେ ମୁଁ ତାଙ୍କ ଭାଷା ବେଶ୍‌ ବୁଝିପାରୁଥିଲି ଓ କହି ପାରୁଥିଲି ମଧ୍ୟ । ତେଣୁ ମୁଁ ସେହି ସ୍ତ୍ରୀଲୋକଟିକୁ ତାଙ୍କ ଦେଶୀୟ ଭାଷାରେ ପଚାରିଲି, ‘‘ତୁମେ କ’ଣ ଗ୍ଲେନ୍‌ ଲେପ୍‌ଜି ନାମକ କୌଣସି ବ୍ୟକ୍ତିଙ୍କୁ ଜାଣ ?’’

 

ସ୍ତ୍ରୀଲୋକଟି ଦୀର୍ଘନିଶ୍ୱାସ ଛାଡ଼ି କହିଲେ ‘‘ହଁ ।’’

 

‘‘କେଉଁଠାରେ ସେ ରହନ୍ତି କହିପାରିବ ?’’

 

ସେ କହିଲେ, ‘‘ଗ୍ଲେନ ଲେପ୍‌ଜି ଥିଲେ ଏ ଅଞ୍ଚଳର ଜଣେ ପ୍ରସିଦ୍ଧ ଯୋଦ୍ଧା । ରାଜାଙ୍କ ତରଫରୁ ସେ ଯୁଦ୍ଧ କରିବାକୁ ଯାଇଥିଲେ । ଯଦି ଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇ ନ ଥାଏ, ତାହାହେଲେ ନିଶ୍ଚୟ ସେ ବନ୍ଦୀ ହୋଇଛନ୍ତି ।’’

 

ମୁଁ କହିଲି, ‘‘ତୁମର ସ୍ୱାମୀ ବଞ୍ଚିଛନ୍ତି ଏବଂ ଶତ୍ରୁ ହସ୍ତରେ ବନ୍ଦୀ ହୋଇଛନ୍ତି । ଯଦି ତୁମେ କିଛି ଟଙ୍କା ମୋ ହାତରେ ଦେଇପାର, ତାହାହେଲେ ମୁଁ ତାଙ୍କୁ ଶତ୍ରୁ ହସ୍ତରୁ ମୁକ୍ତ କରି ଆଣିପାରିବି-।’’

 

ସ୍ତ୍ରୀଲୋକଟି କାନ୍ଦି କାନ୍ଦି ମୋତେ ଜାବୁଡ଼ି ଧରିଲେ । କହିଲେ, ‘‘ସତରେ କ’ଣ ମୋ ସ୍ୱାମୀ ବଞ୍ଚିଛନ୍ତି ? ତୁମେ କ’ଣ ତାହାଙ୍କୁ ମୁକ୍ତ କରି ଆଣିପାରିବ ? କିନ୍ତୁ ଟଙ୍କା ଯେ ମୋ ପାଖରେ ଗୋଟିଏ ବୋଲି ନାହିଁ । ମୋ ସ୍ୱାମୀ ଚାଲିଯିବା ପରେ ମୁଁ ମୂଲ ଲାଗି ଅତି କଷ୍ଟରେ ଓ ଦୁଃଖରେ ମୋ ପିଲାମାନଙ୍କୁ କେବଳ ବଞ୍ଚାଇ ରଖିଛି । ତେବେ ଗୋଟିଏ କଥା, ତୁମକୁ ଦେଖି ମନେହେଉଛି, ତୁମେ ଏ ଦେଶର ଲୋକ ନୁହଁ । ମୁଁ ଶୁଣିଛି, ଏହି ଦେଶରେ ଓ ପୃଥିବୀର କେଉଁଠି କେଉଁଠି ମଣିଷ ବିକ୍ରୟ ହୁଏ । ମୋର ଏହି ପାଞ୍ଚୋଟି ପିଲାଙ୍କୁ ବିକ୍ରୟ କରି ଟଙ୍କା ସଂଗ୍ରହ କରିପାର । ତୁମେ ସେହି ଟଙ୍କାରେ ମୋ ସ୍ୱାମୀଙ୍କୁ ମୁକ୍ତ କର... ।’’

 

‘‘ମୁଁ ବନ୍ଦୀ ହୋଇନାହିଁ ଜୁଲିକା’’–ଏମିତି କହି ଲେପ୍‌ଜି ଆସି ଉପସ୍ଥିତ ହେଲେ ସେଠାରେ । ତାଙ୍କ ସ୍ତ୍ରୀର ଏତାଦୃଶ ଭକ୍ତି ଓ ଭଲପାଇବା ଦେଖି ସେ ମୁଗ୍‌ଧ ହୋଇଯାଇଥିଲେ ।

 

ସେ କହିଲେ, ‘‘ମୁଁ ବନ୍ଦୀ କିମ୍ବା କ୍ରୀତଦାସ ହୋଇନାହିଁ ଜୁଲିକା, ତୁମର ପିଲାମାନଙ୍କ ବିକ୍ରୟ କରି ଅର୍ଥ ଆଣି ମୋତେ ମୁକ୍ତ କରିବାକୁ ହେବ ନାହିଁ ।’’

 

ଏହାପରେ ଦୁଇଜଣ କାନ୍ଦିବାକୁ ଲାଗିଲେ । ମୁଁ ସେମାନଙ୍କ କଥାବାର୍ତ୍ତା ମଧ୍ୟରେ ନ ରହି ବାହାରକୁ ଆସିଲି । କିଛି ସମୟ ପରେ, ମୋର ବନ୍ଧୁ ମୋତେ ଡାକିବାରୁ ମୁଁ ଘର ଭିତରକୁ ଆସଲି-

 

ମୋ ମନରେ ଅନେକ କଥା ଆସୁଥିଲା । ଆଜି ଏହି ପରିବାରର ମିଳନରେ କ’ଣ ପାଇଁ ଏତେ ଆନନ୍ଦ ? କାହିଁକି ଏ ଆନନ୍ଦ ? ମୋର ବନ୍ଧୁ ତ ଧନରତ୍ନ ସଙ୍ଗରେ ଆଣିନାହାନ୍ତି, ମୋର ବନ୍ଧୁ ତ ରାଜାଳୟ କରି ଆସିନାହାନ୍ତି । ସେ ଅନାହାରରେ ଶୂନ୍ୟ ହସ୍ତରେ, ଜୀର୍ଣ୍ଣ ଶରୀରରେ ଆସିଛନ୍ତି ମାତ୍ର । ତଥାପି ଆଜି ଏଇ ପରିବାରର ପିଲାପିଲିଙ୍କ ଓ ଗୃହିଣୀଙ୍କର କେତେ ଯେ ଆନନ୍ଦ-!

 

ଆଉ ମୁଁ ? କିଏ ମୁଁ ? ଏଠାରେ ତ କେହି ନାହିଁ । କେହି ତ ମୋର ଆପଣାର ବୋଲି ନାହିଁ । ଏତେ କଷ୍ଟ ସ୍ୱୀକାର କରି ତାହାହେଲେ କାହିଁକି ଏଠାକୁ ଆସିଲି । ମୋତେ ସ୍ନେହ କରିବାକୁ ବା ଆଦର ଯତ୍ନ କରିବାକୁ କିଏ ବା ଅଛି ଏଠାରେ ? ତାହାହେଲେ କ’ଣ ଦାସତ୍ୱରୁ ମୁକ୍ତିଲାଭ ଆକାଙ୍‌କ୍ଷାରେ ମୁଁ ଏଠାକୁ ଧାଇଁ ଆସିଛି ? କିଏ ଜାଣେ କାହିଁକି ?

 

ମୁଁ ଯେତେବେଳେ ଏମିତି ବିବିଧ ଚିନ୍ତାରେ ମଗ୍ନ ଥିଲି, ସେହି ସମୟରେ ବନ୍ଧୁର ଆହ୍ୱାନରେ ଘର ଭିତରକୁ ପ୍ରବେଶ କଲି ।

 

ଜଣେ ଜଣେ କରି ଗ୍ଲେନ ଲେପ୍‌ଜିର ପିଲାପିଲି ଆସିବାକୁ ଲାଗିଲେ । କିଏ ଶୋଇଥିଲା, କିଏ ବା ଚାହିଁଥିଲା । କିଏ ହସିଲା, କିଏ ବା ଦୂରରେ ଉଙ୍କି ମାରିଲା ତା’ର ବାପାଙ୍କୁ । ଦିନେ ଦୁଇ ଦିନ ନୁହେଁ, ସାତ ବର୍ଷ ପରେ ପିତା ସହିତ ସନ୍ତାନର ପରିଚୟ ହେଲା । ଏହା ଦେଖି ମୁଁ ମୁଗ୍‌ଧ ହୋଇଗଲି ।

 

ବନ୍ଧୁ ଓ ବନ୍ଧୁପତ୍ନୀ ପରମ ସମାଦରରେ ମୋତେ ସେମାନଙ୍କ ଗୃହରେ ଗ୍ରହଣ କଲେ ।

 

(ସାତ)

 

ଦୁଇ ବର୍ଷ ହେଲା ଲେପ୍‌ଜିଙ୍କ ଗୃହକୁ ଆସିଲିଣି ।

 

ଉଭୟ ସ୍ୱାମୀ ଓ ସ୍ତ୍ରୀ ମୋର ଯତ୍ନ ନେବାରେ ସାମାନ୍ୟ ତ୍ରୁଟି କରି ନାହାନ୍ତି । ମୋର ଦେହ ପା’ ଖବର ବୁଝନ୍ତି । କେବେ କେବେ ଟିକିଏ ଦୁଃଖରେ ମୁହଁ ଶୁଖାଇଲେ ବନ୍ଧୁ ପତ୍ନୀ ସମାଦର କରି ମୋ ମୁହଁରେ ହସ ଆଣିବାର ଚେଷ୍ଠା କରନ୍ତି, କେବେ କେବେ ଅସୁସ୍ଥ ହେଲେ ମା’ଭଳି ସେବା ଶୁଶ୍ରୂଷାର ଯତ୍ନ ନିଅନ୍ତି ।

 

କୌଣସି କ୍ଳେଶ ନାହିଁ–ଖାଇବା, ପିଇବା ଆଉ ଶୋଇବା । ଆମ୍ଭମାନଙ୍କର କାମ ଥିଲା କେବଳ ଜମି ଚାଷ କରିବା, ପରିବାରର ଖାଦ୍ୟୋପଯୋଗୀ ଖାଦ୍ୟଶସ୍ୟ ସଂଗ୍ରହ କରିବା ଏବଂ ଉଦ୍‌ବୃତ ଶସ୍ୟ ଲୁଗାପଟା, ତେଲ, ଲୁଣପାଇଁ ବିକ୍ରୟ କରିବା । ଏହା ବ୍ୟତୀତ ଆମ୍ଭେମାନେ ମଝିରେ ମଝିରେ ନଦୀରେ ମାଛ ଧରୁଥିଲୁ, ବଣରେ ପଶୁ ମଧ୍ୟ ଶିକାର କରୁଥିଲୁ ।

 

ସେ ଦେଶରେ ସେତେବେଳେ ଦାସ ବିକ୍ରୟ ପ୍ରଥା ପ୍ରଚଳିତ ଥିଲା । ଅନେକେ ଲୋକ ସଂଗ୍ରହ କରି ଦାସ ବିକ୍ରୟ କରି ଅର୍ଥ ଉପାର୍ଜନ କରୁଥିଲେ । ଗ୍ଲେନ ଲେପ୍‌ଜି ଯଦି ତାହା କରିଥାନ୍ତେ, ତାହାହେଲେ ସେ ପ୍ରଚୁର ଅର୍ଥ ସଂଗ୍ରହ କରିପାରିଥାଆନ୍ତେ, କିନ୍ତୁ ତାଙ୍କର ସ୍ୱାଧୀନଚିତ୍ତ କୌଣସି ରୂପେ ଅଧୀନତାକୁ ମାନିନେବାକୁ ପ୍ରସ୍ତୁତ ନ ଥିଲା । ତେଣୁ ନିଜସ୍ୱ ଜମିଜମା ଚାଷ କରି, ଶିକାର କରି, ଖାଦ୍ୟ ସଂଗ୍ରହ କରି ବେଶ୍ ଆନନ୍ଦର ସହିତ ଦିନ ଅତିବାହିତ କରୁଥିଲେ ।

 

ମୋର ଯଦିଓ ବେଶ୍ ଆରାମରେ ଦିନ କଟୁଥିଲା, ତଥାପି ମୋ ଦେଶ କଥା ମନେପଡ଼ୁଥିଲା । ମୋ ଦେଶ ଭାରତ କଥା ସ୍ମରଣ କରି ମୋ ଚକ୍ଷୁରେ ପାଣି ଆସୁଥିଲା । ଦେଶର କଥା ସ୍ମରଣ କରି ମୋ ଚିତ୍ତ ଅଶାନ୍ତିରେ ପୂରି ଯାଉଥିଲା । ଗୋଟିଏ ଦିନର କାମ ସାରି ଯେତେବେଳେ ରାତ୍ରିରେ ବିଶ୍ରାମ କରୁଥିଲି, ସେତେବେଳେ ମନରେ ପଡ଼ିଲା ନିଜ ଦେଶ କଥା । କି ଉପାୟରେ ଯେ ଦେଶକୁ ଫେରିଯାଇପାରିବି, ଏହାହିଁ ଥିଲା ଦିନରାତି ମୋର ଏକମାତ୍ର ଚିନ୍ତା ।

 

ଦିନେ ଶୁଣିଲି ଯେ କୋୟାମିନ୍‌ଠାରୁ କେତେକ କିଲୋମିଟର ପଶ୍ଚିମରେ ପର୍ତ୍ତୁଗୀଜମାନଙ୍କର ଗୋଟିଏ ଦୁର୍ଗ ଅଛି । ସେଠାରେ କେତେ ଜଣ ଇଂରେଜ ଏବଂ ଭାରତୀୟ ନାବିକ ବନ୍ଦୀ ଅବସ୍ଥାରେ ଅଛନ୍ତି । ମୁଁ ଏ ସମ୍ବାଦ ପାଇ ସେଠାକୁ ଗଲି ।

 

ସେଠାରେ ଯାଇ ଦେଖିଲି ଯେ, ସେଠାରେ ଦୁଇଜଣ ଓଲନ୍ଦାଜ, ତିନିଜଣ ଆଇରିସ, ପାଞ୍ଚଜଣ ଇଂରେଜ ଓ ଦୁଇଜଣ ଭାରତୀୟ ନାବିକ ଅଛନ୍ତି । ସେମାନେ ଯେଉଁ ବାଣିଜ୍ୟ ଜାହାଜର ନାବିକ ଥିଲେ, ସେ ଜାହାଜର କାପ୍ଟେନ ଜାତିରେ ଓଲନ୍ଦାଜ ହେଲେ ମଧ୍ୟ ବେଶ୍‌ ଇଂରେଜୀ କହିପାରନ୍ତି । ପର୍ତ୍ତୁଗୀଜମାନେ ଓଲନ୍ଦାଜ କାପ୍ଟେନର ଏହି ଜାହାଜଟି କୌଣସି ଇଂରେଜ ବଣିକର ଜାହାଜ ମନେକରି ନାବିକମାନେ ତୀରକୁ ଓହ୍ଲାଇବା ମାତ୍ରକେ ବନ୍ଦୀ କରି ରଖିଲେ ।

 

ମୁଁ ପ୍ରତିଦିନ ସେମାନଙ୍କ ସହତ ସାକ୍ଷାତ କରିବାକୁ ଗଲି । ଏମିତି ଯିବା ଆସିବା ଫଳରେ ସେମାନେ ମୋତେ ବିଶ୍ୱାସ କରିବାକୁ ଆରମ୍ଭ କଲେ । ବନ୍ଦୀ ଅବସ୍ଥାରେ ସେହି ନାବିକମାନଙ୍କର ଜୀବନ ଦୁର୍ବିସହ ହୋଇ ଉଠିଥିଲା । ଦିନେ ଜଣେ ନାବିକ କହିଲା ଯେ, ସେମାନଙ୍କ ଦଳର ଜଣେ ନାବିକ କାପ୍ଟେନ ସଙ୍ଗରେ ପର୍ତ୍ତୁଗୀଜର ଶାସନକର୍ତ୍ତା ସହିତ ସାକ୍ଷାତ କରିବାକୁ ଯାଇଥିଲା । ମାତ୍ର ରାସ୍ତାରେ ପୀଡ଼ିତ ହୋଇପଡ଼ିବା ଫଳରେ ସେ ଫେରିଆସିବାକୁ ବାଧ୍ୟ ହେଲା । ଏହି ନାବିକ ଯୁବକ ଅତି ସୁନ୍ଦର ଭାବରେ ପର୍ତ୍ତୁଗୀଜ ଭାଷାରେ କଥା କହିପାରେ । ଏଥିପାଇଁ ତାହାକୁ କେହି ସନ୍ଦେହ କରନ୍ତି ନାହିଁ ଏବଂ ପର୍ତ୍ତୁଗୀଜମାନେ ତାହାକୁ ପର୍ତ୍ତୁଗୀଜ ବୋଲି ମନେକରିଛନ୍ତି ।

 

ମୁଁ ସେ ନାବିକଟି ପାଇଁ ଅନେକକ୍ଷଣ ଯାଏ ଅପେକ୍ଷା କଲି । ସେ ଆସିବାରୁ ଗୋପନରେ ତା’ ସହିତ ସାକ୍ଷାତ କରି ନିମ୍ନଲିଖିତ ରୂପେ କଥାବାର୍ତ୍ତା କଲି ।

 

ସେ ମୋତେ ପ୍ରଥମେ ପଚାରିଲେ, ‘‘ତୁମେ କିଏ ଏବଂ ତୁମକୁ ମୁଁ ବିଶ୍ୱାସ କରିପାରିବି କି ?’’

 

ମୁଁ ତାହାକୁ ମୋ ଜୀବନର ସମସ୍ତ ଘଟଣା ବିଶଦ ଭାବରେ କହିଲି ଯେ ମୁଁ ଜଣେ ଭାରତୀୟ । ଏଠାକୁ କିପରି ଆସିଲି ତାହା ମଧ୍ୟ ଲୁକ୍‌କାୟିତ ନ କରି କହିଲି ।

 

ଏହାପରେ ସେ ଧୀର କଣ୍ଠରେ ସମସ୍ତଙ୍କୁ କହିଲେ, ‘‘ତୁମ୍ଭେମାନେ ନିରାଶ ହୁଅନା । ଆମେ ଖୁବ୍‌ ଶୀଘ୍ର ବିପଦରୁ ମୁକ୍ତ ହେବୁ ।’’

 

ମୁଁ ଅନେକ ଦିନ ପର୍ତ୍ତୁଗୀଜ ଜାହାଜରେ କାମ କରିଥିଲି ଏବଂ ପର୍ତ୍ତୁଗୀଜମାନଙ୍କ ସହ ମିଳାମିଶା କରିଛି । ମୁଁ ଜାଣିପାରିଛି ଯେ, ପର୍ତ୍ତୁଗୀଜ ଜାହାଜ ‘ଦେଲକୁଜ’ ଖୁବ୍‌ ଶୀଘ୍ର ବନ୍ଦର ଛାଡ଼ିବ-। ସେଇ ଜାହାଜରେ ସେମିତି କିଛି ବିଶେଷ ମାଲ ବୋଝାଇ ନାହିଁ । ମୁଁ ଜାହାଜର କାପ୍ଟେନ ସହିତ କଥାବାର୍ତ୍ତା କରିଛି । ଯଦି ତୁମେମାନେ ଏଠାରୁ ମୁକ୍ତ ହେବାକୁ ଚାହଁ ତାହାହେଲେ ତା’ ପରଦିନ ରାତିରେ ଏଇ ବନ୍ଦରକୁ ଯାଇ ମୋ ସହିତ ମିଳିତ ହୁଅ, ଆମ୍ଭେମାନେ ସେହି ଜାହାଜରେ ପଳାୟନ କରିବୁ ।

 

ମୋ ପ୍ରାଣରେ ଉତ୍ସାହ ଜାଗି ଉଠିଲା । ପର୍ତ୍ତୁଗୀଜରେ ପହଞ୍ଚିଲେ ଅନ୍ୟ ଚିନ୍ତା କରିବି । ମୋ ସଙ୍ଗରେ ରହିବେ ଆହୁରି ଦୁଇ ଜଣ ଭାରତୀୟ । ସେମାନେ ନିଶ୍ଚୟ ମୋତେ ସାହାଯ୍ୟ କରିବେ ।

 

ମାତ୍ର ବନ୍ଦୀ ନାବିକମାନେ ସେମିତି ଆଗ୍ରହ ପ୍ରକାଶ କଲେ ନାହିଁ । ସେମାନେ କହିଲେ ଯେ ସେମାନଙ୍କର ପରିଚୟ ପାଇଲେ ପର୍ତ୍ତୁଗୀଜ କ୍ୟାପ୍ଟେନ ହୁଏତ ଦୁର୍ବ୍ୟବହାର କରିପାରନ୍ତି । ସେ ଦିନର କଥାବାର୍ତ୍ତା ସେଇଠି ଶେଷ ହେଲା ।

 

ସେଇ ନାବିକ ସୁସ୍ଥ ହୋଇ ଚାଲିଗଲେ । ମୁଁ କୋୟାମନକୁ ଫେରିଆସିବା ପୂର୍ବରୁ ସେମାନଙ୍କୁ କହିଲି, ‘‘ଏ ସୁଯୋଗ ଉପେକ୍ଷା କରିବା ଉଚିତ ନୁହେଁ । ଆମ୍ଭେମାନେ ସମସ୍ତେ ବିଭିନ୍ନ ଦେଶର ଲୋକ ହେଲେ ବି ସମସ୍ତେ ମଣିଷ, ସମଦଶାପନ୍ନ, ଏକ ଜାତି ନାବିକ; ପ୍ରତ୍ୟେକ ପ୍ରତ୍ୟେକଙ୍କୁ ବିପଦରେ ସାହାଯ୍ୟ କରିବୁ ।

 

ସେମାନଙ୍କ ମନରେ ଯେଉଁ ଆତଙ୍କ ଥିଲା, ଯେଉଁ ଟିକିଏ ନିରାଶାର ଭାବ ଥିଲା, ତାହା ମୋ କଥାରେ ଦୂର ହୋଇଗଲା । ମୁଁ ପଳାୟନପାଇଁ ସେହି ଶୁଭ ରଜନୀର ପ୍ରତୀକ୍ଷାରେ ରହିଲି ।

 

ନାବିକମାନେ ପର୍ତ୍ତୁଗୀଜର ଯେଉଁ ଦୁର୍ଗରେ ବନ୍ଦୀ ଥିଲେ, ସେହି ଦୁର୍ଗଟି ଅନେକ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା । ନଦୀର ଆର ପାରିରେ ପର୍ତ୍ତୁଗୀଜମାନେ ଆଉ ଗୋଟିଏ ନୂତନ ଦୁର୍ଗ ତିଆରି କରୁଥିଲେ । ଏହି ଦୁର୍ଗଟିର ଚତୁର୍ଦ୍ଦିଗରେ ମୋଟା ପ୍ରାଚୀର । ବନ୍ଦୀମାନଙ୍କୁ ପ୍ରତିଦିନ ଗୋଟିଏ କକ୍ଷରେ ଅଟକାଇ ରଖାଯାଇ ସେଥିରେ ତାଲା ବନ୍ଦ କରି ରଖାଯାଉଥିଲା ଏବଂ ଦୁଇ ଜଣ ପ୍ରହରୀ ରାତ୍ରିରେ ପ୍ରହରା ଦେଉଥିଲେ । ବାହାରର ଲୋକମାନଙ୍କ ସହିତ ଦେଖାସାକ୍ଷାତ କରିବାକୁ କୌଣସି ଦିନ ପ୍ରହରୀମାନେ କେବେ ବାଧା ଦେଉନଥିଲେ । ଏମିତି କି ଶାସନକର୍ତ୍ତାର ମଧ୍ୟ ସେମିତି କଡ଼ା ହୁକୁମ ନ ଥିଲା । ଏଇଥିପାଇଁ ମୁଁ ନିରାପଦରେ ସଦାସର୍ବଦା ବନ୍ଦୀଶାଳାକୁ ଯାଇ ବନ୍ଦୀମାନଙ୍କ ସହିତ ସାକ୍ଷାତ କରିପାରୁଥିଲି ।

 

ଆମ୍ଭମାନଙ୍କର ସେଇ ଆକାଙ୍‌କ୍ଷିତ ରାତ୍ରି ଆସିଲା ।

 

ସେଦିନ ଦୁଇ ପ୍ରହର ରାତ୍ରିରେ ଜଣେ ବନ୍ଦୀ ଚିତ୍କାର କରିଉଠିଲା–‘‘ନିଆଁ..... ନିଆଁ..... ନିଆଁ ମୋ ଦେହରେ ଲାଗିଯାଉଛି । ମୋତେ ରକ୍ଷାକର– ।’’

 

ଦୁଇଜଣ ପ୍ରହରୀ ମଧ୍ୟରୁ ଜଣେ ଶୋଇପଡ଼ିଥିଲା, ଆଉ ଜଣେ ଉଠିପଡ଼ି ଖୁବ୍‌ ଶୀଘ୍ର ବନ୍ଦୀମାନଙ୍କ ଦରଜା ପାଖକୁ ଆସି ପଚାରିଲା, ‘‘କ’ଣ ହୋଇଛି ?’’

 

ସେଇ ବନ୍ଦୀ କହିଲା, ‘‘ପାଣି ଆଣ, ପାଣି.... ମୋ ଶରୀରର ଲୁଗାପଟାରେ ନିଆଁ ଲାଗିଯାଇଛି.... ।’’

 

ପ୍ରହରୀଟି ସନ୍ଦେହ ନ କରି ଶୀଘ୍ର ଗତିରେ ବାଲତିଏ ପାଣି ଆଣି ଦରଜା ଖୋଲି ଯେମିତି ଘର ଭିତରକୁ ପ୍ରବେଶ କରିଛି, ସେମିତି ସମସ୍ତ ବନ୍ଦୀମାନେ ତାହା ହାତରୁ ସମସ୍ତ ଅସ୍ତ୍ରଶସ୍ତ୍ର କାଢ଼ିନେଲେ ଏବଂ ଅତି ଦ୍ରୁତ ତାହାର ହାତ ପଛକୁ କରି ବାନ୍ଧିପକାଇଲେ । ମୁହଁ ବାନ୍ଧିଲେ, ତାହାର ପାଦ ବାନ୍ଧିଲେ ଏବଂ ତାହାକୁ ଶୁଆଇ ତାହାର ଅସ୍ତ୍ରଶସ୍ତ୍ର ଧରି ଦୁର୍ଗର ପଶ୍ଚାତରେ ଭଙ୍ଗା ପ୍ରାଚୀର ପାରିହୋଇ ବନ୍ଦର ଆଡ଼କୁ ଚାଲିଲେ । ମୁଁ ଅନେକ ଦୂରରେ ସେମାନଙ୍କୁ ଅପେକ୍ଷା କରିଥିଲି ।

 

ଏବେ ସମସ୍ତେ ମିଳିତ ହୋଇ ଚାଲିଲୁ ଏବଂ ନିରାପଦରେ ଜାହାଜରେ ଉଠିଲୁଁ ।

 

ଆମ୍ଭମାନଙ୍କର ସେଇ ବନ୍ଧୁ ନାବିକଟି ତାଙ୍କ ସଙ୍ଗରେ କୌଶଳରେ କିଛି ବିଶାକ୍ତ ମଦ ସଂଗ୍ରହ କରି ଆଣିଥିଲେ । ସେ ସେଇ ମଦ ଜାହାଜର ଯେଉଁ କେତେଜଣ ଖଲାସୀ ଜାହାଜରେ ଥିଲେ, ସେମାନଙ୍କୁ ପିଇବାକୁ ଦେଲେ । ସେମାନେ ମଦ ଖାଇ ଏକାବେଳକେ ଅଚେତନ ହୋଇପଡ଼ିଲେ ।

 

ଆମ୍ଭେମାନେ ଜାହାଜରୁ ଦୁଇଟି ନୌକା ତଳକୁ ଖସାଇ ଜାହାଜର ନଙ୍ଗର ଉଠାଇଲୁ ଏବଂ ଧୀରେ ଧୀରେ ଜାହାଜଟିକୁ ଚଳାଇ ବାହାର ସମୁଦ୍ରକୁ ନେଇଆସିଲୁଁ । ଜାହାଜର କାପ୍ଟେନ ରାତ୍ରିରେ ତୀରରେ ରହନ୍ତି, ତେଣୁ ଆମ୍ଭମାନଙ୍କ କୌଶଳ ବା ସମ୍ବାଦ କିଛି ଜାଣିପାରିଲେ ନାହିଁ । ଆମ୍ଭେମାନେ ଏବେ ଜାହାଜର ଖଲାସୀମାନଙ୍କୁ ନୌକାରେ ଶୁଆଇ ନୌକାଗୁଡ଼ିକୁ ଜଳ ସ୍ରୋତରେ ବନ୍ଦର ଆଡ଼କୁ ଭସାଇଦେଲୁଁ । ସେମାନେ ଏମିତି ମତ୍ତ ଅବସ୍ଥାରେ ଥିଲେ ଯେ, ଏ ସମସ୍ତ ଘଟଣା ସେମାନେ କିଛି ଜାଣିପାରିଲେ ନାହିଁ ।

 

ଆମ୍ଭମାନଙ୍କ ଜାହାଜ ଅନୁକୂଳ ପବନରେ ଦୂର ସମୁଦ୍ର ବୁକୁରେ ଭାସି ଚାଲିଲା । ତୀର ଦେଶର ଚିହ୍ନ ସୁଦ୍ଧା ଆମ୍ଭମାନଙ୍କ ଚକ୍ଷୁ ସମ୍ମୁଖରୁ ଦୂରୀଭୂତ ହୋଇଗଲା ।

 

ଦୂରରେ ଅନେକ ଦୂରରେ ସମୁଦ୍ର ବୁକୁରେ ଆସି ଯେତେବେଳେ ଆପଣାକୁ ସମ୍ପୂର୍ଣ୍ଣ ନିରାପଦ ମନେକଲୁ, ସେତେବେଳେ ପରାମର୍ଶ କରିବାକୁ ଲାଗିଲୁଁ, ଆମ୍ଭେମାନେ କେଉଁଠାକୁ ଯିବୁ-। ଜାହାଜରେ ଅନେକ ମୂଲ୍ୟବାନ ପଣ୍ୟଦ୍ରବ୍ୟାଦି ଥିଲା । କେତେକ ପର୍ତ୍ତୁଗାଲରୁ ବୋଝାଇ କରାଯାଇଥିଲା, କେତେକ ଅନ୍ୟାନ୍ୟ ଦେଶରୁ ସଂଗ୍ରହ କରାଯାଇଥିଲା ।

 

କେତେକ ମତ ଦେଲେ ଭାରତବର୍ଷ ଯିବାକୁ । କାରଣ ସେଠାରୁ ଇଂରେଜମାନଙ୍କ ବାଣିଜ୍ୟ ଜାହାଜ ଧରି ଇଂଲଣ୍ଡକୁ ଯିବେ ଏବଂ ସେଠାରେ ଜିନିଷପତ୍ର ବିକ୍ରୟ କଲେ ଲାଭବାନ ହୋଇପାରିବେ । କିନ୍ତୁ ଅନେକେ ଏହାର ବିପକ୍ଷରେ ମତ ଦେଲେ । ସେମାନେ କହିଲେ, ଜାହାଜଟିକୁ ଏକାବେଳକେ ଇଂଲଣ୍ଡ ଅଭିମୁଖରେ ନେଇଯିବା ଉଚିତ ।

 

ମୁଁ କହିଲି, ‘‘ଏମିତି କଳ୍ପନା କଳ୍ପନାରେ କୌଣସି ମୂଲ୍ୟ ନାହିଁ । ଆମ୍ଭେମାନେ ଯଦି ବରାବର ଦକ୍ଷିଣ ଦିଗକୁ ଲକ୍ଷ୍ୟ କରି ଜାହାଜ ଛାଡ଼ୁ ତାହାହେଲେ ନିରାପଦ ହୋଇପାରୁ; ନ ହେଲେ ହୁଏତ ପଶ୍ଚାତ୍‌ରୁ ଏ ଜାହାଜର କାପ୍ଟେନ ଅନ୍ୟ କେଉଁଥିରେ ଆସି ଆମକୁ ଧରିପାରନ୍ତି । କେଉଁଠିକୁ ଯିବା, ତାହା ବର୍ତ୍ତମାନ ଚିନ୍ତାର ବିଷୟ ନୁହେଁ.... ।’’

 

ମୋ ପ୍ରସ୍ତାବରେ ସମସ୍ତେ ରାଜିହେଲେ । ଆମ୍ଭମାନେ ଦକ୍ଷିଣ ଦିଗକୁ ଲକ୍ଷ୍ୟ କରି ଜାହାଜର ପାଲ ଉଠାଇ ଟାଙ୍ଗିଦେଲୁ । ଏବେ ଆମ୍ଭମାନଙ୍କର ଲକ୍ଷ୍ୟ ନିର୍ଦ୍ଦେଶ କରି ନିଶ୍ଚିନ୍ତ ମନରେ ସର୍ବପ୍ରଥମ ଜାହାଜର-ଭଣ୍ଡାର ଘରେ କ’ଣ ଖାଦ୍ୟ ଅଛି, ତା’ର ସନ୍ଧାନ କରିବାକୁ ଲାଗିଲୁ ।

 

ଦେଖିଲୁ ଜାହାଜର ଭଣ୍ଡାର ଘରେ ପ୍ରଚୁର ମଇଦା, ମାଛ ଏବଂ ଅନ୍ୟାନ୍ୟ ଖାଦ୍ୟ ଗଚ୍ଛିତ ରହିଛି । କେବଳ ଜଳ ଓ କାଠର ଅଭାବ । ଏଥିପାଇଁ ଆମ୍ଭେମାନେ ଟିକିଏ ଚିନ୍ତିତ ହୋଇପଡ଼ିଲୁଁ । ପୁଣି ଏଆଡ଼େ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ପକ୍‌କା ନାବିକ ନ ଥିଲା । ତେଣୁ ଅଦୃଷ୍ଟ ଉପରେ ଏବଂ ଅନୁକୂଳ ବାୟୁ ଉପରେ ନିର୍ଭର କରି ଆମ୍ଭେମାନେ ଚାଲିଥିଲୁ ।

 

ଏବେ ଆମ୍ଭେମାନେ ସମସ୍ତେ କାପ୍ଟେନ,...ଆମ୍ଭମାନଙ୍କର ଏକମାତ୍ର ପ୍ରାର୍ଥନା ଥିଲା, ଯେମିତି ଆମ୍ଭେମାନେ ଆଫ୍ରିକାର ତୀର ଦେଶକୁ ପୁଣି ଫେରି ନ ଆସୁଁ ।

 

ଆମ୍ଭେମାନେ କେତେବେଳେ ପୂର୍ବଦଗକୁ, କେତେବେଳେ ପଶ୍ଚିମ ଦିଗକୁ ଚାଲି ପ୍ରାୟ ନ’ଦିନ କଟିଗଲା ପରେ ଅତି ଦୂରରେ ଗୋଟିଏ ନୀଳବର୍ଣ୍ଣ ଜିନିଷ ଦେଖିବାକୁ ପାଇଲୁଁ । ଆମ୍ଭମାନଙ୍କର ମନେହେଲା, ଏହା ନିଶ୍ଚୟ କୌଣସି ଏକ ସ୍ଥଳଭାଗ । ସେହି ଦିଗକୁ ଲକ୍ଷ୍ୟ କରି ଆମେ ଜାହାଜ ଚଳାଇବାକୁ ଲାଗିଲୁଁ ।

 

କ୍ରମେ ପାଖକୁ ଯିବାରୁ ଜାଣିପାରିଲୁ ଯେ, ଆମ୍ଭମାନଙ୍କ ଅନୁମାନ ସତ୍ୟ । ଏମିତି ଭାବରେ ଆମ୍ଭେମାନେ ଗୋଟିଏ ଅଜଣା ଦ୍ୱୀପରେ ଆସି ପହଞ୍ଚିଲୁଁ । ଏହି ଦ୍ୱୀପର ନାମ କ’ଣ ? ଏଇ ଦ୍ୱୀପରେ କୌଣସି ଲୋକ ଅଛନ୍ତି କି ନା କିଛି ଜାଣି ନ ଥିଲୁଁ । ଆମ୍ଭେମାନେ ସେହି ଦ୍ୱୀପର ତିନି କିଲୋମିଟର ଦୂରରେ ଜାହାଜର ନଙ୍ଗର ପକାଇଲୁଁ ।

 

ଜାହାଜ ଉପରୁ ସେହି ଦ୍ୱୀପରେ କୌଣସି ଜନପ୍ରାଣୀ ଅଛନ୍ତି କି ନା ତାହା ଜାଣିପାରିଲୁ ନାହିଁ । ଆମ୍ଭେମାନେ ଖଣ୍ଡିଏ ନୌକାରେ କେତେଜଣ ସାହାସୀ ନାବିକଙ୍କୁ ଦ୍ୱୀପରୁ ଜାଳେଣି କାଠ ଓ ପାନୀୟ ସଂଗ୍ରହକରି ଆଣିବାପାଇଁ ପଠାଇଦେଲୁ । ରାତ୍ରି ସମୟରେ ଦୁଇଜଣ ନାବିକ ବିଶୁଦ୍ଧ ପାଣି ଓ କାଠ ନେଇ ଫେରିଆସିଲେ । ସେମାନେ ଆଉ ଚାରିଜଣ ନାବିକଙ୍କୁ କାଠ କାଟିବାପାଇଁ ରଖି ଆସିଲେ । ପରଦିନ ଜନ ଏଡ଼ାମସ୍‌ ଓ ମୋ ବ୍ୟତୀତ ଅନ୍ୟ ସମସ୍ତେ କାଠ ଆଣିବାପାଇଁ ତୀରକୁ ଗଲେ ।

 

କାଠ ଆଣିବା ନାବିକମାନଙ୍କୁ ନେଇ ଦୁଇଟି ନୌକା ତୀରରେ ପହଞ୍ଚିବା ଯାଏ ଆକାଶ ବେଶ୍‌ ପରିଷ୍କାର ଥିଲା । ଏମିତି ସମୟରେ ହଠାତ୍‍ ଆକାଶରେ ମେଘ ଘୋଟିଆସିଲା । ଖୁବ୍ ଜୋରରେ ଝଡ଼ ବୋହିବାକୁ ଆରମ୍ଭ ହେଲା ।

 

ସମୁଦ୍ର ବୁକୁରେ ପ୍ରକାଣ୍ଡ ଢେଉ ଉଠିବାକୁ ଲାଗିଲା । କ୍ରମେ ପବନର ଗତି ଏତେ ବୃଦ୍ଧିପାଇଲା ଯେ, ହଠାତ୍‌ ଜାହାଜର ନଙ୍ଗର ଛିଡ଼ିଗଲା ଏବଂ ସେଇ ପ୍ରବଳ ପବନ ଓ ଝଡ଼ ମଧ୍ୟରେ ଆମ୍ଭମାନଙ୍କର ଜାହାଜ କ୍ଷୀପ୍ରଗତିରେ ଆଗକୁ ଧାଇଁ ଚାଲିଲା । ଆମ୍ଭେ ଦୁଇଜଣ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ତାହାର ଗତିରୋଧ କରିପାରିଲୁ ନାହିଁ ।

 

ଏହି ଝଡ଼ କ୍ରମାନ୍ୱୟରେ ଏକପକ୍ଷକାଳ ପର୍ଯ୍ୟନ୍ତ ଲାଗିରହିଲା । ଆମେ ଦୁଇଜଣ ଜାହାଜର ହାଲ ଧରି ଜାହାଜର ଗତିପଥରେ ତାହାକୁ କେବଳ ଚଳାଇଥିଲୁଁ । ଏହି ସମୟ ମଧ୍ୟରେ ଅନ୍ୟ କୌଣସି ବିପଦ ଯେପରି ନ ଘଟେ ତାହା ହିଁ ଥିଲା ଆମ୍ଭମାନଙ୍କର ଏକମାତ୍ର ଚିନ୍ତା ।

 

କ୍ରମେ ଝଡ଼ ବନ୍ଦ ହେଲା । ଆମ୍ଭେମାନେ ନିଶ୍ଚିନ୍ତ ହେଲୁ । ସେତେବେଳେ ଆମେ ଜାଣିପାରିଲୁ ନାହିଁ ଯେ, ଆମ୍ଭେମାନେ ପୃଥିବୀର କେଉଁ ଦେଶରେ ଆସି ଉପସ୍ଥିତ ହୋଇଛୁଁ ।

 

କିନ୍ତୁ ଆଶ୍ଚର୍ଯ୍ୟ ! ଝଡ଼ ସମୟରେ ଜାହାଜ ଯେମିତି ବେଗରେ ଚାଲିଥିଲା, ଏବେ ଶାନ୍ତ ସ୍ଥିର ସମୁଦ୍ର ଉପରେ ମଧ୍ୟ ବିନା ପାଲରେ ଜାହାଜ ସେହି ଗତିରେ ଧାଇଁଚାଲିଛି । ଆମେ ପ୍ରଥମେ ଭାବିଲୁ, ଝଡ଼ର ସେହି ଗତି ଏବେ ବି ହୁଏତ ହ୍ରାସପାଇ ନାହିଁ । ଏବେ ସର୍ବଦା ମନ ମଧ୍ୟରେ ଏ ଦୁଃଶ୍ଚିନ୍ତା ଜାତ ହେଲା ଯେ, ଆମ୍ଭେମାନେ ସେହି ଅଜଣା ଦ୍ୱୀପରେ ଯେଉଁ ବନ୍ଧୁମାନଙ୍କୁ ଛାଡ଼ି ଚାଲିଆସିଲୁଁ, ବୋଧହୁଏ ଏ ଜୀବନରେ ଆଉ ସେମାନଙ୍କ ସହିତ ସାକ୍ଷାତ ହୋଇପାରିବ ନାହିଁ ।

 

ଆମ୍ଭମାନଙ୍କର ଜାହାଜ ପୂର୍ବାପେକ୍ଷା ଆହୁରି ଦ୍ରୁତ ଗତିରେ ଚାଲିଛି । ଏଡ଼ାମସ୍‌ କହିଲେ, ‘‘ଏଇ ଦେଖ ବୁଲୁ ! ଦୂରରେ କ’ଣ ଗୋଟାଏ କଳା ଚିହ୍ନ ଦେଖାଯାଉଛି, ବୋଧହୁଏ କୌଣସି ଦ୍ୱୀପ ହୋଇପାରେ ।’’

 

ଏଡ଼ାମସ୍‌ର କଥାରେ ଆଶାର ସଞ୍ଚାର ହୋଇଥିଲେ ବି ଜାହାଜର ଗତି ଏତେ ପ୍ରଖର କାହିଁକି ? ଅନୁକୂଳ ପବନରେ କିମ୍ବା ପୂର୍ବ ଝଡ଼ ସମୟରେ ସୁଦ୍ଧା ଏମିତି ଗତିରେ ଜାହାଜ ଚାଲୁ ନ ଥିଲା । ମନେହେଉଥିଲା କୌଣସି ଏକ ଅଦୃଶ ଶକ୍ତି ବା କୌଣସି ଭୌତିକ ଶକ୍ତିଦ୍ୱାରା ଜାହାଜର ଗତି ପ୍ରବଳରୁ ପ୍ରବଳତର ହୋଇଉଠୁଛି ।

 

କ୍ରମେ ଜଣାପଡ଼ିଲା, ଦୂରରେ ସେହି କଳା ଚିହ୍ନଟା କୌଣସି ପାହାଡ଼ର ଯେପରି ଅଗ୍ରଭାଗ । ଏହି ସମୟରେ ଆମ ଜାହାଜ ଏତେ ବେଗରେ ଧାବିତ ହେଉଥିଲା ଯେ, ଆମ୍ଭେମାନେ ଭାବିଲୁ ଜାହାଜଟି ପାହାଡ଼ ଦେହରେ ଯେକୌଣସି ମୁହୂର୍ତ୍ତରେ ବାଜି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ ।

 

ଭଗବାନ ! ସର୍ବଶେଷରେ ସଲିଳ ସମାଧି ଭାଗ୍ୟରେ ଥିଲା । ଆଉ କେତୋଟି ମୁହୂର୍ତ୍ତ ପରେ ଆମ୍ଭମାନଙ୍କର ମୃତ୍ୟୁ ସୁନିଶ୍ଚିତ । ଜୀବନ ରକ୍ଷାପାଇଁ ଦୀର୍ଘ ଦିନର ଯେଉଁ ଉଦ୍ୟମ, ଆପ୍ରାଣ ଚେଷ୍ଟା ଆଉ ଅଳ୍ପକ୍ଷଣ ମଧ୍ୟରେ ସବୁ ନିଷ୍ଫଳ ହୋଇଯିବ । ହେ ଗୁରୁଦେବ ! ତୁମର ଉପଦେଶ ଅନ୍ୟଥା କରି ଜୀବଦ୍ଦଶା ମଧ୍ୟରେ ବହୁ ଯନ୍ତ୍ରଣା ପାଇଲିଣି, ବହୁ କଷ୍ଟ ଭୋଗିଗଲିଣି, ବହୁ ଦୁର୍ଦ୍ଦଶାରୁ ରକ୍ଷା ପାଇଥିଲେ ବି ଏବେ ଆଉ ନୁହେଁ । ତୁମେ ମୋର ପ୍ରଣତି ଗ୍ରହଣ କର ଗୁରୁଦେବ । ମୁଁ ଆଉ କ’ଣ କରିବି, ବିଧିର ବିଧାନ, ଭଗବାନଙ୍କର ଇଚ୍ଛା ପୂର୍ଣ୍ଣ ହେବ । ହେ ଈଶ୍ୱର ! ହେ ମଙ୍ଗଳମୟ..... ତୁମରି ପାଖରେ ପ୍ରାର୍ଥନା.... ତୁମେ କ’ଣ ମୋର ଇଚ୍ଛା ପୂର୍ଣ୍ଣ କରିବ ନାହିଁ ? ଏ ବିପଦରୁ ଉଦ୍ଧାର କରିବ ନାହିଁ ?

 

ଏଡ଼ାମସ୍‌ ଥରିଲା କଣ୍ଠରେ କାନ୍ଦି କାନ୍ଦି କହିଲେ, ‘‘ବୁଲୁ, ଆଉ ବିଳମ୍ବ ନାହିଁ । ଏହି ଦେଖ, ମୃତ୍ୟୁଦେବତା କିପରି କରାଳ ମୂର୍ତ୍ତିଧାରଣ କରି ଆମରି ଆଗରେ ଛିଡ଼ା ହୋଇଛି । ଆଉ ଅଳ୍ପକ୍ଷଣ..... ଭଗବାନଙ୍କୁ ପ୍ରାର୍ଥନା କର । ମୁଁ ବର୍ତ୍ତମାନ ଜାହାଜର ଅଗ୍ରଭାଗରେ ଛିଡ଼ା ହେଉଛି, ଯେତେବେଳେ ଜାହାଜ ପାହାଡ଼ ଦେହରେ ଭିଟିବ, ମୁଁ ହଠାତ୍‌ ପାହାଡ଼ ଉପରକୁ ଡେଇଁପଡ଼ିବାକୁ ଚେଷ୍ଟା କରିବି । ତୁମେ ମୋ ପନ୍ଥା ଅବଲମ୍ବନ କରିପାର କିମ୍ବା ନ କରିପାର, ତୁମ ଇଚ୍ଛା..... ବିଦାୟ ବନ୍ଧୁ.... ।’’

 

ମୁଁ ଦେଖିଲି ଯେ, ଜାହାଜ ଯେଉଁ ଗତିରେ କଳାପାହାଡ଼ ଆଡ଼କୁ ଧାଇଁଚାଲିଛି; ଆଉ ଦଶ-ପନ୍ଦର ମିନିଟ୍‌ ମଧ୍ୟରେ ଏହା ଦେହରେ ବାଜି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । ମୋତେ କାହିଁକି କେଜାଣି ଏଡ଼ାମସ୍‌ର ପନ୍ଥା ଏବଂ ସିଦ୍ଧାନ୍ତ ଗ୍ରହଣ କରିବାକୁ ମନବଳିଲା ନାହିଁ । ମୁଁ ତାଙ୍କଠାରୁ ବିଦାୟ ନେଲି ଏବଂ ଜାହାଜର ତଳ ଖୋପ ଭିତରକୁ ଯାଇ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇରହିଲି ।

 

ମୁଁ ତଳକୁ ଆସିବାର ଅଳ୍ପକ୍ଷଣ ମଧ୍ୟରେ ଜାହାଜଟି ଖୁବ୍‌ ଜୋରରେ ଧକ୍‌କା ଖାଇଲା । ମୁଁ ମୁହଁମାଡ଼ି ତଳେପଡ଼ିଗଲି । ମନେହେଲା ଯେପରି ସମଗ୍ର ପାହାଡ଼ଟା ଭାଙ୍ଗି ଚୂରମାର ହୋଇ ଜାହାଜ ଉପରେ ଖସିପଡ଼ିଲା !

 

କେତେ ସମୟ କଟିଗଲା ମୁଁ କହିପାରିବିନି । ପ୍ରାୟ ଅଧ ଘଣ୍ଟା ହେବ । ମୁଁ ଭାବିଥିଲି ଜାହାଜର ନିମ୍ନଭାଗ ଦେଇ ପାଣି ବୋହିବ ଏବଂ ଜାହାଜଟି କ୍ରମେ କ୍ରମେ ଜଳମଗ୍ନ ହୋଇ ଡୁବିଯିବ-। କିନ୍ତୁ ଜାହାଜର ଗତି ମଧ୍ୟ ଅନୁଭବ କଲି ନାହିଁ କିମ୍ବା ପାଣିରେ ଡୁବିଯିବାର ଅବସ୍ଥା ମଧ୍ୟ ଦେଖିଲି ନାହିଁ ।

 

ମୁଁ ସାହସ କରି ସିଡ଼ି ନେଇ ଜାହାଜର ଉପରକୁ ଉଠିଲି । ଏ କ’ଣ ? –ଜାହାଜର ମାସ୍ତୁଲଟି ଭାଙ୍ଗିଯାଇଛି, ଉପର ଭାଗରେ ଥିବା ଜିନିଷପତ୍ର ସବୁ ଓଲଟ ପାଲଟ ହୋଇଯାଇଛି । ଏ ଦୃଶ୍ୟ ଦେଖି ମୁଁ ବିଚଳିତ ହୋଇପଡ଼ିଲି । ଭୟରେ ମୁଁ ଏଡ଼ାମସ୍‌ଙ୍କର ନାମ ଧରି ଚିତ୍କାର କରିବାକୁ ଲାଗିଲି; କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ ।

 

(ଆଠ)

 

ମୁଁ ଅନେକ କ୍ଷଣ ପର୍ଯ୍ୟନ୍ତ କିଛି ଭାବି ଠିକ୍‌ କରିପାରିଲି ନାହିଁ । ଜାହାଜର ଡେକ୍‌ ଉପରେ କେବଳ ସ୍ତମ୍ଭିତ ହୋଇ ଛିଡ଼ାହୋଇ ରହିଲି । ସମ୍ମୁଖରେ ପ୍ରକାଣ୍ଡ କଳା ପାହାଡ଼ଟି ସମୁଦ୍ର ବୁକୁ ଉପରେ ମୁଣ୍ଡ ଉଚ୍ଚ କରି ରାକ୍ଷସଭଳି ଛିଡ଼ା ହୋଇ ରହିଛି । କାହିଁକି ଏପରି ହେଲା ? କାହିଁକି ଜାହାଜଟି ସମ୍ପୂର୍ଣ୍ଣ ଭାବରେ ପାହାଡ଼ ସହିତ ସଂଲଗ୍ନ ହୋଇ ରହିଯାଇଛି ?

 

ଏଡ଼ାମସ୍‌ କୁଆଡ଼େ ଗଲେ ? ସେ କହିଥିଲେ, ପାହାଡ଼ ଦେହରେ ଜାହାଜ ଭିଟିବା ମାତ୍ରକେ ସେ ପାହାଡ଼ ଉପରକୁ ଡେଇଁପଡ଼ିବେ । କିନ୍ତୁ ଏହା ଯେ ଏଠାରେ ସମ୍ଭବ ନୁହେଁ । ପାହାଡ଼ର ଦେହଟା କାନ୍ଥଭଳି ସିଧା ହୋଇ ବହୁ ଦୂରକୁ ଲମ୍ବିଯାଇଛି । ସେ ଯଦି ଡେଇଁଥିବେ, ତାହାହେଲେ ପାହାଡ଼ ଦେହରେ ବାଜି ଚୂରମାର ହେବା ପୂର୍ବରୁ ସମୁଦ୍ରରେ ପଡ଼ିଥିବେ କିମ୍ବା ଲମ୍ଫ ନ ଦେଇଥିଲେ ଜାହାଜଟି ପାହାଡ଼ ଦେହରେ ବାଜିବା ମାତ୍ରକେ ସେ ଛିଟିକି ପଡ଼ିଥିବେ ସମୁଦ୍ରକୁ । କିନ୍ତୁ ସେ ଯଦି ସମୁଦ୍ରକୁ ଛିଟିକି ପଡ଼ିଥାନ୍ତେ, ତାହାହେଲେ ତାଙ୍କର ମୃତ୍ୟୁ ହୁଅନ୍ତା ନାହିଁ । ସେ ନିଶ୍ଚୟ ଜୀବିତ ଥାନ୍ତେ ଏବଂ ଉଦ୍ଧାରପାଇଁ ଯତ୍ନ କରନ୍ତେ କିମ୍ବା ଡାକନ୍ତେ । ନା, ତାଙ୍କୁ ଆଉ ଦୁର୍ଭାଗ୍ୟ ଭୋଗିବାକୁ ହେବ ନାହିଁ । ସେ ସିବୁଦିନପାଇଁ ବିଦାୟ ନେଇଛନ୍ତି ନିଶ୍ଚୟ । କିନ୍ତୁ ଏବେ ମୁଁ କ’ଣ କରିବି, କିଛି ଯେ ଭାବିପାରେନା....

 

ପୁଣି ପରମ ପିତାଙ୍କ ଉଦ୍ଦେଶ୍ୟରେ ମୁଁ ପ୍ରାର୍ଥନା କରିବାକୁ ଲାଗିଲି । ମୁଁ କହିଲି, ‘‘ହେ ଦୟାଳୁ ଭଗବାନ ! ଦରିଦ୍ର ଓ ଅସହାୟ ବୁଲୁର ପ୍ରାର୍ଥନା ତୁମେ ଶୁଣିଛ, ତାହାକୁ ତୁମେ ନାନା ବିପଦରୁ ରକ୍ଷା କରିଛ । ଆଜି ପୁଣି ଏ କି ବିପଦରେ ପକାଇଲ ପ୍ରଭୁ ! ମୁଁ ତୁମ ନିକଟରେ ଅନେକ ଅପରାଧରେ ଅପରାଧୀ, ସେଇଥିପାଇଁକି ତୁମେ ମୋତେ ଏତେ ଶାସ୍ତି ଦେଉଛ ? ମୋତେ ତୁମେ ସମସ୍ତ ଅନ୍ୟାୟ ହସ୍ତରୁ ମୁକ୍ତ କର, ବିପଦରୁ ଉଦ୍ଧାର କର, ଆଉ ମୋ ଅନ୍ତରରେ ସାହସ ଦିଅ ।’’

 

ଏମିତି ପ୍ରାର୍ଥନା କରିବା ପରେ ମୋ ପ୍ରାଣରେ ଶାନ୍ତି ଆସିଲା । ମୁଁ ହୃଦୟରେ ବଳପାଇଲି..... ଏହାପରେ ମୁଁ ଜାହାଜର ଏପଟ ସେପଟ ସବୁଆଡ଼େ ବୁଲିବାକୁ ଲାଗିଲି । ଏବେ ଏଇ ଜାହାଜର ମାଲିକ କୁହ, କାପ୍ଟେନ କୁହ ସବୁ ମୁଁ ।

 

ମାତ୍ର କାହିଁକି ଜାହାଜଟି ଏଇ ପାହାଡ଼ ଦେହରେ ଅତୁଟ ଭାବରେ ଲାଖି ହୋଇଗଲା, ଏବେ ତା’ର କାରଣ ଖୋଜିବାକୁ ପ୍ରବୃତ୍ତ ହେଲି । ଗୋଟିଏ ଲଣ୍ଠନ ଜାଳି ଜାହାଜର ଭିତର ଅଂଶଟା ଖୋଜି ବାହାରକୁ ଆସିଲି । ଜାହାଜଟି ଆମ୍ଭମାନଙ୍କ ଅଧିକାରକୁ ଆସିବା ପରଠାରୁ ଏପର୍ଯ୍ୟନ୍ତ ଆଉ କେଉଁଠି କ’ଣ ରହିଛି, ତାହାର କୌଣସି ଖୋଜଖବର ନେଇ ନ ଥଲି ।

 

ଜାହାଜର ଖୋଳ ଭିତରେ ଅନେକଗୁଡ଼ିଏ ଲୌହଦଣ୍ଡ ଦେଖିବାକୁ ପାଇଲି । ସେଗୁଡ଼ିକ ଏକ ରଙ୍ଗରେ ଜଡ଼ିତ ହୋଇଯାଇଛି ଏବଂ ପାହାଡ଼ ଆଡ଼କୁ ମୁଖ କରି ରହିଛି । ଖଣ୍ଡିଏ ମାତ୍ର ଲୌହଦଣ୍ଡ ଦୂରରେ ପଡ଼ିଥିଲା, ତାହାର ଅଗ୍ରଭାଗ ମଧ୍ୟ ପାହାଡ଼ ଆଡ଼କୁ ହୋଇଥିଲା । ସେହିଟିକୁ ହାତରେ ଧରିବା ମାତ୍ରକେ ମୋ ହାତରୁ ଖୁବ୍‌ ଶୀଘ୍ର ବୁଲିପଡ଼ି ପାହାଡ଼ ଦେହରେ ଅଟକିଗଲା । କିନ୍ତୁ ମୋର ଶରୀରରେ କୌଣସି ଆଘାତ ବା ବେଦନା ଲାଗିଲା ନାହିଁ । ମୁଁ ଭୟରେ ଖୁବ୍‌ ଶୀଘ୍ର ଡେକ୍‍ ଉପରକୁ ଚାଲିଆସିଲି । ଭୟ ଓ ଆତଙ୍କରେ ମୋ ମୁଣ୍ଡର ବାଳଗୁଡ଼ିକ ଛିଡ଼ା ହୋଇଗଲା ଯେପରି ! ଏମିତି କାହିଁକି ହେଲା ? ନିଶ୍ଚୟ କୌଣସି ଅଶରୀରୀ ପ୍ରେତର କାର୍ଯ୍ୟ ।

 

ଏଇ ଭାବରେ ଗୋଟିଏ ସପ୍ତାହ କଟିଗଲା । ଏଇ ଗୋଟିଏ ସପ୍ତାହ ମଧ୍ୟରେ ମଁ ମୋ ଦେହରୁ ଲୁଗାପଟା ପର୍ଯ୍ୟନ୍ତ ବଦଳାଇ ନାହିଁ । ମୋର ଜୋତା ହଳକ ଏକାବେଳକେ ଛିଣ୍ଡିଯାଇଥିଲା, ତାହା ବ୍ୟବହାର କଲାଭଳି ଅବସ୍ଥାରେ ଆଉ ନ ଥିଲା । ଜାହାଜର ଗୋଟିଏ କୋଠରୀରେ କେତେ ଯୋଡ଼ା ନୂଆ ଯୋତା ପଡ଼ିଥିଲା । ଲୁହାର ବକ୍‌ଲସ୍‌ ଦିଆ ଯୋଡ଼େ ଜୋତା ପାଦରେ ଦେଇ ଯେତେବେଳେ ମୁଁ ଚାଲିବାକୁ ଆରମ୍ଭ କରିଛି, ହଠାତ୍ ସେହି ଜୋତାର ବକ୍‌ଲସ୍‌ ତୀରବେଗରେ ଧାଇଁଯାଇ ପାହାଡ଼ ଦେହରେ ଆବଦ୍ଧ ହୋଇଗଲା । ଏହାପରେ ମୁଁ ଜାହାଜର ଅନେକ ଛୋଟ ବଡ଼ ଜିନିଷ ନେଇ ପରୀକ୍ଷା କଲି ଏବଂ ଦେଖିବାକୁ ପାଇଲି ଯେ, ପ୍ରତ୍ୟେକ ଲୁହା ଜିନିଷମାନ ଏମିତି ଭାବରେ ଧାଇଁଯାଇ ପାହାଡ଼ ଦେହରେ ଅଟକି ଯାଉଛି । ଏବେ ମୁଁ ବୁଝିପାରିଲି, ଏହା ଭୂତ-ପ୍ରେତର କାମ ନୁହେଁ, ଏହା ପ୍ରକୃତିର ଖିଆଲରେ ଏବଂ ସେହି ବିରାଟ ପାହାଡ଼ଟି ଏକ ଚୁମ୍ବକ ପଥରର ପାହାଡ଼, ଯେଉଁଥିପାଇଁ ବିରାଟ ଜାହାଜଟି ତାହାରି ଆଡ଼କୁ ବହୁ ଦୂରରୁ ମଧ୍ୟ ଆକର୍ଷିତ ହୋଇପାରିଛି ।

 

ମୁଁ ଭାବିଲି ପାହାଡ଼ ଉପରକୁ ଉଠିଲେ କିମିତି ହୁଅନ୍ତା ! କିନ୍ତୁ ମୋର ଜାହାଜ ପାହାଡ଼ର ଯେଉଁ ସ୍ଥାନରେ ଅଟକିଯାଇଛି ସେ ସ୍ଥାନର ପାହାଡ଼ ଦେହ ଏତେ ଉଚ୍ଚ ଓ ସିଧା ଯେ ଉଠିବାର କୌଣସି ଉପାୟ ନାହିଁ ।

 

ଏମିତି ଭାବରେ ତିନି ମାସ କାଳ ଜାହାଜ ଉପରେ କଟିଗଲା । ଦିନଗୁଡ଼ିକ କ୍ରମେ ଛୋଟରୁ ଛୋଟ ହେବାକୁ ଆରମ୍ଭ କଲା । କ୍ରମେ ସୂର୍ଯ୍ୟ ଯେମିତି ଚିରଦିନ ପାଇଁ ଡୁବିଗଲେ । ଦିନ-ରାତ୍ରି ମଧ୍ୟରେ ଆଉ କୌଣସି ପ୍ରଭେଦ ରହିଲା ନାହିଁ । ପୁଣି ଟିକିଏ ପରିଷ୍କାର ଆଲୋକ ଦେଖି ବୁଝିଲି ଦିନ ଏବଂ ଆଲୋକର ସ୍ୱଳ୍ପତା ଦେଖି ଜାଣେ ରାତି ହୋଇ ଆସିଲା । କିନ୍ତୁ ସେହି କ୍ଷୀଣାଲୋକରେ ବି ସମସ୍ତ କିଛି ସ୍ପଷ୍ଟ ଭାବରେ ଦେଖିହୁଏ । ଏବେ ମୋ ପ୍ରାଣରେ ପୁଣି ଶକ୍ତି ଓ ସାହସ ଫେରିଆସିଲା । କିନ୍ତୁ ସବୁଠୁଁ ଅସୁବିଧା ହେଲା ପାଣିପାଇଁ । ଜାହାଜରେ ପ୍ରଚୁର ପରିମାଣରେ ପାଣି ଥିଲା । ଏହି କେତେ ମାସ ମଧ୍ୟରେ ସେ ପାଣି ପାନ କରିବାର ଅଯୋଗ୍ୟ ହୋଇପଡ଼ିଛି । ତଥାପି କୌଣସି ପ୍ରକାରେ ସେହି ପାଣି ପାନ କରି ଆହୁରି କେତୋଟି ଦିନ କଟାଇଦେଲି ।

 

କ୍ରମେ ଶୀତ ପଡ଼ିବାକୁ ଆରମ୍ଭ କଲା । ଶୀତ କ୍ରମଶଃ ବୃଦ୍ଧିପାଇଲା । ଜାହାଜରେ ଗରମ ଲୁଗାର ଅଭାବ ନ ଥିଲା, ତେଣୁ ଶୀତରେ ମୁଁ ବିଶେଷ କଷ୍ଟ ଅନୁଭବ କଲି ନାହିଁ । ଜାହାଜର ଭଣ୍ଡାର ଘରେ ଅନେକ ଗୁଡ଼ିଏ ପନୀର, ମାଖନ ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟାଦିର ସଂସ୍ଥାନ ଥିଲା । ଯେଉଁ ମାଂସ ଥିଲା ତାହା ଅତ୍ୟଧିକ ଥଣ୍ଡାରେ ନଷ୍ଟ ହୋଇନଥିଲା । ଏଇଥିପାଇଁ ଖାଇବାରେ ମୁଁ ବିଶେଷ କ୍ଳେଶ ବୋଧ କରୁନଥିଲି ।

 

ଏଆଡ଼େ ପାଣି ପଚିଗଲାଣି । କ’ଣ କରିବି ଏହା ଭାବୁ ଭାବୁ ଦିନେ ଭଣ୍ଡାର ଘର ପାଖରେ ଥିବା ଛୋଟ ଘରଟିରେ ଯାଇ ଦେଖିଲି, ସେଠାରେ ପ୍ରଚୁର ପରିମାଣରେ ଫରାସୀ ଦେଶୀୟ ଏକପ୍ରକାର ଉତ୍କୃଷ୍ଟ ପାନୀୟ ଗଚ୍ଛିତ ରହିଛି । ପୂର୍ଣ୍ଣ ବୋତଲରେ ଘରଟି ପ୍ରାୟ ଭର୍ତ୍ତି କହିଲେ ଚଳେ । ମୁଁ ଏଗୁଡ଼ିକ ଦେଖି ଈଶ୍ୱରଙ୍କୁ ଶତ ଶତବାର ଧନ୍ୟବଦ ଜଣାଇଲି । ଦୟାଳୁ ଭଗବାନ ହଠାତ୍‌ ମୋର ପ୍ରାଣରକ୍ଷା କରିବାକୁ ଯେମିତି ଏଗୁଡ଼ିକ ପଠାଇଛନ୍ତି ।

 

କ୍ରମେ ବରଫ ପଡ଼ିବାକୁ ଆରମ୍ଭ କଲା । ଏହି ବୋତଲର ପାଣି ଶେଷ ହେବା ପୂର୍ବରୁ ମୁଁ ବରଫ ଜମା କରି ପାଣିର ଅଭାବ ଦୂର କରିବାର ଚିନ୍ତା କଲି ।

 

ଏମିତି ଆହୁରି କେତୋଟି ମାସ କଟିଗଲା । ପରେ ପୁଣି ଦିନର ଆଲୁଅ ଦେଖାଗଲା । ଦିନର ଆଲୁଅ ଦେଖି ପ୍ରାଣରେ ପୁଣି ଉତ୍ସାହ ଜାତ ହେଲା । ମୁଁ ଭାବିଲି, ଏବେ ବିପଦ କଟିଯିବ । ଶୀଘ୍ର କୌଣସି ନା କୌଣସି ଜାହାଜ ଏହି ପଥ ଦେଇ ଆସି ମୋତେ ବିପଦମୁକ୍ତ କରିବ । ମଝିରେ ମଝିରେ ମୋର ମନେହୁଏ, କେଉଁମାନେ ଯେମିତି କ୍ଷୀଣ ଆଲୋକରେ ପାହାଡ଼ ଉପରେ ବୁଲା ଫେରା କରୁଛନ୍ତି । କେତେବେଳେ ସେମାନଙ୍କୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଏ, କିନ୍ତୁ କିଛି ଫଳ ହୁଏନା-

 

ପୂର୍ବେ ଯେମିତି ଦିନଗୁଡ଼ିକ ଛୋଟ ଥିଲା, ଏବେ ପୁଣି ଦିନଗୁଡ଼ିକ ବଢ଼ିଗଲା । ପୁଣି ନୂତନ ଉତ୍ସାହରେ ଉତ୍ସାହିତ ହୋଇ ଛୋଟ ନୌକା ସାହାଯ୍ୟରେ ଏହି କ୍ଷୁଦ୍ର ଦ୍ୱୀପଟିର ଚତୁର୍ଦ୍ଦିଗରେ ବୁଲିଆସିବାପାଇଁ ବ୍ୟାକୁଳ ହୋଇପଡ଼ିଲି । ଏକାବେଳେ ଚୁପ୍‌ଚାପ୍‍ ବସିବା ଅପେକ୍ଷା ମତ୍ସ୍ୟ ଶିକାର, ପଶୁ ଶିକାର ଏମିତି କୌଣସି ନା କୌଣସି ଶିକାର ଇତ୍ୟାଦି ବ୍ୟାପାରରେ ନିଜକୁ ବ୍ୟସ୍ତ ରଖିବାପାଇଁ ବିବ୍ରତ ହୋଇପଡ଼ିଲି ।

 

କୌଣସି ବନପ୍ରାଣୀର ଶବ୍ଦ ନାହିଁ । କେବଳ ଜାହାଜର ଗୋଟିଏ ମାତ୍ର ବିଲେଇ ମୋର ସଙ୍ଗୀ । ପାଣି ଭିତରେ ବହୁତ ପ୍ରାଣୀ ରହିଛନ୍ତି; କିନ୍ତୁ ସେଗୁଡ଼ିକ ମୋ ବୁଦ୍ଧିର ଅନ୍ତରାଳରେ ।

 

କିଛିଦିନ ପରେ ଯେମିତି ଦିନର ଆଲୁଅ ଟିକିଏ ଟିକିଏ କରି ପ୍ରଖର ହେବାକୁ ଆରମ୍ଭ ହେଲା; ନାନା ଜାତିର ପକ୍ଷୀ, କୀଟପତଙ୍ଗ ଆକାଶରେ ଉଡ଼ିବାର ଦେଖିବାକୁ ପାଇଲି ।

 

ନା, ଆଉ ଏବେ ଚୁପ୍‌ଚାପ୍‌ ବସିବା ଚଳେନା । ଦିନେ ବାହାରିପଡ଼ିଲି । ଜାହାଜରୁ ଗୋଟିଏ ଛୋଟ ‘ବୋଟ’ ତଳକୁ ଓହ୍ଲାଇଲି ଏବଂ ଛୋଟ ଦଣ୍ଡ ସାହାଯ୍ୟରେ ବାହିବାକୁ ଆରମ୍ଭ କଲି-। ନୌକାଟିରେ ଟିକେ ଟିକେ ପାଣି ଝରୁଥିବାର ଦେଖିବାକୁ ପାଇଲି । ତେଣୁ ସେଥିରେ ପାଣିଝରିବା ବନ୍ଦ କରି ତାହା ଉପରେ ମୋର ବନ୍ଧୁକ, ଦୁଇ ପାନୀୟ ବୋତଲ ଏବଂ ଏକ ସପ୍ତାହର ଉପଯୁକ୍ତ ଖାଦ୍ୟଦ୍ରବ୍ୟ ନେଇ ସମୁଦ୍ର ବୁକୁରେ ମୋର ଛୋଟ ନୌକାଟିକୁ ଭସାଇଦେଲି ।

 

ପାହାଡ଼ର ଚିହ୍ନ ଯେପରି ମୁଁ ହରାଇ ନ ବସେ, ସେହି ଆଡ଼କୁ ଲକ୍ଷ୍ୟ କରି ନୌକା ବାହିଚାଲିଲି ।

 

କିଛିବାଟ ଅଗ୍ରସର ହେବାପରେ ସମ୍ମୁଖରେ ଗୋଟିଏ ଛୋଟ ଦ୍ୱୀପ ଦେଖିବାକୁ ପାଇଲି-। ଦ୍ୱୀପଟି ମୋର ଡାହାଣ ଦିଗରେ ଏବଂ ପାହାଡ଼ଠାରୁ ଦୂରତ୍ୱ ତିନି କିଲୋମିଟର ହେବ । ମୁଁ ଦ୍ୱୀପକୁ ଲକ୍ଷ୍ୟ ରଖି ନୌକା ବାହିଚାଲିଥାଏ । ସମୁଦ୍ର ବେଶ୍‍ ଶାନ୍ତ ଥିଲା ।

 

ପାଖକୁ ଯାଇ ଦେଖିଲି, ମୁଁ ଦୂରରୁ ଯେଉଁଟିକୁ ଦ୍ୱୀପ ବୋଲି ମନେକରୁଥିଲି, ତାହା ଦ୍ୱୀପ ନୁହେଁ; ଗୋଟିଏ ବୃହଦାକାରର ହୀମଶୀଳା । ସମୁଦ୍ର ଜଳଠାରୁ ଏହାର ଉଚ୍ଚତା ପ୍ରାୟ ଏକଶତ ଗଜ ହେବ ।

 

ମୁଁ ନିରାଶ ହେଲି । ଦ୍ୱୀପ ସମ୍ବନ୍ଧରେ ମୋର ଭ୍ରାନ୍ତଧାରଣା ଦୂର ହେଲା । ପୁଣି ଜାହାଜକୁ ଫେରିଆସିଲି । ଜାହାଜକୁ ଫେରିଆସିବା ସମୟରେ ଗୋଟିଏ ବଡ଼ ସାମୁଦ୍ରିକ ମତ୍ସ୍ୟ ଶିକାର କଲି । ଏଭଳି ମାଛ ମୁଁ ପୂର୍ବରୁ କେବେ ଦେଖିନଥିଲି ।

 

ପରଦିନ ପୁଣି ଶିକାର ଉଦ୍ଦେଶ୍ୟରେ ବାହାରିପଡ଼ିଲି ଏବଂ ପୁଣି ଗୋଟିଏ ବଡ଼ ସାମୁଦ୍ରିକ ମତ୍ସ୍ୟ ଶିକାର କରି ଆଣିଲି । ଫେରିବା ପଥରେ ଦେଖିଲି, ପାହାଡ଼ ଉପରେ ଶଶକଭଳି ଗୋଟିଏ ଛୋଟ ଜନ୍ତୁ ବିଚରଣ କରୁଛି । ମୁଁ ଏହି ପ୍ରାଣୀଟିକୁ ଲକ୍ଷ୍ୟ କରି ଗୁଳି କଲି । ଜନ୍ତୁଟି ଆହତ ହୋଇ ଗଡ଼ି ଗଡ଼ି ଠିକ୍‌ ମୋ ନୌକା ଉପରେ ଆସି ପଡ଼ିଲା । ମୋ ବନ୍ଧୁକରେ ଗୋଟିଏ ମାତ୍ର ଗୁଳି ଥିଲା । ସେଇ ଗୁଳି ସାହାଯ୍ୟରେ ଜନ୍ତୁଟିକୁ ମାରି ମୁଁ ବେଶି ଆନନ୍ଦ ପାଇଲି । ମାଛ ଓ ମାଂସ ରାନ୍ଧି, ରୁଟି ତିଆରି କରି ଦିବାଭୋଜନରେ ଗୋଟିଏ ସପ୍ତାହ ଆରାମରେ କଟାଇଦେଲି । ଏଇ ଗୋଟିଏ ସପ୍ତାହକାଳ ପ୍ରଚୁର ପରିମାଣରେ ରୁଟି ତିଆରି କଲି, ଦୁଇଟି ପାତ୍ରରେ ପାଣି ସଂଗ୍ରହ କଲି ଏବଂ ମନେ ମନେ ସଂକଳ୍ପ କଲି ଯେ, ପୁଣି ନୂତନ ପଥରେ ଯାତ୍ରୀ ହେବି ।

 

(ନ’)

 

ମୁଁ ଅନେକ ଦିନ ଧରି ପାହାଡ଼ର ଅପର ଦିଗଟା ଦେଖିବା ପାଇଁ ବ୍ୟସ୍ତ ହୋଇପଡ଼ିଥିଲି-। ଭାବିଲି, ନିଶ୍ଚୟ ପାହାଡ଼ର ଅପର ଦିଗରେ ନୌକା ଭିଡ଼ାଇବାଭଳି ସ୍ଥାନ ରହିଛି....ସେଠାରୁ ଅନାୟାସରେ ପାହାଡ଼ ଉପରକୁ ଉଠିପାରିବି ।

 

ମୁଁ ଏମିତି ମନେକରି ଏକମାସ ଉପଯୋଗୀ ଖାଦ୍ୟଦ୍ରବ୍ୟ, ବାସନକୁସନ, ଯନ୍ତ୍ରପାତି, ପାଣି, ଲୁଣ, ଜାଳେଣି କାଠ, ଲଣ୍ଠନ, ଦୁଇଟି ବନ୍ଧୁକ, ପୋଷାକ ପରିଚ୍ଛଦ, କୁରାଢ଼ି, କୋଦାଳ, କରତ, ତେଲ, ଏହି ସମସ୍ତ ସଂଗ୍ରହ କରି ନୌକା ଭସାଇଦେଲି ।

 

ଈଶ୍ୱର ମଣିଷକୁ ଅଳସ କରି ସୃଷ୍ଟି କରିନାହାନ୍ତି । ସେ ମଣିଷକୁ ସର୍ବଦା ବିଭିନ୍ନ କାର୍ଯ୍ୟ ଧନ୍ଦା ମଧ୍ୟରେ ନିଯୁକ୍ତ କରିବାକୁ ଚାହାନ୍ତି । ମଣିଷ କେବେ ନୀରବରେ ଚୁପ୍‌ ହୋଇ ବସିପାରେନା ।

 

ମୁଁ ଧୀରେ ଧୀରେ ନୌକା ଚଳାଇବାକୁ ଲାଗିଲି । ନୌକା ଉପରେ କେତେବେଳେ ମାଛ ଧରୁଥିଲି, କେତେବେଳେ ସେଇ ମାଛରେ ଲୁଣ ମଡ଼ାଇ ଶୁଖାଉଥିଲି–ଏମିତି ଭାବରେ ପାହାଡ଼ର ତିନିପାଖ ବୁଲି ପ୍ରାୟ ତିନି ସପ୍ତାହ କଟିଗଲା; କିନ୍ତୁ ତିନି ଦିଗରେ ପାହାଡ଼ ସେମିତି ଛିଡ଼ାହୋଇଛି, ଉପରକୁ ଉଠିବାର ଉପାୟ ନାହିଁ ।

 

ମୁଁ ନିରାଶ ହେଲି ନାହିଁ, ପୁଣି ଚାଲିବାକୁ ଲାଗିଲି; ଏମିତି ଭାବରେ ଆହୁରି ତିନୋଟି ଦିନ କଟିଗଲା । ଗୋଟିଏ ଦିନ ପାହାଡ଼ର ଅନ୍ୟ ପାଖରେ ଯାଉଛି, ଏମିତି ସମୟରେ ଶୁଣିବାକୁ ପାଇଲି ଯେ, କେଉଁଠାରେ ଭୀଷଣ ଶବ୍ଦରେ ପାଣି ପଡ଼ୁଛି । ଶବ୍ଦହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଜାଣିବାପାଇଁ ନୌକାଟିକୁ ଅଟକାଇଲି; ମାତ୍ର ନିଷ୍ଫଳ, ନୌକାଟି ସ୍ଥିର ଅବସ୍ଥାରେ ରହିଲା ନାହିଁ । ନୌକାଟି ଖୁବ୍‌ ଶୀଘ୍ର ସମ୍ମୁଖକୁ ଭୀଷଣ ସ୍ରୋତ ପ୍ରଭାବରେ ଭାସିଚାଲିଲା–ଯେମିତି କୌଣସି ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ନୌକାଟି ଏମିତି ବେଗରେ ଯିବାକୁ ଲାଗିଲା ଯେ, ମୋର ପ୍ରାଣପଣ ଚେଷ୍ଟା ଓ ଯତ୍ନ ସତ୍ତ୍ୱେ ନୌକାର ଗତିରୋଧ କରିପାରିଲି ନାହିଁ ।

 

ମୋର ନୌକାଟି ଘୂରି ଘୂରି କେବଳ ତଳକୁ ଯାଉଥିଲା । ମୁଁ ଭୟରେ ଶିହରି ଉଠିଲି, ଯେକୌଣସି ମୁହୂର୍ତ୍ତରେ ନୌକାଟି ଓଲଟିପଡ଼ିବ କିମ୍ବା ହଠାତ୍‌ କୌଣସି ଜଳମଗ୍ନ ପାହାଡ଼ ଦେହରେ ଧକ୍କା ଖାଇ ମୋ ନୌକାଟି ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇଯିବ, ସଙ୍ଗେ ସଙ୍ଗେ ଚିରଦିନପାଇଁ ମୋ ଚକ୍ଷୁସାମନାରୁ ଆଲୋକ ଲିଭିଯିବ ।

 

କିନ୍ତୁ କିଛି ସମୟ ପରେ ଜଳର ଏଇ ଗତିବେଗ ହ୍ରାସପାଇବାକୁ ଲାଗିଲା । ଶାନ୍ତ ଜଳର ଛାତି ଉପରେ ଆସି ଭାସିଲି; ମାତ୍ର କିଛି ଦେଖାଯାଉ ନ ଥାଏ । ଚାରିଆଡ଼ ଅନ୍ଧକାର । ମୁଁ ଗୋଟିଏ ଆଲୁଅ ଲଗାଇଲି । କ୍ଷୀଣ ଆଲୋକରେ ଦେଖିବାକୁ ପାଇଲି ଯେ, ମୋ ମୁଣ୍ଡ ଉପରେ ପ୍ରକାଣ୍ଡ ପଥରର ଖିଲାଣ । ଦୁଇ ପାଖରେ ପଥରର ଦେଓ୍ୟାଲ । ଗୋଟିଏ ପ୍ରକାଣ୍ଡ ସୁଡ଼ଙ୍ଗ ମଧ୍ୟ ଦେଇ ଜଳଧାରା ଚାଲିଛି । ଏହି ଜଳଧାରାଟି ପ୍ରାୟ ଷାଠିଏ ହାତ ପ୍ରଶସ୍ତ ହେବ । ଏହାଠାରୁ କେଉଁଠି ଅଧିକ ପ୍ରଶସ୍ତ ବା କେଉଁଠି ଅତ୍ୟନ୍ତ କମ୍‌ । ଏହି ଜଳଧାରା ସିଧାଭାବରେ ଯାଇନି–ଅଙ୍କାବଙ୍କା ହୋଇ ଚାଲିଛି ଏବଂ ସ୍ରୋତର ବେଗ କେଉଁଠି ପ୍ରବଳ ତ କେଉଁଠି କମ୍‌ ।

 

ମୁଁ ଦେଖିଲି ନୌକାଟି ଯଦି ପାଣିର ମଧ୍ୟଭାଗ ଦେଇ ନ ଯାଏ, ତାହାହେଲେ ଶକ୍ତ ପାହାଡ଼ ଦେହରେ ବାଜି ଯେକୌଣସି ମୁହୂର୍ତ୍ତରେ ଚୂରମାର ହୋଇଯିବ ।

 

ମୁଁ ସାଙ୍ଗରେ ପ୍ରଚୁର ପରିମାଣରେ ତେଲ ନେଇଥିଲି, ତାହା ନ ଆଣିଥିଲେ ମୋର ଯେ ଅବସ୍ଥା କ’ଣ ହୋଇଥାନ୍ତା ଭଗବାନ ଜାଣନ୍ତି । ଦିନରାତି ସବୁବେଳେ ମୋତେ ଆଲୁଅ ଜାଳି ରଖିବାକୁ ହେଉଥାଏ । କିନ୍ତୁ ଦିନ ପରେ ଦିନ ବିତିଯିବାକୁ ଲାଗିଲା, ଅନ୍ଧକାରର ଶେଷ ନାହିଁ । କେଉଁଠାକୁ କେଉଁ ଦିଗରେ ଯାଉଛି ଜାଣିହୁଏନା; ଯେମିତି ନିରୁଦ୍ଦେଶ ଯାତ୍ରାର ସମାପ୍ତି ନାହିଁ ! ମୁଁ ଦେଖିଲି, ଏହି ବିପଦ କବଳରୁ ଉଦ୍ଧାର ମିଳିବାର କୌଣସି ଉପାୟ ନାହିଁ । ଭାବିଲି ଯଦି ଈଶ୍ୱରଙ୍କ ଦୟା ନ ହୁଏ ତାହାହେଲେ କୌଣସି ଉପାୟରେ ଉଦ୍ଧାର ମିଳିବ ନାହିଁ ।

 

ତେଣୁ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣରୂପେ ନିର୍ଭର କରି ଚାଲିବାକୁ ଲାଗିଲି । ଏଆଡ଼େ ପାଣି, ଖାଦ୍ୟ ସବୁ ଶେଷ ହେବାକୁ ବସିଲାଣି । ଆଲୁଅର ସଳିତା ନିଃଶେଷିତ ହେବାକୁ ବସିଛି, ତେଲ ମଧ୍ୟ ନାହିଁ । ଯେଉଁ ସାମାନ୍ୟ ପରିମାଣରେ ତେଲ ଥିଲା, ତାହାଦ୍ୱାରା ଆଉ ଦିନେ ମାତ୍ର ବତୀ ଜଳିପାରିବ । ମୋର ଜାମାକୁ ଛିଣ୍ଡାଇ ସଳିତା ତିଆରି କଲି । ଆଉ ଭାବିଲି; ଦୟାମୟ ଈଶ୍ୱର ଯିଏ ଏଇ ନାନା ବିପଦ କବଳରୁ ମୋତେ ରକ୍ଷାକରି ଆସିଛନ୍ତି ସେ ନିଶ୍ଚୟ ଏ ବିପଦରୁ ମଧ୍ୟ ରକ୍ଷା କରିବେ ।

 

ଏମିତି ଭାବରେ ପାଞ୍ଚ ସପ୍ତାହ କଟିଗଲା ।

 

ଦିନେ ହଠାତ୍‌ ମୋର ନୌକା ଖଣ୍ଡିକ ପର୍ବତ ମଧ୍ୟସ୍ଥିତ ଏହି ସ୍ରୋତଧାରା ମଧ୍ୟରୁ ବାହାରକୁ ବାହାରିଆସିଲା ।

 

ଉଜ୍ଜ୍ୱଳ ଦିବାଲୋକରେ ଚତୁର୍ଦ୍ଦିଗ ଝଲସିଉଠିଲା ।

 

ଦେଖିଲି, ମୁଁ ଗୋଟିଏ ବୃହଦାକାର ହ୍ରଦ ମଧ୍ୟରେ ଆସି ପହଞ୍ଚିଛି । ହ୍ରଦର ଚତୁର୍ଦ୍ଦିଗରେ ସବୁଜଶ୍ୟାମଳ ବନାନୀ ଏବଂ ସବୁଜ ତୃଣାଚ୍ଛାଦିତ ବିସ୍ତୃତ ସମତଳଭୂମି ।

 

ସମତଳଭୂମିର ପଶ୍ଚାତରେ ବନ ପରେ ବନ ଲମ୍ବିଯାଇଛି–ତାହାପରେ କଳାପାହାଡ଼ର ଚୂଡ଼ା ଗୋଟିଏ ପରେ ଗୋଟିଏ ଉଚ୍ଚରୁ ଉଚ୍ଚତର ହୋଇ ଆକାଶରେ ଶେଷ ସୀମାରେ ଯାଇ ମିଶିଯାଇଛି ଯେପରି ।

 

ମୁକ୍ତ ଆକାଶର ନିମ୍ନଭାଗକୁ ଆସି ଦିବାଲୋକ ଓ ସୂର୍ଯ୍ୟର ଉଜ୍ଜ୍ୱଳ ଦୀପ୍ତି ଦେଖି ମୁଖରୁ ବାହାରିଲା–ହେ ଜଗଦୀଶ୍ୱର ତୁମେ ଧନ୍ୟ !!!

 

(ଦଶ)

 

ଏମିତି ସୁନ୍ଦର ଭୂଖଣ୍ଡ ଦେଖି ମୋ ପ୍ରାଣେ ଯେ କିପରି ଆନନ୍ଦ ଜାତହେଲା, ତାହା ମୋର ସାଧ୍ୟ ନାହିଁ ଭାଷାରେ ବର୍ଣ୍ଣନା କରିବାକୁ । ଆଉ ମୁଁ କାଳବିଳମ୍ବ ନ କରି ଶୀଘ୍ର ତୀରଦେଶକୁ ଡେଇଁପଡ଼ିଲି । ନୌକାଟିକୁ ଉପରକୁ ଟାଣିଆଣିବା ସଙ୍ଗେ ସଙ୍ଗେ ସମୁଦାୟ ଜିନିଷପତ୍ର ଉପରେ ନୌକାଟିକୁ ଓଲଟାଇ ଦେଇ ଜିନିଷପତ୍ରର ଢାଙ୍କୁଣି କରି ରଖିଲି ।

 

ମୁଁ ସୁବଜପ୍ରାନ୍ତର ଉପର ଦେଇ ବନଭୂମି ଆଡ଼କୁ ଚାଲି ଚାଲି ଗଲି । ସଙ୍ଗରେ ପିସ୍ତଲ ନେଲି ଏବଂ ସାମାନ୍ୟ ଖାଦ୍ୟ ଓ ପାଣି ଗୋଟିଏ ଥଳିରେ ପୂରାଇ ପିଠିରେ ଝୁଲାଇଦେଲି । ଉଚ୍ଚ ବନଭୂମି ଉପରେ ଛିଡ଼ାହୋଇ ଦେଖିଲି ସେଠାକାର ଶୋଭା ଅତ୍ୟନ୍ତ ମନୋରମ । ଯେମିତି ପ୍ରକୃତି ଦେବୀ ସେହିଠାରେ ଖଣ୍ଡିଏ ସବୁଜ ଗାଲିଚା ବିଛାଇଦେଇଛି ।

 

ଏପରି ସୁନ୍ଦର ସ୍ଥାନରେ ଜନପ୍ରାଣୀର ବସତି ନାହିଁ–ଏହା କ’ଣ କେବେ ସମ୍ଭବ ହୋଇପାରେ ? କିନ୍ତୁ କେଉଁଠି ହେଲେ ଘରଦ୍ୱାର କିମ୍ବା ଲୋକବାକର ସାମାନ୍ୟ ଚିହ୍ନ ମଧ୍ୟ ଦେଖିବାକୁ ପାଇଲି ନାହିଁ ।

 

ଅରଣ୍ୟର ଅଭ୍ୟନ୍ତରକୁ ଯେତିକି ପ୍ରବେଶ କରିବାକୁ ଲାଗିଲି, ସେତିକି ତାହାର ଶୋଭାରେ ମୁଁ ମୁଗ୍‌ଧ ହୋଇଗଲି । କିନ୍ତୁ ଏହି ନୂତନ ସ୍ଥାନରେ ବେଶିଦୂର ଯିବା ଉଚିତ ନୁହେଁ । ସନ୍ଧ୍ୟା ହେବାକୁ ଅଳ୍ପ ସମୟ ବାକି, ରାତ୍ରିକାଳରେ ଯଦି ପଥ ହରାଇବସେ, ତାହାହେଲେ ପୁଣି ହୁଏତ ଭୟାନକ ବିପଦରେ ପଡ଼ିପାରେ ।

 

ବନର ପ୍ରଥମ ଅଂଶଟା ଗୁଳ୍ମଜାତୀୟ ବୁଦାରେ ଆବୃତ । ବୁଦାମାନଙ୍କରେ ଅତି ସୁନ୍ଦର ସୁନ୍ଦର ଫୁଲ ଫୁଟିଛି ଏବଂ ଗଛଗୁଡ଼ିକ ଘନ ସନ୍ନିବିଷ୍ଟ ନୁହେଁ ବୋଲି ଯାତାୟାତରେ କୌଣସି ଅସୁବିଧା ନାହିଁ । ଏହି ବୁଦା ପଛକୁ ଅତି ଉଚ୍ଚ ତରୁଶ୍ରେଣୀ । ଗଛଗୁଡ଼ିକର ଶାଖା-ପ୍ରଶାଖା ଚାରିଆଡ଼କୁ ମେଲି ହୋଇଯାଇଛି । ନିମ୍ନଭାଗରେ ସାମାନ୍ୟ ଜଙ୍ଗଲ ସୁଦ୍ଧା ନାହିଁ । ଶାଖା-ପ୍ରଶାଖାରେ ଅନେକ ଫଳ ଝୁଲିରହିଛି । ଏହି ତରୁଶ୍ରେଣୀ ପରେ ପୁଣି ଆଉ ଏକ ଜାତୀୟ ତରୁଶ୍ରେଣୀ ଧାଡ଼ିବାନ୍ଧି ଛିଡ଼ାହୋଇଛି । ମନେହୁଏ, କିଏ ଯେମିତି ଖୁବ୍‌ ଯତ୍ନସହକାରେ ସୁପ୍ରଶସ୍ତ ପଥ ପ୍ରସ୍ତୁତ କରି ଏହି ଗଛଗୁଡ଼ିକୁ ନିଜ ହାତରେ ରୋପଣ କରିଛି । ଏଇ ପଥ ମଧ୍ୟଦେଇ ଅନାୟାସରେ ଗାଡ଼ି ଚଳାଇ ନିଆଯାଇପାରେ ।

 

ମୁଁ ଏଇ ପଥରେ ଅନେକ ବାଟ ଚାଲିଲି । ଲକ୍ଷ୍ୟ ରଖିଥିଲି, ଯେପରି ପଥ ହରାଇ ନ ବସେ । ଏମିତି ଭାବରେ କିଛିବାଟ ଗଲା ପରେ ପାହାଡ଼ ପାଖରେ ଆସି ପହଞ୍ଚିଲି । ଦେଖିଲି, ପାହାଡ଼ର ନିମ୍ନଭାଗରେ ଗୋଟିଏ ଛୋଟିଆ ଗୁହା ରହିଛି ।

 

ଗୁହାଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ ଏବଂ ଅନାୟାସରେ ଏହା ମଧ୍ୟରେ ଜଣେ ଲୋକ ରହିପାରେ । ମୁଁ ପ୍ରଥମେ ଭାବିଥିଲି ନୌକା ନିକଟକୁ ଫେରିଯିବ; କିନ୍ତୁ ଚାଲୁ ଚାଲୁ ମନେହେଲା ଆଜି ରାତିଟା ଏହି ଗୁହା ମଧ୍ୟରେ କଟାଇଦେବି । ତେଣୁ ଗଛର କେତେକ ଡାଳ ଭାଙ୍ଗି ଗୁହାର ମୁହଁଟିକୁ ପ୍ରଥମେ ବନ୍ଦ କରିଦେଲି ଏବଂ ତାହାପରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ମନରେ ଶୋଇପଡ଼ିଲି । ଅନେକ ଦିନ ଧରି ଏମିତି ଆରାମରେ ମୁଁ ଶୋଇ ନ ଥିଲି ।

 

ପରଦିନ ପ୍ରତ୍ୟୁଷରେ ସମ୍ପୂର୍ଣ୍ଣ ସୁସ୍ଥ ଓ ସବଳ ହୋଇ ନୌକା ନିକଟକୁ ଫେରିଆସିଲି ଏବଂ ପେଟପୂରାଇ ଖାଇଲି । ସ୍ଫଟିକଭଳି ନିର୍ମଳ ହ୍ରଦର ପାଣି ପାନ କରି ଦେଖିଲି, ପାଣି ଲବଣାକ୍ତ-। ମୁଖରୁ ଏଇ ବିସ୍ୱାଦୁ ପାଣି ଥୁ ଥୁ କରି କାଢ଼ିପକାଇଲି ।

 

ମୋର ଚିନ୍ତାଧାରା ଭୁଲ ହୋଇଗଲା । ଏଇ ହ୍ରଦ ସହିତ ସମୁଦ୍ରର ସଂଯୋଗ ରହିଛି; ତେଣୁ ଏହାର ପାଣି କେବେ ସୁମିଷ୍ଟ ହୋଇନପାରେ । ସେ ଯାହା ହେଉ, ସଙ୍ଗରେ ଆଣିଥିବା ପାଣି ପାନକରି ପିପାସା ମେଣ୍ଟାଇଲି ।

 

ଏବେ ପ୍ରଧାନ କାମହେଲା, ଏହି ହ୍ରଦ ଚତୁର୍ଦ୍ଦିଗରେ ବୁଲି ଦେଖିବା ଆବଶ୍ୟକ । ନିଶ୍ଚୟ ତାହା ସହିତ କୌଣସି ନଦୀ ବା ଝରଣାର ସଂଯୋଗ ରହିଥିବ ଏବଂ ତାହାରି ସନ୍ଧାନ କରି ମୋ’ଠାରେ ଜଳାଭାବ ଦୂର କରିବାକୁ ହେବ । ନ ହେଲେ ଜଳ ବ୍ୟତୀତ ବଞ୍ଚିବି କିପରି ? ଏମିତି କଳ୍ପନା ଜଳ୍ପନା କରି ସେ ରାତ୍ରିଟି କଟାଇଦେଲି ।

 

ପରଦିନ ଭୋରରୁ ମୁଁ ହ୍ରଦ ତୀରେ ତୀରେ ଚାଲିବାକୁ ଲାଗିଲି । ଏମିତି ଭାବରେ ପ୍ରାୟ ଆଠ-ଦଶ କିଲୋମିଟର ଚାଲିବା ପରେ ଦେଖିବାକୁ ପାଇଲି ଯେ, ଗୋଟିଏ ସ୍ଥାନରେ ସବୁଜ ତୃଣମଣ୍ଡିତ ପ୍ରାନ୍ତର ମଧ୍ୟଦେଇ ଛୋଟ ଗୋଟିଏ ଖାଲଭଳି ଝରଣା ବୋହିଆସୁଛି । ସେଇ ଝରଣା ସମ୍ମୁଖକୁ ଯାଇ ଦେଖିଲି, ଅଦୂରରେ ଗୋଟିଏ ପାହାଡ଼ ଦେହରୁ ଏହି ଝରଣାଟି ଝରିଆସିଛି । ମୁଁ ଜଳାଧାର ପାଖକୁ ଯାଇ କିଛି ପାନକଲି, ଆଃ କି ସୁମିଷ୍ଟ ପାଣି । ସଙ୍ଗରେ ଥଳିରେ ପୂରାଇ ଯେଉଁ ଖାଦ୍ୟ ଆଣିଥିଲି ତାହା ଖାଇଲି ଏବଂ ମିଷ୍ଟ ପାଣି ପାନକରି ତୃଷ୍ଣା ଦୂରକଲି ସେହି ସ୍ଥାନରେ ।

 

ମୁଁ ସ୍ଥିରକଲି, ଏହି ସୁମିଷ୍ଟ ଜଳର ନିର୍ଝରଣୀ ନିକଟରେ ମୋର ରହିବାର ବ୍ୟବସ୍ଥା କରିବା ଉଚିତ । ଏଥିପାଇଁ ପାହାଡ଼ ଆଡ଼କୁ ଯିବାକୁ ଲାଗିଲି । ଝରଣାର ଧାରେ ଧାରେ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଯାଇ ଦେଖିଲି, ଗୋଟିଏ ସ୍ଥାନରେ ଖଣ୍ଡିଏ ବଡ଼ ଶିଳାଖଣ୍ଡ ଝରଣା ଉପରେ ପଡ଼ି ଗୋଟିଏ ସ୍ୱାଭାବିକ ପ୍ରସ୍ତର ସେତୁ ତିଆରି କରିଛି । ଏଠାରେ ପାଣିର ବେଗ ବେଶ୍‌ ପ୍ରବଳ । ଅଦୂରରେ ଝରଣାଟି ଗୋଟିଏ ପାହାଡ଼ ଉପରୁ ଲମ୍ଫ ଦେଇ ପ୍ରପାତ ସୃଷ୍ଟି କରିଛି ।

 

ମୁଁ ସେହି ପ୍ରସ୍ତର ସେତୁଟି ପାର ହୋଇ ଆଉ କିଛିବାଟ ଅଗ୍ରସର ହୋଇ ଦେଖିଲି ଗୋଟିଏ ବଡ଼ ପାହାଡ଼ର ନିମ୍ନଭାଗରେ ବିସ୍ତୀର୍ଣ୍ଣ ଏକ ସମତଳଭୂମି । ସେହି ସମତଳଭୂମି ପାର୍ଶ୍ୱରେ ଗୋଟିଏ ବଡ଼ ଗୁହା । ମୁଁ ପ୍ରଥମ ରାତି ଯେଉଁ ଗୁହାରେ ବାସ କରିଥିଲି, ଏହି ଗୁହାଟି ତାହା ଅପେକ୍ଷା ଅନେକ ବଡ଼ । ଭିତରକୁ ଯାଇ ଦେଖିଲି ଏହା ମଧ୍ୟରେ ଗୃହସ୍ଥଳୀ ଜିନିଷପତ୍ର ଗୋଟାଇ ରଖିବାର କୌଣସି ଅସୁବିଧା ନାହିଁ । ତେଣୁ ଏହା ମଧ୍ୟରେ ରହିବାର ସ୍ଥିର କରି ହ୍ରଦର ତୀରେ ତୀରେ ନୌକା ନିକଟକୁ ଫେରିଆସିଲି ।

 

ନୌକା ମଧ୍ୟରେ ସମୁଦାୟ ଜିନିଷପତ୍ର ଭର୍ତ୍ତୀ କରି ନୌକାଟିକୁ ହ୍ରଦ ଉପରେ ଭସାଇଦେଲି ଏବଂ ତାହାକୁ ବାହି–ଠିକ୍‌ ଝରଣାଟି ଯେଉଁ ସ୍ଥାନରେ ହ୍ରଦ ବୁକୁରେ ଆସି ମିଶିଛି, ସେହିଠାକୁ ନେଇଆସିଲି ।

 

ତୀରରେ ନୌକାଟିକୁ ଘୋଷାକରି ଘୋଷାରି ଜଙ୍ଗଲ ଭିତରେ ଗୋଟିଏ ନିଭୃତ ସ୍ଥାନରେ ଲୁଚାଇଦେଲି ଏବଂ ଥଳି ଦୁଇଟି ଦୁଇ କାନ୍ଧରେ ଝୁଲାଇ ପୁଣି ସେହି ଗୁହାଠାକୁ ଫେରିଆସିଲି । ମୁଁ ଏହି କେତେଦିନ ମଧ୍ୟରେ ହ୍ରଦର ଚାରି ଧାରରେ ଘୂରିଫେରି ଏ ସ୍ଥାନ ସମ୍ବନ୍ଧରେ ଅନେକ ଧାରଣା କରିପାରିଥିଲି ।

 

ଏବେ ପୁଣି ମୋର ନୂତନ ଗୃହସ୍ଥଳୀ ଆରମ୍ଭ ହେଲା ।

 

(ଏଗାର)

 

ଯେତେଦିନ ଯାଏ ଏହିଠାରେ ରହିବି, ଏହି ଗୁହା ମଧ୍ୟରେ ରହିବାର ସ୍ଥିର କଲି । ମୋର ଏହି ନୂତନ ଗୁହା ଗୃହର କଥା ଏବେ କହୁଛି ।

 

ଏହି ଗୁହାଟି ହ୍ରଦ ପାଖରୁ ପ୍ରାୟ ଅଧ କିଲୋମିଟର ହେବ । ଗୁହାର ପ୍ରବେଶ ମୁଖ ପ୍ରାୟ ଚାରି ହାତରୁ ବେଶୀ ଚଉଡ଼ା ନୁହେଁ । ଉଚ୍ଚତା ସାତ ହାତ ହେବ । ଭିତରର ଦୈର୍ଘ୍ୟ ପନ୍ଦର ହାତ ଏବଂ ଓସାର ସାତ ହାତ । ମୁଁ ଭିତରେ ଗୋଟିଏ ପାଖରେ ମୋର ଶୋଇବା ସ୍ଥାନ ସ୍ଥିର କରିନେଲି ଏବଂ ଅନ୍ୟ ପାର୍ଶ୍ୱଟି ମୋର ଭଣ୍ଡାର ଘର ହେଲା ।

 

ମୁଁ ନୌକାରେ ବସିବାପାଇଁ ଯେଉଁ କାଠର ବାକ୍‌ସଟି ଆଣିଥିଲି, ସେହି ବାକ୍‌ସଟିକୁ ଭାଙ୍ଗିପକାଇଲି । ଭାଙ୍ଗି ଦେଖିଲି ତାହା ଭିତରେ ଦୁଇଟି ମସିଣା, କେତେଖଣ୍ଡ ଜାମା, ତିନି ଯୋଡ଼ା ଜୋତା, କେତେ ହଳ ମୋଜା ଏବଂ ଆହୁରି କେତେକ ପ୍ରୟୋଜନୀୟ ଦ୍ରବ୍ୟାଦି ରହିଛି । ତା’ ମଧ୍ୟରେ ରହିଛି କେତୋଟି ଶୁଖୁଆ, ସେହିଗୁଡ଼ିକୁ ଲୁଣ ଦେଇ ମୁଁ ତିଆରି କରିଥିଲି ।

 

ଏବେ ମୋ ଗୁହାଟି ମୋତେ ବେଶ୍ ଭଲ ଲାଗିଲା । ବାହାରର ଜଳବାୟୁଠାରେ ଉଦ୍ଧାର ପାଇବାପାଇଁ ଏହି ଆଶ୍ରୟଟି ଈଶ୍ୱର ମୋତେ ପ୍ରଦାନ କରି ମୋର ଜୀବନ ରକ୍ଷାର ଉପାୟ କରିଦେଇଛନ୍ତି । ଏବେ ମୋର ଜିନିଷପତ୍ରରେ ଘରଟି ଭରି ଉଠୁଛି । ତେଣୁ ବାସ ଗୃହଟିର ଆୟତନ ବଢ଼ାଇବପାଇଁ ମୁଁ ବ୍ୟସ୍ତ ହୋଇପଡ଼ିଲି । ମୁଁ ଯଦି ବାହାର ଆଡ଼କୁ ଆଉ ଗୋଟିଏ ଘର କରିପାରେ, ତାହାହେଲେ ମୋର ସ୍ଥାନାଭାବ ଦୂର ହୁଅନ୍ତା ।

 

ଏହି ଉଦ୍ଦେଶ୍ୟରେ ମୁଁ ଗୁହାର ବାହାରେ ଏଆଡ଼େ ସେଆଡ଼େ ପରୀକ୍ଷା କରିବାକୁ ଲାଗିଲି । ପରୀକ୍ଷା କରି ଦେଖିଲି ଯେ, ଗୁହାର ସମ୍ମୁଖରେ ବଡ଼ ବଡ଼ ଗଛ । ଭାବିଲି ଯଦି ଗଛଗୁଡ଼ିକୁ କାଟି ଖୁଣ୍ଟ ତିଆରି କରି ଏବଂ ଚାରିଦିଗରେ ସେଗୁଡ଼ିକ ପ୍ରାଚୀର କରି ପୋତିବି, ତାହାହେଲେ ଅନାୟାସରେ ମୋର ମନମୁତାବକ ଘରଟିଏ ତିଆରି ହୋଇପାରିବ । ଉପରେ ମଧ୍ୟ କାଠର ଛାଉଣି କରିଦେଲେ ଚଳିବ । ପୁଣି ଚଟାଣଭଳି ଯେଉଁ ଗୋଟିଏ ସମତଳ ପଥରେ ତଳେ ପଡ଼ିଛି, ତାହାର ଚାରିଦିଗରେ ଖୁଣ୍ଟଗୁଡ଼ିକ ପୋତି ଶକ୍ତ କରି ବଡ଼ କରିଦେଲେ ଭଲ ହେବ ।

 

ମୁଁ ଏମିତି ସଙ୍କଳ୍ପ କରି କାମରେ ଲାଗିଗଲି । ପ୍ରତ୍ୟହ ଗଛ କାଟିବାକୁ ଆରମ୍ଭ କଲି । ଏମିତି କି କେବଳ ଗୋଟିଏ ମାସ ଯାଏ କାଠ କାଟି କାଠର ଦେୱାଲ ପ୍ରଥମେ ତିଆରି କଲି । ତାହା ଉପରେ ଲମ୍ବାଲମ୍ବି ଭାବରେ କାଠର ଛାତ ପକାଇଲି । ସେହି ଛାତ ଉପରେ ବଣର ଲତାପତ୍ର ଆଣି ଛାଉଣି କଲି ଗଡ଼ାଣିଆ କରି । ଛାଉଣିଟିକୁ ନାନା ବଡ଼ ଓ ସାନ ପତ୍ର ଗୋଛା ଗୋଛା କରି ଘନ କରିଦେଲି ଏବଂ ତାହା ଉପରେ ପୁଣି ଗଛର ଡାଳ ବତା ରୂପେ ବ୍ୟବହାର କରି ବନ୍ୟଲତାଦ୍ୱାରା ଏମିତି ଶକ୍ତ କରି ବାନ୍ଧିଦେଲି ଯେ ଏହା ସହଜରେ ଆଉ ନଷ୍ଟ ହୋଇପାରିଲା ନାହିଁ-

 

ଏମିତି ଭାବରେ ଘରର ଛାତ ହେଲା, ବାଡ଼ ମଧ୍ୟ ହେଲା; କିନ୍ତୁ ଦରଜା ସମ୍ବନ୍ଧରେ କିଛି ବ୍ୟବସ୍ଥା ହୋଇପାରିଲା ନାହିଁ । ମୁଁ ମୋର ସେହି ବଡ଼ ବାକ୍‌ସଟିକୁ ଦୁଇଫାଳ କରି ଦରଜା ତିଆରି କଲି ବହୁ ଚିନ୍ତା କରି । ହ୍ରଦ ପାଖରୁ କାଦୁଅ ଆଣି ବାଡ଼ର ଭିତରେ ଓ ବାହାର ଖୁବ୍‌ ମୋଟା କରି ଲେପିଲି । ତାହା ଏମିତି ହେଲା ଯେ କାଦୁଅ ଭିତରେ କାଠ ଓ ଡାଳପତ୍ର ଲୁଚିଯାଇ ଖୁବ୍‌ ମୋଟା କାନ୍ଥଭଳି ହୋଇଗଲା ଏବଂ ଶୁଖିଗଲା ପରେ ସୁନ୍ଦର ଦିଶିଲା ।

 

ଏବେ ଆଉ ଏକ ପ୍ରଧାନ ସମସ୍ୟା ହେଲା ପାଣି । ସେଇ ଝରଣାରୁ ବଡ଼ ପାତ୍ରରେ ପାଣି ଆଣିବା ସମ୍ଭବ ହେଲା ନାହିଁ । ତେଣୁ କାଠବାକ୍‌ସରୁ ବଳିଥିବା ପଟା ନେଇ ଚକ ତିଆରି କଲି ଏବଂ ତା’ ମଧ୍ୟରେ କାଠର ଦଣ୍ଡ ଭର୍ତ୍ତିକରି ପାଣି ଓ ଜିନିଷପତ୍ର ଆଣିବାପାଇଁ ଗାଡ଼ି ତିଆରି କରିବାର ଚେଷ୍ଟା କଲି । କିନ୍ତୁ ଗାଡ଼ି ଟାଣିବ କିଏ ? ଏବେ ଏହି ନୂତନ ଦିଗରେ ଏକମାତ୍ର ମୁଁ ରଜା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ଏଠାକୁ ଆସିବାଠାରୁ ଆଜି ପର୍ଯ୍ୟନ୍ତ ମଣିଷ ତ ଦୂରର କଥା କୌଣସି ଜାନୁୟାର ପର୍ଯ୍ୟନ୍ତ ଦେଖି ନାହିଁ । ଏ ସମୟରେ ଯଦି ଗୋଟିଏ ପଶୁ ପାଇଥାନ୍ତି, ତାହାହେଲେ ତାହାକୁ ମୁଁ ଗାଡ଼ି ଟାଣିବାରେ ବିନିଯୋଗ କରନ୍ତି ।

 

ଛାଡ଼, ସେ ଭାବନା ଆଉ କରି ଲାଭ କ’ଣ ? ଏବେ ଗାଡ଼ିରେ ପାଣିପାତ୍ର ରଖି ଝରଣାରୁ ପାଣି ଆଣେ । ଝରଣାର ପାଣିପାଇଁ ହିଁ କେବଳ ମୋତେ ଦୂରକୁ ଯିବାକୁ ପଡ଼େ ।

 

ମାତ୍ର ମୋର ପ୍ରଧାନ ଭାବନାର ବିଷୟ ହେଲା ଖାଦ୍ୟଦ୍ରବ୍ୟ ସଂଗ୍ରହ କରିବା । ମୋର ସଂଗୃହିତ ଦ୍ରବ୍ୟାଦି ବସି ବସି ଖାଇଲେ ଆଉ କେତିଦିନ ବା ଚଳିବ ? ଏଥିପାଇଁ ଚାରିଆଡ଼େ ବୁଲାବୁଲି କରିବାକୁ ହେଲା । ଏଠାରେ ଗଛ, ଲତା, ଫୁଲ, ଫଳର ଅଭାବ ନାହିଁ । ବଣ ମଧ୍ୟରେ ଛୋଟ ବଡ଼ ନାନା ଜାତୀୟ ଫଳ ଓ ଶାକସବ୍‌ଜୀ ଦେଖିବାକୁ ପାଏଁ ମାତ୍ର କେଉଁଟି ସୁଖାଦ୍ୟ, କେଉଁଟି ଅପକାରୀ ତାହା ଜାଣିବା କଷ୍ଟ । ଏଥିପାଇଁ କେତେଦିନ ବଣରେ ବୁଲି ବୁଲି ପ୍ରଥମେ ଶାକସବ୍‌ଜୀ ଓ ଫଳ ସଂଗ୍ରହ, ତାହାପରେ ଦିନେ ସେହିଗୁଡ଼ିକୁ ସିଦ୍ଧ କରି ଭିନ୍ନ ଭିନ୍ନ ଭାବରେ ସେଗୁଡ଼ିକର ସ୍ୱାଦୁ ଗ୍ରହଣ କରିବାକୁ ଲାଗିଲି । ଦେଖିଲି ତାହା ମଧ୍ୟରେ କେତୋଟି ବେଶ୍‌ ସୁଖାଦ୍ୟ-। ଯେଉଁଗୁଡ଼ିକ ସୁଖାଦ୍ୟ ସେଗୁଡ଼ିକୁ ଚିହ୍ନିତ କରି ରଖିଲି ଏବଂ ଯେଉଁଗୁଡ଼ିକୁ ଚିହ୍ନିପାରିଲି ନାହିଁ ସେଗୁଡ଼ିକର ପତ୍ର ଅଲଗା ଅଲଗା କରି ରଖିଲି । ଫଳରେ ମୋ ପକ୍ଷରେ ଆଉ ଗଛ ଚିହ୍ନି ଫଳ ସଂଗ୍ରହ କରିବା ଅସୁବିଧା ହେବ ନାହିଁ ।

 

ହ୍ରଦର ଏ ଧାରର ବଣ ଜଙ୍ଗଲ ଦେଖି ଶେଷ କରିବା ପରେ ମୁଁ ଏହାର ଅପର ଦିଗରେ ବଣ ଜଙ୍ଗଲ ପର୍ଯ୍ୟବେକ୍ଷଣ କରିବାପାଇଁ ଦିନେ ବାହାରିପଡ଼ିଲି ।

 

ଆଜି ମୋର ମନେହେଲା, ସୃଷ୍ଟିର ପ୍ରଥମ ଯୁଗରୁ ଆରମ୍ଭ କରି ମଣିଷ ଯେଉଁଦିନ ପୃଥିବୀକୁ ଆସିଲା, ସେହି ଦିନଠାରୁ ତା’ର ଜୀବନସଂଗ୍ରାମ ଚାଲିଛି । ଖାଦ୍ୟ ସଂଗ୍ରହ ହିଁ ମଣିଷର ଏକମାତ୍ର ଲକ୍ଷ୍ୟ । ମୁଁ ଏହି ଅଜ୍ଞାତ ଦ୍ୱୀପରେ କିପରି ଜୀବନ ଧାରଣ କରିବି ସେଇଥିପାଇଁ ଏକ ଉନ୍ମାଦଭଳି ଦୌଡ଼ା ଦୌଡ଼ି କରୁଛି ମାତ୍ର । ହ୍ରଦର ଏ ଦିଗରେ ମଧ୍ୟ ଫଳ ପୁଷ୍ପର ପ୍ରାଚୁର୍ଯ୍ୟ । ମାତ୍ର ଏଠାରେ ତରଭୁଜ ଓ କଖାରୁଭଳି ଏକ ଜାତୀୟ ବଡ଼ ବଡ଼ ଫଳ ଦେଖିବାକୁ ପାଇଲି । ଏହି ଫଳଗଛଗୁଡ଼ିକ ଲତାପରି ଗୁଡ଼େଇହୋଇ ରହିଛି ଯେକୌଣସି ଗଛ ଦେହରେ । ଏହି ଫଳଗୁଡ଼ିକର ରଙ୍ଗ କାହାର ପୀତ, କାହାର ବା ସବୁଜ । ପରୀକ୍ଷା କରି ଜାଣିଲି ଏହି ଦୁଇ ଜାତୀୟ ଫଳ ଖୁବ୍‌ ସୁସ୍ୱାଦୁ ।

 

ଏବେ ନିଶ୍ଚିନ୍ତ ହେଲି । ଭାବିଲି ଏ ନିର୍ଜନ ଦ୍ୱୀପରେ ନ ଖାଇ ମରିବି ନାହିଁ । ତେଣୁ ବଣ ଜଙ୍ଗଲ ବୁଲି ପ୍ରଚୁର ପରିମାଣରେ ଖାଦ୍ୟ ସଂଗ୍ରହ କରିବାକୁ ଲାଗିପଡ଼ିଲି । ମୋର ଅନ୍ୟ କୌଣସି କାମ ନ ଥିଲା । ତଥାପି ସମୟ ନଷ୍ଟ କରୁନଥିଲି । ଏଇ ଦ୍ୱୀପରେ କେଉଁଠି କ’ଣ ଅଛି ଖୋଜି ବୁଲୁଥିଲି । ଖାଦ୍ୟ ଦ୍ରବ୍ୟାଦି ସଂଗୃହିତ ହେବା ପରେ ବେଶୀ ସମୟ ବାହାରେ ରହୁ ନ ଥିଲି । ହୁଏତ ପୀଡ଼ିତ ହୋଇପଡ଼ିବି, ସେଇଥିପାଇଁ ଖୁବ୍‌ ସତର୍କତାର ସହ ଦିନ କଟାଉଥିଲି ।

 

ଗୁହା ଜୀବନ ଛ’ମାସ କଟିଗଲା । ପୁଣି ଛ’ମାସ ପାଇଁ ସୂର୍ଯ୍ୟ ଅନ୍ତର୍ହିତ ହେଲେ । ଚତୁର୍ଦ୍ଦିଗରେ ଅନ୍ଧକାର ଘୋଟି ଆସିଲା । ଏହି ସମୟରେ ମଝିରେ ମଝିରେ ବୃଷ୍ଟି ହେଉଥିଲା । ପ୍ରଥମ ଦିନପାଇଁ ଏଇ ଦ୍ୱୀପ ମଧ୍ୟରେ ଦିନ ରାତ୍ରିର ପାର୍ଥକ୍ୟ ବାରି ହୁଏନା କିନ୍ତୁ କ୍ରମଶଃ ଦିନ ଓ ରାତ୍ରିର ତାରତମ୍ୟ ବେଶ୍‌ ବୁଝିପାରିଲି । ଏଇ ଦିନ ରାତ୍ରିର ଅବସ୍ଥା ଦେଖି ମନେପଡ଼ିଲା ଭୂଗୋଳ ଶିକ୍ଷକଙ୍କ କଥା; ଅର୍ଥାତ୍‌ ଜାଣିଲି ମୁଁ ଦକ୍ଷିଣମେରୁ ନିକଟବର୍ତ୍ତୀ କୌଣସି ଦେଶରେ ଆସି ପହଞ୍ଚିଛି । ଏଇ ନିର୍ଜନ ଅଜ୍ଞାତ ଦେଶକୁ ବିଧାତା ମୋତେ କାହିଁକି ଆଣିଲେ କିଏ ଜାଣେ ?

 

(ବାର)

 

ମୁଁ ଶୈତ୍ୟର ଦୁର୍ଦ୍ଦିନତାପାଇଁ ଖାଦ୍ୟ ଦ୍ରବ୍ୟାଦି ସଂଗ୍ରହ କରି ରଖିଥିଲି । ତେଣୁ ଯେମିତି ଶୀତ ବଢ଼ିବାକୁ ଲାଗିଲା ଏବଂ ଘନ ଅନ୍ଧକାର ଯେମିତି ଚତୁର୍ଦ୍ଦିଗରେ ମାଡ଼ି ଆସିଲା, ସେତେବେଳେ ମୁଁ ଆଉ ବାହାରକୁ ବାହାରିଲି ନାହିଁ । ଶୀତ ଦିନକୁ ଦିନ ବଢ଼ିଲା । ମୁଁ ଘରର ଚଟାଣ ଉପରେ ପ୍ରଚୁର ପରିମାଣରେ ଶୁଖିଲା କାଠ ବିଛାଇ, ତାହା ଉପରେ ମସିଣା ପାରିଦେଲି ଏବଂ ଜାହାଜରୁ ଆଣିଥିବା ସେହି ବଡ଼ ବାକ୍‌ସ ମଧ୍ୟରେ ଯେଉଁ ଲୁଗାପଟା ପାଇଥିଲି, ସେ ସମସ୍ତ ଦେହରେ ଜଡ଼ାଇ ଶୈତ୍ୟ ନିବାରଣ କରବାକୁ ଲାଗିଲି । ଘର କୋଣରେ ନିଆଁ ମଧ୍ୟ ଜାଳି ଦେଇଥାଏ ।

 

ଦିନେ ରାତ୍ରିରେ ହଠାତ୍‌ ନିଦରୁ ଉଠି ବସିଲି । ମୁଁ ବେଶ୍‌ ପରିଷ୍କାର ଭାବରେ ବାହାରେ ମଣିଷର ସ୍ୱର ଶୁଣିବାକୁ ପାଇଲି । କେତେବେଳେ ଧୀରେ ଧୀରେ ସେ ଶବ୍ଦ ଶୁଣା ଯାଉଥିଲା, କେତେବେଳେ ବା ବେଶୀ ଜୋରରେ କଥାବାର୍ତ୍ତା ହେଉଥିଲା ।

 

ମୁଁ ଏହିଭଳି ସ୍ୱର ପୂର୍ବରୁ ଶୁଣିନଥିଲି । ସେ ସ୍ୱର ଖୁବ୍‌ ସୁନ୍ଦର, ଖୁବ୍‌ ମିଷ୍ଟ ମନେହେଉଥିଲା । କେତେକ ଲୋକ ଯେମିତି ଏକ ସଙ୍ଗରେ ଗୀତ ଗାଉଛନ୍ତି । ମୁଁ ଚୁପ୍‌ ହୋଇ କାନ ପାତି ରହିଲି । କିନ୍ତୁ ସେ ଭାଷାର ଗୋଟିଏ ବର୍ଣ୍ଣ ବି ବୁଝିପାରିଲି ନାହିଁ । ମୁଁ ବିଛଣା ଛାଡ଼ି ଉଠିଲି ଏବଂ ହାତରେ ଶୀଘ୍ର ପିସ୍ତଲଟି ନେଇ ସମ୍ମୁଖସ୍ଥ ତିଆରି କାଠଘରକୁ ଆସିଲି ।

 

ସେଠାରୁ ସ୍ପଷ୍ଟଭାବରେ ସେ ସ୍ୱର ଶୁଣିବାକୁ ପାଇଲି । ଜାଣିଲି ଏହା ନିଶ୍ଚୟ ମଣିଷର ସ୍ୱର । ଧୀରେ ଧୀରେ ସେ ସ୍ୱର ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ କୁଆଡ଼େ ଯେମିତି ଉଭେଇଗଲା । ତଥାପି ସେହି ଘରେ ଅନେକକ୍ଷଣ ଯାଏ ଛିଡ଼ାହୋଇ ରହିଲି; କିନ୍ତୁ ଆଉ କୌଣସି ଶବ୍ଦ ଶୁଣିବାକୁ ପାଇଲି ନାହିଁ ।

 

ମୁଁ ମୋର ଗୁହା ଗୃହକୁ ଫେରିଆସି ଶୋଇପଡ଼ିଲି । ପୁଣି ଭାବିଲି ମୋ ବାହାର ଘରର ଦରଜାଟି ଖୋଲି ଖୋଲା ସ୍ଥାନରେ ଛିଡ଼ା ହେବି । ମାତ୍ର ଚିନ୍ତାକଲି ବାହାର ଘରଟି ଅନ୍ଧକାର, ଜଙ୍ଗଲ ମଧ୍ୟସ୍ଥ ଘନ ଅନ୍ଧକାର ମଧ୍ୟ ଦେଇ କିଛି ଦେଖାଯିବନି । ତେଣୁ ମୁଁ ବାହାରକୁ ଆସିଲି ନାହିଁ । ସତ୍ୟ କଥା କହିବାକୁ ଗଲେ ମୋତେ ଯେପରି ଭୀଷଣ ଭୟ ଲାଗୁଥିଲା ।

 

ମୋ ରାଜ୍ୟକୁ କିଏ ଆସିଲା ? କେଉଁଠାରୁ କେଉଁ ମଣିଷ ଆସିଲା ? ମୁଁ ତ ହ୍ରଦର ଚାରିପାଖ ଘୂରି ଫେରି ଦେଖିଛି, କେଉଁଠି ଯେ ଜନପ୍ରାଣୀର ସାମାନ୍ୟ ଚିହ୍ନ ସୁଦ୍ଧା ଦେଖିବାକୁ ପାଇନାହିଁ। ଆଜିକାଲି ମୁଁ ଏଇ ହ୍ରଦର ଚତୁର୍ଦ୍ଦିଗକୁ ମୋର ରାଜ୍ୟ ବୋଲି ମନେକରେ । ମୁଁ ଭାବିଲି, ଜଙ୍ଗଲର ଆରପଟେ ପାହାଡ଼ ଦେହରେ ବୋଧହୁଏ ଅନେକଗୁଡ଼ିଏ ଗୁହା ଅଛି, ତା’ ମଧ୍ୟରେ ମଣିଷ ବାସ କରିବା ଅସମ୍ଭବ ନୁହେଁ । କିନ୍ତୁ ପ୍ରକୃତରେ ଯଦି ମଣିଷ ଥାଆନ୍ତି, ତାହାହେଲେ ଦିନରେ ସେମାନେ ବାହାରକୁ ଆସନ୍ତି ନାହିଁ କାହିଁକି ? ରାତ୍ରିରେ ଯେତେବେଳେ ବାହାରକୁ ବାହାରୁଛନ୍ତି, ସେତେବେଳେ ସେମାନେ ନିଶ୍ଚୟ ଦୈତ୍ୟ ବା ରାକ୍ଷସଜାତୀୟ ପ୍ରାଣୀ ହୋଇଥିବେ । କେବଳ ରାତିରେ ଶିକାର ସନ୍ଧାନପାଇଁ ଆସନ୍ତି ।

 

ମନେ ମନେ ଏମିତି ବହୁ କଳ୍ପନା ଜଳ୍ପନା କରି ମୁଁ ଆହୁରି ଭୀତତ୍ରସ୍ତ ହୋଇପଡ଼ିଲି ଏବଂ ସ୍ଥିର କଲି ଯେ ପାଣିର ପ୍ରୟୋଜନ ନ ହେଲେ କିମ୍ବା ଶିକାରର ଆବଶ୍ୟକତା ନ ହେଲେ ଆଉ କେବେହେଲେ ବାହାରକୁ ବାହାରିବି ନାହିଁ ।

 

Unknown

ଦିନ ଗଡ଼ିଚାଲିଲା, ଅବଶ୍ୟ ଦିନ ରାତ୍ରିର ପାର୍ଥକ୍ୟ ଜାଣିବାର ଉପାୟ ନ ଥିଲା । କ୍ରମେ ମୋ ମନରୁ ଆଶଙ୍କା ଦୂର ହେବାକୁ ଲାଗିଲା, କାରଣ ଆଉ ଦିନେ ହେଲେ ଏମିତି ଅସ୍ୱାଭାବିକ ଶବ୍ଦ ଶୁଣିବାକୁ ପାଇଲି ନାହିଁ । ତେଣୁ ଭାବିଲି, ହୁଏତ ଏହା ମୋ ମନର ଦୁର୍ବଳତା ।

 

ଗୋଟିଏ ସପ୍ତାହ କଟିଗଲା । କୌଣସି ଶବ୍ଦ ନାହିଁ । ପୁଣି ଦିନେ ରାତ୍ରିରେ ସେହିଭଳି ଶବ୍ଦ ଶୁଣିବାକୁ ପାଇଲି । ଥରେ ନୁହେଁ, ଦୁଇ ଥର । ଖୁବ୍‌ ନିକଟରେ, ପୁଣି ଦୂରରେ; କିନ୍ତୁ କାହାରିର ସନ୍ଧାନ ମିଳିଲା ନାହିଁ ।

 

ମନେ ମନେ ସ୍ଥିର କଲି, ଯଦି ଏମାନେ ମୋର ଗୁମ୍ଫା ସମ୍ମୁଖକୁ ଆସନ୍ତି, ତାହାହେଲେ ମୁଁ ମୋର ବନ୍ଧୁକ ନେଇ ସେଠାରେ ଅନାୟାସରେ କୋଡ଼ିଏ ପଚିଶ ଜଣଙ୍କୁ ମାରି ଦିଅନ୍ତି । ଅବଶ୍ୟ ଯଦି ସେମାନେ ଜଙ୍ଗଲୀ ମଣିଷ ହୋଇଥାଆନ୍ତି, ତାହାହେଲେ କେବଳ ଆତ୍ମରକ୍ଷା କରନ୍ତି ମାତ୍ର । ଆଉ ଯଦି ଦେଖିବାକୁ ପାଏଁ ସେମାନେ ବୁଦ୍ଧିମାନ ମଣିଷ, ତାହାହେଲେ ମୁଁ ସେମାନଙ୍କ ସହତ ମିଳିତ ହୁଅନ୍ତି ।

 

ମଣିଷ କ’ଣ ଏକୁଟିଆ ରହିପାରେ ?

 

ମୁଁ ଏମିତି କଳ୍ପନା କରି ଦିନ କଟାଇଲି; କିନ୍ତୁ ଆଉ କୌଣସି ସନ୍ଧାନ ପାଇଲି ନାହିଁ ।

 

ପୁଣି ଦିନ ଫେରିଆସିଲା । ଆଲୋକ ସହିତ ମଣିଷ ଜୀବନର ଯେମିତି ସମସ୍ତ ଆନନ୍ଦ ମିଳତ ହେଲା । ଆମ୍ଭେମାନେ ଆଲୋକ ଦେଖିଲେ ଭୟରେ ଶିହରି ଉଠୁ ଏବଂ ଆଲୋକ ଦେଖିଲେ ଆନନ୍ଦିତ ହେଉ । ଦୀର୍ଘ ଅନ୍ଧକାର ରଜନୀ ଶେଷରେ ଯେତେବେଳେ ଦିବସର ପ୍ରଫୁଲ୍ଲ ଜ୍ୟୋତି ଉଦ୍‌ଭାସିତ ହୋଇଉଠିଲା, ସେତେବେଳେ ମୋ ପ୍ରାଣରେ ପୁଣି ନୂତନ ଉତ୍ସାହ ଓ ଆଶା ଜାଗରିତ ହୋଇଉଠିଲା । ଭାବିଲି ନିଶ୍ଚୟ ଏ ପାହାଡ଼ର ଅପର ପାର୍ଶ୍ୱରେ ଅନ୍ୟ କୌଣସି ଦେଶ ରହିଛି । ବୋଧହୁଏ ସେହି ସମସ୍ତ ଦେଶରୁ ଚଲାପଥ ପଡ଼ିଥିବ ପାହାଡ଼ ଉପରକୁ । ତେଣୁ ପାହାଡ଼ର ଅପର ପାର୍ଶ୍ୱଟା ଥରେ ବୁଲି ଆସିଲେ ମନ୍ଦ ହୁଅନ୍ତା ନାହିଁ ।

 

ଦିନ ଯେମିତି ବଢ଼ିବାକୁ ଲାଗିଲା, ମୋର ମନ ମଧ୍ୟ ଅଜଣାର ସନ୍ଧାନ ଜାଣିବାପାଇଁ ସେମିତି ବ୍ୟାକୁଳିତ ହୋଇଉଠିଲା । ମୁଁ ଏ ସ୍ଥାନ ଛାଡ଼ି ଯିବାପାଇଁ ସିଦ୍ଧାନ୍ତ କଲି ।

 

ମାୟା ? ହଁ, ଏଇ ନିରାପଦ ଆଶ୍ରୟ ଖଣ୍ଡିକ ଛାଡ଼ି ଯିବାକୁ ମାୟା ନ ଲାଗିବ କାହିଁକି ? କିନ୍ତୁ କେତେକାଳ ଏମିତି ପଡ଼ିଥିବି ? ଦେଖି କେଉଁଠି କେଉଁ ପଥ ଦେଇ ଈଶ୍ୱର ମୋତେ ନେଇ ଚାଲନ୍ତି !

 

ଦିନେ ମୋ ଗାଡ଼ିରେ ଯେତିକି ସମ୍ଭବ ଖାଦ୍ୟଦ୍ରବ୍ୟାଦି ଓ ପ୍ରୟୋଜନୀୟ ଜିନିଷପତ୍ର ନେଇ ପାହାଡ଼ ଆଡ଼କୁ ଚାଲିଲି । ଉଚ୍ଚ ନୀଚ ପଥ, ବଣ ଜଙ୍ଗଲ ମଧ୍ୟ ଦେଇ ଗାଡ଼ି ଖଣ୍ଡିକ ଟାଣି ନେଇଯିବାକୁ ଖୁବ୍ କ୍ଳେଶବୋଧ କରୁଥିଲି । ମୁଁ କ୍ରମେ ପାହାଡ଼ ପାଖକୁ ଆସିଲି । ଭଲ କରି ପାହାଡ଼ର ଚତୁର୍ଦ୍ଦିଗ ପ୍ରଦକ୍ଷିଣ କଲି, ମାତ୍ର କେଉଁଠି ହେଲେ ପଥଟିଏ ଦେଖିବାକୁ ପାଇଲି ନାହିଁ । ଏକ ସ୍ଥାନରେ ପାହାଡ଼ ଦେହରେ ଗୋଟିଏ ସୁଡ଼ଙ୍ଗଭଳି ପଥ ଦେଖି ଯେମିତି କିଛି ଦୂର ଅଗ୍ରସର ହୋଇଛି–ଦେଖିଲି ଯେ, ଖୁବ୍‌ ଗୋଟିଏ ବିରାଟ ଗୁମ୍ଫା ବାଘଗୁମ୍ଫା (୧) ଭଳି ଲମ୍ବିଯାଇଛି ବହୁତ ଦୂରକୁ । ପ୍ରାୟ ସତୁରୀ ମିଟର ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗ ପଥଟି ହେବ । ତାହାପରେ ଲୁହାଭଳି ପାହାଡ଼ ଦଣ୍ଡାୟମାନ । ରାସ୍ତାଘାଟ କିଛି ନାହିଁ । ସୁଡ଼ଙ୍ଗ ପଥରୁ ଫେରିଆସିଲି ।

 

(୧) ଲେଖକଙ୍କର ଦଃସାହସିକ ରୋମାଞ୍ଚକର କିଶୋର ଉପନ୍ୟାସ ‘ବାଘଗୁମ୍ଫା’ ପଢ଼ନ୍ତୁ, ଯାହା ମଧ୍ୟରେ ପାଞ୍ଚ ଜଣ ପିଲା ପଥ ହରାଇ ତିନି ଦିନ ପରେ ବାହାରିବାକୁ ସକ୍ଷମ ହୋଇଥିଲେ ।

 

ପୁଣି ଚାଲିବାକୁ ଲାଗିଲି । ପଥ ନାହିଁ, କଣ୍ଟାଗୁଳ୍ମରେ ପରିପୂର୍ଣ୍ଣ । ତେଣୁ ଗାଡ଼ିର ଚକା ଅଟକିଗଲା, ଆଉ ଗଡ଼ିଲା ନାହିଁ । କେଉଁଠାରେ ହେଲେ ପଥ ନାହିଁ । ତଥାପି ଖୁବ୍‌ କଷ୍ଟରେ ଗାଡ଼ି ଖଣ୍ଡିକୁ ଟାଣି ନେଇ ଚାଲିଥିଲି । ଗୋଟିଏ ସ୍ଥାନରେ ଗାଡ଼ିଟି କେତେଗୁଡ଼ିଏ ଦୀର୍ଘ ଲତା ମଧ୍ୟରେ ଅଟକିଗଲା । କୌଣସି ଉପାୟରେ ସେହି ଲତା କବଳରୁ ଗାଡ଼ିଟିକୁ ସହଜରେ ମୁକ୍ତ କରିନପାରି ଛୁରିଦ୍ୱାରା ଲତାର ମୂଳ କାଟି ତାହା ଟାଣିଲି । କିନ୍ତୁ ଯେତେ ଟାଣିଲେ ମଧ୍ୟ ଲତାଟିର ଯେପରି ଶେଷ ନାହିଁ । ଶେଷରେ ଏହା ଛିଣ୍ଡି ଆସିଲା । ଏହି ଦୀର୍ଘ ଲତାଟି ପ୍ରାୟ ପାଞ୍ଚ ବା ଛଅ ହାତରୁ ଅଧିକ ଲମ୍ବ ହେବ ଏବଂ ଏହା ସୂତା ଭଳି ସୂକ୍ଷ୍ମ ଓ ଶକ୍ତ ତନ୍ତୁରେ ଗଠିତ । ମୁଁ ସେଥିରୁ କେତୋଟି ଲତା ସଂଗ୍ରହ କରି ମୋର ସେହି ଗୁହାଗୃହକୁ ଫେରିଆସିଲି । ପଥର ସନ୍ଧାନ ନ ପାଇବା ହେତୁ ଫେରିବାକୁ ବାଧ୍ୟ ହୋଇଥିଲି ।

 

ସଂଗୃହିତ ଲତାକୁ ବେଶ୍ ଭଲଭାବରେ ପରୀକ୍ଷା କରି ଦେଖିଲି ଏହି ସୂତାଦ୍ୱାରା ମୁଁ ଅନାୟାସରେ ଜାଲ ବୁଣିପାରିବି । ମଣିଷ ଯେତେବେଳେ ଅସହାୟ ହୋଇପଡ଼େ, ତା’ର ପ୍ରାଣରେ ସେତେବେଳେ ସାହସ ଓ ଶକ୍ତି ଆସେ । ମୁଁ ଏହି ଲତାରୁ ସୂତା କାଢ଼ି ଜାଲ ବୁଣିବାକୁ ଲାଗିଗଲି । ଛୋଟ ଛୋଟ ଫାଶରେ ଜାଲ ବୁଣି ତାହା ଉପରେ ମୋଟା ଲତା ବାନ୍ଧିଦେଲି । ଫଳରେ ଜାଲଟିକୁ ପାଣିକୁ ଫିଙ୍ଗି ସହଜରେ ଯେପରି ଟାଣିଆଣି ପାରିବି ।

 

ଏଇ ଭାବରେ ମୋର ବେଶ୍‌ ମଜବୁତ ଓ ସୁନ୍ଦର ଜାଲଟିଏ ପ୍ରସ୍ତୁତ ହେଲା । ମୁଁ ଏବେ ଜାଲ ଫିଙ୍ଗି ପ୍ରୟୋଜନ ମୁତାବକ ନାନାଜାତୀୟ ମାଛ ଧରିବାକୁ ଲାଗିଲି । କେତେବେଳେ ନୌକାରେ ହ୍ରଦ ମଧ୍ୟକୁ ଯାଏ, କେତେବେଳେ ନଦୀ ଭିତରକୁ ପଶି ମାଛ ଧରେ । କେତେ ପ୍ରକାରର ଛୋଟ ବଡ଼ ମାଛ ଧରିଲି ଯେ ତା’ର ସଂଖ୍ୟା ନାହିଁ । ଏଇ ସମସ୍ତ ମାଛରୁ ମୁଁ ତେଲ ସଂଗ୍ରହ କଲି ଏବଂ ବଡ଼ ମାଛର ଚମଡ଼ା ଶୁଖାଇ ବିଭିନ୍ନ କାର୍ଯ୍ୟରେ ଲଗାଇଲି ।

 

ଥରେ ଗୋଟିଏ ଅତି ଅଦ୍ଭୁତ ଧରଣର ମାଛ ମାରିଲି । ସେଇ ମାଛର ଆକାର ଯେମିତି ବଡ଼ ଦେଖିବାକୁ ବି ସେମିତି ଅଦ୍ଭୁତ । ଠିକ୍‌ ବେଙ୍ଗଭଳି ତା’ର ଆକାର ଏବଂ ଗୋଟିଏ ଗୋଟିଏ ଗୋଡ଼ ଏକ ହାତରୁ ବେଶୀ ହେବ । ଏହି ଚାରୋଟି ଗୋଡ଼ ଉପରେ ମାଛର ଦେହଟି ଖୁବ୍‌ ବଡ଼ ଏବଂ ଗୋଲାକାର ଅବିକଳ କଚ୍ଛପପରି । ଏହି ମାଛଟିକୁ ମୋ ଗୁହାଟିକୁ ଆଣିବାକୁ ମୋତେ ବହୁତ କଷ୍ଟ ହୋଇଥିଲା । କିନ୍ତୁ ସେହି ମାଛରୁ ପ୍ରଚୁର ପରିମାଣରେ ତେଲ ପାଇଲି । ସେହି ତେଲରେ ବତୀ ଜଳାଇ ଦେଖିଲି ସେଥିରେ ପ୍ରଦୀପର ଆଲୁଅ ଅନ୍ୟାନ୍ୟ ତେଲ ଅପେକ୍ଷା ଖୁବ୍‌ ଉଜ୍ଜ୍ୱଳ । ପୁଣି ଏଇ ମାଛର ଚମଡ଼ାରେ ବସିବାପାଇଁ ଗୋଟିଏ ଅସନ ତିଆରି କଲି ।

 

ପାହାଡ଼ ଆଡ଼କୁ ଚାହିଁ ଚାହିଁ କେତେ କଥା ଯେ କଳ୍ପନା ନ କରିଛି । କିଏ ଜାଣେ ଏଇ ପାହାଡ଼ର ଆର ପାଖରେ କେଉଁ ଦେଶ । ଯେତେବେଳେ ଦଶ ଦିନ ପର୍ଯ୍ୟନ୍ତ ବୁଲି କୌଣସି ପଥର ସନ୍ଧାନ ନ ପାଇଲି, ସେତେବେଳେ ସ୍ଥିର କରିନେଲି ଯେ, ବିଧାତା ଯଦି ମୋତେ ଏହି ଅଜ୍ଞାତଦେଶରେ ଜୀବିତ କାଳ ପର୍ଯ୍ୟନ୍ତ ରଖିବାକୁ ଚାହାନ୍ତି, ତାହାହେଲେ ମୁଁ ଆଉ କ’ଣ କରିପାରିବି ?

 

କିଏ ଜାଣିଥିଲା ଯେ, ମୋ ମଧ୍ୟରେ ଏହିଭଳି କଷ୍ଟ ସହିବା ଶକ୍ତି ଅଛି । ଆଜି ମୁଁ ନିଜ ଚେଷ୍ଟା ଓ ଉଦ୍ୟୋଗରେ ଜୀବନ ବଞ୍ଚାଇ ରଖିପାରିଛି । ମୁଁ ଗୋଟିଏ ଦିନପାଇଁ ଈଶ୍ୱରଙ୍କୁ ଭୁଲି ନାହିଁ, ଭୁଲିନାହିଁ ବୋଲି ବୋଧହୁଏ ତାଙ୍କରି କୃପାରେ ଏଇ ଅଜ୍ଞାତ ଦ୍ୱୀପରେ ଆସି ପଡ଼ିଛି ।

 

(ତେର)

 

ମୁଁ ଦିବସର ଆଲୁଅ କଟାଇଦେଲି । ମୋର ସମୟ ନାନା କାର୍ଯ୍ୟ ମଧ୍ୟ ଦେଇ କଟିଯାଉଥିଲା । ମୁଁ ଏହି ସମୟରେ ମାଟି କାଦୁଅରେ ଇଟା ତିଆରି କଲି ଏବଂ ପାଖ ଘରଟି ଆହୁରି ମଜବୁତ କରି ସେଠାରେ ଗୋଟିଏ ଚିମନି ତିଆରି କଲି । ଘରର ଦୁଇ ଦିଗରେ ଦୁଇଟି ଝରକା ବସାଇଲି, ଯେମିତି ବାହାରର ଆଲୋକ ଘର ମଧ୍ୟକୁ ପ୍ରବେଶ କରିପାରେ । ମାଟିରେ ତିନି ଚାରୋଟି ଆଲୋକ ପିଣ୍ଡ ମଧ୍ୟ ତିଆରି କଲି, କାରଣ ଏଇ ବିଚିତ୍ର ଦେଶରେ ସୂର୍ଯ୍ୟର ମୁଖ ଯେ ସ୍ପଷ୍ଟ ଦେଖାଯାଏନା ।

 

ମୋ ଗୃହ ମଧ୍ୟରେ ଶୁଖିଲା ମାଛ, ମାଂସ, ଫଳ ଓ ତେଲର ଅଭାବ ନ ଥିଲା । ମଣିଷ ଅଭାବରେ ପଡ଼ିଲେ ଅଭାବ ଦୂର କରିବାକୁ ଚାହେଁ, ମୋର ଏଠାରେ ତାହା ହିଁ ହୋଇଥିଲା । ମୁଁ ଦିନରାତି ଚେଷ୍ଟା କରି ଗୋଟିଏ ଗୋଟିଏ କରି ମୋ’ଭଳି ଜଣେ ମଣିଷର ଖାଦ୍ୟ ଓ ଅନ୍ୟାନ୍ୟ ପ୍ରୟୋଜନୀୟ ଦ୍ରବ୍ୟାଦି ସଂଗ୍ରହ କରିବାପାଇଁ ଯାହାକିଛି ପ୍ରୟୋଜନ ସେ ସମସ୍ତ ସଂଗ୍ରହ କରିଥିଲି ଏବଂ ଏ ସମସ୍ତ ସଂଗ୍ରହ କରିବାକୁ କେବେହେଲେ ଆଳସ୍ୟ କରିନାହିଁ ।

 

ଯେମିତି ଦିନ ପରେ ସନ୍ଧ୍ୟା ଆସେ, ସେମିତି ଏଠାରେ ଆଲୋକୋଜ୍ଜ୍ୱଳ ଦିନଗୁଡ଼ିକ ଚାଲିଗଲେ ପୁଣି ଦାରୁଣ ଶୀତ ଆସେ । ଏଥର ଶୀତରେ ମୋର ପୂର୍ବଭଳି କଷ୍ଟ ହୋଇ ନାହିଁ । ମୋର ଶିକାରରୁ ସଂଗୃହିତ ଜୀବଜନ୍ତୁର ଚମଡ଼ାଦ୍ୱାରା ଦେହର ଆବରଣ ତିଆରି କରିଥିଲି । ପୂର୍ବବର୍ଷଭଳି ଆଲୁଅର ଅଭାନ ନ ଥିଲା । ଏବେ ଦିନ-ରାତି ଘରେ ଆଲୁଅ ଜାଳିଲି । ପୂର୍ବ ବର୍ଷ ମୁଁ ଶୀତଦିନମାନଙ୍କରେ ଅହରହ ଅନ୍ଧକାର ମଧ୍ୟରେ ଅଳସ ଭାବରେ ଶୋଇରହି ସମୟ କଟାଉଥିଲି, ଏବେ କିନ୍ତୁ ଆଉ ସେ ଅସୁବିଧା ନାହିଁ ।

 

ତୁମ୍ଭମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠିପାରେ, ପଚାରିପାର, ତାହାହେଲେ ତୁମେ ଆଉ କ’ଣ ଚାହଁ ? ତୁମେ ତ ବେଶ୍‌ ରହିଛ, ଆଶ୍ରୟ ପାଇଛ, ଖାଦ୍ୟର ବ୍ୟବସ୍ଥା ହୋଇଛି, ତେବେ କ’ଣ ତୁମର ଆଶାର ପରିସମାପ୍ତି ନାହିଁ ? ମନରେ କ’ଣ ତୃପ୍ତି ଆସିବ ନାହିଁ ? ହଁ ଆସିବ, କିନ୍ତୁ ଭାଇ ! ମଣିଷ କେତେଦିନ ଏକୁଟିଆ ରହିପାରେ ? ତୁମ୍ଭେମାନେ ହୁଏତ ଶୁଣି ହସିବ, ତୁମ୍ଭେମାନେ ମନେ ମନେ ଭାବ ବା ଚିନ୍ତା କରିଥାଅ, ପ୍ରୟୋଜନ ନ ହେଲେ କଥା କୁହନା; କିନ୍ତୁ ମୋ ମନରେ ଯେ ଭାବିବାର ବା ଚିନ୍ତା କରିବାର କିଛି ନାହିଁ । ତେଣୁ ମୁଁ ଏହି ନିର୍ଜନ ଦ୍ୱୀପରେ ସର୍ବଦା କଥା କହି ଚିତ୍କାର କରି ମନର ଭାବ ପ୍ରକାଶ କରୁଥାଏଁ ।

 

ଶୀତଋତୁ ଚାଲିଛି, ମୁଁ ଗୁହା ଗୃହ ମଧ୍ୟରେ କେବେ କାମ କରେ, କେତେବେଳେ ଶୋଇ ସମୟ କଟାଏ, କେତେବେଳେ ବା ବସି ବସି । ପୁଣି ଦିନେ ରାତିରେ ସେଇ ସ୍ୱର ଶୁଣିବାକୁ ପାଇଲି-। ମୋର ମନେହେଲା, କେତେବେଳେ ଜଣେ କଥା କହୁଛି, କେତେବେଳେ ଦୁଇଜଣ ପୁଣି ସମୟ ସମୟରେ ବହୁତ । ମୁଁ ମୋ ଘରର ଝରକା ଖୋଲି ବାହାର ଆଡ଼କୁ ଚାହିଁ ଦେଖିଲି,–ଯଦି କାହାରିକୁ ଦେଖିବାକୁ ପାଏ ! କିନ୍ତୁ କାହାକୁ ଦେଖିବି ? କେଉଁଠି ଦେଖିବି ? କ’ଣ ବା ଦେଖିବି-? ବାହାରେ ଯେ ଭୀଷଣ ଅନ୍ଧକାର । ପୁଣି ତରୁ ଶ୍ରେଣୀ ଦୈତ୍ୟଭଳି ଛିଡ଼ା ହୋଇ ସେଇ ଅନ୍ଧକାରକୁ ଆହୁରି ଭୀଷଣ କରି ତୋଳୁଛି । ମୁଁ ମୂର୍ଖଭଳି କେବଳ ଅଯଥାରେ ବାହାରକୁ ଅନାଇ ରହିଛି-

 

ଏବେ ମୁଁ ବେଶ୍‌ ବୁଝିପାରିଲି ଯେ, ଏହି ସ୍ୱର ପଶୁ ପକ୍ଷୀ କିମ୍ବା କୌଣସି ଅଜଣା ମାଛର ମଧ୍ୟ ନୁହେଁ । ମୋର ଦୃଢ଼ ବିଶ୍ୱାସ ଥିଲା, ଯାହାର ବାକ୍‌ଶକ୍ତି ଅଛି, ଏହି ସ୍ୱର ସେମିତି କୌଣସି ଏକ ପ୍ରାଣୀର ।

 

ଦିନେ, ଦିନ କିମ୍ବା ରାତି କହିପାରିବି ନାହିଁ । ମୁଁ ଖୁବ୍‌ ସ୍ପଷ୍ଟ ଭାବରେ ସେହି ସ୍ୱର ଶୁଣିବାକୁ ପାଇଲି । ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ମନରେ ଖୁବ୍‌ ସାହସ ସଞ୍ଚୟ କଲି ଏବଂ ବନ୍ଧୁକଟି ନେଇ ସାହସ କରି ବାହାରକୁ ଆସିଲି । ନିର୍ଜନ ନିବିଡ଼ ସେଇ ବନ ପଥରେ ଧୀରେ ଧୀରେ ଚାଲିଲି । ଶବ୍ଦ ଯେମିତି ଆହୁରି ସ୍ପଷ୍ଟ ହୋଇଆସିଲା । କ୍ରମେ ବନ ପାର ହେଲି, ଶବ୍ଦ ଆହୁରି ସୁନ୍ଦର, ଆହୁରି ସ୍ପଷ୍ଟ । ଅଦୂରରେ ହ୍ରଦର ଜଳ ଚକ୍‌ଚକ୍‌ କରୁଛି ।

 

ଏମିତି ସମୟରେ ମୋର ଦୃଷ୍ଟି ହ୍ରଦର ଯେଉଁ ଦିଗରୁ ଶବ୍ଦ ସ୍ପଷ୍ଟତର ହୋଇ ଆସୁଥିଲା, ସେଇ ଦିଗକୁ ପଡ଼ିଲା । ଦେଖିଲି କେତୋଟି ନୌକାଭଳି ଜିନିଷ ହ୍ରଦ ଜଳରେ ଭାସୁଛି ଏବଂ ସେହି ନୌକା ଭିତରେ କେହି କଥାବାର୍ତ୍ତା କରୁଛି । ସେମାନଙ୍କର ହାସ୍ୟରୋଳ ଚତୁର୍ଦ୍ଦିଗରେ ମୁଖରିତ ହୋଇ ଉଠୁଛି ।

 

କିନ୍ତୁ ଏହି ନୌକା-ଯାତ୍ରୀମାନେ କେଉଁ ପଥ ଦେଇ ଆସିଲେ ? ମୋର ମନେହେଲା, ମୁଁ ଯେଉଁ ସୁଡ଼ଙ୍ଗ ପଥରେ ଜଳସ୍ରୋତ ମଧ୍ୟ ଦେଇ ଆସିଥିଲି, ଏମାନେ ହୁଏତ ସେହି ପଥ ଦେଇ ଆସିଥିବେ । ମୁଁ ଟିକିଏ ଦୂରରେ ଥିଲି, ତେଣୁ ସେମାନଙ୍କର କଥାବାର୍ତ୍ତା ଶୁଣିପାରିଲି ନାହିଁ । ମୁଁ ନିଜ ମନକୁ ଏମାନଙ୍କ ସମ୍ବନ୍ଧରେ ବିଭିନ୍ନ କଳ୍ପନା ଜଳ୍ପନା କରି ଏମିତି ଆତ୍ମହରା ହୋଇପଡ଼ିଥିଲି ଯେ କିଛି କ୍ଷଣପାଇଁ ସେମାନଙ୍କ ଆଡ଼କୁ ଚାହିଁ ନ ଥିଲି ।

 

ହଠାତ୍‌ ଚକ୍ଷୁ ତୋଳି ଚାହିଁ ଦେଖିଲି ହ୍ରଦ ଉପରେ ଖଣ୍ଡିଏ ବୋଲି ନୌକା ନାହିଁ । ହ୍ରଦର ଆରପଟୁ ଦଳ ଦଳ ଲୋକ ଏ ଆଡ଼କୁ ଧାଇଁ ଆସୁଛନ୍ତି । ମୁଁ ଭୟରେ ବ୍ୟାକୁଳ ହୋଇପଡ଼ିଲି । କ’ଣ କରିବି ? ମୋ ଗୁହା-ଗୃହକୁ ଫେରିଯିବି ?

 

ନା, ତାହା କ’ଣ ସମ୍ଭବ ? କିନ୍ତୁ ଦେଖିଲି, ପୁଣି ସେମାନେ ଏହି ଆଡ଼କୁ ହ୍ରଦ ଉପରକୁ ଆସି ପାଣିରେ ଝାମ୍ପ ଦେବାକୁ ଲାଗିଲେ । ଗୋଟିଏ ଦଳ ପରେ ଆଉ ଗୋଟିଏ ଦଳ ଆସି ସନ୍ତରଣ କରିବାକୁ ଲାଗିଲେ । ତାହାପରେ ଦଳ ଦଳ ହୋଇ ପକ୍ଷୀ ଭଳି ଆକାଶରେ ଉଡ଼ି ଉଡ଼ି କୁଆଡ଼େ ଚାଲିଗଲେ । ଯେମିତି ଆକାଶ ତଳେ ପକ୍ଷୀ ସାରି ବାନ୍ଧି ଉଡ଼ିଯାଏ, ଏଇ ଅଜଣା ଦେଶର ଅଜଣା ପ୍ରାଣୀମାନେ ମଧ୍ୟ ସେମିତି ଦଳ ବାନ୍ଧି ସାରି ସାରି ହୋଇ ଉଡ଼ିଗଲେ । ସେମାନେ ଦେଖିବାକୁ କେମିତିକା, ପୋଷାକ ପରିଚ୍ଛଦ କିଭଳି, କି ପ୍ରକାର ସେମାନଙ୍କ କଥା, ମୁଁ କିଛିହେଲେ ଜାଣିପାରିଲି ନାହିଁ । କେଉଁଠାକୁ ଗଲା ଧାଡ଼ି ଧାଡ଼ି ନୌକା, ଶବ୍ଦ, ସଙ୍ଗୀତ ଓ ହାସ୍ୟରୋଳ, ସବୁ ଯେମିତି ନୀରବ ହୋଇଗଲା ।

 

ମୋର ଶିଳା ଗୃହକୁ ଫେରିଆସିଲି । ମୁଁ ଭାବିଲି, ମୋର କଳ୍ପନା ଓ ଅନୁମାନ ସତ୍ୟ ନୁହେଁ । ମୋର ମନେହେଲା ଏଠାରେ ମଣିଷ ନାହାନ୍ତି କିମ୍ବା ମଣିଷଭଳି କୌଣସି ପ୍ରାଣୀ ମଧ୍ୟ ନାହାନ୍ତି । କିନ୍ତୁ ଏବେ ଦେଖିଲି, ମୋର ଅନୁମାନ ସତ୍ୟ ନୁହେଁ । ଏଠାରେ ଦେବତା ବା ପରୀ ଏଭଳି ଦଳେ କୌଣସି ଶକ୍ତିଶାଳୀ ଅଜ୍ଞାତ ଜୀବର ଅସ୍ତିତ୍ୱ ଅଛି । ମୁଁ ଘରକୁ ଫେରି ଏଇ ବିଛଣାରେ ଶୋଇ ଯାହା ମନେ ମନେ ଚିନ୍ତା କରୁଛି, ହୁଏତ ସେକଥା ସେମାନେ ଜାଣିପାରୁଛନ୍ତି ।

 

ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି, କହିଲି–ହେ ଈଶ୍ୱର ! ମୋତେ ଶକ୍ତି ଦିଅ ଯେମିତି ଏ ବିପଦ ହସ୍ତରୁ ମୁକ୍ତ ହୋଇପାରିବି । ମୁଁ ଏ ଦ୍ୱୀପରେ ଏବେ ସୁଦ୍ଧା କୌଣସି ହିଂସ୍ର ପ୍ରାଣୀର ସନ୍ଧାନ ପାଇନାହିଁ, ଜୀବଜନ୍ତୁର ମଧ୍ୟ କୌଣସି ଆଶଙ୍କା ନାହିଁ । କିନ୍ତୁ କାଲି ଯାହା ଦେଖିଲି, ସେଥିରେ ମୋ ପ୍ରାଣରେ ଭୀଷଣ ଭୟ ସଞ୍ଚାର ହୋଇଛି । ବୁଝିଲି ମୋ ସମ୍ମୁଖରେ ଭୀଷଣ ବିପଦ ଉପସ୍ଥିତ । ଜାଣେନା, କେମିତି ଆତ୍ମରକ୍ଷା କରିବି ।

 

ଏମିତି ଭାବରେ କେତୋଟି ଦିନ କଟିଗଲା । ଅନବରତ ଏଇ ଦୃଶ ଦେଖିବାକୁ ଲାଗିଲି-। କିନ୍ତୁ ସେମାନେ କୌଣସି ଦିନ ମୋ ଗୁହା ଗୃହ ଆଡ଼କୁ ଆସି ନ ଥିଲେ ।

 

ଦିନେ ବସି କେତେ ଅନାବନା କଥା ଭାବୁଥିଲି । ବିଶେଷ କରି ମୋ ଘର କଥା ମନରେ ପଡ଼ୁଥିଲା । କେଉଁଠି ଭାରତ ଅନ୍ତର୍ଭୁକ୍ତ ମୋର ସେଇ ଶସ୍ୟଶାମନଳ ସୁନ୍ଦର ଦେଶ ଓଡ଼ିଶା, ଆଉ କେଉଁଠି ମୁଁ ? କିଏ ଜାଣେ ଏ ଜୀବନରେ ଆଉ କେବେ ଭାରତକୁ ଫେରିପାରିବି କି ନା । ହେ ଭଗବାନ ! ମୃତ୍ୟୁ ପୂର୍ବରୁ ଥରେ ମାତ୍ର ଜନ୍ମଭୂମି ସ୍ପର୍ଶ କରିବାକୁ ଚାହେଁ, ମୋର ପୂଜ୍ୟ ଶିକ୍ଷକଙ୍କ ଚରଣ ସ୍ପର୍ଶ କରିବାକୁ ଚାହେଁ । ଶିକ୍ଷକ ମହାଶୟଙ୍କ କଥା ଅମାନ୍ୟ କରି ବହୁ କ୍ଳେଶ ସହ୍ୟ କଲିଣି, ବହୁ ଯନ୍ତ୍ରଣା ଭୋଗିଲିଣି । ମୁଁ ଆଉ ସହିପାରୁନି ଭଗବାନ, ଏହି ଅଜ୍ଞାତ ଦ୍ୱୀପରେ ନିର୍ବାସିତ ଜୀବନ ଆଉ କେତେଦିନ କଟାଇବି ? ଏ ଜୀବନରେ କ’ଣ ଜଣେ ମଣିଷର ମୁହଁ ଚାହିଁପାରିବି ନାହିଁ ?

 

ଠିକ୍‌ ଏତିକିବେଳେ ମନେହେଲା କ’ଣ ଗୋଟିଏ କଠିନ ପଦାର୍ଥ ମୋ କାଠ ଘରର ଛପର ଉପରେ ଆସି ପଡ଼ିଗଲା । ଛାତ ଦୋହଲି ଉଠିଲା । ମୁଁ ସାହସ ସଞ୍ଚୟ କରି ବାହାରକୁ ବାହାରି ଆସିଲି । ଝରକା ଭିତର ଦେଇ ମୋ ଘରର କ୍ଷୀଣ ଆଲୁଅ ବାହାରକୁ ପଡ଼ିଛି । ସେଇ ଆଲୋକରେ ଦେଖିଲି, ମଣିଷଭଳି କ’ଣ ଗୋଟିଏ ଜୀବ ମୋ ଘର ସମ୍ମୁଖସ୍ଥ ଚଟାଣ ଉପରେ ପଡ଼ିଛି ।

 

ମୁଁ ଚିତ୍କାର କରି ପଚାରିଲି–କୁହ, କିଏ ତୁମେ ?

 

କୌଣସି ଉତ୍ତର ନାହିଁ ।

 

ମୁଁ ନୀରବରେ ନିର୍ବାକ ନିସ୍ତବ୍‌ଧଭଳି ସ୍ଥାଣୁ ହୋଇ କିଛିକ୍ଷଣ ଚାହିଁରହିଲି । ତାହାପରେ ଉପତିତ ମୂର୍ତ୍ତି ଆଡ଼କୁ ଚାହିଁ ଦେଖିଲି, ଜଣେ ଖୁବ୍‌ ସୁନ୍ଦର ଗୌରବର୍ଣ୍ଣର ଯୁବକ ମାଟିରେ ଅଜ୍ଞାନ ହୋଇ ପଡ଼ିରହିଛି । ତାହାର ପଛରେ ପକ୍ଷୀର ପରଭଳି କ’ଣ ଗୋଟିଏ ଝୁଲି ପଡ଼ିଛି ।

 

ମୁଁ ସେଇ ମୂର୍ଚ୍ଛାହତ ଯୁବକକୁ ଦୁଇ ହାତରେ ଉଠାଇ ଘର ଭିତରକୁ ନେଇଆସିଲି ଏବଂ ବିଛଣାରେ ଶୁଆଇଦେଲି ।

 

ଏବେ ପ୍ରଦୀପର ବତୀଟିକୁ ଆହୁରି ଟିକିଏ ତେଜି ଦେଲି । ସେଇ ଉଜ୍ଜ୍ୱଳ ଆଲୋକରେ ଦେଖିଲି ଯୁବକଟି ଟିକିଏ ଚକ୍ଷୁ ଖୋଲି ଚାହିଁଛନ୍ତି । ମୁଁ ତାଙ୍କ ଛାତିରେ ହାତ ଦେଇ ଦେଖିଲି ଛାତିର ସ୍ପନ୍ଦନ ଖୁବ୍‌ ଦ୍ରୁତତର । ତେଣୁ ସେ ଉଚ୍ଚ ସ୍ଥାନରୁ ପଡ଼ି ଗୁରୁତର ଆହତ ହୋଇଥିବାର ଜାଣିଲି ।

 

ମୁଁ ଯେଉଁ ମୋ ନିକଟରେ ଫରାସୀ ଦେଶର ସେଇ ଉତ୍କୃଷ୍ଟ ପାନୀୟ ଯାହା ଅତି ଯତ୍ନରେ ସଂଗ୍ରହ କରି ରଖିଥିଲି, ତାହା ଟିକିଏ ଟିକିଏ କରି ତାହାଙ୍କୁ ପାନ କରାଇଲି । ଏମିତି ଭାବରେ ଅନେକ ସମୟ କଟିଗଲା । କିଛିକ୍ଷଣ ପରେ ଯୁବକଟି କ’ଣ ଯେ ଶବ୍ଦ ଉଚ୍ଚାରଣ କଲେ, ମୁଁ ତାହା ଏକବର୍ଣ୍ଣ ସୁଦ୍ଧା ବୁଝିପାରିଲି ନାହିଁ ।

 

ମୁଁ ତାହାଙ୍କୁ ମୋ ଭାଷାରେ ଅନେକ କଥା ପଚାରିଲି; କିନ୍ତୁ ସେ ଗୋଟିଏ କଥାର ମଧ୍ୟ ଉତ୍ତର ନ ଦେଇ ପୁଣି ଚକ୍ଷୁ ବନ୍ଦ କଲେ ।

 

ମୁଁ ତାହାଙ୍କୁ ଆଉ କୌଣସି ପ୍ରଶ୍ନ ନ ପଚାରି ମୋ ପାଖ ଘରକୁ ଯାଇ ଶୋଇପଡ଼ିଲି ।

 

(ଚଉଦ)

 

ମୋ ଘରେ ଏହି ଅଜ୍ଞାତ ତରୁଣ ଅତିଥି କ୍ରମେ ସୁସ୍ଥ ହୋଇଉଠିଲେ । ତାଙ୍କ ମୁହଁରେ କେମିତି ଗୋଟିଏ ବିଷଣ୍ଣ ଭାବ, ଚାହାଣି ଭିତର ଦେଇ ପ୍ରକାଶ ପାଉଥିଲା । ମୁଁ ତାହା କିଛି ବୁଝିପାରୁନଥିଲି । ଯେଉଁ କଥା କହୁଥିଲେ, ବୁଝୁ ନ ଥିଲି । ଏମିତି ଭାବରେ ଏକପକ୍ଷ କାଳ କଟିଗଲା । ଏକ ନିର୍ଜନ ଦ୍ୱୀପରେ ଯଦି ବା ଜଣେ ସଙ୍ଗୀ ପାଇଲି, ତାହା ସହିତ କଥା କହନ୍ତି, ତା’ ନିଜ କଥା ଶୁଣନ୍ତି–ଏମିତି ମୋର କେତେ କଳ୍ପନା କେବଳ କଳ୍ପନାରେ ରହିଗଲା ।

 

ଏଥିରେ ମୋ ପିଇବା ପାଣି ଶେଷ ହେବାକୁ ବସିଲା । କିନ୍ତୁ ଭୟ ହେଉଥିଲା, ମୋର ପାଣି ଆଣିବାରେ ବିଳମ୍ବତା ଯୋଗୁଁ ବନ୍ଧୁ ଯଦି ସେଇ ସୁଯୋଗରେ ଚାଲିଯାଆନ୍ତି ! କିଏ ଜାଣେ କାହିଁକି ତାଙ୍କ ପ୍ରତି ମୋର ଗୋଟିଏ ମାୟା ଜନ୍ମି ଯାଇଥିଲା । ହୁଏତ ସେ ଚାଲିଯିବେ ଏଇ ଆଶଙ୍କାରେ ମୁଁ ଶଙ୍କିତ ହୋଇଉଠିଲି । ଆମେ ଯଦିଓ କେହି କାହାରି କଥା ବୁଝିପାରୁନଥିଲୁଁ, ତଥାପି ଇଙ୍ଗିତଦ୍ୱାରା ଆମେ ପରସ୍ପର ଅନେକ କଥା କହୁଥିଲୁଁ ।

 

ମୁଁ ପାଣି ଆଣିବାକୁ ଯିବା ସମୟରେ ଇଙ୍ଗିତଦ୍ୱାରା ମୋ ମନର କଥା ବୁଝାଇଦେଲି । ସେ ମଧ୍ୟ ମୋତେ ବୁଝାଇଦେଲା ଯେ–ନା, ସେ ମୋତେ ଏହି ନିର୍ଜନ ଦ୍ୱୀପରେ ଏକୁଟିଆ ଛାଡ଼ି ପଳାଇ ଯିବ ନାହିଁ । ତଥାପି ମୁଁ ଯିବା ସମୟରେ ବାହାର ଦରଜାଟା ଟାଣି ଖୁବ୍‌ ଶକ୍ତ କରି ଦଉଡ଼ିଦ୍ୱାରା ବାନ୍ଧିଦେଲି ।

 

ତାହାପରେ ମୁଁ ପାଣିପତ୍ର ଓ ଜାଲଟିଏ ଧରି ବାହାରିଗଲି । ହ୍ରଦ ନିକଟକୁ ଯାଇ ପାଣିରେ ନୌକା ଭସାଇଲି ଏବଂ ଆଜି ଅନେକ ଛୋଟ ମାଛ ଧରିଲି । ତାହାପରେ ପାଣି ନେଇ ଗୁହାକୁ ଫେରି ଦେଖିଲି ବନ୍ଧୁ କୁଆଡ଼େ ଯାଇନାହାନ୍ତି, ସେମିତି ସେ କାନ୍ଥକୁ ଆଉଜି ବସିଛନ୍ତି । ଏମିତି ଭାବରେ କେତୋଟି ମାସ ବିତିଗଲା । ଏହା ମଧ୍ୟରେ ଆମେ ଦୁଇ ଜଣ ଦୁଇ ଜଣଙ୍କ ଭାଷା ଶିଖିଯାଇଥିଲୁ । ସେ ଯେମିତି ମୋର ଓଡ଼ିଆ ଭାଷା ବୁଝିପାରୁଥିଲେ, ମୁଁ ମଧ୍ୟ ସେମିତି ତାଙ୍କ ଭାଷା କହିପାରୁଥିଲି ।

 

ପୁଣି ଆଲୋକର ଦିନ ଫେରିଆସିଲା । ଆକାଶରେ ସୂର୍ଯ୍ୟ ଉଇଁଲେ । କିନ୍ତୁ ବନ୍ଧୁ ଏହି ସମୟରେ ଗୋଟିଏ ଦିନପାଇଁ ଘର ବାହାରକୁ ବାହାରିଲେ ନାହିଁ । ମାତ୍ର ପ୍ରତ୍ୟେକ ଗୃହ କାର୍ଯ୍ୟରେ ସେ ମୋତେ ଅନେକ କଥା କହୁଥିଲେ, ଯେଉଁଥିରେ କି ମୋର ବହୁତ ଉପକାର ହେଲା । ସେ ମୋତେ ଅନେକ କଥା କହୁଥିଲେ । କିନ୍ତୁ ସେ କେଉଁ ଦେଶରୁ ଆସିଛନ୍ତି, କିଏ ତାଙ୍କର ଅଛି–ଏହି ଛ’ମାସ କାଳ ଏଠାରେ ରହିବା ସମୟରେ ମଧ୍ୟ କହିନାହାନ୍ତି ।

 

ଦିନେ କହିଲି, ‘‘ଚାଲ ଏକ ସଙ୍ଗରେ ଦୁଇ ଜଣ ହ୍ରଦଆଡ଼େ ବୁଲିଯିବା ।

 

ସେ ମୋ ସହିତ ବାହାରକୁ ଆସି କହିଲେ, ‘‘ଚାଲ, ବୁଲିଯିବା । ମୁଁ କେବେ ଜଙ୍ଗଲର ବାହାରକୁ ଯିବି ନାହିଁ ।’’

 

ହଁ ଗୋଟିଏ କଥା କହିବାକୁ ଭୁଲିଯାଉଛି, ଏଇ ତରୁଣ ବନ୍ଧୁଙ୍କର ପୋଷାକ ସମ୍ବନ୍ଧରେ–ତାଙ୍କ ପୋଷାକ ରେଶମରେ ତିଆରି ଏବଂ ସାରା ଦେହ ସହିତ ଯେମିତି ଲାଖିକରି ରହିଛି । ସେ ପୋଷାକ କେବେ ଉତାରିବାର ମୁଁ ଦେଖି ନାହିଁ ।

 

ମୁଁ ଚାଲୁ ଚାଲୁ ପଚାରିଲି, ‘‘ତୁମେ କ’ଣ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ?

 

ସେ କହିଲେ, ‘‘ହଁ ।’’

 

‘‘ତୁମେ କେଉଁ ଦେଶରୁ ଏଠାକୁ ଆସିଲ ଏବଂ କିପରି ତୁମର ଏମିତି ଅବସ୍ଥା ହେଲା ?’’

 

‘‘ତୁମେ କହୁନ, କେମିତି ଏ ଅଜଣା ଦ୍ୱୀପକୁ ତୁମେ ଆସିଲ ?’’

 

ମୁଁ ମୋ ଜୀବନର ସମସ୍ତ କଥା ଦୁଃଖର ସହିତ ବର୍ଣ୍ଣନା କଲି ।

 

ସେ ସମଦୁଃଖୀ ହୋଇ କହିଲେ, ‘‘ତୁମେ ଏତେ କଷ୍ଟ ସହି ଏଠାରେ ରହିଲ କାହିଁକି ? ତୁମର ଦେଶକୁ ଫେରି ଯାଇପାରିଥାଆନ୍ତ !’’

 

କହିଲି, ‘‘ତାହା ଯଦି ପାରିଥାନ୍ତି, ତାହାହେଲେ କି ଏମିତି ଭାବରେ ଦିନ ପରେ ଦିନ ଏତେ ଦୁଃଖ କଷ୍ଟରେ କଟାଇଥାନ୍ତି, ବହୁତ ଦିନ ଆଗରୁ ଫେରିଯାଇଥାନ୍ତି । ଜାଣେନା କେମିତି କେଉଁ ପଥ ଦେଇ ଏ ଦେଶରୁ ବାହାରିବାର ରାସ୍ତା ଅଛି । ମୁଁ ତ ଏ ଦେଶର ପଥଘାଟ, ବଣ ଜଙ୍ଗଲ, ପାହାଡ଼ ପର୍ବତ ତନ୍ନ ତନ୍ନ କରି ଅନୁସନ୍ଧାନ କଲିଣି; କିନ୍ତୁ କେଉଁଠି ହେଲେ ପଥର ସନ୍ଧାନ ପାଇଲି ନାହିଁ । ମୋର ମନେହୁଏ, ଯେତେଦିନ ବଞ୍ଚି ରହିବି; ସେତେଦିନଯାଏ ଏଇ ନିର୍ଜନ ଦ୍ୱୀପରେ ନିର୍ବାସିତ ଅବସ୍ଥାରେ ଜୀବନ କଟାଇବାକୁ ହେବ ।’’

 

ସେ କହିଲେ ‘‘କାହିଁକି ? ତୁମେ ତ ସହଜରେ ଦେଶକୁ ଫେରିଯାଇପାରିବ । ସ୍ୱୀକାର କରୁଛି,–ନଦୀ, ନାଳ, ପର୍ବତ, ବଣ, ଜଙ୍ଗଲ ତୁମର ପଥରୁଦ୍ଧ କରିଛି । କିନ୍ତୁ ଏହି ନୀଳ ଆକାଶର ଅନନ୍ତ ବିସ୍ତାର ତ ତୁମପାଇଁ କେହି ରୋଧ କରିନାହିଁ । ମୋର ମନେହୁଏ, କିଏ ଜାଣେ ତୁମେ କେଉଁ ଅପରାଧ କରିଛ, ସେଇଥିପାଇଁ ତୁମର ଉଡ଼ିବା ଶକ୍ତିରୁ ତୁମେ ବଞ୍ଚିତ । କିନ୍ତୁ ଭାଇ, ତୁମକୁ ଦେଖି ତ ଖୁବ୍‌ ଭଲ ମଣିଷ ବୋଲି ମନେହୁଏ, ତୁମେ ମୋ ସଙ୍ଗରେ ଏମିତି ବ୍ୟବହାର କରୁଛ ଯେ ମୁଁ କେବେ କଳ୍ପନା କରିପାରୁ ନାହିଁ ଯେ ତୁମେ ପୁଣି ଅପରାଧ କରିପାର ।

 

ମୁଁ ଆଶ୍ଚର୍ଯ୍ୟ ହେଲି, ଏ କ’ଣ କହୁଛନ୍ତି !

 

ପୁଣି ସେ କହିଲେ, ‘‘ତୁମେ କେଉଁ ପାହାଡ଼ରୁ ଓହ୍ଲାଇଲ ?’’

 

କହିଲି ‘‘ବନ୍ଧୁ ! ତୁମକୁ କହିଛି, ମୁଁ କୌଣସି ପାହାଡ଼ରୁ ଓହ୍ଲାଇ ନାହିଁ । ମୁଁ ସମୁଦ୍ର ଉପରେ ଭାସି ଭାସି ହ୍ରଦର ଏଇ ଦକ୍ଷିଣ ଦିଗରେ ଯେଉଁ ସୁଡ଼ଙ୍ଗ ଦେଖାଯାଉଛି, ଯେଉଁ ସୁଡ଼ଙ୍ଗ ପଥରେ ସମୁଦ୍ରର ଜଳ ଆସି ହ୍ରଦରେ ପ୍ରବେଶ କରିଛି, ମୁଁ ସେହି ପଥ ଦେଇ ଏହି କ୍ଷୁଦ୍ର ନୌକାରେ ଆସିଛି । ଚାଲ, ମୁଁ ତୁମକୁ ମୋର ସେହି ନୌକା ଏବଂ ସୁଡ଼ଙ୍ଗ ପଥ ଦେଖାଇବି ।

 

ଆମେ ଦୁଇଜଣ ଚାଲୁଁ ଚାଲୁଁ ହ୍ରଦ ପାଖରେ ଆସି ପହଞ୍ଚିଲୁ ଏବଂ ମୁଁ ତାହାଙ୍କୁ ମୋର ନୌକାଟି ଦେଖାଇଲି । ସେ ଏହା ଏକ ଆଶ୍ଚର୍ଯ୍ୟ ଜିନିଷ ବୋଲି କହି ହସିଲେ ।

 

ମୁଁ ନୌକା ଉପରେ ବସି କିଛିବାଟ ହ୍ରଦ ମଧ୍ୟକୁ ଚାଲିଗଲି । ମୋର ନୌକା ଚଳାଇବା ଦେଖି ସେ କହିଲେ, ‘‘ମୋତେ ମଧ୍ୟ ତୁମ ନୌକାକୁ ଉଠାଇନିଅ ।’’

 

ତାହାଙ୍କୁ ନୌକାରେ ଉଠାଇନେଇ କିପରି ମୁଁ ପିଇବା ପାଣି ନିଏ, କିମିତି ମାଛ ଶିକାର କରେ, ସମସ୍ତ ଗୋଟି ଗୋଟି କରି ଦେଖାଇଲି । ଶିଶୁ ଯେମିତି ସବୁ ଜିନିଷ ଉପରେ ଗୋଟିଏ କୌତୂହଳୀ ଦୃଷ୍ଟି ନିକ୍ଷେପ କରିଥାଏ, ମୋ ସଙ୍ଗୀ ମଧ୍ୟ ସେମିତି ଭାବରେ ଲକ୍ଷ୍ୟ କରିବାକୁ ଲାଗିଲେ-

 

ମୁଁ କହିଲି, ‘‘ମୋର ଏହି ନୌକାଟି ଅନେକ ଦୂର ଦେଶରେ ତିଆରି ହୋଇଛି; ଏଠାରୁ ହଜାର ହଜାର ମାଇଲ ଦୂର । ଏଇ ନୌକା ଖଣ୍ଡି ଚଢ଼ି ଯେ ମୁଁ ଏତେ ଦୂର ଦେଶରୁ ଆସିବି, ଏମିତି କଳ୍ପନା ମୋର ହୋଇ ନାହିଁ ।

 

ଏମିତି ନାନା ଗଳ୍ପ ମଧ୍ୟରେ ସନ୍ଧ୍ୟା ହୋଇଆସିଲା । ରାତ୍ରି ହେଲା, ଆଜି ସାଙ୍ଗରେ ବନ୍ଧୁକ ନାହିଁ, ତେଣୁ ମୁଁ ଟିକିଏ ଭୀତ ହୋଇପଡ଼ିଲି, ହୁଏତ ରାସ୍ତାରେ କୌଣସି ବିପଦ ଘଟିବାର ସମ୍ଭାବନା କରି । ଏବେ ଆମେ ତୀରରେ ଓହ୍ଲାଇଛୁ । ଆଜିଭଳି ମୋ ବନ୍ଧୁଙ୍କୁ ଆଉ କେବେହେଲେ ଏମିତି ପ୍ରଫୁଲ୍ଲ ହେବାର ଦେଖିନାହିଁ, ସେ ଆନନ୍ଦରେ ଯେପରି ଉତ୍‌ଫୁଲ୍ଲିତ ହୋଇପଡ଼ୁଥିଲେ । ତୀରରେ ତରୀ ଲଗାଇଲି, ଦୁହେଁ ଗୁହା ଅଭିମୁଖରେ ଚାଲିଲୁ । ସେତେବେଳକୁ ସନ୍ଧ୍ୟା ଅପସରିଯାଇଥିଲା ।

 

ଦୁଇ ଜଣ ଏକ ସଙ୍ଗରେ କେତେ ଖୁସି ଗପ ହୋଇ ଚାଲିଥିଲୁଁ । କିନ୍ତୁ ସହସା ସେ ମୋ ନିକଟରୁ କିଛି ପାଦ ଆଗେଇଯାଇ ଅଳ୍ପ ଉଚ୍ଚ ଶୂନ୍ୟକୁ ଉଠିପଡ଼ିଲେ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ପୁଣି ସେ ତଳକୁ ଆସିଲେ ।

 

ମୁଁ ଭୀତ ଓ ଚମକିତ ହୋଇ ଚାହିଁ ଦେଖୁଛି, ସେ ହସି କହିଲେ, ‘‘ତୁମେ ଏପରି ଭୟ କରୁଛ କାହିଁକି ବନ୍ଧୁ ? ତୁମେ ଯେପରି ନୌକାରେ ଚଢ଼ି ବୁଲି ଆସିଲ, ମୁଁ ମଧ୍ୟ ସେମିତି ଆକାଶରେ ଉଡ଼ି ଘୂରି ଆସିଲି । ତୁମର ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯିବାକୁ ଅନେକ ସମୟ ଲାଗେ; କିନ୍ତୁ ମୋର ବେଶୀ ସମୟ ଲାଗେନା । ମୋର ମନେହୁଏ ତୁମ ଓ ମୋ ମଧ୍ୟରେ ଅନେକ ଦିଗରେ ପାର୍ଥକ୍ୟ । ହୁଏତ ମୁଁ ଆଉ ତୁମେ ଭିନ୍ନ ଭିନ୍ନ ଜଗତର ଲୋକ । ମୁଁ ଯେମିତି ଉଡ଼ିପାରେ, ତୁମେ ପାରନା,–ଏହି କଥା କହୁଁ କହୁଁ ସହସା ସେ ହ୍ରଦ ଆଡ଼କୁ ଉଡ଼ି ଚାଲିଗଲେ ।

 

ଚାହୁଁ ଚାହୁଁ ସେହି କ୍ଷୀଣ ଆଲୋକ ଭିତରେ ଏକାବେଳକେ ଅଦୃଶ୍ୟ ହୋଇଗଲେ ।

 

ମୁଁ ସ୍ତମ୍ଭିତ ।

 

ଭାବିଲି, ଜୀବନରେ ଏମିତି ଦୃଶ୍ୟ କେବେ ଦେଖିବି, ଏ କଳ୍ପନା ମଧ୍ୟ କରିନି । ମଣିଷ କ’ଣ କେବେ ଏମିତି ଉଡ଼ିପାରେ ? ପିଲାକାଳରେ ଜେଜେମା’ ପାଖରୁ ଶୁଣିଥିଲି, ଆକାଶରେ ପରୀମାନେ କେବଳ ଉଡ଼ିବୁଲନ୍ତି । ଏମାନେ କ’ଣ ସେହି ପରୀ ରାଇଜର ଲୋକ ! କିନ୍ତୁ ସେଦିନ ସେ ଯେତେବେଳେ ମୋ ଘର ପାଖରେ ମୂର୍ଚ୍ଛିତ ହୋଇ ପଡ଼ିଯାଇଥିଲେ, ସେତେବେଳେ ତ ତାହାଙ୍କୁ ଠିକ୍‌ ମୋରି ଭଳି ରକ୍ତମାଂସ ଗଢ଼ା ମଣିଷ ବୋଲି ଅନୁଭବ କରିଥିଲି ।

 

ଯାହାହେଉ ଏହି କେତେଦିନ ହେଲା ଏକ ସଙ୍ଗରେ ରହି ଆଜ୍ଞାତ ଦେଶର ଏହି ତରୁଣ ଅତିଥିଙ୍କ ପ୍ରତି ମୋର ଗୋଟିଏ ଆକର୍ଷଣ ଜନ୍ମି ଯାଇଥିଲା । ଦୁହିଁଙ୍କ ମଧ୍ୟରେ ମମତା ଏତେ ବଢ଼ିଯାଇଥିଲା ଯେ ଆଜି ତାହାଙ୍କୁ ହରାଇ ମୋ ପ୍ରାଣରେ ଏକ ଅବ୍ୟକ୍ତ ବେଦନା ଅନୁଭବ କରିବାକୁ ଲାଗିଲି ।

 

ମୁଁ ମନେ ମନେ ଏହି କଥା ଭାବୁଛି, ଏମିତି ସମୟରେ ସେ ଫେରିଆସିଲେ ।

 

ସେ ମୋ ପାଖରେ ଛିଡ଼ା ହୋଇ କହିଲେ, ‘‘ତୁମେ ହୁଏତ ଭାବିଥିବ, ମୁଁ ତୁମକୁ ଛାଡ଼ି ଚାଲିଗଲି । କିନ୍ତୁ ତାହା କ’ଣ ହୁଏ ବନ୍ଧୁ ! ତୁମେ ଯେ ମୋର ଜୀବନ ରକ୍ଷା କରିଛ, ପୁଣି ଏଇ କେତେଦିନ ହେଲା ଆଦର ଯତ୍ନ କରି ସବୁ ବ୍ୟବସ୍ଥା କରିଛ, ସେଥିପାଇଁ ମୁଁ ତୁମକୁ ଏକୁଟିଆ ଛାଡ଼ି ଚାଲିଯିବାକୁ ଚାହିଁଲି ନାହିଁ, ମୋ ବିବେକ ବାଧା ଦେଲା । ଏଇ ନିର୍ଜନ ଦ୍ୱୀପରେ ମୁଁ ତୁମର ସଙ୍ଗୀ, ବନ୍ଧୁ ହେବି, ମୁଁ ତୁମକୁ ସାହାଯ୍ୟ କରିବି । ଜାଣେନା ତୁମର ଦେଶ କିପରି, ତୁମମାନଙ୍କ ଜୀବନ ଯାତ୍ରା ପ୍ରାଣାଳୀ କିପରି, ତଥାପି ମୁଁ ତୁମ ସଙ୍ଗରେ ରହିବି ।’’

 

ମୁଁ ତାହାଙ୍କୁ ଫେରିପାଇ ଏତେ ଆନନ୍ଦିତ ହୋଇଯାଇଥିଲ ଯେ, ମୁଁ ଜାଣିପରିଲି ନାହିଁ ଯେ ସେ କିପରି ଆକାଶରେ ଉଡ଼ନ୍ତି । ତାହାହେଲେ କ’ଣ ତାଙ୍କ ଦେହର ଗଠନ ପ୍ରଣାଳୀ ସହିତ ମୋ ଦେହର ଗଠନ ଓ ପ୍ରକୃତି ଅନେକ କିଛି ପ୍ରଭେଦ,–ଜାଣେନା ।

 

(ପନ୍ଦର)

 

ତହିଁ ପରିଦିନ ପ୍ରତ୍ୟୁଷରେ ମୁଁ ତାହାଙ୍କୁ ପଚାରିଲି, ‘‘ଏଇ ଦୀର୍ଘ ସମୟ ମଧ୍ୟରେ ଆମ୍ଭମାନେ ପରସ୍ପର ଯେଉଁ ପରିଚୟ ପାଇଛୁ, ତାହା ଅତି ସଂକ୍ଷିପ୍ତ । ଆଜି ଯଦି ତୁମେ ତୁମ ଦେଶର କଥା ମୋତେ କୁହ, ତୁମର ଆତ୍ମୀୟସ୍ୱଜନର କଥା କୁହ, ତାହାହେଲେ ମୁଁ ଆନନ୍ଦିତ ହେବି-

 

ସେ କିୟତ୍‌କ୍ଷଣ ଚୁପ୍‌ ହୋଇ ରହିଲେ । ମୁଁ ଘର କୋଣରେ ଆମ୍ଭମାନଙ୍କ ଖାଦ୍ୟ ପ୍ରସ୍ତୁତ କରୁଥିଲି । ମୁଁ ତାହାଙ୍କୁ ପୁଣି ପଚାରିଲି, ‘‘ତୁମେ କିପରି ମୋର ଏଇ ଗୁହା-ଗୃହ ନିକଟରେ ଆସି ପହଞ୍ଚିଲ, ସେ କଥା ଜାଣିବାପାଇଁ ମୁଁ ଅତ୍ୟଧିକ କୌତୂହଳୀ ହୋଇଉଠିଛି ।’’

 

ଏବେ ସେ ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଲେ, ‘‘ମୋର ନାମ ଇଉଓୟାରକି । ତୁମେ ଭାବିଛ, ପାହାଡ଼ ଆରପାରିରେ ମୋ ଦେଶ, ଏ କଥା କିନ୍ତୁ ସତ୍ୟ ନୁହେଁ । ମୋର ଦେଶ ଯେ ଅନେକ,–ଅନେକ ଦୂର । ଦେଶର କଥା, ପରିବାର ପରିଜନ କଥା ଆଉ କେତେବେଳେ କହିବି । ମୁଁ ତୁମର ଏଠାକୁ ଆସି କିପରି ଆହତ ହୋଇପଡ଼ିଲି, ଆଜି ସେଇ କଥା ଶୁଣ–ବର୍ଷର ଗୋଟିଏ ବିଶେଷ ଦିନରେ ଆମ୍ଭମାନଙ୍କ ଦେଶର ସମସ୍ତ ତରୁଣ ଏଇ ହ୍ରଦର ଜଳରେ, ଏଇ ଶ୍ୟାମଳ ବନଧାରରେ, ଏଇ ଖୋଲା ତୃଣାଚ୍ଛାଦିତ ବନଭୂମିରେ ଆସି ବୁଲାବୁଲି କରି, ଶିକାର କରି ଜଳଖେଳା କରି, କିଏ ବା କାହା ପଛରେ ଦୌଡ଼ାଦୌଡ଼ି କରି, କିଏ କାହାକୁ ଧାଇଁଯାଇ ଧରିବ । ଏମିତି ଭାବରେ ଶିକାର, ଦୌଡ଼ାଦୌଡ଼ି, ଲୁଚକାଳି ଏବଂ ଆନନ୍ଦ କୌତୁକ ମଧ୍ୟ ଦେଇ ଆମ୍ଭମାନଙ୍କ ଦିନ ବିତେ ।’’

 

‘‘ସେ ଦିନ ମୋତେ ଧରିବାପାଇଁ ଜଣେ ସଙ୍ଗୀ ମୋ ପଛରେ କ୍ଷୀପ୍ର ଗତିରେ ଉଡ଼ିବୁଲିଲା ଦେଖି ହଠାତ୍‌ ମୁଁ ତଳକୁ ଖସି ଆସିଲି । ସେ ହଠାତ୍‌ ମୋ ପକ୍ଷ ଉପରେ ଜୋରରେ ଏମିତି ଏକ ଝାପ୍‌ଟା ଦେଲା ଯେ ମୁଁ ଅପ୍ରସ୍ତୁତ ଅବସ୍ଥାରେ ସେହି ଆଘାତରେ ତଳେ ପଡ଼ିଗଲି । ଏଇ ଯେଉଁ ବଡ଼ ଗଛଟି ଦେଖୁଛ; ଝାପଟାର ଆଘାତରେ ମୁଁ ଆହତ ହୋଇ ସେହି ବଡ଼ ଗଛଟି ଉପରେ ପଡ଼ିଗଲି, ମୋର ପକ୍ଷ ସେଇଥିରେ ଅଟକିଗଲା । ମୋର ଉଡ଼ିବାର ପୋଷାକକୁ ଆମ୍ଭେମାନେ ଗ୍ରୌନ୍‌ଦି କହୁଁ, ତାହାଦ୍ୱାରା ଆଉ ନିଜକୁ ଧରି ରଖିପାରିଲି ନାହିଁ । ନିଜେ ଜ୍ଞାନହରା ହୋଇ ତୁମରି ଗୁହା ନିକଟରେ କଚାଡ଼ି ହୋଇପଡ଼ିଲି । ମୁଁ ପଡ଼ିବା ସମୟରେ କୌଣସି ପ୍ରକାର ସାହାଯ୍ୟ ଚାହୁଁଥିଲି କି ନା ମନେ ନାହିଁ । ଯଦି ବା ଚାହିଁଥାଏ, ତାହାହେଲେ ମୋର ସଙ୍ଗୀ ଶୁଣିନାହାନ୍ତି । ଶୁଣିବାକୁ ପାଇଥିଲେ ସେ ନିଶ୍ଚୟ ଦୌଡ଼ି ଆସିଥାଆନ୍ତେ । ଜାଣେନା ତୁମେ ଯଦି ମୋତେ ସାହାଯ୍ୟ କରି ନ ଥାଆନ୍ତ, ତାହାହେଲେ ମୋର ଜୀବନ ରକ୍ଷା ହୋଇଥାଆନ୍ତା କି ନା !’’

 

ମୁଁ କହିଲି, ‘‘ତୁମେ କଥାରେ କଥାରେ ‘ସୋଆନ୍‍ଗିନ’ ବୋଲି ପରିଚୟ ଦିଅ । ତୁମକୁ ‘ସୋଆନ୍‌ଗିନ’ ବୋଲି କାହିଁକି କୁହ ? ତୁମେ ତ କାହିଁ ତୁମ ଦେଶର ଲୋକଙ୍କ କଥା କହିଲନି ?’’

 

ଇଉଓୟାରକି କହିଲେ, ‘‘ଆଜି ନୁହେଁ, ଆଉ ଦିନେ ତୁମକୁ କହିବି ।’’

 

‘‘ତୁମେମାନେ କିପରି ଆକାଶରେ ଉଡ଼ିବୁଲ ?’’

 

ଇଉଓୟାରକି ତାଙ୍କ ଶରୀର ସହିତ ସଂଶ୍ଳିଷ୍ଟ ଗୋଟିଏ ଜିନିଷ ଦେଖାଇଲେ । ଏହା ବିସ୍ତାର କଲେ ଠିକ୍‌ ପଙ୍ଖାଭଳି ଛଅ ହାତ ପରିମାଣ ବିସ୍ତୃତ ହୁଏ । ଏହା ଏମିତି କୌଶଳରେ ତିଆରି ଯେ ପକ୍ଷୀମାନେ ଯେମିତି ନିଜ ଇଚ୍ଛାନୁସାରେ ପର ମେଲି ଉଡ଼ିଯାଆନ୍ତି, ଏହା ମଧ୍ୟ ସେମିତି ଭାବରେ ବିସ୍ତାର କରି ଆକାଶରେ ଉଡ଼ି ହୁଏ । ପରେ ମୁଁ ଏହା ସମ୍ବନ୍ଧରେ ବିସ୍ତୃତ ଭାବେ କହିବି ।

 

ଦୁଇଜଣ ଦିନ ପରେ ଦିନ ଗଳ୍ପ, କୌତୁକ ଭିତରେ ଦିନ କଟାଇଲୁ । ଏବେ ଆଲୋକର ଦିନ ଆସିଛି । ମୋର କାର୍ଯ୍ୟର ମଧ୍ୟ ଅନେକ ସୁବିଧା ହୋଇଛି । ଇଉଓୟାରକି କିନ୍ତୁ ମୋ ସଙ୍ଗରେ ବାହାରକୁ ଯାଆନ୍ତି ନାହିଁ । ମୁଁ ଯେତେବେଳେ ବାହାରେ କାମଧନ୍ଦା କରିବାକୁ ଯାଏ, ସେତେବେଳେ ସେ ଘରେ ଚୁପ୍‌ ହୋଇ ବସି ରହନ୍ତି । ଏଇଥିପାଇଁ ଯେ ମନେ ମନେ ମୁଁ ଅସନ୍ତୁଷ୍ଟ ନ ହୋଇଛି ତାହା ନୁହେଁ । ମୁଁ ଚାହୁଁଥିଲି ସେ ମଧ୍ୟ ମୋ ସଙ୍ଗରେ ଯୋଗ ଦିଅନ୍ତୁ ।

 

ଦିନେ ଇଉଓୟାରକି ବୋଧହୁଏ ମୋ ମନର ଏଇ ଭାବଟା ବୁଝିପାରିଲେ ସେଇଥିପାଇଁ ସେ କହିଲେ, ‘‘ବୁଲୁ, ତୁମେ ହୁଏତ ଭାବିଛ ମୁଁ ଅଳସୁଆମୀ କରି ଘରେ ବସି ରହିଛି । ତୁମକୁ କୌଣସି କାମରେ ସାହାଯ୍ୟ କରୁନାହିଁ, କିନ୍ତୁ ସେ କଥା ଠିକ୍‌ ନୁହେଁ । ମୋ ଦେଶର ଆଲୁଅ ଖୁବ୍ ମୃଦୁ । ଏଠାକାର ଆଲୋକ ମୋ ଦେଶର ସୂର୍ଯ୍ୟାଲୋକ ଅପେକ୍ଷା ଏତେ ପ୍ରଖର ଯେ, ତାହା ମୁଁ ସହ୍ୟ କରିପାରୁ ନାହିଁ ବୋଲି ବାହାରକୁ ବାହାରି ପାରୁନି । ତୁମେ ବୋଧହୁଏ ଜାଣ ନାହିଁ ଯେ, ମୋ ଦେଶର ଲୋକମାନେ ଆଲୋକ ଦିନରେ ଏ ଦେଶକୁ ଆସନ୍ତି ନାହିଁ । ଯେତେବେଳେ ଅନ୍ଧକାରର ଦିନ ଆସେ ସେତେବେଳେ ସେମାନେ ଆସନ୍ତି, ନତୁବା ଏଠାରେ ବାସ କରିବାର ଉପଯୁକ୍ତ ସ୍ଥାନ କେଉଁଠି ?’’

 

ଇଉଓୟାରକି ମଝିରେ ମଝିରେ ‘ନର୍ମମୁଟ୍‌’ ନାମରେ ଗୋଟିଏ ଦେଶର କଥା କହନ୍ତି । ସେ କହନ୍ତି, ଏମିତି ସୁନ୍ଦର ଦେଶ ପୃଥିବୀରେ କେଉଁଠି ନାହିଁ । ସେ ଏକ ମସ୍ତବଡ଼ ଦେଶ । ସେ ଦେଶର ରାଜଧାନୀ ଦେଖିବାକୁ ଖୁବ୍‌ ସୁନ୍ଦର । ସେଠାକାର ରାଜ ଦରବାରରେ କେତେ ଲୋକ, ରାଜା ଖୁବ୍‌ ଭଲ ଲୋକ....ଏମିତି ଅନେକ କଥା କହନ୍ତି ।

 

ତାଙ୍କ ନିକଟରୁ ଜାଣିଲି ଯେ ମୁଁ ଯେଉଁ ଦ୍ୱୀପରେ ଆସି ପହଞ୍ଚିଛି ସେହି ଦ୍ୱୀପର ନାମ ଗ୍ରୌନ୍ଦିଭୋଲ ।

 

ଇଉଓୟୋରକି ସବୁବେଳେ ଅବଶୋଷ କରି କହୁଥିଲେ, ତାଙ୍କ ଚକ୍ଷୁଠାରୁ ମୋ ଚକ୍ଷୁ କେତେ ତଫାତ୍‌ । ମୁଁ ପ୍ରଖର ସୂର୍ଯ୍ୟାଲୋକ ସହ୍ୟ କରିପାରୁଛି, ଅଥଚ ସେ ପାରୁନାହାନ୍ତି ।

 

ମୁଁ ତାହାଙ୍କୁ କହିଲି, ‘‘ମୋ ଦେଶର ସୂର୍ଯ୍ୟାଲୋକ ଏହି ଦେଶ ଅପେକ୍ଷା ଶହେ ଗୁଣରେ ଅଧିକ । ସେଠାରେ ପ୍ରତିଦିନ ସୂର୍ଯ୍ୟ ଦିଗ୍‍ବଳୟ ତଳେ ଉଦିତ ହୋଇ ମୁଣ୍ଡ ଉପରକୁ ଉଠେ ଏବଂ ସନ୍ଧ୍ୟାରେ ପଶ୍ଚିମ ଦିଗରେ ଅସ୍ତମିତ ହୁଏ । କେତେବେଳେ କେତେବେଳେ ସୂର୍ଯ୍ୟର ସେହି ତୀବ୍ର ତେଜ ଆମର ମଧ୍ୟ ଅସହ୍ୟ ହୋଇଉଠେ ।

 

ଇଉଓୟାରକି ବସି କହିଲେ, ‘‘ମୋର ସୌଭାଗ୍ୟ ଯେ, ମୁଁ ଏମିତି ଦୁର୍ଭାଗ୍ୟ ଦେଶରେ ଜନ୍ମି ନାହିଁ, ତାହା ହୋଇଥିଲେ ମରିବାକୁ ହୁଅନ୍ତା । ମୋ ଦେଶଭଳି ଦେଶ କି ଆଉ କେଉଁଠି ଅଛି !

 

ଇଉଓୟାରକି ଏ ଦେଶର ଏଇ କ୍ଷୀଣ ଆଲୋକ ସହ୍ୟ କରିପାରୁନଥିଲେ ବୋଲି ବିଚାରି ବାହାରକୁ ଯାଇପାରୁନଥିଲେ । ମୁଁ ବା କେମିତି ତାଙ୍କର ଏ କ୍ଳେଶ ଦୂର କରିବି ! ଯଦି ଗୋଟିଏ ରଙ୍ଗୀନ ଚଷମା ତିଆରି କରିପାରନ୍ତି, ତାହାହେଲେ କେତେ ସୁବିଧା ନ ହୁଅନ୍ତା । ଦିନେ ମୋର ପୁରୁଣା ଜିନିଷପତ୍ର ଖୋଜୁ ଖୋଜୁ ଦୁଇଖଣ୍ଡ ନୀଳ କାଚ ପାଇଲି । ମୋ ପାଖରେ ସବୁ ତାର ଥିଲା । ତାହାଦ୍ୱାରା ଏଇ କାଚ ଦୁଇଟିକୁ ସଂଯୁକ୍ତ କରି ଆଖିରେ ପିନ୍ଧିବାଭଳି ତିଆରି କଲି । ପ୍ରଥମେ ନିଜେ ପିନ୍ଧି ଦେଖିଲି ଯେ, ସେହିଟି ବେଶ୍ ବ୍ୟବହାର ଉପଯୋଗୀ ହୋଇଛି, ସେତେବେଳେ ମୁଁ ସେହିଟିକୁ ଇଉଓୟାରକିଙ୍କୁ ପିନ୍ଧାଇଦେଲି । ସେ ହସିବାକୁ ଲାଗିଲେ ଏବଂ ବାହାରକୁ ଆସି ନୀଳ କାଚ ଭିତର ଦେଇ ଚତୁର୍ଦ୍ଦିଗ ନିଜେ ଦେଖି ଆନନ୍ଦିତ ହେଲେ ଏବଂ ସେହି ଦିନଠାରୁ ସେ ପ୍ରତ୍ୟେକ କାମରେ ମୋର ନିତ୍ୟ ସଙ୍ଗୀ ହୋଇପାରିଲେ । ମଝିରେ ମଝିରେ ସେ ଉନ୍ମନା ହୋଇଉଠୁଥିଲେ । ତାଙ୍କ ଦେଶର ନାମ ସେ କହିଥିଲେ ‘‘ସୋୟାନ ଗୁଜଟି’’, ସେ ଉଡ଼ିକରି ଦେଶକୁ ଯିବାପାଇଁ ବ୍ୟାକୁଳ ହୋଇପଡ଼ୁଥିଲେ ।

 

ଦିନେ ରାତିରେ ହଠାତ୍ ପୁଣି ଏକ ସ୍ୱର ଶୁଣିବାକୁ ପାଇଲି । ସେ କି କରୁଣ ସ୍ୱର କେଉଁମାନେ ଯେମିତି ବେଦନା ବ୍ୟଥିତ ଚିତ୍ତରେ କାନ୍ଦୁଛନ୍ତି ।

 

ଇଉଓୟାରକି ଏହା ଶୁଣି କହିଲେ–‘‘ଏଇ ଶୁଣ ! ମୋର ଭାଇ ଓ ଭଉଣୀ କିପରି କାନ୍ଦୁଛନ୍ତି । ସେମାନେ ଜାଣନ୍ତି ନାହିଁ ଯେ, ମୁଁ ବଞ୍ଚିଛି ବୋଲି । ଯାଉଛି, ସେମାନଙ୍କ ସହିତ ମିଳିତ ହୋଇ ଦେଶକୁ ଫେରିଯିବ ବୁଲୁ ।’’

 

ମୁଁ ଚୁପ୍ ରହିବାରୁ ସେ ପୁଣି କହିଲେ, ‘‘ନା ବୁଲୁ, ମୁଁ ଯିବି ନାହିଁ ।’’

 

(ଷୋହଳ)

 

ଇଉଓୟାରକିଙ୍କୁ ମୁଁ ମୋ ଜାହାଜରେ କେମିତି ଆସି ପାହାଡ଼ ଦେଶରେ ଲାଗିଲି, ସେକଥା କହିଥିଲି । ମୁଁ ଭାବୁଥିଲି, ଯଦି ଥରେ ମୁଁ ମୋରି ପୁରୁଣା ଜାହାଜ ପାଖକୁ ଫେରି ଯାଇପାରନ୍ତି, ତାହାହେଲେ ଅନେକ ପ୍ରୟୋଜନୀୟ ଜିନିଷପତ୍ର ଖୋଜି ଆଣିପାରନ୍ତି । ଦିନେ ରାତିରେ ନିଆଁ ପାଖରେ ବସି ସେଇ ସବୁକଥା କହୁଥିଲି । ମୋ କଥା ଶୁଣୁ ଶୁଣୁ ସେ ବିସ୍ମିତ ଓ ଚମକିତ ଭାବରେ ମୋ ମୁହଁକୁ ଚାହିଁ ରହିଥିଲେ କେବଳ ।

 

ଦିନେ ମୁଁ ପାଣି ଆଣିବାକୁ ଯାଉଥାଏ, ସେଠାରୁ ଫେରି ଦେଖିଲି ଯେ, ଇଉଓୟାରକି ଘରେ ନାହାନ୍ତି । ମୁଁ ଇଉଓୟାରକି, ଇଉଓୟାରକି ବୋଲି ଚିତ୍କାର କରିବାକୁ ଲାଗିଲି । ପ୍ରତିଧ୍ୱନି ଶୁଣିବାକୁ ପାଇଲି ଇଉଓୟାରକି, ଇଉଓୟାରକି ।

 

ମନେକଲି ସେଦିନ ସେ ତା’ର ପ୍ରିୟଜନର କରୁଣ ବିଳାପ ଶୁଣି ବିଚଳିତ ହୋଇଯାଇଥିଲେ ଏବଂ ସେଥିପାଇଁ ସେ ଆଜି ପଳାୟନ କରିଛନ୍ତି ନିଶ୍ଚୟ । ମୋତେ ଖୁବ୍‌ ଦୁଃଖ ଲାଗିଲା । ଏଇ ନିର୍ଜନ କାରାବାସରେ ଯଦିବା ଦେବାନୁଗ୍ରହରେ ଜଣେ ସଙ୍ଗୀ ପାଇଥିଲି, ଏତେଦିନ ପରେ ସେ ମଧ୍ୟ ଚାଲିଗଲେ ।

 

ମୁଁ ଆଜି ଯେମିତି କୌଣସି କାର୍ଯ୍ୟରେ ଉତ୍ସାହ ପାଇଲି ନାହିଁ । ଏମିତି ସମୟରେ ଖସ୍‌ ଖସ୍‌ କରି କ’ଣ ଗୋଟାଏ ଶବ୍ଦ ହେଲା ଏବଂ ଜଣେ କେହି ଦରଜାରେ ଧୀରେ ଧୀରେ ଆଘାତ କଲେ । ଦରଜା ଖୋଲିଦେଲି, ଇଉଓୟାରକି ପ୍ରସନ୍ନ ମୁଖରେ ଗୃହ ମଧ୍ୟକୁ ପ୍ରବେଶ କଲେ ।

 

‘‘କେଉଁଠାକୁ ଯାଇଥିଲ ଇଉଓୟାରକି ?’’

 

‘‘ତୁମରି ଜାହାଜକୁ ବୁଲୁ ।’’

 

‘‘କାହିଁକି ?’’

 

ଇଉଓୟାରକି ହସି ହସି କହିଲେ, ‘‘ପ୍ରତିଦିନ ତୁମଠାରୁ ତୁମ ଜାହାଜ କଥା ଶୁଣେ । ଶୁଣି ଶୁଣି ଜାହାଜଟି କେମିତି ଥରେ ଦେଖିବାକୁ ଇଚ୍ଛା ହେଲା, ସେଇଥିପାଇଁ ଜାହାଜ ଦେଖିବାକୁ ଯାଇଥିଲି ।’’

 

‘‘କେମିତିକା ଦେଖିଲ ?’’

 

‘‘ମୁଁ ତ ପୂର୍ବରୁ କେବେ ଦେଖି ନାହିଁ । ସେଇଥିପାଇଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଏଇ କ’ଣ ତୁମପାଇଁ ଜାହାଜରୁ କ’ଣ କ’ଣ ଜିନିଷ ସବୁ ସଂଗ୍ରହ କରି ଆଣିଛି ।’’

 

ଏହା କହି ସେ ତାଙ୍କ ପୋଷାକ ମଧ୍ୟରୁ ଗୋଟିଏ ଥଳି ବାହାର କଲେ । ଥଳି ଭିତରେ ସେ କେତୋଟି ଚା’ ପିଆଲା, ଗୋଟିଏ ପିତଳର ହାତୁଡ଼ି, ଲୁଗାପଟା କେତୋଟି ଛୁରି, ଆହୁରି ଅନେକ ଛୋଟ ଛୋଟ ପ୍ରୟୋଜନୀୟ ଜିନିଷ ଆଣିଥିଲେ ।

 

ଇଉଓୟାରକି ମୁଖରୁ ଶୁଣିଲି, ଜାହାଜ ମୋର ବର୍ଣ୍ଣନାନୁଯାୟୀ ପାହାଡ଼ ଦେହରେ ଲାଖିରହିଛି । ସମୁଦ୍ରର ଢେଉ ତା’ ଦେହରେ ଜୋରରେ ଆଘାତ କରି ମଧ୍ୟ କୌଣସି କ୍ଷତି କରିପାରି ନାହିଁ । ତାଙ୍କ ମୁଖରୁ ଶୁଣି ଭାବିଲି, ମୁଁ ଯଦି ନିଜେ ଥରେ ଯାଇପାରନ୍ତି,....ସେହି ଜାହାଜ ସହିତ ମୋର କେତେ ସ୍ମୃତି ବିଜଡ଼ିତ ନ ରହିଛି । ପୁଣି ମଣିଷ ଯେ ପକ୍ଷୀଭଳି ଉଡ଼ିପାରେ....ଏମିତି କେତେ କଥା ।

 

ଇଉଓୟାରକି କହିଲେ ‘‘ଭାଇ, ତୁମେ ଏବେ ଜାହାଜର ସର୍ବତ୍ର ତନ୍ନ ତନ୍ନ କରି ଖୋଜିବ, ସେଠାରେ ଯାହା ଆମ୍ଭମାନଙ୍କର ପ୍ରୟୋଜନୀୟ ବୋଲି ମନେ କରିବ, ତାହା ନେଇ ଆସିବ ।’’

 

ଏବେ ଉଡ଼ିବା ସମୟରେ ସେ କେମିତି କରି ପବନରେ ଭାସିଉଠନ୍ତି, ତାହା ଦେଖିବାପାଇଁ ଉତ୍ସୁକ ହେଲି ଏବଂ ତାଙ୍କ ନିକଟରୁ ଅଳ୍ପ ଦୂରରେ ଛିଡ଼ା ହୋଇ ସେଇ ଦୃଶ୍ୟ ଦେଖିବାକୁ ଲାଗିଲି ।

 

‘‘ଗ୍ରୌନଦି’ ସେ ଏକ ଅଦ୍ଭୁତ ରକମର ପୋଷାକ । ଗଳାଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ବା । ହାତ ସହିତ ଏହା ଏମିତି ଭାବରେ ଲାଗିଯାଇଛି ଯେ, ଉଡ଼ିବା ସମୟରେ ପକ୍ଷୀଭଳି ହସ୍ତ ସଂଚାଳନ କଲେ କୌଣସି କଷ୍ଟ ହୁଏନା । ଛତା ଯେମିତି ଖୋଲିବା ପରେ ତା’ର କନା ଚରିଆଡ଼କୁ ମେଲିଯାଏ, ଏହା ମଧ୍ୟ ସେମିତି ଧରଣର ।’’

 

ଇଉଓୟରକି ଉଡ଼ିବା ପୂର୍ବରୁ ଆସ୍ତେ ଆସ୍ତେ ଟିକିଏ ପଛକୁ ଯାଇ ସମ୍ମୁଖକୁ ଦୌଡ଼ିଆସିଲେ । ପ୍ରଥମେ ଉଡ଼ିବା ସମୟରେ ଟିକିଏ କ୍ଳେଶବୋଧ କଲେ, ତାହାପରେ କ୍ରମେ ଗ୍ରୌନଦିଟି ଖୋଲିଗଲା ଏବଂ ଦେଖୁ ଦେଖୁ ହ୍ରଦ ପାହାଡ଼ ସମସ୍ତ ଉତ୍ତୀର୍ଣ୍ଣ ହୋଇଗଲେ ।

 

ଏଇ ଅଜ୍ଞାତ ଦେଶର ଲୋକମାନେ ଦେଖିବାକୁ କିପରି, ସେମାନଙ୍କର ଦୈର୍ଘ୍ୟ କେତେ, ଲମ୍ବ କେତେ–କେବଳ ଇଉଓୟାରକିଙ୍କୁ ଦେଖି ଜାଣିବା କଥା । ଦେହର ରଙ୍ଗ ନିଶ୍ଚୟ ଇଉରୋପୀୟମାନଙ୍କ ଭଳି । ତଥାପି ଏମାନଙ୍କ ବିଷୟରେ ପୃଥିବୀର କୌଣସି ଇତିହାସରୁ ପଢ଼ି ନାହିଁ । ଆଶ୍ଚର୍ଯ୍ୟ ଏମାନେ..... ।

 

ଇଉଓୟାରକି ଶୀଘ୍ର ଫେରିଆସିଲେ; ଏଥର ସେ ବହୁତ ପ୍ରୟୋଜନୀୟ ଦ୍ରବ୍ୟାଦି ସଙ୍ଗରେ ଆଣିଲେ । ରେଶମୀ ଲୁଗା, ବିଛଣା ଚଦର ଓ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବା ଫଳରେ ମୁଁ ନିଶ୍ଚିନ୍ତ ହେଲି ।

 

ଏଇ ଦ୍ୱୀପ ସହିତ ଆମେ ଖୁବ୍‌ ପରିଚିତ । ଦୁଇଜଣ ଏକ ସଙ୍ଗରେ କାମ କରୁ । ଦିନେ ଦୁଇଜଣ ଅରଣ୍ୟର ଖୁବ୍‌ ଗଭୀର ପ୍ରଦେଶ ମଧ୍ୟକୁ ଚାଲିଗଲୁଁ । ସେଠାରେ ଗୋଟିଏ ସ୍ଥାନରେ କେତେଗୁଡ଼ିଏ ଅଣ୍ଡା ଦେଖିବାକୁ ପାଇଲୁଁ । ସେଗୁଡ଼ିକ ଆମ ଦେଶର ହଂସ କିମ୍ବା କୁକୁଡ଼ା ଅଣ୍ଡାଭଳି ଦେଖିବାକୁ । ଏହା ଦେଖି ଭାବିଲି, ଯଦି ଏଇ ପକ୍ଷୀମାନଙ୍କୁ ଦେଖିବାକୁ ପାଏଁ ଏବଂ ଧରି ନେଇ ପୋଷା ମନାଇବାର ବ୍ୟବସ୍ଥା କରନ୍ତି, ତାହାହେଲେ ଭବିଷ୍ୟତରେ ଆଉ ଖାଦ୍ୟପାଇଁ ଏଠି କ୍ଳେଶ ସହିବାକୁ ହୁଅନ୍ତା ନାହିଁ ।

 

ଦିନେ ସେହି ପକ୍ଷୀମାନଙ୍କ ମଧ୍ୟରୁ କେତୋଟିଙ୍କୁ ମୋ ଜାଲରେ ଧରିଲି । ପ୍ରଥମ କତୋଟି ଦିନ ସେମାନଙ୍କୁ ମୋ ଘର କୋଣରେ ଅଟକାଇ ରଖିଲି । ଏକ ସପ୍ତାହ ପରେ ଏଇ ପକ୍ଷୀମାନଙ୍କର ପର କାଟି ବାହାରେ ରଖିବାର ବନ୍ଦୋବସ୍ତ କଲି । କ୍ରମେ କ୍ରମେ ସେଗୁଡ଼ିକ ଏମିତି ପୋଷା ମାନିଲେ ଯେ, ଏଗୁଡ଼ିକ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଘୂରିବୁଲିଲେ । କ୍ରମେ ଏମାନଙ୍କ ସଂଖ୍ୟା ବଢ଼ିବା ଫଳରେ ଦୁର୍ଦ୍ଦିନରେ ଆମ୍ଭମାନଙ୍କର ଆଉ ଖାଦ୍ୟର ଭାବନା ରହିଲା ନାହିଁ । ଡିମ, ମାଛ, ମାଂସ ଏବଂ ଅନ୍ୟାନ୍ୟ ଖାଦ୍ୟ ସଂଗ୍ରହର ବ୍ୟବସ୍ଥା ହେଲା ପରେ ଆମ୍ଭମାନଙ୍କର ଆଉ ଚିନ୍ତା ନାହିଁ ।

 

ମୁଁ ଭାବିଲି, ଯଦି କେତୋଟି ବଳଦ କିମ୍ବା ଗାଈ ଏଇ ଦୁର୍ଗମ ପ୍ରଦେଶରେ ସଂଗ୍ରହ କରିପାରନ୍ତି ତାହାହେଲେ ଏଠାରେ କୃଷିକାର୍ଯ୍ୟଦ୍ୱାରା ଶସ୍ୟ ଉତ୍ପାଦନର ଚେଷ୍ଟା କରନ୍ତି । କିନ୍ତୁ ତାହା ସମ୍ଭବ ନୁହେଁ, ପଶୁ ଯେମିତି ଏ ଦେଶରେ ନାହିଁ ।

 

(ସତର)

 

ମଣିଷର ଏହା ଗୋଟିଏ ସ୍ୱଭାବ ଯେ, କୌଣସି ପ୍ରକାରରେ ତା’ର ଆକାଂକ୍ଷା କେବେ ପୂର୍ଣ୍ଣ ହୁଏନା । ସେ ଯେତେ ପାରେ ସେତେ ଅଭାବ ସୃଷ୍ଟି କରେ ଏବଂ ଆହୁରି ଲୋଭୀ ହୁଏ । ଇଉଓୟାରକି ଧୀରେ ଧୀରେ ସମସ୍ତ ଜିନିଷ ମୋର ଏଇ ଗୁହା ଗୃହକୁ ଜାହାଜରୁ ଆଣିଲେ । କିଏ ଜାଣିଥିଲା ଯେ ମୁଁ ଏମିତି ଭାବରେ ମୋର ଜିନିଷପତ୍ର ଫେରି ପାଇବି ବୋଲି । ଏବେ ଭାବେ, ଯଦି ଗୋଟା ଜାହାଜଟିକୁ ଏଠାକୁ ଆଣିପାରନ୍ତି, ତାହାହେଲେ ତା’ର ଖଣ୍ଡିଏ କାଠ ମଧ୍ୟ କାମରେ ଲଗାନ୍ତି-

 

କିନ୍ତୁ ଇଉଓୟାରକି ପ୍ରତିଦିନ ଯେଉଁ ଭାବରେ ଗୋଟିଏ ଗୋଟିଏ ଜିନିଷ ବୋହିବାକୁ ଲାଗିଲେ । ଏମିତି ଭାବରେ ସେ ସାରା ଜୀବନ ଆଣିଲେ ମଧ୍ୟ ଶେଷ କରିପାରିବେ ନାହିଁ ।

 

ମୁଁ ଭାବିଲି ଯଦି କୌଣସି ପ୍ରକାରରେ ଜାହାଜ ମଧ୍ୟସ୍ଥ ବଡ଼ ବଡ଼ ସିନ୍ଦୁକମାନ ସୁଡ଼ଙ୍ଗର ସେଇ ଜଳସ୍ରୋତ ମଧ୍ୟ ଦେଇ ଭସାଇ ହ୍ରଦ ମଧ୍ୟକୁ ଅଣାଯାଇ ପାରନ୍ତା, ତାହାହେଲେ ଧୀରେ ଧୀରେ ସବୁ ଜିନିଷ ସେଠାରୁ ଆଣି ହୁଅନ୍ତା । ମୁଁ ଏମିତି ଭାବରେ ନାନା ଚିନ୍ତା କରୁଛି, ସେତିକିବେଳେ ସେଠାରେ ଇଉଓୟାରକି ଆସି ଉପସ୍ଥିତ ହେଲେ ।

 

ସେ ମୋର ବିଷଣ୍ଣ ଭାବ ଦେଖି ପଚାରିଲେ, ‘‘ତୁମେ ଏମିତି ଚିନ୍ତାକୁଳ କାହିଁକି ବୁଲୁ ?’’

 

ମୁଁ କହିଲି, ‘‘ତୁମେ ଜାହାଜକୁ ଯାତାୟାତ କରିବାଠାରୁ ମୋର ମନେହେଉଛି, ମୁଁ ଯଦି ଥରେ ମାତ୍ର ସେଠାକୁ ଯାଇପାରନ୍ତି, ତାହାହେଲେ ଜାହାଜର ସମସ୍ତ ଜିନିଷପତ୍ର ଆଣିବାର ସୁବ୍ୟବସ୍ଥା କରିପାରନ୍ତି । କିନ୍ତୁ ଏହି ଜଳସ୍ରୋତର ଉଜାଣି ବାହି ମୁଁ କେମିତି ସେଠାକୁ ଯାଇପାରିବି କୁହ ? ନୌକାଟି ପାହାଡ଼ ଦେହରେ ବାଜି ଏକାଥରକେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । ମୋତେ ବି ହୁଏତ ଜୀବନ ହରାଇବାକୁ ହେବ ।

 

ଇଉଓୟାରକି କହିଲେ, ‘‘ତୁମେ ଏଥିପାଇଁ ଚିନ୍ତିତ ହୁଅନା । ମୁଁ ଏଥର ଜାହାଜକୁ ଯାଇ ତୁମରି କଥାନୁସାରେ ଜାହାଜର ପ୍ରତ୍ୟେକଟି ଅଂଶ ତନ୍ନ ତନ୍ନ କରି ଦେଖିବି ଏବଂ ଯାହା କିଛି ପାରିବି ନେଇଆସିବି ।

 

ଏବେ ଇଉଓୟାରକି ଜାହାଜରେ ଆଉ ଖଣ୍ଡିଏ ଯେଉଁ ନୌକା ଥିଲା, ସେଇ ନୌକା ମଧ୍ୟରେ ପ୍ରୟୋଜନୀୟ ଜିନିଷପତ୍ର, ବାକ୍‌ସ ଆଦି ଯାହା ପାଇଲେ ସେ ସମସ୍ତ ନେଇ ନୌକାଟିକୁ ସେଇ ସୁଡ଼ଙ୍ଗର ଜଳାସ୍ରୋତ ମଧ୍ୟକୁ ଆଣି ଭସାଇଦେଲେ । ସୌଭାଗ୍ୟବଶତଃ ନୌକା ଖଣ୍ଡିକ ସମ୍ପୂର୍ଣ୍ଣ ନିରାପଦରେ ବିବିଧ ଦ୍ରବ୍ୟସମ୍ଭାର ନେଇ ଆସି ପହଞ୍ଚିଲା ।

 

ଏବେ ମୁଁ ଅନେକ ଯନ୍ତ୍ରପାତି ଓ ଗୃହସଜ୍ଜାର ସାଜସରଞ୍ଜାମ ପାଇଲି । ସେଇ ଯନ୍ତ୍ରପାତି ସାହାଯ୍ୟରେ ମୁଁ ମୋ ଘରର ଆୟତନ ଅନେକ ପରିମାଣରେ ବଢ଼ାଇ ଦେଲି । ଇଉଓୟାରକିଙ୍କ ସାହାଯ୍ୟରେ ନାନାଦିଗରୁ ବିଭିନ୍ନ ପ୍ରକାର ସହାୟତା ହୋଇଥିଲା, ତେଣୁ ମୋର ଦିନଗୁଡ଼ିକ ଏଇ ନିର୍ଜନ ଦ୍ୱୀପରେ ମଧ୍ୟ ବେଶ୍‌ ଆରାମରେ କଟିଗଲା ।

 

ଦିନେ ଇଉଓୟାରକି ବିଷଣ୍ଣ ଭାବରେ କହିଲେ, ‘‘ବୁଲୁ ଭାଇ ମୋର, ଅନେକ ବର୍ଷ କଟିଗଲା । ମୁଁ ଏଇ ନିର୍ଜନ ଦ୍ୱୀପରେ ତୁମ ସହିତ ବାସ କରିଛି, ମୋର ଇଚ୍ଛା ହେଉଛି ଥରେ ଦେଶକୁ ଯାଆନ୍ତି ।’’

 

ମୁଁ କହିଲି, ‘‘ତୁମେ ଏ କଥା କହିପାର ଏବଂ ମୋର ମଧ୍ୟ ଉଚିତ ନୁହେଁ ଯେ, ତୁମକୁ ବାଧାଦେବା । କିନ୍ତୁ ଭାଇ, ତୁମେ କ’ଣ ମୋ ନିକଟକୁ ଫେରିଆସିବ ? ମୋର ମନେହୁଏନା ଯେ, ତୁମର ଆତ୍ମୀୟସ୍ୱଜନମାନେ ତୁମକୁ କେବେ ଛାଡ଼ିଦେବେ ବୋଲି ।

 

ଇଉଓୟାରକି କହିଲେ, ‘‘ମୋର ବାବା ଏଇ କେତେବର୍ଷ ଧରି ମୋତେ ହରାଇ ଦୁଃଖରେ ଅଧୀର ହୋଇପଡ଼ିଥିବେ । ତାଙ୍କଭଳି ସ୍ନେହପରାୟଣ ପିତା ଜାଣେନା ତୁମ ଦେଶରେ ଅଛନ୍ତି କି ନାହିଁ । ମୋ ଭାଇ ଭଉଣୀଙ୍କୁ କେତେ ବର୍ଷ ଧରି ଦେଖିନି, ସେମାନେ କେତେ ବଡ଼ ହୋଇଯାଇଥିବେ ମୁଁ କଳ୍ପନା କରିପାରୁନି । ପୁଣି ମୋ ମା’ କିପରି ଅଛନ୍ତି, ଈଶ୍ୱର ଜାଣନ୍ତି । ତୁମକୁ ବି ଏକଥା କହିନି ଯେ, ମୋ ବାପା ଗୋଟିଏ ଦେଶର ଶାସନକର୍ତ୍ତା । ରାଜାଙ୍କ ଅଧୀନରେ କାମ କରନ୍ତି ।’’

 

ମୁଁ ଆଉ କ’ଣ କରିବି ? ଇଉଓୟାରକି ଯେ ଏତେଦିନଯାଏ ମୋ ନିକଟରେ ଥିଲେ, ଏହାହିଁ ତାଙ୍କ କୃତଜ୍ଞତାର ପରିଚାୟକ; ନ ହେଲେ ମୁଁ ତାଙ୍କୁ କେମିତି ଭାବରେ ଏତେଦିନଯାଏ ରଖିପାରିଥାନ୍ତି । କେଉଁ ପୃଥିବୀର ସେ ମଣିଷ, କେଉଁଠି ତାଙ୍କ ଘର, ସେ କିପରି ଦେଶ, ତାହା ମୁଁ ଜାଣେନା । ସ ମଧ୍ୟ ସବୁକଥା ଭଲଭାବରେ ମୋତେ କହିନାହାନ୍ତି ।

 

ସେଦିନ ମୁଁ ମୋର ସାଧ୍ୟାନୁଯାୟୀ ଏକ ଭୋଜୀର ଆୟୋଜନ କଲି । ଦୁଇଜଣ ଖାଉଁ ଖାଉଁ ଅନେକ ଗଳ୍ପ କଲୁଁ । ଇଉଓୟାରକି ତାଙ୍କ ଦେଶ ଏଠାରୁ କେତେଦୂର ତାହା କହିପାରିଲେ ନାହିଁ, କେବଳ ଏତିକି କହିଲେ ଯେ, ପାହାଡ଼ ପରେ ସାଗର, ସେ ସାଗର ପାର ହେଲେ ମସ୍ତବଡ଼ ଗୋଟିଏ ଦେଶ, ସେ ଦେଶ ପାର ହେଲେ ସାଗର, ତାହାପରେ ତାଙ୍କ ଦେଶ ।

 

(ଅଠର)

 

ମଣିଷ ଏକା ରହିପାରେନା । କାରଣ ସେ ଯେ ସାମାଜିକ ଜୀବ ।

 

ଇଉଓୟାରକି ଚାଲିଯିବା ପରେ ଆଜି ମୋତେ ସମ୍ପୂର୍ଣ୍ଣ ଏକା ବୋଲି ମନେହେଉଛି । ମୁଁ ତ ଏଠାକୁ ଏକା ଆସିଥିଲି, ମୋର ସଙ୍ଗୀ କେହି ନ ଥିଲା ଇଉଓୟାରକି ମଧ୍ୟ ସମ୍ପୂର୍ଣ୍ଣ ଅଜଣା ଦେଶର ଲୋକ । ଆଜି ତାଙ୍କର ଅନୁପସ୍ଥିତିରେ ମୁଁ ଏତେ କାନ୍ଦୁଛି କାହିଁକ ? ଏହାହିଁ କ’ଣ ମାୟା ?

 

ମଣିଷ ମନର ଏଇଠି ଦୁର୍ବଳତା ।

 

ମୋ ମନର ସମସ୍ତ ଦୁର୍ବଳତା ଦୂର କରି ଭାବିଲି, ଆଉ କେତେଦିନ ଏହିଠାରେ ଏମିତି ବନ୍ଦୀ ଅବସ୍ଥାରେ ରହିବି ।

 

ମୋତେ କ’ଣ ମୁକ୍ତିର ପଥ ଖୋଜିବାକୁ ହେବ ?

 

ଏହା ଯଦି ନ ହୁଏ, ତାହାହେଲେ ମୋତେ ନିଜକୁ ଏହି ଦେଶର ରାଜା ହେବାକୁ ହେବ-

 

ମୁଁ ଚୁପ୍‌ କରି ବସିପାରିଲି ନାହିଁ । ଚତୁର୍ଦ୍ଦିଗ ଲକ୍ଷ୍ୟ କରି ଜରିପ କରି ଦେଖିଲି ପ୍ରାୟ ସତୁରୀ କିଲୋମିଟର ପର୍ଯ୍ୟନ୍ତ ଏଇ ଦ୍ୱୀପର ଭୂଖଣ୍ଡ ତରୁଲତା ଇତ୍ୟାଦିଦ୍ୱାରା ପରିଶୋଭିତ । ଏହାର ବାହାରକୁ ମୁଁ ଯାଇ ନାହିଁ ଏବଂ ସନ୍ଧାନ ମଧ୍ୟ ପାଇ ନାହିଁ । ଯଦି ଏଠାରେ ଲୋକ ବସବାସ କରନ୍ତା, ତାହାହେଲେ ଏହା ଗୋଟିଏ ସୁନ୍ଦର ଶ୍ରୀସମ୍ପନ୍ନ ଉପନିବେଶ ଗଢ଼ି ଉଠିପାରନ୍ତା ।

 

ପୁଣି ଆଲୋକର ଦିନ ଆସିଲା, ଏବେ କାର୍ଯ୍ୟଧନ୍ଦାରେ ମନୋନିବେଶ କରିବାକୁ ହେବ-। କି ଭାବରେ କେଉଁ କାମ କରିବି, ସେଇ ବିଷୟରେ ଗୋଟିଏ ସିଦ୍ଧାନ୍ତ କରି କାମ ଆରମ୍ଭ କରିବି–ଏମିତି ଭାବରେ ନାନା କଳ୍ପନା କରୁଛି, ଏମିତି ସମୟରେ ଜାଣିବାକୁ ପାଇଲି, କିଏ ଯେମିତି ଅତି କୋମଳ ସ୍ୱରରେ ମୋତେ ଡାକୁଛି–‘‘ବୁଲୁ, ବୁଲୁ... !’’

 

ଏହା ତ ଇଉଓୟାରକିର ସ୍ୱର ନୁହେଁ, ତାହାହେଲେ କିଏ ମୋତେ ଡାକୁଛି ?

 

ପୁଣି ସେଇ ସ୍ୱର,–‘‘ବୁଲୁ, ବୁଲୁ......’’

 

କିଏ ଯେମିତି ଅନେକ ଦୂରରୁ ମୋତେ ଡାକୁଛି ।

 

ମୁଁ ଭାବି କିଛି ସ୍ଥିର କରିପାରିଲି ନାହିଁ ।

 

ମୁଁ ସେଇ ସ୍ୱରକୁ ଲକ୍ଷ୍ୟ କରି ଯିବାକୁ ଲାଗିଲି; କିନ୍ତୁ କାହାରିକୁ ଦେଖିବାକୁ ପାଇଲି ନାହିଁ-

 

ମୁଁ ମୋ ବନ୍ଧୁକଟି ହାତରେ ଧରି ହ୍ରଦ ପାଖକୁ ଆସିଲି । ଏମିତି ସମୟରେ ଶୁଣିବାକୁ ପାଇଲି, ପୁଣି ସେଇ ସୁମିଷ୍ଟ ସ୍ୱର–‘‘ବୁଲୁ........’’.

 

‘‘ଏଇ ଯେ ମୁଁ..... ।’’

 

ଏହି କଥା କହିବା ସଙ୍ଗେ ସଙ୍ଗେ ଇଉଓୟାରକିଭଳି ପୋଷାକ ପିନ୍ଧା; ମାତ୍ର ଏମାନଙ୍କ ମୁଣ୍ଡରେ ଗୋଟିଏ ପ୍ରକାର ଆବରଣ ଥିଲା–ମୋ ନିକଟରେ ଆକାଶରୁ ଓହ୍ଲାଇ କହିଲେ, ‘‘ବୁଲୁ ! ଆମେ ଇଉଓୟାରକି ଦେଶ ଆନ୍‌କୃତକିରୁ ଆସିଛୁଁ । ସେ ଦେଶର ଶାସନକର୍ତ୍ତା ଗ୍ଲମ୍‌ କୋଲାମ୍ବ ଏବଂ ଇଉଓୟାରକିର ବାବା ପେଜ୍‌ଦଲ ହାମ୍‌ବି ତୁମ ନିକଟକୁ ଆମକୁ ପଠାଇଛନ୍ତି ।’’

 

ଏହା କହି ସେମାନେ ଦୁଇଜଣ ମୋ ଦୁଇ ପାର୍ଶ୍ୱରେ ଆସି ଛିଡ଼ା ହେଲେ ।

 

ମୁଁ କହିଲି, ‘‘ଆପଣମାନେ କି ସମ୍ବାଦ ନେଇ ଆସିଛନ୍ତି ? ତାହାହେଲେ ମୋ ଗୁହା ଗୃହକୁ ଆସନ୍ତୁ, ସେଇଠାରେ ବସାଇ ସବୁ ଶୁଣିବି ।’’

 

ଆମ୍ଭେମାନେ ଗୁହା-ଗୃହକୁ ଫେରିଆସି ଚେୟାରରେ ବସିଲୁଁ । ଏବେ ମୋ ଘରେ ବସିବାପାଇଁ ଆସନର ଅଭାବ ନ ଥିଲା । ସେମାନେ ବସିବା ପରେ ମୁଁ ସେମାନଙ୍କ ପାଇଁ ଖାଇବାର ଆୟୋଜନରେ ଲାଗିପଡ଼ିଲି ।

 

ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ଏଇ ଦୁଇଜଣ ଅତିଥି ମଧ୍ୟରେ ଜଣେ ଅନ୍ୟ ଜଣ ପ୍ରତି ଅଧିକତର ସମ୍ମାନ ପ୍ରଦର୍ଶନ କରୁଛି, ଏଥିପାଇଁ ମୁଁ ମଧ୍ୟ ତାହାଙ୍କ ପ୍ରତି ଟିକିଏ ଅଧିକ ସମ୍ମାନ ପ୍ରଦର୍ଶନ କରି ପ୍ରଥମେ ତାହାଙ୍କ ନିକଟରେ ମୁଁ ମୋର ସଂଗୃହୀତ ଫରାସୀ ଦେଶୀୟ ଉତ୍କୃଷ୍ଟ ପାନୀୟ ଉପସ୍ଥିତ କଲି । ତାହାପରେ ତାଙ୍କ ସଙ୍ଗୀକୁ ପ୍ରଦାନ କଲି ଏବଂ ମୁଁ ମଧ୍ୟ ତାହାଙ୍କ ମଙ୍ଗଳ କାମନା କରି ପାନୀୟ ଗ୍ରହଣ କଲି ।

ସେମାନେ ଦୁଇ ଜଣ ମୋର ପ୍ରଦତ୍ତ ପାନୀୟ, ମାଂସ, ରୁଟି ଏବଂ ମତ୍ସ୍ୟ ଖାଇ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଦୁଇଜଣ ଖୁବ୍‌ ହସିଲେ । ସେମାନଙ୍କର ହାସ୍ୟ, କୌତୁକ ଦେଖି ବୁଝିପାରିଲି ଯେ, ସେମାନେ ମୋର ଏଇ ଆଦର ଆପ୍ୟାୟନରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇପାରିଛନ୍ତି ।

ଆହାର ସମୟରେ ଅବସର ପାଇ ଏଠାକୁ ଆସିବାବେଳେ କେଉଁ କେଉଁ ସ୍ଥାନରେ ଓହ୍ଲାଇ ବିଶ୍ରାମ ନେଇଥିଲେ, ସେସବୁ ନିଜ ନିଜ ମଧ୍ୟରେ ଆଲୋଚନା କଲେ । କଥୋପକଥନରୁ ପରିଚୟ ପାଇଲି ଯେ, ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଉଓୟାରକିଙ୍କ ଭାଇ । ତାଙ୍କ ନାମ କୋୟାନ ଗୋଲାର ।

କୋୟାନ ଗୋଲାର ବେଶ୍ ତୃପ୍ତିର ସହିତ ଭୋଜନ କରି କହିଲେ, ‘‘ମୋର କନିଷ୍ଠ ଭ୍ରାତା ଇଉଓୟାରକି ମୁଖରୁ ତୁମର ବଦାନ୍ୟତାର କଥା ଶୁଣିଛି, ତୁମେ ଯଦି ତାହାଙ୍କୁ ସାହାଯ୍ୟ କରି ନ ଥାଆନ୍ତ, ତାହାହେଲେ ସେ କେବେ ବଞ୍ଚି ପାରି ନ ଥାନ୍ତା । ଆମ୍ଭେମାନେ ଦୀର୍ଘ ବର୍ଷ ଧରି ତାହାର କୌଣସି ସମ୍ବାଦ ପାଇପାରିଲୁ ନାହିଁ । ଭାବିଥିଲୁ ତାହାର ମୃତ୍ୟୁ ହୋଇଛି । ସେ ଦେଶକୁ ଫେରିବା ସମୟରେ ଭୟାନକ ଝଡ଼ ମଧ୍ୟରେ ପଡ଼ିଲେ । ଗୋଟିଏ ଦିନ ଗୋଟିଏ ରାତି ସମୁଦ୍ର ଉପରେ ଝଡ଼ବତାସ ସହିତ ଦ୍ୱନ୍ଦ୍ୱ କରି ତାହାକୁ କଟାଇବାକୁ ହେଲା । ଶେଷରେ ସେ ବାତିନ୍‌ଦ୍ରିକ୍‌ ନାମକ ସ୍ଥାନରେ ଆଶ୍ରୟ ଲାଭ କଲା । ପରେ ଧବଳଗିରି ପାର ହୋଇ ଆନ୍‌ଦ୍ରୁମ୍‌ସ୍ତକିତରେ ପହଞ୍ଚିଲା ।’’

‘‘ପ୍ରଥମେ ଇଉଓୟାରକିକୁ ରାଜଧାନୀର ପ୍ରହରୀମାନେ ନଗର ମଧ୍ୟକୁ ପ୍ରବେଶ କରିବାକୁ ବାଧା ଦେଲେ । ମୋ ବାପାଙ୍କ ନିକଟକୁ ଜଣେ ପ୍ରହରୀ ଯାଇ ସମ୍ବାଦ ଦେଲା ଯେ; ଜଣେ ଅପରିଚିତ ବ୍ୟକ୍ତି ନଗର ମଧ୍ୟକୁ ପ୍ରବେଶ କରିବାକୁ ଚାହାନ୍ତି ଏବଂ ତାଙ୍କ ସହିତ ସାକ୍ଷାତ କରିବାକୁ ଚାହାନ୍ତି । ବାବା ମୋତେ ଡାକି ପ୍ରକୃତ ତଥ୍ୟର ସମ୍ବାଦ ନେବାପାଇଁ କହିଲେ । ମୁଁ ମଧ୍ୟ ପ୍ରଥମେ ଇଉଓୟାରକିକୁ ଚହ୍ନିପାରିଲି ନାହିଁ । ସେ ଯେ ବହୁଦିନ ପୂର୍ବର କଥା ।’’

ପୁଣି କୋୟାନ୍ ଗୋଲାର କହିଲେ ‘‘ଏହା ପରେ ମୁଁ ପଚାରିଲି, ତୁମେ କିଏ ? କ’ଣ ପାଇଁ ମୋ ବାପାଙ୍କ ସହିତ ସାକ୍ଷାତ କରିବାକୁ ଆସିଛ ?’’

ଇଉଓୟାରକି କହିଲେ ମୁଁ କୌଣସି ରାଜକାର୍ଯ୍ୟପାଇଁ ତାହାଙ୍କ ସହିତ ସାକ୍ଷାତ କରିବାକୁ ଆସି ନାହିଁ । ମୁଁ ଆସିଛି କେବଳ ନିଜ ପ୍ରୟୋଜନରେ । ତୁମେ କ’ଣ ତାଙ୍କରି ସନ୍ତାନ ?

ମୁଁ କହିଲି, ହଁ ।

ଇଉଓୟାରକି ସେତେବେଳେ କାନ୍ଦି କାନ୍ଦି ମୋତେ ଆଲିଙ୍ଗନ କରି କହିଲା ତମେ ତାଙ୍କର ପୁତ୍ର, ମୁଁ ମଧ୍ୟ ତାଙ୍କର ପୁତ୍ର ।

ତୁମେ ତାଙ୍କର ପୁତ୍ର ?

ହଁ, ମୁଁ ତାଙ୍କର କନିଷ୍ଠ ପୁତ୍ର । ତୁମେ କ’ଣ କେବେ ପିତାଙ୍କ ମୁଖରୁ ଇଉଓୟାରକିର ନାମ ଶୁଣି ନାହଁ ?

ଶୁଣିଛି, କିନ୍ତୁ ସେ ତ ଅନେକ ଦିନ ପୂର୍ବରୁ ମରିଯାଇଛି ।

ନା ଭାଇ, ମୁଁ ମରିନାହିଁ କହି ଇଉଓୟାରକି କାନ୍ଦିବାକୁ ଲାଗିଲା ।

ଇଉଓୟାରକି ପଚାରିଲା, ତୁମର ନାମ କ’ଣ କୋୟାନ ଗୋଲାର ?

ହଁ ।

ଅପା–ହେଲିକାର୍ଣ୍ଣି କ’ଣ ବଞ୍ଚି ଅଛନ୍ତି ?

ହଁ ।

ଭାଇ କୋୟାନ ଗୋଲାର । ତୁମେ ଅପାଙ୍କୁ କହିଲେ ସେ ମୋତେ ନିଶ୍ଚୟ ଚିହ୍ନିପାରିବେ ।

ମୁଁ ଇଉଓୟାରକିକୁ ଧରି ଘରକୁ ଆସିଲି ଏବଂ ମୋ ଘରେ ତାହାଙ୍କୁ ବସାଇ ଅପା ହେଲିକାର୍ଣ୍ଣିଙ୍କୁ ଇଉଓୟାରକି କଥା କହିଲି । ସେ ଗମ୍ଭୀର ଭାବରେ ଅନେକକ୍ଷଣ ବସିରହିଲେ । ତାହାପରେ ଦୀର୍ଘଶ୍ୱାସ ନେଇ କହିଲେ; ହଁ, ଇଉଓୟାରକି କଥା ନିଶ୍ଚୟ ମନେଅଛି । ଏବେ ମଧ୍ୟ ବାବା ତାହାରି କଥା ମନେପକାଇ କାନ୍ଦନ୍ତି । ସେ ଯେ ମୋର ଖୁବ୍‌ ଅନୁଗତ ଥିଲା ହାୟ–ଆଉ କ’ଣ କେବେ ମୁଁ ତାକୁ ଦେଖିପାରିବି ?

 

ଦେଖିବାକୁ ନିଶ୍ଚୟ ପାଇବ ଅପା ! –କହି କହି ଇଉଓୟାରକି ଆମ୍ଭମାନଙ୍କ ମଧ୍ୟରେ ଆସି ବସିଲା । ଅପା ତାହାକୁ ସଯତ୍ନେ ବୁକୁ ମଧ୍ୟକୁ ଟାଣିନେଲେ । ଏମିତି ଭାବରେ ଭାଇ ଭଉଣୀର ପରିଚୟ ହେଲା ।

 

ବାବାର ବୟସ ହୋଇଯାଇଥିଲା । ବାବା ଯଦି ବୃଦ୍ଧ ବୟସରେ ସହସା ଏଇ ସମ୍ବାଦ ଶୁଣିବାକୁ ପାଇଥାଆନ୍ତେ, ତାହାହେଲେ ହୁଏତ ତାଙ୍କର ବିପଦ ଘଟିଥାଆନ୍ତା–ଏଇଥିପାଇଁ ମୁଁ ତାହାଙ୍କୁ ଧୀରେ ଧୀରେ ଇଉଓୟାରକିର ଆସିବା କଥା କହିଲି ।

 

ସମସ୍ତ କଥା ଶୁଣି ସେ କହିଲେ,–ତାହାଙ୍କୁ ମୋ ନିକଟକୁ ଡାକି ଆଣ, ମୁଁ ଯେ ତାହାଙ୍କୁ ଦେଖିବାପାଇଁ ଅତ୍ୟନ୍ତ ଉତ୍ସୁକ, ସେ କେତେ ଦିନର ଅପୂର୍ବ କଥା ।

 

ଏହା ଶୁଣି ମୁଁ ଇଉଓୟାରକିକୁ ବାବାଙ୍କ ନିକଟକୁ ନେଇଗଲି । ବାବା ତାହାଙ୍କୁ ଛାତିରେ ଜାକି ଧରିଲେ । ଇଉଓୟାରକି ମଧ୍ୟ କାନ୍ଦିଲା । ବାବା ତାହାର ମୁଣ୍ଡରେ ହାତ ବୁଲାଇ କହିଲେ, ପୁତ୍ର, ମୁଁ ତୋତେ ଯେ ଫେରିପାଇବି, ଏହା ମୋ ମନରେ କେବେ ଆସିନି । ମୁଁ ତୋତେ ଆଉ ଛାଡ଼ି ଚାଲିଯିବାକୁ ଦେବିନି ।

 

ଏହାପରେ ଇଉଓୟାରକି ମୁହଁରୁ ଗୋଟି ଗୋଟି କରି ସବୁ କଥା ଶୁଣିଲେ । ତୁମର ପ୍ରଶଂସାରେ ଚତୁର୍ଦ୍ଦିଗ ମୁଖରିତ ହୋଇଉଠିଲା । ଇଉଓୟାରକି କହିଲା, ତୁମେ ଯେଉଁ ଦେଶର ଲୋକ, ସେ ଦେଶର ଲୋକମାନେ ଏକ ଅଦ୍ଭୁତ ଭାଷାରେ କଥା କହନ୍ତି, ସେ ଭାଷାର ନାମ ଓଡ଼ିଆ । ତୁମ ଦେଶର ନାମ ହିନ୍ଦୁସ୍ଥାନ । ବହୁ ଜାତି ଓ ବହୁ ଭାଷାର ଲୋକମାନେ ସେ ଦେଶରେ ରହନ୍ତି । ତୁମ ଦେଶ ଧର୍ମର ଦେଶ, ଭଗବାନଙ୍କୁ ତୁମ ଦେଶର ଲୋକମାନେ ଦେଖନ୍ତି । ତୁମର ସେବା ଶୁଶ୍ରୂଷା ଓ ଯତ୍ନପାଇଁ ଇଉଓୟାରକିର ଜୀବନ ରକ୍ଷା ହୋଇଛି ।

 

ବାବାଙ୍କ ଆଦେଶରେ ରାଜ୍ୟ ମଧ୍ୟରେ ଆନନ୍ଦର କୋଳାହଳ ମୁଖରିତ ହୋଇଉଠିଲା । ବନ୍ଦୀମାନେ କାରାମୁକ୍ତ ହେଲେ । ରାଜ୍ୟର ସର୍ବତ୍ର ଆନନ୍ଦର ଭୋଜି ଲାଗିଲା । ବାବା ପୁତ୍ରକୁ ପାଇ ଯେପରି ନବଜୀବନ ଲାଭ କଲେ ।

 

ଇଉଓୟାରକିର ସୁଖ୍ୟାତିରେ ମୋର ହୃଦୟ ଉଛୁଳି ପଡ଼ିଲା । ମୁଁ ମୋର ଅତିଥି ଦ୍ୱୟର ଆହାରାଦିପାଇଁ ଆହୁରି ମନୋଯୋଗୀ ହେଲି ।

 

(ଊଣେଇଶ)

 

ପରଦିନ ମୁଁ ମୋର ଅତିଥିର ଆଦର ଅଭ୍ୟର୍ଥନାପାଇଁ ଅଧିକ ଯତ୍ନବାନ ହେଲି । ବନ୍ଧୁକଟି କାନ୍ଧରେ ପକାଇ ଶିକାରରେ ବାହାରିଗଲି । ତିନୋଟି ବଣୁଆ କୁକୁଡ଼ା, ଚାରୋଟି ହଂସ ଶିକାର କଲି ଏବଂ ହ୍ରଦରେ ଜାଲ ଫିଙ୍ଗି କେତୋଟି ମାଛ ମଧ୍ୟ ଧରିଲି ।

 

ମୋ ଗୁହା-ଗୃହରେ ଖାଦ୍ୟଦ୍ରବ୍ୟର ଅଭାବ ନ ଥିଲା । ଶୁଖିଲା ମାଂସ ଥିଲା ପ୍ରଚୁର, ମୋର ସଞ୍ଚିତ ଅଣ୍ଡା–କୌଣସିଟିର ଅଭାବ ନାହିଁ । ତେଣୁ ଅତିଥିମାନଙ୍କୁ ମୋର ଏଇ ଦେଶରେ ଯାହା ମିଳେ, ସେଇ ସମସ୍ତ ଭଲ ଭଲ ଖାଦ୍ୟଦ୍ରବ୍ୟ ସଂଗ୍ରହ କରିବାକୁ ମୁଁ ଟିକିଏ ବୋଲି କୁଣ୍ଠାବୋଧ କରିନାହିଁ ।

 

ଖାଦ୍ୟଦ୍ରବ୍ୟର ସବୁ ବ୍ୟବସ୍ଥା କରି ମୁଁ କୋୟାନ ଗୋଲାର ଓ ତାଙ୍କ ସଙ୍ଗୀକୁ ସାଙ୍ଗରେ ଧରି ବୁଲି ବାହାରିଲି । ସେଦିନ ଆଲୋକ ବେଶ୍‌ ଉଜ୍ଜ୍ୱଳ ଥିଲା, କିନ୍ତୁ କୋୟାନ ଗୋଲାର ସେଥିପାଇଁ କୌଣସି କ୍ଳେଶ ବୋଧ କଲେ ନାହିଁ । ସେ ବେଶ୍‌ ପ୍ରଫୁଲ୍ଲ ମନରେ ହ୍ରଦର ତୀରେ ତୀରେ ଜଙ୍ଗଲରେ ଘୂରି ବୁଲୁଥିଲେ । ମୁଁ ପଚାରିଲି ଭାଇ, ତୁମେ ତ ଆଲୋକ ବେଶ ସହ୍ୟ କରିପାରୁଛ । ଇଉଓୟାରକି କିନ୍ତୁ ଏଇ କ୍ଷୀଣ ଆଲୋକର ଉତ୍ତାପ ମଧ୍ୟ ସହ୍ୟ କରିପାରୁନଥିଲେ । ସେଥିପାଇଁ ମୁଁ ତାଙ୍କ ସକାଶେ ଗୋଟିଏ ରଙ୍ଗୀନ ଚଷମା ପ୍ରସ୍ତୁତ କରି ନେଇଥିଲି ।

 

କୋୟାନ ଗୋଲାର କହିଲେ, ଚଷମା କାହାକୁ କହନ୍ତି ?

 

ମୁଁ ତାହାଙ୍କୁ ବୁଝାଇଦେଲି ଯେ, ଆମ୍ଭମାନଙ୍କ ଦେଶରେ ଚଷମା ବ୍ୟବହାର କରି ମଣିଷ ତାହାର ଦୃଷ୍ଟିଶକ୍ତି ଯେମିତି ଚଢ଼ାଇପାରେ, ପୁଣି ରଙ୍ଗୀନ ଚଷମା ଆଖିରେ ଦେଲେ ସୂର୍ଯ୍ୟ କିରଣର ପ୍ରଖରତା ଅନୁଭବ କରେନା ।

 

କୋୟାନ ଗୋଲାର କହିଲେ, ‘‘ଆମ୍ଭମାନଙ୍କ ଦେଶରେ କେହି କେବେ ଚଷମା ବ୍ୟବହାର କରନ୍ତି ନାହିଁ । ଆଉ ମୋ କଥା କହୁଛ, ମୁଁ ଆଲୋକ ବେଶ୍‌ ସହ୍ୟ କରିପାରେ । କାରଣ କ’ଣ ଜାଣ ? ମୁଁ କ୍ରାସ୍‌ଦୃପତ ନାମକ ସ୍ଥାନରେ କାମ କରେ । ସେ ସ୍ଥାନରେ ଆଲୋକ ଏଠାକାର ଆଲୋକ ଅପେକ୍ଷା ଆହୁରି ବେଶୀ ପ୍ରଖର । ଯେଉଁ ସମସ୍ତ ଲ୍ଲୁମ ନିଜ ଦେଶରୁ ବାହରକୁ ଯିବା ଆସିବା କରନ୍ତି ସେମାନେ ଆଲୋକର ଦୀପ୍ତ ତେଜ ସହ୍ୟ କରିପାରନ୍ତି । ମୁଁ ଦେଶର ବାହାରେ ରହେ ବୋଲି ପ୍ରଖର ଆଲୋକ ସହ୍ୟ କରିପାରୁଛି । ଆମ ଦେଶ ଆନ୍ଦୁର୍ମନଠାରୁ କ୍ରାସଦୃପତର ଆଲୋକ ଅନେକ ବେଶି ପ୍ରଖର ।’’

 

ମୁଁ କହିଲି, ‘କ୍ରାସ୍‍ଦୃପତରେ ତୁମକୁ କି କାମ କରିବାକୁ ହୁଏ ?’

 

ସେ କହିଲେ ‘‘ଆମ୍ଭମାନଙ୍କ ଦେଶରେ ଯେଉଁମାନେ ଅପରାଧ କରନ୍ତି, ସେହି ଦେଶକୁ ନିର୍ବାସିତ ହୁଅନ୍ତି । ଆମ୍ଭ ଦେଶର ଏକମାତ୍ର ଦଣ୍ଡ କ’ଣ ଜାଣ ? ତାହାର ନାମ ହେଉଛି ଶିଲିଚ୍‌ । କେହି ଅପରାଧ କଲେ ତାହାର ଗଳାରେ ଦଉଡ଼ି ବାନ୍ଧି ଦୁଇପଟରୁ ଦୁଇଜଣ ଲ୍ଲୁମଶୂନ୍ୟ ପଥରେ ତାହାକୁ ଟେକିନେଇ ସେଠାରେ ଫୋପାଡ଼ି ଦେଇ ଆସନ୍ତି । ସେଠାକୁ ଗଲେ ଆଉ କେହି ଦେଶକୁ ଫେରିଆସିପାରେନା । ତାହାକୁ ଚିରଜୀବନପାଇଁ ସେହିଠାରେ ବନ୍ଦୀ ଅବସ୍ଥାରେ ରହିବାକୁ ହୁଏ । ସେଠାକାର ଆଲୋକ ଏତେ ଉଜ୍ଜ୍ୱଳ ଯେ ଯଦି କୌଣସି ଲ୍ଲୁମ ଅଳ୍ପ ବୟସରୁ ସେଠାକୁ ନିର୍ବାସିତ ନ ହୁଏ ତାହାହେଲେ ତାହା ପକ୍ଷରେ ସେଠାରେ ବାସ କରିବା ଅସମ୍ଭବ ହୋଇପଡ଼େ ।

 

ପୁଣି ସେ କହିଲେ, ‘‘ମୁଁ ଓ ମୋର ବନ୍ଧୁ ରୋସିଗ୍‌ ସେହିଠାରେ ରହୁ । ମୋ ବାବାଙ୍କ ଅନୁରୋଧରେ ରାଜା ମୋତେ ନ’ବର୍ଷ ସମୟରୁ ଏ କାମରେ ନିଯୁକ୍ତ କରିଅଛନ୍ତି । ଏଇଥିପାଇଁ କୌଣସି ଅସୁବିଧା ଏଠାରେ ହେବ ନାହିଁ ।

 

ଏହାପରେ ଆମ୍ଭେମାନେ ଘରକୁ ଫେରିଆସିଲୁଁ, ଘରେ ନିଆଁ ଜାଳିଲି, ରୋଷାଇ କଲି । ଅଗ୍ନି ଦୀପ୍ତି ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଆମ୍ଭେମାନେ କେମିତି ଭାବରେ ରୋଷାଇ କରି ଖାଦ୍ୟ ଖାଉଁ ସେ କଥା କହିଲି । ସେମାନେ ଶୁଣି ବିସ୍ମିତ ହେଲେ ।

 

ଯେତେବେଳେ ଆମ୍ଭେମାନେ ଖାଇବାକୁ ବସିଲୁ, ସେତେବେଳେ ଟେବୁଲ ଉପରେ ମାଂସ ଦେଖି ସେମାନେ କ’ଣ ଖାଉଛନ୍ତି ଜାଣିପାରିଲେ ନାହିଁ । ସେମାନେ ହୁଏତ ମନେକରିଥିଲେ କୌଣସି ଫଳ ଖାଉଛନ୍ତି ବୋଲି ।

 

ରୋସିଗ କହିଲେ, ‘‘ବୁଲୁ, ତୁମେ କି ଅଦ୍ଭୁତଧରଣ ତରବୁଜ ଖୁଆଉଛ ?’’

 

ମୁଁ ମାଂସ କଥା କହିବାରୁ ସେମାନେ ପ୍ରଥମେ ବୁଝିପାରିଲେ ନାହିଁ ଓ ଆଶ୍ଚର୍ଯ୍ୟ ହେଲେ-

 

କୋୟାନ ଗୋଲାର କହିଲେ, ଭାଇ ବୁଲୁ, ମୋର ବାବା ଇଉଓୟାରକି ପ୍ରତି ତୁମର ସଦୟ ବ୍ୟବହାରପାଇଁ ଧନ୍ୟବାଦ ଜଣାଇବାକୁ ମୋତେ ଏଠାକୁ ପଠାଇଛନ୍ତି । ତୁମେ ମୋ’ପ୍ରତି ଏବଂ ବନ୍ଧୁ ରୋସିଗ ପ୍ରତି ଯେମିତି ସଦୟ ବ୍ୟବହାର ଦେଖାଇଲ, ସେଥିପାଇଁ ଆମ୍ଭମାନଙ୍କ ଧନ୍ୟବାଦ ଗ୍ରହଣ କର । କାଲି ଭୋର ଆମ୍ଭେମାନେ ଏଠାରୁ ବିଦାୟ ନେବୁ ।

 

ମୁଁ କହିଲି, ଇଉଓୟାରକି କ’ଣ ଏଠାକୁ ଆସିବେ ନାହିଁ ?

 

କୋୟାନ ଗୋଲାର କହିଲେ, ‘‘ବାବା ଦୀର୍ଘକାଳ ପରେ ତାହାକୁ ପାଇ ଏତେ ଆନନ୍ଦିତ ହୋଇଯାଇଛନ୍ତି ଯେ, ମନେହୁଏନା ଯେ ତାହାକୁ ଶୀଘ୍ର ଛାଡ଼ିଦେବେ ।’’

 

ମୁଁ କୌଣସି କଥା କହିଲି ନାହିଁ । କୋୟାନ ଗୋଲାର କହିଲେ, ‘‘ଆମ୍ଭମାନଙ୍କ ଦେଶର ଲୋକମାନେ ତୁମର ସୁଖ୍ୟାତି ଶୁଣିଛନ୍ତି । ମନେହୁଏ ଦିନେ ନା ଦିନେ ବାବା ତୁମ ସହିତ ସାକ୍ଷାତ କରିବାକୁ ଆସିପାରନ୍ତି । ତୁମର ଯଦି ଆମ୍ଭମାନଙ୍କ ଭଳି ଉଡ଼ିବାର କ୍ଷମତା ଥାଆନ୍ତା, ଗ୍ରୌନଦି ଥାଆନ୍ତା, ତାହାହେଲେ ଆମ୍ଭେମାନେ ତୁମ୍ଭଙ୍କୁ ସଙ୍ଗରେ ନେଇ ଯାଇଥା’ନ୍ତୁ ।

 

(କୋଡ଼ିଏ)

 

ସେମାନେ ଚାଲିଗଲେ । ମୁଁ ଆକାଶ ଆଡ଼କୁ ଅପଲକ ଭାବରେ ଚାହିଁରହିଲି ।

 

ପୁଣି ମୁଁ ସେହି ଏକା ।

 

ଇଉଓୟାରକିର କଥା ମନରେ ପଡ଼େ । କିନ୍ତୁ ମୋର ମନ କହେ ସେ ଆଉ ଫେରିବେନି ।

 

କାହିଁକି ବା ଆସିବେ ? ସେ ତା’ର ଆତ୍ମୀୟସ୍ୱଜନ ସହିତ ଏତେଦିନ ପରେ ମିଳିତ ହୋଇଛନ୍ତି । ସେମାନେ ବା ତାହାକୁ ଛାଡ଼ିବେ କାହିଁକି ? ମୋ’ଭାଳି ଏମିତି ହତଭାଗ୍ୟ ସେ କାହିଁକି ହେବାକୁ ଯିବ ?

 

ପୁଣି ମୋର ଗୁହା ଗୃହକୁ ଫେରିଆସିଲି ।

 

ସେଇ ଏକୁଟିଆ ଜୀବନ ।

 

ପୁଣି ଅନ୍ଧକାରର ଦିନ ଆସୁଛି ।

 

ପୁଣି ଯେମିତି ଶୀତ ଆହୁରି ବେଶି ପଡ଼ୁଛି । ମୁଁ ଇଉଓୟାରକି ସାହାଯ୍ୟରେ ଜାହାଜରୁ ଯେଉଁ ସମସ୍ତ ବାକ୍‌ସ ଆଦି ଆଣିଥିଲି, ଗୋଟି ଗୋଟି କରି ତାହା ଖୋଲିବାକୁ ଲାଗିଲି । ଗୋଟିଏ ବାକ୍‌ସ ମଧ୍ୟରେ ଗୋଟିଏ ଅତି ସୁନ୍ଦର ନୀଳରଙ୍ଗର କୋଟ୍‍ ପାଇଲି । ସେଇ କୋଟ୍‍ର ବୋତାମଗୁଡ଼ିକ ଥିଲା ସୁନାର । ମଖମଲର ଜାମା ମଧ୍ୟ କେତୋଟି ପାଇଲି । ସୁନା ତାରରେ କାମ ହୋଇଥିବା ଗୋଟିଏ ଟୋପି ମଧ୍ୟ ପାଇଲି । ବୁଟ୍‍ ଜୋତା, ମୋଜା–ଏମିତି ଭାବରେ ଜଣେ କାପ୍ଟେନର ପୋଷାକ ମିଳିଲା ।

 

କୋଟ୍‍ ପକେଟରୁ ଖଣ୍ଡିଏ ଚିଠି ପାଇଲି, ଚିଠି ପଢ଼ି ଜାଣିଲି ଯେ, ଏଇ ସମସ୍ତ ପୋଷାକ ଜଣେ ଇଂରେଜ କାପ୍ଟେନର ଥିଲା । ପର୍ତ୍ତୁଗୀଜମାନେ ଜାହାଜ ଦଖଲ କରିବା ପରେ ଏଗୁଡ଼ିକ ତାଙ୍କ ହାତକୁ ଆସିଥିଲା । ମୁଁ ସେହି ସମସ୍ତ ଜାମା, ଜୋତା, କୋଟ୍‍, ଟୋପି ପିନ୍ଧି ଦେଖିଲି, ମୋତେ ବେଶ୍‌ ମାନୁଛି । ମୁଁ ସେ ସମସ୍ତ ଖୋଲି ଗୋଟିଏ ବାକ୍‌ସ ମଧ୍ୟରେ ଯତ୍ନର ସହକାରେ ରଖିଲି ।

 

ପୁଣି ଗୋଟିଏ ବାକ୍‌ସ ଖୋଲିଲି । ସେହି ବାକ୍‌ସ ମଧ୍ୟରୁ ଅନେକଗୁଡ଼ିଏ ପ୍ରୟୋଜନୀୟ ଜିନିଷ ପାଇଲି । କ୍ଷୁର, କଇଁଚି, ପରଚୁଳା ଏଇ ସମସ୍ତ । ମୁଁ ଭାବିଲି, ଏଇ ସମସ୍ତ ସାଜ ପୋଷାକ ନେଇ କ’ଣ କରିବି ?

 

ମୁଁ ଦେଖିଲି ଯେ, ଇଉଓୟାରକିର ଯେମିତି ନିଶ ଦାଢ଼ି କିଛି ନାହିଁ, ତାହାର ଭାଇ କୋୟାନ ଗୋଲାର ଓ ତାଙ୍କ ବନ୍ଧୁର ସେମିତି ନିଶ ଦାଢ଼ି କିଛି ନାହିଁ । ମୁଁ ନିଜକୁ ସେମାନଙ୍କ ଅନୁରୂପ କରିବାପାଇଁ ମୋର ନିଶ, ଦାଢ଼ି କାଟିପକାଇବି ବୋଲି ଭାବିଲି । କିନ୍ତୁ ଚିନ୍ତା କଲି, ମୋ ସହିତ ସେ ଦେଶର ଲୋକଙ୍କର କୌଣସି ସଂପର୍କ ନାହିଁ ଯେତେବେଳେ; ମୁଁ କାହିଁକି ବା ନିଶ ଦାଢ଼ି କାଟି ସେମାନଙ୍କ ଭଳି ହେବାକୁ ଯିବି ! ପୁଣି ମୋ ପୋଷାକ ସହିତ ସେମାନଙ୍କ ପୋଷାକର କୌଣସି ସାଦୃଶ୍ୟ ନାହିଁ । ତେଣୁ ମୁଁ ଆଉ ନିଶ, ଦାଢ଼ି କାଟିଲି ନାହିଁ ।

 

ଏମିତି ଭାବରେ କେତେ ମାସ କଟିଗଲା, ଶୀତ ଆସିଲା । ଦିନେ ବନ୍ଧୁକଟି କାନ୍ଧରେ ପକାଇ ଶିକାର କରିବାକୁ ଯାଉଛି, ଏମିତି ସମୟରେ ବଜ୍ର ଗମ୍ଭୀର ନିନାଦଭଳି ଧ୍ୱନି ଶୁଣିବାକୁ ପାଇଲି । ଆକାଶ ଆଡ଼କୁ ଚାହିଁ ଦେଖିଲି, କେଉଁମାନେ ଯେମିତି ଅତି ବେଗରେ ଆକାଶରେ ଉଡ଼ି ଆସୁଛନ୍ତି ।

 

ଅଳ୍ପ ସମୟ ମଧ୍ୟରେ ତିନି ଜଣ ଗ୍ରୌନଦିପିନ୍ଧା ଲୋକ ହ୍ରଦ ପାଖରେ ଆସି ଓହ୍ଲାଇଲେ । ସେମାନେ ମୋ ନିକଟକୁ ଆସି କହିଲେ, ‘‘ତୁମେ କ’ଣ ବୁଲୁ ?’’

 

ମୁଁ କହିଲି ‘‘ହଁ’’ ।

 

ସେମାନେ କହିଲେ, ‘‘ତୁମ ସହିତ ଆମ୍ଭମାନଙ୍କର କଥା ଅଛି । ଆମ୍ଭେମାନେ ଆମର ରଜା ନିକଟରୁ ତୁମଠାକୁ ଆସିଛୁ ।

 

ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ଘରକୁ ନେଇଗଲି ।

 

ମୁଁ ରାସ୍ତାରେ କେବଳ ଭାବୁଥିଲି, ମୋ ସହିତ ଏମାନଙ୍କର କ’ଣ ପ୍ରୟୋଜନ ରହିପାରେ-?

 

(ଏକୋଇଶ)

 

ଆମେ ଆମର ଗୁହା-ଗୃହରେ ପହଞ୍ଚିଲାରୁ ସେମାନେ କହିଲେ, ‘‘ଆମ୍ଭେ ଆମ୍ଭ ଦେଶର ରାଜା ବିୟୋରେଗତି ନିକଟରୁ ଆସିଅଛୁଁ । ରାଜା ତୁମଠାରୁ ସାହାଯ୍ୟପାଇଁ ଆମ୍ଭମାନଙ୍କୁ ତୁମଠାକୁ ପଠାଇଛନ୍ତି ।’’

 

ମୋ ସହିତ ଯେଉଁ ବ୍ୟକ୍ତି କଥା କହିଲେ, ତାଙ୍କ ନାମ ନାସିଗ୍‌ । ନାସିଗ୍‌ କହିଲେ, ‘‘ମୁଁ ହେଉଛି ରାଜଦୂତ । ଦେଶେ ଦେଶେ ରାଜାଙ୍କ ପ୍ରୟୋଜନାର୍ଥେ ଘୂରି ବୁଲେ । ବନ୍ଧୁ ବୁଲୁ ତୁମର ଯଶଃ ଓ ଖ୍ୟାତି ଆମ୍ଭର ରାଜଦରବାରରେ ମଧ୍ୟ ଯାଇ ପହଞ୍ଚିଛି । ଇଉଓୟାରକି ପ୍ରତି ତୁମେ ଯେଉଁ ସଦୟ ବ୍ୟବହାର ଦେଖାଇଛ, ସେଇ କଥା ତାଙ୍କ ବାବା ଆମ୍ଭର ରଜାଙ୍କୁ ଜଣାଇଛନ୍ତି । ଯଦିଓ ଆମ୍ଭମାନଙ୍କ ଦେଶ ଖୁବ୍‌ ବଡ଼ ଏବଂ ଏକ ସମୟରେ ଅତ୍ୟନ୍ତ କ୍ଷମତାଶାଳୀ ଥିଲା, କିନ୍ତୁ ରାଜ୍ୟର ପଶ୍ଚିମାଂଶରେ ଲୋକମାନେ ବିଦ୍ରୋହୀ ହୋଇ ସେମାନେ ଜଣକୁ ନୂତନ ରାଜାରୂପେ ଗ୍ରହଣ କରିଛନ୍ତି । ପ୍ରତିଦିନ ସେମାନେ ଆମ ଦେଶର ଲୋକଙ୍କ ସହିତ ଅଶାନ୍ତି ଓ ଯୁଦ୍ଧ ବିଗ୍ରହ ଲଗାଇ ଆମ ରାଜ୍ୟର କିଛି ଅଂଶ ଦଖଲ କରିନେଇଛନ୍ତି । ଯଦି ଏମିତି ଭାବରେ ଆମକୁ ଆହୁରି କିଛିଦିନ ପରାସ୍ତ କରନ୍ତି, ତାହାହେଲେ ଆମେ ଦିନେ ନା ଦିନେ ତାଙ୍କର ପଦାନତ ହେବୁ । ଆମ୍ଭମାନଙ୍କ ଦେଶର ଏଇ ଦୁର୍ଦ୍ଦଶା କଥା ଆମେ ଅନେକ ଦିନ ପୂର୍ବରୁ ଜାଣି ପାରିଥିଲୁ ।’’

 

ମୁଁ ପଚାରିଲି, ‘‘କେମିତି ଭାବରେ ଜାଣିପାରିଲ ?’’

 

ନାସିଗ୍ କହିଲେ, ‘‘ଆମ ଦେଶର ଜଣେ ଭବିଷ୍ୟତ ଦ୍ରଷ୍ଟା ପ୍ରାଚୀନ ବ୍ୟକ୍ତି ଏ କଥା କହିଯାଇଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ବଂଶଧରମାନେ ଏ କଥା ସମସ୍ତଙ୍କୁ କହିଯାଇଛନ୍ତି ଏବଂ ଏହା ମଧ୍ୟ କହିଯାଇଛନ୍ତି ଯେ ସେ ସମୟରେ ଜଣେ ଭିନ୍ନ ଦେଶୀ ଲୋକ ଏ ଦେଶକୁ ଆସି ବାସ କରିବେ । ତାଙ୍କରି ସହାୟତାରେ କେବଳ ଆମେ, ଆମ ଦେଶ ବିପଦମୁକ୍ତ ହୋଇ ପାରିବ । ତେଣୁ ଆଜି ଆମ ଦେଶର ଏହିଭଳି ଦୁର୍ଦ୍ଦିନରେ ତୁମେ ହିଁ ତା’ର ଉଦ୍ଧାରକର୍ତ୍ତା । ଏକମାତ୍ର ତୁମେ ହିଁ ଦେଶରେ ଶାନ୍ତି ଆଣିପାରିବ । ଆମର ରଜା ବିୟୋରେଗତି ଏବଂ ରାଜ୍ୟର ସମୁଦାୟ ପ୍ରଧାନଗଣ ତୁମର ଅଭ୍ୟର୍ଥନାପାଇଁ ଅପେକ୍ଷା କରିଛନ୍ତି । ମୁଁ ତୁମକୁ ଆମ ଦେଶକୁ ଯିବାପାଇଁ ନିମନ୍ତ୍ରଣ କରିବାକୁ ଆସିଛି । ତୁମେ ହୁଏତ କହିବ ଯେ, ମୁଁ କେମିତି ଭାବରେ ତୁମ ଦେଶକୁ ଯିବି, ମୋର ତ ଗ୍ରୌନଦି ନାହିଁ ।

 

ମୁଁ କହିଲି, ସେ କଥା ନିଶ୍ଚୟ । ଯଦିଓ ତୁମର କୌଣସି ଗ୍ରୌନଦି ନାହିଁ, ତଥାପି ତୁମର ଏମିତି ବୁଦ୍ଧି ଓ ବିଚକ୍ଷଣତା ରହିଛି ଯେ, ବୁଦ୍ଧି ଓ ଜ୍ଞାନ ସାହାଯ୍ୟରେ ତୁମେ ଏମିତି ହୁଏତ ଗୋଟିଏ କୌଶଳ କରିପାରିବ, ଯାହା ସାହାଯ୍ୟରେ ଆମ ଦେଶକୁ ଯିବାର ଗୋଟିଏ ଉପାୟ କରିପାରିବ । ବନ୍ଧୁ, ତୁମେ ହିଁ ଆମ୍ଭମାନଙ୍କର ଉଦ୍ଧାର କର୍ତ୍ତା । ଆଶାକରେ ଆମ୍ଭମାନଙ୍କ ଦେଶକୁ ଯିବାରେ କୌଣସି ଆପତ୍ତି କରିବ ନାହିଁ ।

 

ମୁଁ କହିଲି, ନାସିଗ୍, ମୁଁ ତୁମର ଅନୁରୋଧ ରକ୍ଷା କରିବାକୁ ସମ୍ମତ ଅଛି, କିନ୍ତୁ ଭାଇ, ମୁଁ ଯେ ଉଡ଼ି ଜାଣେନା । ମୋର ତ ଭାଇ ଗ୍ରୌନଦି ନାହିଁ । ମୁଁ କିପରି ସକ୍ଷମ ହେବି କୁହ ?

 

ନାସିଗ୍ ଗମ୍ଭୀର ଭାବରେ କହିଲେ, ‘‘ଭାଇ ବୁଲୁ, ତୁମେ ମୋର ଏଇ ଅନୁରୋଧ ସେମିତି ଭାବରେ ଗ୍ରହଣ କରୁନାହଁ । କିନ୍ତୁ ଜାଣନା ସେ କେତେଦିନ ପୂର୍ବରୁ ଆମ ଦେଶର ସେହି ସାଧୁପୁରୁଷ କହିଯାଇଛନ୍ତି ଯେ ତୁମେ ହିଁ ଆମ ଦେଶର ଉଦ୍ଧାର କର୍ତ୍ତା । ତୁମକୁ ଯେ ଆମ ଦେଶକୁ ଯିବାକୁ ହେବ ଭାଇ ।

 

ମୁଁ କହିଲି,–‘‘ଭାଇ ନାସିଗ୍‌, ମୁଁ ବୁଝିପାରୁଛି ଯେ ମୋତେ ସତ୍ୟ ସତ୍ୟରେ ତୁମ ଦେଶକୁ ନେବାକୁ ଚାହଁ । କିନ୍ତୁ ସେହି ଭବିଷ୍ୟତବାଣୀ କ’ଣ ମୁଁ ଶୁଣିବାକୁ ଚାହେଁ ।

 

‘ତୁମ୍ଭେ ଯଦି ଆମ୍ଭ ଦେଶକୁ ନ ଯାଅ, ତାହାହେଲେ ତୁମକୁ କହି ଲାଭ କ’ଣ ?’

 

ମୁଁ କହିଲି,–‘ମୁଁ ଯେ ତୁମ ଦେଶକୁ ଯିବିନି ଏମିତି କଥା ମୁଁ ତ କହିନି । କିନ୍ତୁ ମୋତେ ଯେ ତୁମ୍ଭେ ତୁମ୍ଭମାନଙ୍କ ଦେଶର ଉଦ୍ଧାରକର୍ତ୍ତା ବୋଲି ମନେକରିଛ ଏହାର କାରଣ କ’ଣ ?’

 

ନାସିଗ୍‌ କହିଲେ, ଏ ବିଷୟରେ ବିନ୍ଦୁମାତ୍ର ସନ୍ଦେହ ନାହିଁ ।

 

ମୁଁ କହିଲି, ‘‘ତାହାହେଲେ ମୋତେ ବିସ୍ତାରିତ ଭାବରେ ସବୁ କଥା କୁହ, ତାହାପରେ ସେ ବିଷୟରେ ସ୍ଥିର ସିଦ୍ଧାନ୍ତ ନେବି ।’’

 

ଏହାପରେ ସେ କହିଲେ....‘ସେ ପ୍ରାୟ ଚାରି ଶତାବ୍ଦୀ ପୂର୍ବର କଥା । ସେତେବେଳେ ଆମ ଦେଶର ରାଜା ଥିଲେ ବେଗ୍‌ମାରବେକ୍‌ । ବେଗ୍‍ମାରବେକ୍‌ ମହାପୁରୁଷ ରାଗମ୍‌ର ଖୁବ୍‌ ଭକ୍ତ ଓ ଅନୁଗତ ଥିଲେ । ଦିନେ ରାଗମ୍‌ ରାଜା ଓ ରାଜ୍ୟର ଅନ୍ୟାନ୍ୟ ପ୍ରଧାନ ବ୍ୟକ୍ତିମାନଙ୍କୁ ଡାକି କହିଲେ, ଦେଖ, ତୁମ୍ଭେମାନେ ପୂର୍ବପୁରୁଷର ଧର୍ମମତ ପରିତ୍ୟାଗ କରି ନୂତନ ଧର୍ମପଥରେ ଅନୁସରଣ କରୁଛ । ଏଥିପାଇଁ ବିଧାତା ତୁମ୍ଭମାନଙ୍କ ପ୍ରତି ଅସନ୍ତୁଷ୍ଟ ହୋଇଛନ୍ତି । ମୁଁ ତୁମମାନଙ୍କୁ ଏ କଥା ଅନେକ ଥର କହିଅଛି । କିନ୍ତୁ ତୁମ୍ଭେମାନେ ତାହା ଉପେକ୍ଷା କରିଛ । କେବଳ ରାଜା ବେଗ୍‌ମାରବେକ୍‌ ପ୍ରାଚୀନ ମତରେ ଚାଲିଛନ୍ତି । ମୁଁ ଆଶୀର୍ବାଦ କରୁଛି, ରାଜା ବେଗ୍‌ମାରବେକ୍‌ ଦୀର୍ଘକାଳ ରାଜତ୍ୱ କରିବେ । କିନ୍ତୁ ତାହାପରେ ତୁମ୍ଭମାନଙ୍କ ଦେଶରେ ନାନା କଳହ ଓ ଅଶାନ୍ତି ସୃଷ୍ଟି ହେବ । ଦେଶରେ ପଶ୍ଚିମ ଦିଗ ବହୁଭାଗରେ ବିଭକ୍ତ ହେବ, ବହୁ ଲୋକ ଯୁଦ୍ଧ ବିଗ୍ରହ ଓ ମଡ଼କରେ ମୃତ୍ୟୁବରଣ କରିବେ । କିନ୍ତୁ ସେଇ ଦୁଃସମୟରେ ଜଣେ ଲ୍ଲୁମର ଆବିର୍ଭାବ ହେବ । ତାଙ୍କର ମୁଣ୍ଡରେ ଥିବ ଲମ୍ବ ଘନ କେଶରାଶି, ମୁହଁରେ ନିଶ ଓ ଦାଢ଼ି,–ସେ ଗ୍ରୌନଦି ବ୍ୟତୀତ ଜଳ ଓ ଆକାଶରେ ପରିଭ୍ରମଣ କରିପାରୁଥିବେ ଏବଂ ଗୋଟିଏ ପ୍ରକାର ଆଗ୍ନେୟାସ୍ତ୍ରଦ୍ୱାରା ତୁମ୍ଭମାନଙ୍କର ଦେଶର ଶତ୍ରୁକୁ ନିପାତ କରିବେ । ତାହାପରେ ଏଇ ଦେଶର ରାଜ୍ୟ ବିଭାଗ, ନୂତନ ଶାସନର ବିଧିବିଧାନ ପ୍ରଣୟନ କରିବେ, ଦେଶର ଅନେକ ଉନ୍ନତ ହେବ । ସେଇ ନୂତନ ଦେଶର ଆଗନ୍ତୁକ ଦେବତାଙ୍କ ସାହାଯ୍ୟରେ ଏ ଦେଶର ପ୍ରଭୂତ କଲ୍ୟାଣ ସାଧିତ ହେବ । ତାହାପରେ ତୁମର ସେହି ତ୍ରାଣକର୍ତ୍ତା ତାଙ୍କର ଦେଶକୁ ଫେରିଯିବେ । ସାବଧାନ, ତୁମ୍ଭେମାନେ କେବେହେଲେ ଏ ସୁଯୋଗ ଉପେକ୍ଷା କରିବ ନାହିଁ । ଏହି କଥା କହି ରାଗମ୍‌ ଦେହତ୍ୟାଗ କଲେ ।

 

‘‘ଦିନେ ନା ଦିନେ ଏଇ ଭବିଷ୍ୟତବାଣୀ ସତ୍ୟ ହେବ ବୋଲି ରଜା ବେଗ୍‌ମାରବେକ୍‌ଙ୍କ ବିଶ୍ୱାସ ଥିଲା, ସେ ଭବିଷ୍ୟଦ୍ଦଶା, ରାଗମ୍‌ର ଏହି ସତର୍କ ବାଣୀ ରାଜ୍ୟର ସର୍ବତ୍ର ପ୍ରଚାର କରିଥିଲେ-। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସମସ୍ତେ ଏହି ଭବିଷ୍ୟତ ବାଣୀର ସମ୍ବାଦ ଜାଣନ୍ତି । ଆଜି ଆମ୍ଭମାନଙ୍କ ଦେଶର ଏହି ଦୁର୍ଦ୍ଦିନରେ, ଦେଶର ଅଶାନ୍ତ ମଧ୍ୟରେ ଇଉଓୟାରକି ମୁଖରେ ଯେତେବେଳେ ତୁମ କଥା ପ୍ରଥମତଃ ପ୍ରଚାରିତ ହେଲା, ସେହିଦିନଠାରୁ ମହାରାଜାଙ୍କର ଇଚ୍ଛା ହୋଇଥିଲା ଯେ, ସେ ନିଜେ ଆସି ତୁମକୁ ରାଜ୍ୟକୁ ନେଇଯିବେ । ତେଣୁ ଭାଇ, ମୁଁ ରାଜାଙ୍କ ଆଦେଶ ପାଳନ କରିଆସିଅଛି ।’’

 

ମୁଁ ଭାବିଲି, ମଣିଷ ଜୀବନ କି ବିଚିତ୍ର, କେଉଁଠାରୁ କିପରି ଭାବରେ ଭିନ୍ନ ଭିନ୍ନ ପଥରେ ପରିଚାଳିତ ହୁଏ । ଜାଣେନା କେଉଁଠି କେଉଁ ଦେଶକୁ ବିଧାତା ମୋତେ ନେଇଯିବାକୁ ଚାହାନ୍ତି ।

 

ମୁଁ ନାସିଗ୍‌କୁ କହିଲି, ମୁଁ ତୁମ ଦେଶକୁ ଯିବାକୁ ସମ୍ମତ ଅଛି, କିନ୍ତୁ କେମିତି ଭାବରେ ମୋତେ ନେଇପାରିବ ସେଇ ବ୍ୟବସ୍ଥା କର ।

 

ନାସିଗ୍‌ କହିଲେ,–ଆମ୍ଭମାନଙ୍କର କେତେଜଣ ଲ୍ଲୁମ ଅନାୟାସରେ ତୁମକୁ ପିଠିରେ ନେଇଯାଇପାରିବେ ।

 

ମୁଁ ହସି କହିଲି, ‘‘ତାହାହେଲେ ସେମାନେ ମୋତେ ସମୁଦ୍ରର ଅଗାଧ ଜଳରେ ବିସର୍ଜନ ଦେଇପାରିବେ ।’’

 

ଏମିତି ଭାବରେ ବହୁକ୍ଷଣ ଯାଏ ତର୍କ ବିତର୍କ ଚାଲିଲା । କୌଣସି ଏକ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇପାରିଲୁ ନାହିଁ ।

 

ମୁଁ କହିଲି–‘‘ଚାଲ, ଏବେ ବିଶ୍ରାମ କରିବା । ଆଜି ରାତିଟା ମୋତେ ଚିନ୍ତା କରିବାକୁ ଦିଅ, କେମିତି ଭାବରେ ମୁଁ ତୁମମାନଙ୍କ ଦେଶକୁ ଯାଇ ପାରିବି ।’’

 

ନାସିଗ୍‌କୁ ନେଇ ମୁଁ ମୋର ଗୁହା-ଗୃହକୁ ଆସିଲି । ସେଇ ରାତିରେ ମୁଁ ଶୋଇ ଶୋଇ ଅନେକକ୍ଷଣ ଚିନ୍ତା କଲି ।

 

(ବାଇଶି)

 

ମୁଁ ପରଦିନ ଭୋରରୁ ମୋର ଯନ୍ତ୍ରପାତି ନେଇ କାମରେ ଲାଗିଗଲି । ଗୋଟିଏ କାଠର ଝୁଲଣା ସବାରୀ ତିଆରି କଲି । ସବାରୀଟିର ଲମ୍ବ ଆଠ ହାତ ଏବଂ ପ୍ରସ୍ଥ ପାଞ୍ଚହାତ । ତାହାର ମଧ୍ୟସ୍ଥଳରେ ଗୋଟିଏ ଟେବୁଲ ଓ ଗୋଟିଏ ଚେୟାର ଖୁବ୍‌ ଶକ୍ତ ଭାବରେ ବାନ୍ଧିଦେଲି । ସବାରୀର ନିମ୍ନଭାଗରେ ଆଠଟି ଗୋଡ଼ ମଧ୍ୟ ଲଗାଇଲି । ଏହାର ଚାରିଦିଗରେ ଏମିତି ଭାବରେ ରେଲିଂ ତିଆରି କଲି ଯେ, ମୁଁ ଯେମିତି କୌଣସି ଉପାୟରେ ଗଡ଼ି ନ ପାରେ ବା ପଡ଼ିଯାଇ ନ ପାରେ । ମୁଁ ନିଜକୁ ଦଉଡ଼ିରେ ବାନ୍ଧି ଚେୟାରରେ ଶକ୍ତ ଭାବରେ ବସିବାର ସ୍ଥିର କଲି । ତାହାହେଲେ ଆଉ ପଡ଼ିବାର ସମ୍ଭାବନା ରହିବ ନାହିଁ ।

 

ସାରାଦିନ ମୋର ଯନ୍ତ୍ରଟି ତିଆରି କରିବାରେ କଟିଗଲା । ତାହାପରେ ନାସିଗ୍‍ର ସମସ୍ତ ସଙ୍ଗୀମାନଙ୍କୁ ନେଇ ହ୍ରଦତୀରସ୍ଥ ଏକ ଖୋଲା ସ୍ଥାନରେ ଯାଇ ପହଞ୍ଚିଲି ଏବଂ ମୁଁ ସବାରୀ ମଧ୍ୟସ୍ଥ ଚେୟାରରେ ବସି ସେମାନଙ୍କୁ କହିଲି, ‘‘ତୁମ୍ଭେମାନେ ଏବେ ଏଇ ଆସନଟିକୁ ଉଠାଇବାର ବ୍ୟବସ୍ଥା କର ।’’

 

ନାସିଗ୍‍ଙ୍କ ଆଦେଶରେ କେତେଜଣ ଶକ୍ତିଶାଳୀ ଲ୍ଲୁମ ଆସନଟିକୁ ଉଠାଇଲେ । ସେମାନେ ଏମିତି ଭାବରେ ଆସନଟିକୁ ଉଠାଇଲେ ଯେ, ମୁଁ ସାମାନ୍ୟ ମାତ୍ର ଅସୁବିଧା ମଧ୍ୟ ବୋଧ କଲିନାହିଁ । ସେମାନେ ଅଳ୍ପ ସମୟ ମଧ୍ୟରେ ପାହାଡ଼ ଉପରେ ଉଡ଼ିବାକୁ ଲାଗିଲେ । ମୁଁ ନିଶ୍ଚିନ୍ତ ଭାବରେ ବସିରହିଲି, ଭୟର କୌଣସି କାରଣ ନ ଥିଲା ।

 

ମୋ ନିକଟରେ ଯେମିତି ଏକ ନୂତନ ଜଗତର ସ୍ୱପ୍ନପୁରୀ ଖୋଲିଗଲା । କି ସୁନ୍ଦର ଏଇ ପୃଥିବୀ ! ନିମ୍ନ ଭାଗରେ ନୀଳସାଗର ଦୋହଲି ଉଠୁଛି । ଉପରେ ଆକାଶ ହସୁଛି । ଆଉ ପୃଥିବୀ ବୁକୁରେ ହ୍ରଦ ବେଷ୍ଟିତ କି ସୁନ୍ଦର ଏଇ ଶ୍ୟାମଳ କାନନ ଭୂମି !

 

ପୁଣି ମୁଁ ଏମାନଙ୍କ ଦ୍ୱାରା ତଳକୁ ଆସିଲି ନିରାପଦରେ । ନାସିଗ୍‌ ହ୍ରଦ ତୀରରେ ଛିଡ଼ା ହୋଇ ମୋର ଏହି ଉଡ଼ିବାର ଆସନ ଖଣ୍ଡିକର ଗତିବିଧି ନିରୀକ୍ଷଣ କରୁଥିଲେ । ଫେରିଆସିବାରୁ ସେ ମୋତେ ଆଲିଙ୍ଗନ କରି କହିଲେ, ‘‘ଭାଇ ବୁଲୁ ! ରାଗମ୍‌ର ଭବିଷ୍ୟତ ବାଣୀ ସତ୍ୟ । ତୁମେ ସେହି ମହାନ୍‌ ବ୍ୟକ୍ତି । ତୁମେ ହିଁ ଆମ୍ଭମାନଙ୍କ ଦେଶର ଉଦ୍ଧାର କର୍ତ୍ତା ।’’

 

ଦୁଇଦିନ ପରେ ଆମ୍ଭମାନଙ୍କର ସୋୟାଙ୍ଗନିତିକୁ ଯିବାର ପ୍ରସ୍ତାବ ସ୍ଥିର ହେଲା । ମୁଁ ପ୍ରୟୋଜନୀୟ ହାଲୁକା ଦ୍ରବ୍ୟାଦି ସମସ୍ତ ସଂଗ୍ରହ କଲି । ସ୍ଥିର ହେଲା ଯେ ଗୋଟିଏ ଆସନରେ ମୁଁ ଯିବି, ଆଉ ଗୋଟିଏ ଏମିତି ପାଲିଙ୍କିରେ ସମସ୍ତ ଜିନିଷପତ୍ର ଯିବ । ଦଳେ ଲ୍ଲୁମ ମୋତେ ବହନ କରିବେ ଓ ଆଉ ଦଳେ ଜିନିଷପତ୍ର ବହନକରି ନେଇଯିବେ । ମୁଁ ମୋର ବନ୍ଧୁକ, ପିସ୍ତଲ ଓ ଗୋଳାବାରୁଦ ଅନେକ ନେଲି । ମୋର ପ୍ରୟୋଜନୀୟ ଖାଦ୍ୟଦ୍ରବ୍ୟାଦି ନେବାକୁ ମଧ୍ୟ ଭୁଲିଲି ନାହିଁ-

 

ନାସିଗ୍‌ କହିଲେ, ‘‘ତୁମେ ଏଠାକାର ସମସ୍ତ ଜିନିଷ ଯାହା ଦରକାର ମଣିବ ମୁଁ ତାହା ଦେବାର ବନ୍ଦୋବସ୍ତ କରିବି ।’’ ଏମିତି କହି ସେ ସମସ୍ତ ଜିନିଷପତ୍ର ପ୍ରାୟ ପଚାଶ ଷାଠିଏଟି ଭାଗରେ ବିଭକ୍ତ କଲେ ଏବଂ ଦୁଇ ଶହ ଲ୍ଲୁମ ଉପରେ ସେ ସମସ୍ତ ଦ୍ରବ୍ୟାଦିର ବହନ କରବାର ଭାର ନ୍ୟସ୍ତ କଲେ ।

 

ପରଦିନ ନାସିଗ୍ ସହିତ ହ୍ରଦତୀରସ୍ଥ ସବୁଜ ପ୍ରାନ୍ତରରେ ଆସି ଉପସ୍ଥିତ ହେଲି । ଲ୍ଲୁମମାନେ ଦଳ ଦଳ ହୋଇ ଗୋଲାକାର ଭାବରେ ଛିଡ଼ାହେଲେ । ତାହାପରେ ମୋତେ ନେଇ ପ୍ରଥମ ଦଳଟି ଆଗରେ ଉଡ଼ିଲା ଏବଂ ମୋ ପଛରେ ଅନ୍ୟମାନେ ।

 

ପ୍ରିୟ ହ୍ରଦ, ପ୍ରିୟ ବନଭୂମି, ପ୍ରିୟତମ ଗୁହା ଓ ବଣ ଅଦୃଶ୍ୟ ହୋଇଗଲା ।

 

(ତେଇଶି)

 

ମୁଁ ମୁହୂର୍ତ୍ତକ ମଧ୍ୟରେ ପାହାଡ଼ ପାରିହୋଇ ଆସିଲି । ପ୍ରଥମେ ଟିକିଏ ଭୀତ ଓ ଶଙ୍କିତ ହୋଇପଡ଼ିଥିଲି, ମାତ୍ର କିଛି କ୍ଷଣ ପରେ ଭୟ ବା ଶଙ୍କା ଆଉ ରହିଲା ନାହିଁ ।

 

ମୁଁ ଆଫ୍ରିକାର ଉଚ୍ଚ ପର୍ବତ ଅଗ୍ରଭାଗରେ ଆରୋହଣ କରିଛି, କିନ୍ତୁ କୌଣସି ଦିନ ଏତେ ଉଚ୍ଚକୁ ଉଠିନି । ଜୀବନରେ କେବେ ଉଡ଼ାଜାହାଜରେ ବସିବାର ସୌଭାଗ୍ୟ ଲାଭ କରିନାହିଁ । ତେଣୁ ସେତେବେଳେ ମୋର ମନେହେଉଥିଲା, ମୁଁ ଯେମିତି ମେଘ ରାଇଜ ମଧ୍ୟରେ ଚାଲିଛି ।

 

ଆଜି ପୃଥିବୀକୁ ନୂତନ ରୂପରେ ଦେଖିଲାଭଳି ଜଣାପଡ଼ୁଛି । ଚତୁର୍ଦ୍ଦିଗରେ ଯେମିତି ପତଳା କୁହୁଡ଼ି ଘେରିରହିଛି । ମୋତେ ଯେଉଁ ସମସ୍ତ ଲ୍ଲୁମ ବହନ କରି ନେଇ ଚାଲିଥିଲେ, ସେମାନେ କେତେବେଳେ ଉପରକୁ ଉଠୁଥିଲେ, କେତେବେଳେ ଅବା ତଳକୁ । ଏହାର କାରଣ ପଚାରି ଜାଣିଲି ଯେ ଏଥିରେ ଲ୍ଲୁମମାନଙ୍କର ପରିଶ୍ରମ ଲାଘବ ହୁଏ ।

 

ଆମ୍ଭେମାନେ ପ୍ରାୟ ଷୋହଳ ଘଣ୍ଟା କାଳ ଆକାଶ ପଥରେ ଭ୍ରମଣ କରି ବାତିଜଦ୍ରିଗ୍‌ ନାମକ ଏକ ସ୍ଥାନରେ ଆସି ପହଞ୍ଚିଲୁ । ଏଠାକାର ପ୍ରାକୃତିକ ଦୃଶ୍ୟ ଠିକ୍ ମୋର ହ୍ରଦତୀରସ୍ଥ ଦେଶଭଳି । ମୋର ମନେହେଲା, ବୋଧହୁଏ ପୁଣି ମୁଁ ମୋର ହ୍ରଦ ଦେଶକୁ ଫେରିଆସିଲି ।

 

ସେହିଠାରେ ଗୋଟିଏ ଦିନ ବିଶ୍ରାମ କଲୁଁ । ପାହାଡ଼ର ଚତୁର୍ଦ୍ଦିଗରେ ଜଳାଭୂମି, ସେଥିରେ ନାନାଜାତୀୟ ପକ୍ଷୀ ବିଚରଣ କରୁଥିଲେ ।

 

ପୁଣି ପରଦିନ ଆକାଶ ପଥରେ ଯାତ୍ରା ଆରମ୍ଭ ହେଲା । ସମ୍ମୁଖରେ ବିଶାଳ ସମୁଦ୍ର । ସମୁଦ୍ରରେ କେଉଁଠି ପାଣି, କେଉଁଠି ବରଫ, ଏମିତି ଭାବରେ ଛ’ ଘଣ୍ଟାକାଳ ଶୂନ୍ୟ ପଥରେ ଚାଲି ଶ୍ୱେତ ପାହାଡ଼ ଦେଶରେ ଆସି ପହଞ୍ଚିଲୁ । ସେହି ପର୍ବତ ଦେହର ରଙ୍ଗ ସାଧା ମର୍ମ୍ମର ପ୍ରସ୍ତରଭଳି । ଏଇ ପାହାଡ଼ ଉପରକୁ ଦେଖିବାକୁ ପାଇଲୁ ଯେ ଅନେକ ଦୂରରେ ନିଆଁ ଜଳୁଛି । ସେ କି ଅଗ୍ନି ? ସେହି ଅଗ୍ନିଶିଖା ଆକାଶ ସ୍ପର୍ଶ କରୁଛି ।

 

ନାସିଗ୍‌ କହିଲେ, ‘‘ଏଇ ପାହାଡ଼ର ନାମ ଆଲକୋ । ଏଇଟି ଗୋଟିଏ ଜ୍ୱଳନ୍ତ ପାହାଡ଼ । ଏହି ପାହାଡ଼ର ଆରପାରିରେ ନୃପତି ଜିଓରିଗୋତିର ରାଜ୍ୟ । ଆମ୍ଭେମାନେ ଆଜି ସନ୍ଧ୍ୟାରେ ସେହି ରାଜ୍ୟରେ ପହଞ୍ଚିବୁ ।’’

 

କ୍ରମେ ଆମ୍ଭମାନଙ୍କର ଯାତ୍ରା ଶେଷ ହେଲା । ନାସିଗ୍‌ କହିଲେ, ‘‘ଏଇ ଦେଖ ଆମ୍ଭମାନଙ୍କ ରାଜଧାନୀ ଦେଖାଯାଉଛି । ତୁମେ କେଉଁଠାରେ ଓହ୍ଲାଇବାକୁ ଚାହଁ ।’’

 

ମୋର ଇଉଓୟାରକିର କଥା ମନେପଡ଼ିବାରୁ ମୁଁ ପ୍ରଥମେ ତାଙ୍କରି ଅତିଥି ହେବାକୁ ଇଚ୍ଛା ପ୍ରକାଶ କଲି ।

 

ନାସିଗ୍‌ କହିଲେ, ‘‘ପ୍ରଥମେ ରାଜଦର୍ଶନ କରିବ ନାହିଁ ?’’

 

ତୁମେ ତୁମର ମହାମହିମ ରାଜାଙ୍କୁ ମୋର ଶ୍ରଦ୍ଧା ଓ ଅଭିନନ୍ଦନ ଜଣାଅ । ମୁଁ ଟିକିଏ ବିଶ୍ରାମ ପରେ ତାଙ୍କର ଆଦେଶ ପାଇଲେ ତାଙ୍କର ଚରଣ ବନ୍ଦନା କରିବି ।

 

ନାସିଗ୍‍ ମୋତେ ନେଇ ପ୍ରଥମେ ଇଉଓୟାରକି ଘରକୁ ଆସିଲେ । ଇଉଓୟାରକି ଆସି ମୋ’ଠାରୁ କ୍ଷମା ଚାହିଁଲେ । ମୁଁ ତାହାଙ୍କୁ କହିଲି, ‘‘ଭାଇ, ଆଜ ତୁମରି ଅନୁଗ୍ରହରେ ମୁଁ ଶୂନ୍ୟପଥରେ ଭ୍ରମଣ କରିପାରିଲି ।’’

 

ଏହାପରେ ତାଙ୍କ ବାବା ଆସି ମୋତେ ଆଶୀର୍ବାଦ କଲେ ।

 

ନାନା ଫୁଲ, ଫଳ ଓ ପାନୀୟଦ୍ୱାରା ତୃପ୍ତିଲାଭ କଲି ।

 

ଏ ଦେଶର ସୂର୍ଯ୍ୟକିରଣ ସେମିତି ପ୍ରଖର ନୁହେଁ । ଚତୁର୍ଦ୍ଦିଗର ଶୋଭା ଅପୂର୍ବ ସୁନ୍ଦର । ବୃକ୍ଷରାଜିର ଶୋଭା ବିଚିତ୍ର, କେତେ ଫୁଲ କେତେ ଫଳ । ଏ ଦେଶର ସମସ୍ତ ନରନାରୀ ମୁହଁରେ ଯେମିତି ସଦାବେଳେ ପ୍ରସନ୍ନତା ଲାଗି ରହିଛି ।

 

ଅପରାହ୍ନରେ ରାଜାଙ୍କ ଆହ୍ୱାନ କ୍ରମେ ରାଜଦରବାରକୁ ଗଲି । ରାଜା ମୋର ସମାଦର ସହକାରେ ହାତ ଧରି ଚାଲିଲେ । ମୁଁ ଆଣ୍ଠୁମାଡ଼ି ତାହାଙ୍କୁ ପ୍ରଣାମ କଲି । ଦୁଇଧାରରେ ଲ୍ଲୁମମାନେ ମୋ ସଙ୍ଗରେ ଚାଲିଲେ ।

 

ପ୍ରକାଣ୍ଡ ପ୍ରାସାଦ । ପ୍ରାସାଦର ଦୁଇ ଦିଗରେ ବାରନ୍ଦା । ଗୋଲାକାର ମଣିମୁକ୍ତା ଖଚତି ଆଲୋକ ଧାରରେ ଉଜ୍ଜ୍ୱଳ ଆଲୋକ ରଶ୍ମି ବିଚ୍ଛୁରିତ ହୋଇପଡ଼ୁଛି ।

 

ସିଂହାସନ ପାର୍ଶ୍ୱସ୍ଥ ଏକ ଆସନରେ ବସିଲି ।

 

ରାଜା କହିଲେ, ‘‘ବନ୍ଧୁ ବୁଲୁ ! ତୁମେ ନିରାପଦରେ ଏତେ ଅଳ୍ପ ସମୟ ମଧ୍ୟରେ ଯେ ଏଠାରେ ଆସି ପହଞ୍ଚିଲ, ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ । ତୁମର ଆଗମନରେ ଆମ ରାଜ୍ୟର ସମସ୍ତେ ସନ୍ତୁଷ୍ଟ ହୋଇଛନ୍ତି । ଆଜି ମୁଁ ତୁମକୁ କୌଣସି କଷ୍ଟ ଦେବିନି । ମୁଁ ତୁମର ରହିବାପାଇଁ ଅନ୍ୟ ଏକ ପ୍ରାସାଦର ବନ୍ଦୋବସ୍ତ କରିଛି ସେହିଠାରେ ଅବସ୍ଥାନ କରିବ ।

 

ମୁଁ ଇଉଓୟାରକିଙ୍କ ଠାରୁ ତାଙ୍କ ଭାଷା ଖୁବ୍‌ ଭଲଭାବରେ ଶିକ୍ଷା କରିଥିଲି । ତେଣୁ ମୁଁ ରାଜକୀୟ ସମ୍ଭାଷଣଦ୍ୱାରା ରଜା ତଥା ଦରବାରରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିଲି ବୋଲି ମନେକଲି । ସେଦିନ ପାଇଁ ସମସ୍ତଙ୍କଠାରୁ ବିଦାୟ ନେଇ ମୋ ନୂତନ ଗୃହକୁ ଲ୍ଲୁମମାନଙ୍କ ସହିତ ଆସିଲି ।

 

ଗୃହଟି ପ୍ରକାଣ୍ଡ ଖିଲାଣ । ଖିଲାଣ ଭିତରେ ସିଡ଼ି ପାହାଚ ତଳକୁ ଓହ୍ଲାଇଯାଇଛି । ପାହାଚଗୁଡ଼ିକ ପ୍ରକାଣ୍ଡ ଓ ପ୍ରସ୍ତର ନିର୍ମିତ । ପାହାଚ ଅତିକ୍ରମ କରି ଗୋଟିଏ ଅତି ସୁନ୍ଦର କକ୍ଷ ଭିତରକୁ ଆସିଲି । ଏଠାରେ ଅନେକଗୁଡ଼ିଏ ଆଲୋକ ଜଳୁଥାଏ ।

 

ଘରର ଚାରିଧାରରେ ମଣିମୁକ୍ତାର କି ସୂକ୍ଷ୍ମ କାରୁକାର୍ଯ୍ୟ । ମୁଁ ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଥିଲି । କେତେକ୍ଷଣ ବିଛଣାରେ ଶୋଇ ବି ଭାବୁଥିଲି । ଦେଖିବାକୁ ପାଇଲି ସେହି ଘର ପାର୍ଶ୍ୱରେ ଗୋଟିଏ ଛୋଟ ଦରଜା । ସେହି ଦରଜାଟି ଖୋଲିବା ମାତ୍ରକେ ଆଉ ଗୋଟିଏ ଘର ଦେଖିବାକୁ ପାଇଲି । ତା’ ଭିତରକୁ ଯାଇ ଦେଖିଲି, ସେହିଟି ପ୍ରସ୍ତର ନିର୍ମିତ । ପ୍ରାଚୀର, ଛାତ ସର୍ବତ୍ର ନାନାରୂପ ସ୍ୱର୍ଣ୍ଣ କାରୁକାର୍ଯ୍ୟ ଖଚିତ । ମଧ୍ୟସ୍ଥଳରେ ଗୋଟିଏ ସ୍ତମ୍ଭରେ ଆଲୋକ ଜଳୁଛି । ଗୋଲାକାର ଆଲୋକଧାରାଟି ସ୍ତମ୍ଭର ଅତି ଉଚ୍ଚରେ ସ୍ଥାପିତ । ସେଠାରୁ ମୃଦୁ ମୃଦୁ ଆଲୋକ ରଶ୍ମି ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହେଉଛି ।

 

ମୁଁ ସେଇ ଦେଶ ସମ୍ବନ୍ଧରେ ନାନା କଥା ଭାବୁଥିବାବେଳେ ଦେଖିବାକୁ ପାଇଲି ଦଳେ ଲୋକ ସେହି ଘର ଆଡ଼କୁ ଆସୁଛନ୍ତି । ସେମାନେ ମୋ ନିକଟରେ ଆସି ପହଞ୍ଚିଲେ ଏବଂ ପ୍ରସ୍ତର ନିର୍ମିତ ଗୋଟିଏ ଟେବୁଲ ଉପରେ ନାନାବିଧ ଖାଦ୍ୟଦ୍ରବ୍ୟ ରଖିଲେ । ଏତେ ପ୍ରଚୁର ପରିମାଣର ଖାଦ୍ୟଦ୍ରବ୍ୟ ସେମାନେ ଆଣିଥିଲେ ଯେ, ମୋ’ଭଳି ଶହେ ଜଣ ଲୋକ ତାହା ଖାଇ ଶେଷ କରିପାରିବେ ନାହିଁ । ପ୍ରତ୍ୟେକଟି ଖାଦ୍ୟଦ୍ରବ୍ୟ ଏପରି ସୁଖାଦ୍ୟ ଥିଲା ଯେ, ମୁଁ ପ୍ରତ୍ୟେକଟିରୁ କିଛି ନାନା କିଛି ଗ୍ରହଣ କଲି ।

 

ମୋର ଖାଇବା ଶେଷ ହେବା ପରେ ଜଣେ ଭୃତ୍ୟ ମୋତେ ଶୋଇବା ଘରକୁ ନେଇଚାଲିଲା । ଶୋଇବା ଘରଟି ଯେପରି ସୁନ୍ଦର ସେପରି ସୁସଜ୍ଜିତ । ମୁଁ ଖୁବ୍‌ କ୍ଳାନ୍ତ ହୋଇପଡ଼ିଥିଲି । ତେଣୁ ଖୁବ୍‌ ଶୀଘ୍ର ମୋ ଲୁଗାପଟା ଦେହରୁ ଖୋଲି ଶୋଇପଡ଼ିଲି ।

 

ପରଦିନ ଅତି ପ୍ରତ୍ୟୁଷରୁ ମୋ ନିଦ ଭାଙ୍ଗିଲା । ଉଠି ଦେଖିଲି, ମୋ ଘଡ଼ିରେ ନଅଟା ବାଜିଲାଣି । ମୁଁ ପ୍ରାୟ ଅଠର ଘଣ୍ଟା କାଳ ଶୋଇପଡ଼ିଥିଲି । ଶୀଘ୍ର ହାତ ମୁହଁ ଧୋଇ ଇଂରେଜ କାପ୍ଟେନର ପୋଷାକ ପରିଧାନ କଲି । ମୁଣ୍ଡରେ ପରଚୁଳା ଲଗାଇଲି । ଟୋପି ପିନ୍ଧିଲି ଏବଂ ପ୍ରାତଃ ଭୋଜନ ଶେଷ କରି ରାଜାଙ୍କ ସହିତ ସାକ୍ଷାତ କରିବାପାଇଁ ବନ୍ଧୁକଟିକୁ କାନ୍ଧରେ ପକାଇ ପ୍ରସ୍ତୁତ ହୋଇ ରହିଲି । ଏମିତି ସମୟରେ ଦୁଇଜଣ ଲ୍ଲୁମ ଆସି ମୋତେ ଜଣାଇଲେ ଯେ, ମହାରାଜ ମୋ ସହିତ ସାକ୍ଷାତ କରିବାପାଇଁ ଇଚ୍ଛା ପ୍ରକାଶ କରନ୍ତି ।

 

ମୁଁ ସମ୍ମତ ହେବାରୁ ମୋତେ ସେମାନେ ସଙ୍ଗରେ ନେଇ ଚାଲିଲେ । ଦୁଇଜଣ ଦୁଇ ପାର୍ଶ୍ୱରେ ମୋର ଦେହରକ୍ଷୀ ରୂପେ ରହି ରାଜାଙ୍କ ନିକଟକୁ ଚାଲିଲେ । ମୁଁ ଦେଖିଲି ରଜା ଏକୁଟିଆ ବସିଛନ୍ତି ଏବଂ ତାଙ୍କ ପାର୍ଶ୍ୱରେ ଜଣେ ଅତି ବୃଦ୍ଧବ୍ୟକ୍ତି ରହିଛନ୍ତି ।

 

ମୁଁ ସେଠାରେ ଉପସ୍ଥିତ ହେଲା ମାତ୍ରକେ ରଜା ଓ ବୃଦ୍ଧବ୍ୟକ୍ତି ଦୁଇଜଣଯାକ ଛିଡ଼ା ହୋଇ ମୋର ଅଭ୍ୟର୍ଥନା ଜଣାଇଲେ ଏବଂ ରଜା କହିଲେ, ‘ପ୍ରିୟ ବୁଲୁ ! ଏହି ବୃଦ୍ଧବ୍ୟକ୍ତି ହେଉଛନ୍ତି ମୋ ଦେଶର ପରମପୂଜ୍ୟ ଜଣେ ଭବିଷ୍ୟଦର୍ଶୀ ମହାପୁରୁଷ । ମୋ ଦେଶରେ ଏ ବ୍ୟକ୍ତି ରାଗମ୍‌ ନାମରେ ପରିଚିତ । ସେ ତୁମକୁ ଟିକିଏ ପରୀକ୍ଷା କରିବାକୁ ଚାହାନ୍ତି ।’

 

ଏହା କହି ରାଜା ନୀରବ ହେଲେ । ସେତେବେଳେ ରାଗମ୍‌ ମୋତେ ପଚାରିଲେ, ତୁମ ମୁଣ୍ଡରେ ଏହି ଚୂଳ କ’ଣ ପ୍ରାକୃତିକ ?

 

ମୁଁ କହିଲି, ନା ଏହା ପରଚୁଳା । ଏହି ପରଚୁଳାର ନିମ୍ନଭାଗରେ ସ୍ୱାଭାବିକ ଚୂଳଗୁଚ୍ଛ ରହିଛି । ମୁଁ ପରଚୁଳା ଖୋଲି ଚୂଳ ଦେଖାଇଲି, ସେ ଆଶ୍ୱସ୍ତ ହେଲେ ।

 

ତାହାପରେ ସେ ମୋର ଦାଢ଼ି ଦେଖି ପଚାରିଲେ, ଏହା କ’ଣ ତୁମର ସ୍ୱାଭାବିକ ନା ଅସ୍ୱାଭାବିକ ?

 

ନା, ସ୍ୱାଭାବିକ ।

 

ଲ୍ଲୁମମାନଙ୍କର ଯେଉଁ ନିଶ ଦାଢ଼ି ଉଠେନା ସେ କଥା ପୂର୍ବରୁ କହିଛି । ସେତେବେଳେ ରାଗମ୍‌ ଆନନ୍ଦରେ ଚିତ୍କାର କରି କହିଲେ, ‘‘ଏଇ ସେ,–ଏଇ ସେ । ହଁ, ହଁ, ତୁମେ ସେହି ମହାନ୍‌ କଲୋୟାର ।

 

ମୁଁ ପଚାରିଲି, ‘କଲୋୟାର କିଏ ?’

 

ସେ ଉତ୍ତର ଦେଲେ, ‘‘ଯିଏ ଏହି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି କରିଅଛନ୍ତି, ତୁମେ ତାଙ୍କର ପ୍ରତିରୂପ-

 

ମୁଁ କୌଣସି ପ୍ରତିବାଦ କଲି ନାହିଁ । ସେତେବେଳେ ରାଜା କହିଲେ, ‘‘ବୁଲୁ ! ନାସିଗ୍‌ଠାରୁ ତୁମେ ନିଶ୍ଚୟ ମୋ ଦେଶର ପୂର୍ବ ଇତିହାସ ଶୁଣିଛ । ମୋର ଦୃଢ଼ ବିଶ୍ୱାସ, ଦେଶର ଦୁର୍ଦ୍ଦିନରେ ତୁମେ ଦେଶକୁ ଉଦ୍ଧାର କରିପାରିବ । ରାଗମ୍‌ ଯାହା କହିଲେ, ତାଙ୍କର ପ୍ରତ୍ୟେକ ଉକ୍ତି ସତ୍ୟ ।’’

 

ରାଗମ୍‌ ରାଜାଙ୍କୁ କହିଲେ, ମହାରାଜ ! କଲୋୟାର ସହିତ ପରାମର୍ଶ କରି ଦେଶ ଉଦ୍ଧାରପାଇଁ ମନୋଯୋଗୀ ହୁଅ । ମୁଁ ଜାଣେ ଏବଂ ଚକ୍ଷୁରେ ଦେଖିଛି ଯେ ମୋ ଦେଶର ସମୁଦାୟ ବିବାଦ ଏବେ ଦୂର ହେବ ।

 

ମୁଁ ବିନୀତ ଭାବରେ ଜଣାଇଲି, ‘‘ମୁଁ ଆପଣମାନଙ୍କ ଦେଶପାଇଁ ଯଦି କିଛି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବି ତାହାହେଲେ ନିଶ୍ଚୟ କରିବି । ମାତ୍ର ପ୍ରଥମ କଥା ଏଇ ଯେ, ମୁଁ ଯେଉଁ ଭାବରେ ଆପଣମାନଙ୍କର ସୈନ୍ୟ ଇତ୍ୟାଦିର ପରିଚାଳନାର ବ୍ୟବସ୍ଥା କରିବି, ସେସବୁ ବିଷୟରେ ଆପଣମାନେ କୌରସି ପ୍ରତିବାଦ କରିପାରିବେ ନାହିଁ ।

 

ରାଜା କହିଲେ–ମୁଁ ତୁମକୁ ସର୍ବବିଧ ଉପାୟରେ ସାହାଯ୍ୟ କରିବି ଏବଂ କୌଣସି ବିଷୟରେ ପ୍ରତିବାଦ କରିବି ନାହିଁ ।

 

ମୁଁ ରାଜାଙ୍କର ଏତାଦୃଶ ସରଳ ବିଶ୍ୱାସରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲି ଏବଂ ସେହିଦିନଠାରୁ ଭାବିବାକୁ ଲାଗିଲି କିମିତି ଭାବରେ ମୁଁ କାର୍ଯ୍ୟ କରିବି ଅର୍ଥାତ୍‌ ଯୁଦ୍ଧ ପରିଚାଳନା କରିବି ।

 

(ଚବିଶି)

 

ଏବେ ମୁଁ ମୋର ସଂକଳ୍ପ ଅନୁଯାୟୀ କାର୍ଯ୍ୟ କରିବାକୁ ପ୍ରବୃତ୍ତ ହେଲି । ମୁଁ ଭାବିଲି, ଜୀବନରେ ଯେଉଁ ସୁଯୋଗ ଲାଭ କରିଛି, ତାହା କେବେ ଉପେକ୍ଷା କରିବା ଉଚିତ ନୁହେଁ । କିନ୍ତୁ କଥା ହେଉଛି, ଯେଉଁ ସ୍ଥାନକୁ ଯୁଦ୍ଧପାଇଁ ଯିବାକୁ ହେବ, ସେ ସ୍ଥାନକୁ ଯିବାକୁ ହେଲେ ମୋର ଉଡ଼ିବାର ଆଶ୍ରୟ ଖଣ୍ଡିକ ନେବାକୁ ହେବ ।

 

ମୋର ମନେହେଲା ନାସିଗ୍‌ ସହିତ ମୋର ପରାମର୍ଶ କରିବା ପ୍ରୟୋଜନ । ମୁଁ ନାସିଗ୍‌କୁ ଡାକିପଠାଇଲି । ନାସିଗ୍‌ ଆସିବାରୁ ତାହାକୁ କହିଲି, ‘‘ତୁମଠାରୁ ମୁଁ ଜାଣିବାକୁ ଚାହେଁ, ତୁମେ କେଉଁ କାର୍ଯ୍ୟର ଭାର ନେବାକୁ ଚାହଁ ।’’

 

ମୋର ଏକଥା କହିବାର ଅର୍ଥ ଏଇ ଯେ ତାଙ୍କ ନିକଟରୁ ରାଜାଙ୍କ ମନର ପ୍ରକୃତ ଅଭିପ୍ରାୟ କ’ଣ ତାହା ଜାଣିପାରିବି ।

 

ନାସିଗ୍‌ କହିଲେ, ‘‘ବନ୍ଧୁ ବୁଲୁ ! ଆମ ଦେଶରେ ଅନେକ ଦୁଷ୍ଟ ପ୍ରକୃତିର ଲୋକ ଅଛନ୍ତି । ସେମାନେ ହୁଏତ ତୁମ ବିରୁଦ୍ଧରେ ବିଭିନ୍ନ କଥା କରିପାରନ୍ତି । ମୁଁ ସମ୍ପୂର୍ଣ୍ଣରୂପେ ବିଶ୍ୱାସ କରିପାରେ ରାଜା ତୁମକୁ ଯେଉଁ କାର୍ଯ୍ୟପାଇଁ ଆହ୍ୱାନ କରିଛନ୍ତି, ସେ କାର୍ଯ୍ୟର ଭାର ସମ୍ପୂର୍ଣ୍ଣରୂପେ ତୁମରି ଉପରେ ଦେଇ ନିଶ୍ଚିନ୍ତ ରହିବେ ।’’

 

ନାସିଗ୍‌ଙ୍କ କଥାରେ ବିଶ୍ୱାସ କରି କାର୍ଯ୍ୟପ୍ରଣାଳୀ ସ୍ଥିର କଲି ଏବଂ ନାସିଗ୍‌କୁ କହିଲି, ‘‘ତୁମେ ରାଜ୍ୟର ସମସ୍ତ ଅଭ୍ୟନ୍ତର ଅବସ୍ଥା ମୋତେ ଜଣାଇବାର ବ୍ୟବସ୍ଥା କରିବ ଏବଂ ଶତ୍ରୁମାନଙ୍କର ଗତିବିଧି ସମ୍ବାଦ ଜଣାଇବ । ତାହାହେଲେ ମୁଁ ଜାଣିପାରିବି ଯେ, କେମିତି ଭାବରେ ସେମାନଙ୍କୁ ଆକ୍ରମଣ କରିପାରିବି ।’’

 

ମୁଁ ଦେଖିଲି ଯେ ଏହି ଦେଶର ଲୋକମାନଙ୍କର ଯୁଦ୍ଧ କରିବାଭଳି ସାଜସରଞ୍ଜାମ ସେମିତି କିଛି ନାହିଁ । କେବଳ ବଲ୍ଲମ, ତରବାରୀ ବୋଧହୁଏ ଏଇଥିପାଇଁ ଏ ଦେଶର ଲୋକମାନେ ଶତ୍ରୁମାନଙ୍କ ହାତରୁ ବାରମ୍ବାର ପରାସ୍ତ ହେଉଛନ୍ତି । କିନ୍ତୁ ମୁଁ ତ ଏକୁଟିଆ ଯୁଦ୍ଧ କରିବି ନାହିଁ, ସେଥପାଇଁ ଆବଶ୍ୟକ ସୈନ୍ୟ, ଅସ୍ତ୍ର । ପୁଣି ସୈନ୍ୟମାନଙ୍କ ପାଇଁ ଶିକ୍ଷା ଏବଂ ସେମାନଙ୍କୁ ପରିଚାଳିତ କରିବାର ଉପଯୁକ୍ତ ନେତୃତ୍ୱ ଦରକାର । ରାଜ୍ୟର ସମସ୍ତେ ଏକମତ ନ ହେଲେ ଯୁଦ୍ଧ କରିହେବ ନାହିଁ । ତେଣୁ ରାଜାଙ୍କ ନିକଟକୁ ସମ୍ବାଦ ପଠାଇଲି ଯେ, ରାଜା ଯଦି ଏକ ବିଶେଷ ଦରବାର ଆହ୍ୱାନ କରି ସମସ୍ତଙ୍କ ସମ୍ମତି ନେଇ କାମ କରନ୍ତି, ତାହାହେଲେ ଯୁଦ୍ଧ ଆରମ୍ଭ ହେବ ।

 

ଦରବାରରେ ସମସ୍ତେ ଏକମତ ହେଲେ ।

 

ସେମାନେ ସମସ୍ୱରରେ କହିଲେ, ‘‘ହଁ ନିଶ୍ଚୟ । ଆମ୍ଭମାନଙ୍କ ସୌଭାଗ୍ୟକ୍ରମେ ତ୍ରିକାଳଦର୍ଶୀ ରାଗମ୍‌ ଯାହା କହିଯାଇଛନ୍ତି ଏବଂ ଯେଉଁ କଥା ଆମର ବଂଶ ପରମ୍ପରା କ୍ରମେ ଶୁଣି ଆସୁଛୁ ସେଇ ଭବିଷ୍ୟତବାଣୀ ଯେ କେତେଦୂର ସତ୍ୟ ତାହା ଆମ୍ଭମାନଙ୍କ ପାର୍ଶ୍ୱରେ ଉପସ୍ଥିତ ବନ୍ଧୁ ବୁଲୁକୁ ଦେଖି ବିଶ୍ୱାସ କରିପାରୁଛୁଁ ।’’

 

ମୁଁ କହିଲି କିନ୍ତୁ ଆପଣମାନେ କ’ଣ ଭାବିଛନ୍ତି, ଏକା ବୁଲୁ ଯାଇ ଯୁଦ୍ଧ କରିବ ?

 

ତାହା କ’ଣ ସମ୍ଭବ ?

 

ରାଜା କହିଲେ, ‘‘ହଁ ଏହା ହୋଇପାରେ । ସେ ଆପଣମାନଙ୍କର ସୈନ୍ୟଦଳର ସେନାପତିରୂପେ ଯୁଦ୍ଧ କରିବ, ଏ ବିଷୟରେ ଆପଣମାନଙ୍କର ଅଭିପ୍ରାୟ କ’ଣ କୁହନ୍ତୁ ।’’

 

ସମସ୍ତେ ରାଜାଙ୍କର ମତ ସମର୍ଥନ କଲେ ଏବଂ ସମସ୍ତେ ଏକ ସଙ୍ଗରେ କହିଲେ, ‘‘ଆମ୍ଭେମାନେ ସମସ୍ତେ ବୁଲୁର ନେତୃତ୍ୱ ମାନି ଚଳିବୁ ।’’

 

ରାଗମ୍‌ କହିଲେ, ଦେଶର ସମସ୍ତେ ଆମର ପରମ ପୂଜନୀୟ ରାଗମ୍‌ଙ୍କ କଥା ଜାଣନ୍ତି । ତାଙ୍କର ଭବିଷ୍ୟତବାଣୀ କେବେ ବ୍ୟର୍ଥ ହୋଇପାରେନା । ବୁଲୁ, ତୁମେ ତ ଏ ଦେଶର ତ୍ରାଣକର୍ତ୍ତା । ମୁଁ ରାଜା ଓ ଦେଶର ସମସ୍ତଙ୍କ ପକ୍ଷରୁ କହୁଛି, ତୁମ୍ଭେ ଆମ୍ଭ ଦେଶର ଉଦ୍ଧାରପାଇଁ ବ୍ରତୀ ହୁଅ ସୈନ୍ୟ ପରିଚାଳନାରେ ବ୍ରତୀ ହୁଅ ।

 

ରାଗମ୍ କଥାରେ ସମସ୍ତେ କହିଲେ, ‘‘ଆମ୍ଭେମାନେ ବୁଲୁ କଥା ମାନି ଚଳିବୁ ।’’

 

ଏବେ ମୁଁ କହିଲି–ପୂଜନୀୟ ରାଗମ୍‌ ମହାରାଜ ଓ ସଭାସ୍ଥ ସମ୍ଭ୍ରାନ୍ତ ବ୍ୟକ୍ତିଗଣ, ‘‘ଆପଣମାନେ ମୋ ଉପରେ ଯେଉଁ ଭାର ନ୍ୟସ୍ତ କଲେ, ମୁଁ ତାହା ଆନନ୍ଦର ସହିତ ଗ୍ରହଣ କଲି । ମୁଁ ପଶ୍ଚିମରେ ଆପଣମାନଙ୍କ ଦେଶର ଶତ୍ରୁମାନଙ୍କୁ ତଡ଼ି ଦେଇ ଦେଶର ପୂର୍ବ ସୀମା ସ୍ଥିର କରିଦେବି । ମୁଁ କେବଳ ଏତିକି ଚାହେଁ, ଯେମିତି ରାଜ୍ୟର ସୈନ୍ୟଦଳ ଓ ଅନ୍ୟାନ୍ୟ ବିଭାଗର ନେତୃତ୍ୱ ମୋରି ହାତରେ ରହେ ।’’

 

ରାଜା ରାଗମ୍‌ ଓ ରାଜ୍ୟର ସମସ୍ତେ ଏଥିରେ ଏକମତ ହେଲେ । ମୋର ମଧ୍ୟ ମନେହେଲା ଯେ, ଏ ଦେଶର ଭବିଷ୍ୟତବାଣୀ ସତ୍ୟରେ ମୋରିଦ୍ୱାରା ସମ୍ପନ୍ନ ହେବ । ମୁଁ ନାସିଗ୍‌କୁ ମୋର ସହକାରୀ ସୈନ୍ୟାଧ୍ୟକ୍ଷ ପଦରେ ନିଯୁକ୍ତ କଲି ।

 

ଏହାପରେ ସମସ୍ତଙ୍କଠାରୁ ବିଦାୟ ନେଇ କହିଲି ଯେ, ‘‘ମୁଁ ଶୀଘ୍ର ମୋର କର୍ମପ୍ରଣାଳୀ ସ୍ଥିର କରି ଯୁଦ୍ଧରେ ପ୍ରବୃତ୍ତ ହେବି ।’’

 

ସମସ୍ତେ ଜୟଧ୍ୱନି ସହିତ ମୋତେ ବିଦାୟ ଦେଲେ ।

 

ମୁଁ ନାସିଗ୍‌ଙ୍କୁ ସଙ୍ଗରେ ଧରି ମୋ ବାସଭବନକୁ ଆସିରି ।

 

ନାସିଗ୍‌ କହିଲେ, ବନ୍ଧୁ ବୁଲୁ ! ରାଜ୍ୟର ଲୋକମାନେ ଏତେ ସହଜରେ ତୁମ ଉପରେ ସମସ୍ତ କ୍ଷମତା ନ୍ୟସ୍ତ କରିବେ, ଏହା ମୁଁ କଳ୍ପନା କରିନଥିଲି ।

 

ମୁଁ ନାସିଗ୍‌କୁ କହିଲି, ‘‘ତୁମେ କ’ଣ ମୋତେ ପଚାଶ ଜଣ ଖୁବ୍‌ ବିଶ୍ୱସ୍ତ ଲ୍ଲୁମ ଦେଇପାରିବ ?’’

 

ନାସିଗ୍‌ ପଚାରିଲେ–କାହଁକି ?

 

ମୁଁ କହିଲି, ‘‘ପରେ ତୁମେ ଜାଣିପାରିବ ।’’

 

ନାସିଗ୍‌ ପରଦିନ ମୋ ନିକଟକୁ ପଚାଶ ଜଣ ଲୋକ ପଠାଇଦେଲେ ଏବଂ ନିଜେ ଆସିଲେ ।

 

ମୁଁ କହିଲି, ନାସିଗ୍‌ ! ଏହି ପଚାଶ ଜଣ ଲୋକ ସହିତ ଛ’ଶହ ଲ୍ଲୁମ ନେଇ ଗ୍ରୌନଦିଭୋଲକୁ ଯାଅ । ସଙ୍ଗରେ ଇଉଓୟାରକିଙ୍କୁ ମଧ୍ୟ ନେଇଯିବ । ମୁଁ ଯେଉଁ ଜାହାଜ ଚଢ଼ି ଗ୍ରୌନଦିଭୋଲରେ ଆସି ପହଞ୍ଚିଥିଲି, ସେଇ ଜାହାଜରୁ ମୁଁ ଯେଉଁ ଜିନିଷ ଆଣିବାକୁ କହିବି, ତାହା ଦଉଡ଼ିରେ ବାନ୍ଧି ନେଇ ଆସିବ ।

 

ନାସିଗ୍‌ ଇଉଓୟାରକିଙ୍କୁ ମୋ ନିକଟରେ ଆଣି ଉପସ୍ଥିତ କରାଇଲେ ।

 

ମୁଁ ଇଉଓୟାରକିଙ୍କୁ କହିଲି, ‘‘ତୁମେ ଏଇ ପଚାଶ ଜଣ ଲ୍ଲୁମ ଅଧୀନରେ ଛ’ଶହ ଲ୍ଲୁମ ନେଇ ଗ୍ରୌନଦିଭୋଲକୁ ଯାଅ ଏବଂ ଜାହାଜରୁ ତିନୋଟି କମାଣ ଓ ଆଉ କିଛି ବାରୁଦ ନେଇ ଆସିବ ।’’

 

ଏବେ ମୁଁ ଏ ଦେଶର ସୈନ୍ୟାଧ୍ୟକ୍ଷ । ରାଜାଙ୍କ ଆଦେଶଭଳି ମୋର ଆଦେଶ ମାନିବାକୁ ସମସ୍ତେ ବାଧ୍ୟ । କାର୍ଯ୍ୟତଃ ବନ୍ଧୁ ଇଉଓୟାରକି ଏଇ ଦଳର ନେତୃତ୍ୱ ଗ୍ରହଣ କରି ଜାହାଜରୁ କମାଣ ଆଣିବାକୁ ଚାଲିଗଲେ । ମୁଁ ଏମିତି ଭାବରେ ଯୁଦ୍ଧପାଇଁ ଗୋଟି ଗୋଟି କରି ବହୁ ଦ୍ରବ୍ୟ ସଂଗ୍ରହ କରିବାକୁ ପ୍ରବୃତ୍ତ ହେଲି ।

 

(ପଚିଶ)

 

ଦଶଦିନ ପରେ ନାସିଗ୍‌ କମାଣ ନେଇ ପ୍ରତ୍ୟାବର୍ତ୍ତନ କଲେ । ମୁଁ ସେତେବେଳେ ରାଜାଙ୍କ ବଗିଚାରେ ବୁଲୁଥିଲି ।

ଇଉଓୟାରକିଙ୍କୁ ସଙ୍ଗରେ ଧରି ନାସିଗ୍‌ ଆସିଲେ ଏବଂ ମୋର ନିର୍ଦ୍ଦେଶରେ ରାଜାଙ୍କ ବଗିଚା ପାଖରେ କମାଣଗୁଡ଼ିକ ରଖିଲେ ।

ଏବେ ନାସିଗ୍‌ ସହିତ ମୁଁ ନାନା ବିଷୟରେ କଥାବାର୍ତ୍ତା କରିବାକୁ ଲାଗିଲି । ନାସିଗ୍‌ କହିଲେ, ଭାଇ ବୁଲୁ, ତୁମର କେତେ ସୈନ୍ୟ ପ୍ରୟୋଜନ ?

ମୁଁ ଜାଣିବାକୁ ଚାହିଁ ପଚାରିଲି,–ଶତ୍ରୁମାନଙ୍କ ସୈନ୍ୟ ସଂଖ୍ୟା କେତେ ?

‘‘ଆନୁମାନିକ ତିରିଶ ହଜାର ।’’

ମୁଁ କହିଲି–ମୁଁ ମାତ୍ର ଚାହେଁ ଛଅ ହଜାର ସୈନ୍ୟ ଏବଂ ତୁମଭଳି କେତେଜଣ ଲ୍ଲୁମ । ମୋର ବନ୍ଧୁକ ଓ ମୋତେ ବହନ କରିବାପାଇଁ ଆଉ କେତେ ଜଣ । ବର୍ତ୍ତମାନ ତୁମେ ଆଉ ଚାରିଜଣ ସାହସୀ ଲ୍ଲୁମ ନେଇ ଆସ ।

ନାସିଗ୍‌ ସେହି ମୁହୂର୍ତ୍ତରେ ମୋର ଆଦେଶ ପାଳନ କଲେ ଏବଂ ବଛା ବଛା ଚାରିଜଣ ସାହସୀ ଲ୍ଲୁମ ସହିତ ଉପସ୍ଥିତ ହେଲେ । ସେମାନେ ଆସିବାରୁ ସେମାନଙ୍କୁ ବନ୍ଧୁକ ଓ ପିସ୍ତଲର ବ୍ୟବହାର ଶିକ୍ଷା ଦେଲି । ସେମାନଙ୍କୁ ନେଇ ବଗିଚାରେ ବନ୍ଧୁକ ଫୁଟାଇବାର ମୌଳିକ ଶିକ୍ଷା ଦେଇ କହିଲି, ‘‘ତୁମ୍ଭେମାନେ ଦୂରରୁ ଯେତେବେଳେ ବଲ୍ଲମ ଛାଡ଼ିବାର ସୁଯୋଗ ହରାଇବ ସେତିକିବେଳେ ବନ୍ଧୁକ ଫୁଟାଇବ ।’’

ପରଦିନ ଆମ୍ଭେମାନେ ଶହେଜଣ ଲ୍ଲୁମମାନଙ୍କୁ ନେଇ ଦଶଟି ସୈନ୍ୟଦଳ ଗଠନ କଲୁ । ସେମାନଙ୍କ ହାତରେ ବଲ୍ଲମ ରହିଲା ।

ଦ୍ୱିତୀୟ ଦଳରେ କମାଣ ବୋହି ନେବାପାଇଁ ଚାରି ଶହ ଲ୍ଳୁମ ରହିଲେ ।

ତୃତୀୟ ଦଳ ଗଠିତ ହେଲା ଦୁଇ ଶହ ଲ୍ଲୁମଙ୍କୁ ନେଇ । ସେମାନଙ୍କୁ ଦେଲି, ଗୁଳିଗୋଳା, ଖାଦ୍ୟ ଓ ରସଦ, ଯନ୍ତ୍ରପାତି ଓ ଅସ୍ତ୍ରଶସ୍ତ୍ରାଦି ବହନ କରିବାର ଭାର ।

ଚତୁର୍ଥ ଦଳ ଗଠନ କଲି ପଚାଶ ଜଣ ସାହାସୀ ଲ୍ଲୁମଙ୍କୁ ନେି । ସେମାନେ ମୋର ଦେହରକ୍ଷୀ ହେଲେ । ପଞ୍ଚମ ଦଳରେ ମୋତେ ବହନ କରିବାପାଇଁ ପଚାଶ ଜଣ ଲ୍ଲୁମ ରହିଲେ ।

ଷଷ୍ଠ ଦଳ ଗଠନ ହେଲା, ଦୁଇ ହଜାର ଲ୍ଲୁମଙ୍କୁ ନେଇ । ଏମାନେ ଦୁଇ ଦିଗରେ କମାଣ ନେଇ ରହିବେ । ସପ୍ତମ ଦଳରେ ରହିଲେ ଏକହଜାର ସୈନ୍ୟ । ସେମାନେ ରହିବେ ସମସ୍ତଙ୍କ ପଶ୍ଚାତରେ ।

ଶତ୍ରୁଦଳର ରଜା ହାର୍ଲୋକିନ କେଉଁଠାରେ ରହନ୍ତି, ମୁଁ ପ୍ରଥମେ ତା’ର ଅନୁସନ୍ଧାନ କଲି-। କାରଣ, ମୁଁ ସ୍ଥିର କରିଥିଲି ଯେ, ସମସ୍ତଙ୍କ ପୂର୍ବରୁ ତାହାଙ୍କୁ ପରାଜିତ କରିପାରିଲେ ଆମ୍ଭମାନଙ୍କ ନିଶ୍ଚିତ ବିଜୟର ସମ୍ଭାବନା । ମୁଁ ନାସିଗ୍‍ଙ୍କୁ ମୋର ଏହ ସଂକଳ୍ପ କଥା କହିଲି ।

ନାସିଗ୍‌ଦ୍ୱାରା ସୈନ୍ୟଦଳର ସର୍ବବିଧ ସୁବ୍ୟବସ୍ଥା କରି ଆମେ ଶତ୍ରୁଦଳର ସମ୍ମୁଖୀନ ହେବାକୁ ଚାଲିଲୁ ।

 

ଗୋଟିଏ ପାହାଡ଼ର ନିମ୍ନ ଭାଗରେ ବିସ୍ତୃତ ଏକ ସମସତଳ ଭୂମି । ଏହି ସମତଳ ଭୂମି ଉପରେ ମୁଁ ତମ୍ବୁ ସ୍ଥାପନ କଲି, କମାଣ ସଜାଇଲି ଏବଂ ସୈନ୍ୟଦଳକୁ ଶ୍ରେଣୀବଦ୍ଧ କରି ରଖିଲି । ଆମର ଏଇ ପାହାଡ଼ ସମୁଦ୍ର ଉପରେ ସାରି ସାରି ହୋଇ ମୁଣ୍ଡ ଟେକିଛି ।

 

ସେଇ ପାହାଡ଼ର ଆର ପଟରେ ହାର୍ଲୋକିନ ତାଙ୍କର ସୈନ୍ୟଦଳ ନେଇ ଅବସ୍ଥାନ କରୁଥିଲେ । ତାଙ୍କର ରାଜଧାନୀ ଦିନକୁ ଦିନ ସମୃଦ୍ଧିଶାଳୀ ହୋଇଉଠୁଥିଲା ।

 

ମୁଁ କମାଣ ତିନୋଟି ସଜାଇ ତାହାର ଅଳ୍ପ ଦୂରରେ ମୋର ଆସନ ଉପରେ ବନ୍ଧୁକ ହାତରେ ବସି ରହିଲି ।

 

ହାର୍ଲୋକିନ ଥିଲେ ଅତ୍ୟନ୍ତ କୌଶଳୀ ଏବଂ ନିପୁଣ ଯୋଦ୍ଧା । ସେ ସମ୍ପୂର୍ଣ୍ଣ ଅତର୍କିତ ଭାବରେ ଆମ୍ଭମାନଙ୍କୁ ଆକ୍ରମଣ କରିବେ ବୋଲି ସ୍ଥିର କରିଥିଲେ । ଆମେ ଯେ ଏଠାରେ ସେମାନଙ୍କୁ ଆକ୍ରମଣ ପ୍ରତୀକ୍ଷାରେ ରହିଛୁ, ସେ କଳ୍ପନା ମଧ୍ୟ କରିପାରିଲେ ନାହିଁ । ସେ ଆମ୍ଭମାନଙ୍କ ଅଗୋଚରରେ ତାଙ୍କ ସୈନ୍ୟମାନଙ୍କୁ ଆମ୍ଭ ରାଜଧାନୀ ଅଧିକାର କରିବାପାଇଁ ପଠାଇଥିଲେ । କିନ୍ତୁ ଆମ୍ଭେ ଏଠାରେ ସୁସଜ୍ଜିତ ଭାବରେ ଯୁଦ୍ଧପାଇଁ ପ୍ରସ୍ତୁତ ରହିବା ଦେଖି ସେମାନେ ବିସ୍ମିତ ହୋଇଗଲେ ।

 

ମୁଁ ଦେଖିଲି, ସେମାନଙ୍କ ସୈନ୍ୟ ବେଶ୍‌ ଶ୍ରେଣୀବଦ୍ଧ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ହଁ, କହିବାକୁ ଭୁଲିଯାଇଛି ଯେ, ସେ ସମୟରେ ଅନ୍ଧକାର ସର୍ବତ୍ର ବିରାଜୁଥିଲା । ଚତୁର୍ଦ୍ଦିଗରେ ଅନ୍ଧକାରର ରାଜତ୍ୱ ।

 

ହାର୍ଲୋକିନଙ୍କ ସୈନ୍ୟମାନଙ୍କ ହାତରେ ଥିଲା ମସାଲ, ସେଇ ମସାଲ ଆଲୋକରେ ଚତୁର୍ଦ୍ଦିଗ ଆଲୋକିତ କରି ସେଇ ଅନ୍ଧକାର ଦେଶରେ ଆଲୋକର ବନ୍ୟା ପ୍ରବାହିତ କରୁଥିଲେ । ସେଇ ଅନ୍ଧକାର ଦେଶରେ ଶୂନ୍ୟ ପଥରେ ଆଲୋକର ବନ୍ୟା ବୁହାଇ ଏଇ ଶୂନ୍ୟପଥ ବିହାରୀ ସୈନିକମାନେ ଯେଉଁ ବିଚିତ୍ର ଦୃଶ୍ୟ ସୃଷ୍ଟି କରୁଥିଲେ ତାହା ବାସ୍ତବିକ ବର୍ଣ୍ଣନାତୀତ । ରାଜା ଥିଲେ ସମସ୍ତଙ୍କ ପଶ୍ଚାତରେ ।

 

ଏବେ ମୋ ଆଦେଶରେ ମୋର ପକ୍ଷୀ ସୈନ୍ୟମାନେ ଯୁଦ୍ଧରେ ପ୍ରବୃତ୍ତ ହେଲେ । ଶତ୍ରୁପକ୍ଷରୁ ପ୍ରାୟ ଦଶ ହଜାର ସୈନ୍ୟ ଯୁଦ୍ଧରେ ଯୋଗ ଦେଇଥିଲେ ।

 

ମୁଁ ମୋର ସୈନ୍ୟମାନଙ୍କୁ ବାରଣ କଲି ସେମାନଙ୍କ ସମ୍ମୁଖକୁ ଯାଇ ଯୁଦ୍ଧ କରିବାକୁ ।

 

ମୋର ଆଦେଶରେ ନାସିଗ୍‌ ଗ୍ରୌନଦି ପିନ୍ଧି ପିସ୍ତଲ ହାତରେ ଧରି ଉଡ଼ିବାକୁ ଲାଗିଲେ । ଯିବା ସମୟରେ ସେ କହିଗଲେ, ଭାଇ ବୁଲୁ ! ଏବେ ତୁମେ ତୁମର କମାଣ ଚଳାଅ ।

 

ମୁଁ କହିଲି, ଆଗେ ତୁମେ ତୁମର ପିସ୍ତଲର ଶକ୍ତି ପରୀକ୍ଷା କର । ମୁଁ ସମୟାନୁସାରେ କମାଣ ଚଳାଇବି ।

 

ନାସିଗ୍‌ କହିଲେ–ବୁଲୁ ତୁମେ ଦେଖ ତୁମ ପିସ୍ତଲ ସାହାଯ୍ୟ ବ୍ୟତୀତ ମୁଁ ଯୁଦ୍ଧ କରିପାରୁଛି କି ନା ?

 

ଏହାପରେ ସେ ଉପରକୁ ଉଠି ବିପକ୍ଷ ଦଳର ସେନାପତିଙ୍କୁ ଯୁଦ୍ଧର ଆହ୍ୱାନ ଦେଲେ । ସେ ମଧ୍ୟ ବୀରଭଳି ସମ୍ମତି ହେଲେ । ଦୁହିଁଙ୍କର ଯୁଦ୍ଧ ଚାଲିଲା । କେହି କାହାରିକୁ ଆକ୍ରମଣ କରିବାକୁ ବାଦ ଦେଲେ ନାହିଁ । ବହୁକ୍ଷଣ ପର୍ଯ୍ୟନ୍ତ ଯୁଦ୍ଧ ଚାଲୁ ରହିଲା ।

 

ଅବଶେଷରେ ଯୁଦ୍ଧର ଅରମାନ ମେଣ୍ଟାଇ ନାସିଗ୍‌ ପିସ୍ତଲ ପୁଟାଇଲେ ଏବଂ ଶତ୍ରୁଦଳର ସେନାପତି ଶୂନ୍ୟରେ ନିହତ ହୋଇ ଭୂପୃଷ୍ଠରେ ପତିତ ହେଲେ ।

 

ନାସିଗ୍‌ଙ୍କ ଏହି ଜୟରେ ଆମ ସୈନ୍ୟମାନେ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ । ଜୟଧ୍ୱନିର ଅଳ୍ପକ୍ଷଣ ମଧ୍ୟରେ ରାଜା ହାର୍ଲୋକିନ ସ୍ୱୟଂ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲେ ।

 

ହାର୍ଲୋକିନ ଯେତେବେଳେ ମୋ ନିକଟରେ ଆସି ପହଞ୍ଚିଲେ, ସେତେବେଳେ ମୁଁ କହିଲି, ‘‘ବିଶ୍ୱାସଘାତକ ! ଯଦି ମୋତେ ସମ୍ମାନ ଦେଖାଇ ମୋର ଶାସନ ମାନିବାର ପ୍ରତିଜ୍ଞା କରୁ ତାହାହେଲେ ମୁଁ ତୋର ଆଦୌ କ୍ଷତି କରିବି ନାହିଁ । ତାହା ନ ହେଲେ ମୃତ୍ୟୁପାଇଁ ପ୍ରସ୍ତୁତ ହୁଅ ।’’

 

ହାର୍ଲୋକିନ କହିଲେ, ‘‘ତୁମେ ଯଦି ମୋ ସଙ୍ଗରେ କଥାବାର୍ତ୍ତା କରିବାକୁ ଚାହଁ, ତାହାହେଲେ ମାଟିରେ କାହିଁକି, ଶୂନ୍ୟକୁ ଆସ । ଦେଖିବି କେତେ ବଡ଼ ବୀର ତୁମେ । ଦେଖିବି କିଏ କାହାର କରୁଣାପ୍ରାର୍ଥୀ ।’’ ଏଇ କଥା କହି ସେ ମୋତେ ଲକ୍ଷ୍ୟ କରି ବଲ୍ଲମଟିଏ ଛାଟିଲେ । ମୁଁ ଦୂରକୁ ଘୁଞ୍ଚିଯାଇ ଆତ୍ମରକ୍ଷା କଲି ।

 

ବଲ୍ଲମ ଫିଙ୍ଗିବା ସମୟରେ ସେ ବହୁତ ତଳକୁ ଖସି ଆସିଥିଲେ । ମୁଁ ସେଇ ସୁଯୋଗରେ ବନ୍ଧୁକ ଫୁଟାଇଲି । ତାଙ୍କ ଛାତି ଭିତର ଦେଇ ଗୁଳି ବାହାରିଗଲା । ତାଙ୍କର ପ୍ରାଣହୀନ ଦେହ ମୋରି ସମ୍ମୁଖରେ ଶୂନ୍ୟରୁ ଖସିପଡ଼ିଲା ମୁହୂର୍ତ୍ତକ ମଧ୍ୟରେ ।

 

ତାଙ୍କ ସୈନ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ ବନ୍ଧୁକର ଶବ୍ଦ ସଙ୍ଗେ ସଙ୍ଗେ ରଜାଙ୍କର ମୃତ୍ୟୁ ଦେଖି । ସେମାନେ କେବେ କଳ୍ପନା କରିନଥିଲେ ମୁଁ ଏତେ ଦୂରରେ ତଳେ ରହି ତାଙ୍କୁ ହତ୍ୟା କରିପାରିବି ବୋଲି । ତେଣୁ ରଜାଙ୍କ ମୃତ୍ୟୁ ସେମାନେ ହଜାର ହଜାର ସଂଖ୍ୟାରେ ତଳକୁ ଖସି ଆସିବାକୁ ଲାଗିଲେ । ଦେଖିଲି ସେମାନଙ୍କ ହସ୍ତରେ ତୀକ୍ଷ୍‌ଣ ତରବାରୀ ଓ ବଲ୍ଲମ ।

 

ନାସିଗ୍‌ ଓ ମୋ ସୈନ୍ୟମାନେ ପ୍ରସ୍ତୁତ ହୋଇ ଉଡ଼ିବାର ଉପକ୍ରମ କଲେ । ମୁଁ ସେମାନଙ୍କୁ ନିବୃତ୍ତ କରି ହଠାତ୍‌ ଏକ ବିରାଟ ଶତ୍ରୁଦଳକୁ ଲକ୍ଷ୍ୟ କରି କମାଣ ଫୁଟାଇଲି ।

 

ସଙ୍ଗେ ସଙ୍ଗେ ସେହି ବିରାଟ ଦଳଟି ଅଗ୍ନି ପିଣ୍ଡ ମଧ୍ୟରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲେ । ଯେଉଁମାନେ ଦୂରରେ ଥିଲେ ସେମାନେ ସଙ୍ଗୀମାନଙ୍କର ଏତାଦୃଶ ଶୋଚନୀୟ ପରିଣାମ ଦେଖି ପଳାୟନ କଲେ ।

 

ମୁଁ ତିନିଦିନ ପର୍ଯ୍ୟନ୍ତ ଯୁଦ୍ଧକ୍ଷେତ୍ରରେ ଥିଲି, କିନ୍ତୁ ଶତ୍ରୁପକ୍ଷୀୟ ଆଉ କାହାରିକୁ ଦେଖିବାକୁ ପାଇଲି ନାହିଁ । ସେମାନେ ଯୁଦ୍ଧ କରିବା ଦୂରେ ଥାଉ; ବିଦ୍ରୋହୀ ରାଜ୍ୟର ପ୍ରତିନିଧିମାନେ ରାଜଧାନୀକୁ ଆସି ସନ୍ଧିର ବ୍ୟବସ୍ଥା କଲେ ।

 

ମୁଁ ଯୁଦ୍ଧ ପରେ ବ୍ରନ୍ଦେଲିଗୁୟାର୍କ ଫେରିବାରୁ ରାଜା, ରାଜପ୍ରତିନିଧିଗଣ, ସମ୍ଭ୍ରାନ୍ତ ବ୍ୟକ୍ତିଗଣ ଏବଂ ରାଜ୍ୟର ସମସ୍ତ ସ୍ତ୍ରୀ, ପୁରୁଷ ମୋର ବିଜୟ ଗାନ ଗାଇ ମୋତେ ରାଜଧାନୀରେ ଅଭିନନ୍ଦିତ କରିବାକୁ ଲାଗିଲେ ।

 

ରାଜଧାନୀରେ ଏକ ସପ୍ତାହ କାଳ ଆନନ୍ଦ ଉତ୍ସବ ଲାଗିରହିଲା । ପୂର୍ବରୁ ଯେଉଁ ସମସ୍ତ ଛୋଟ ବଡ଼ ରାଜ୍ୟର ରାଜା ବିଓରିଗିତିର ଅଧୀନତା ସ୍ୱୀକାର କରିନଥିଲେ, ଏବେ ସେମାନେ ମାନିବାପାଇଁ ପ୍ରତିଜ୍ଞାବଦ୍ଧ ହେଲେ ।

 

ରାଜା ବିଓରିଗିତି ଏମିତି ଭାବରେ ସାର୍ବଭୌମ ସମ୍ରାଟ ହୋଇ ମୋତେ ଶତ ସହସ୍ର ଧନ୍ୟବାଦ ଦେବାକୁ ଲାଗିଲେ । ଇଉଓୟାରକି, ନାସିଗ୍‌ ଏବଂ ରାଗମ୍‍ ମୋର ଏ ବିଜୟରେ ଯେ କିଭଳି ଆନନ୍ଦିତ ହୋଇଥିଲେ, ତାହା ବର୍ଣ୍ଣନାତୀତ ।

 

(ଛବିଶ)

 

ରାଜା ଏବେ ମୋର ପରାମର୍ଶ ନେଇ ରାଜ୍ୟର ଶାସନପଦ୍ଧତି ଓ ଆଇନକାନୁନ ପ୍ରଣୟନ କଲେ । ମୁଁ ଶାସନପଦ୍ଧତି ସମ୍ବନ୍ଧରେ ବିଶେଷ କିଛି ଜାଣି ନ ଥିଲେ ବି ଭାରତର ଗଣତନ୍ତ୍ର ଶାସନ ସମ୍ବନ୍ଧରେ କେବଳ ବହିରୁ ଯାହା ପଢ଼ିଥିଲି, ତାହାକୁ ହିଁ ମୁଁ ଅନୁସରଣ କରି ଆଉ ଟିକିଏ ପରିବର୍ତ୍ତନ କଲି । ରାଜା ଏକଛତ୍ରାଧିପତି ସମ୍ରାଟ ନ ହୋଇ ରାଜ୍ୟ ପ୍ରତିନିଧିମାନଙ୍କ ନିର୍ଦ୍ଦେଶରେ ସୁଶାସନର ବ୍ୟବସ୍ଥା କଲେ । ଫଳରେ ସମଗ୍ର ରାଜ୍ୟର ଲୋକମାନେ ମୋତେ ଦେବତା ତୁଲ୍ୟ ପୂଜା କରିବାକୁ ଲାଗିଲେ । ଯାହାହେଉ ମୁଁ ସେଠାରେ ଦଶବର୍ଷ କାଳ ରହି ବିଭିନ୍ନ ଦିଗରୁ ରାଜ୍ୟ ପରିଚାଳନାର ସୁବ୍ୟବସ୍ଥା କଲି ।

 

ସେ ଦେଶର ଲୋକମାନଙ୍କୁ ଲେଖାପଢ଼ା ଶିଖାଇଲି । ବିବିଧ କାରୁଶିଳ୍ପ, ଯନ୍ତ୍ରଶିଳ୍ପ, ବିଭିନ୍ନ ଭାବରେ ସୁରୁଚିସମ୍ପନ୍ନ ଘର ତିଆରି, ଜୀବନଯାତ୍ରା ପ୍ରଣାଳୀ ଆଦି ଶିକ୍ଷା ଦେଇ ରାଜ୍ୟର ସର୍ବବିଧ ସାମାଜିକ ଉନ୍ନତି କରାଇଲି ।

 

ପ୍ରଥମେ ପ୍ରଥମେ ଦେଶର ଲୋକମାନେ ମୋର ଏଇ ସମସ୍ତ ନୂତନ ନୂତନ ଶାସନପଦ୍ଧତି ଭଲ ଚକ୍ଷୁରେ ଦେଖି ନ ଥିଲେ; କିନ୍ତୁ ରାଜ୍ୟର ରାଜା ଓ ପ୍ରଧାନ ବ୍ୟକ୍ତିଗଣ ମୋତେ ପ୍ରତ୍ୟେକ ବିଷୟରେ ସମର୍ଥନ କରିବାରୁ, କେହି ଆଉ କୌଣସି ପ୍ରତିବାଦ କଲେ ନାହିଁ । ମୁଁ ଯେଉଁ ଭାବରେ ରାଜ୍ୟର ଉନ୍ନତିପାଇଁ ପରିଶ୍ରମ କରୁଛି ଓ ତାହା ସଫଳତା ଲାଭ କରୁଛି, ସେତେବେଳେ ଆଉ କେହି କୌଣସି ବିଷୟରେ ଆପତ୍ତି କଲେ ନାହିଁ ।

 

ଦିନକୁ ଦିନ ରାଜ୍ୟର ଶ୍ରୀବୃଦ୍ଧି ହେବାକୁ ଲାଗିଲା ।

 

ମୋର ବୟସ ରାଜାଙ୍କଠାରୁ ଅଧିକ ହୋଇନଥିଲେ ବି ରାଜା ମୋତେ ପିତା ବୋଲି ସମ୍ବୋଧନ କରିବାକୁ ଲାଗିଲେ । ନାସିଗ୍‌ ଓ ଇଉଓୟାରକି ମୋତେ ବଡ଼ଭାଇ ଭଳି ଶ୍ରଦ୍ଧା ଓ ଭକ୍ତି କଲେ । ମୁଁ ରାସ୍ତା ଉପରକୁ ବାହାରିଲେ ଛୋଟ ଛୋଟ ପିଲାମାନେ ମୋତେ ଆସି ଘେରି ଯାଉଥିଲେ । ସେମାନେ ମୋ ନିକଟରୁ ଦେଶ-ବିଦେଶର ଗଳ୍ପ ଶୁଣୁଥିଲେ, ଯୁଦ୍ଧର କାହାଣୀ ଶୁଣୁଥିଲେ ଏବଂ ମୋ ନିକଟରୁ ଫଳମୂଳ ପାଇ ଆନନ୍ଦରେ ଚିତ୍କାର କରି ଘରକୁ ଫେରୁଥିଲେ ।

 

ଏମିତି ଭାବରେ ଦିନ କଟିଯାଉଥିଲା । ମୋ ମନର ଗୋଟିଏ ଭାବନା ହଠାତ୍‌ ଦିନେ ଅଙ୍କୁରିତ ହୋଇ ତାହା ବୃଦ୍ଧି ପାଇବାକୁ ଲାଗିଲା,–‘‘ହେ ପ୍ରବାସୀ, ଏବେ ନିଜ ଦେଶକୁ ଫେରି ଚାଲ-।’’

 

କିନ୍ତୁ କେମିତି ବା ଦେଶକୁ ଯିବି, ଏହା ମୋ’ଠାରେ ପୂରାପୂରି ଅବାସ୍ତବ ହେଲେ ବି ଭାରତ ଫେରିବାପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲି । ମୋର ମନେହେଲା, ଯଦି କୌଣସି ଉପାୟରେ ବାହାର ସମୁଦ୍ର ଉପରକୁ ଯାଇପାରିବି, ତାହାହେଲେ ହୁଏତ ଦିନେ ନା ଦିନେ ଖଣ୍ଡିଏ ଜାହାଜର ସାକ୍ଷାତ ପାଇବି । ସେତେବେଳେ ନିରାପଦରେ ଯାଇ ଦେଶରେ ପହଞ୍ଚି ପାରନ୍ତି । ଲ୍ଲୁମମାନେ ମୋତେ ବହନ କରି ମୋ ଦେଶରେ ଛାଡ଼ିଦେଇ ପାରନ୍ତେ; କିନ୍ତୁ ତାହା ଆଦୌ ସମ୍ଭବ ନୁହେଁ, କାରଣ ସେମାନେ ସୂର୍ଯ୍ୟାଲୋକ ଏକ ମୁହୂର୍ତ୍ତପାଇଁ ସେଠାରେ ସହ୍ୟ କରିପାରିବେ ନାହିଁ । ସମସ୍ତେ ଅନ୍ଧ ହୋଇ ମୃତ୍ୟୁ ବରଣ କରିବେ । ଏହି ଯେଉଁ ବାହାର ସମୁଦ୍ର କଥା କହୁଛି, ସେଠାକୁ କେବଳ ଲ୍ଲୁମମାନେ ରାତିରେ ଯିବା ଆସିବା କରିପାରିବେ ।

 

ଏମିତି ସଂକଳ୍ପ ମଧ୍ୟରେ ଆହୁରି କିଛିଦିନ କଟିଗଲା ।

 

ଦିନେ ମନ ସ୍ଥିର କରି ରାଜା ଓ ରାଣୀଙ୍କଠାକୁ ଯାଇ ମୋ ମନର ଭାବ ବ୍ୟକ୍ତ କଲି ଓ ବିଦାୟ ଚାହିଁଲି । ମୋର ଚାଲିଯିବା ଶୁଣି ସେମାନେ ତଥା ରାଜ୍ୟର ସମସ୍ତେ ଅତ୍ୟନ୍ତ ଦୁଃଖିତ ହେଲେ । କିନ୍ତୁ ମୋର ଦୃଢ଼ ସଂକଳ୍ପ ଦେଖି କେହି କିଛି କହିପାରିଲେ ନାହିଁ । ମୁଁ ଏତିକି ମାତ୍ର କହିଲି ଯେ, ମୋର ଏହି ବୃଦ୍ଧ କାଳରେ ମୁଁ ମୋର ଜନ୍ମ ମାଟିରେ ମୃତ୍ୟୁବରଣ କରିବାକୁ ଚାହେଁ । ଆଉ କେତେକାଳ ବା ବଞ୍ଚିବି, ତେଣୁ ଦେଶକୁ ଫେରିଗଲେ ମୋ ମୃତ୍ୟୁରେ ଆତ୍ମା ଶାନ୍ତି ପାଇବ ।

 

ସମସ୍ତେ ଚକ୍ଷରୁ ଅଶ୍ରୁ ପୋଛି ମୋତେ ଦିନେ ବିଦାୟ ଦେଲେ । ମୁଁ ପୂର୍ବଭଳି କାଠ ବିମାନରେ ବସି ଲ୍ଲୁମମାନଙ୍କ ସାହାଯ୍ୟରେ ଶୂନ୍ୟରେ ଉଡ଼ିଲି । କେତେଦିନ କ୍ରମାଗତ ଉଡ଼ି ଉଡ଼ି ଗୋଟିଏ ବିଶାଳ ସମୁଦ୍ର ଉପରକୁ ଆସିଲି । ମୁଁ ସମୁଦ୍ର ଉପରକୁ ସବୁବେଳେ ଲକ୍ଷ୍ୟ ରଖିଥାଏଁ ଯଦି କୌଣସି ଜାହାଜ ଦେଖିବାକୁ ପାଏ ।

 

ଦିନେ ହଠାତ୍‌ ଖଣ୍ଡିଏ ଜାହାଜ ମୋର ଦୃଷ୍ଟିଗୋଚର ହେଲା ।

 

ମୁଁ ଲ୍ଲୁମମାନଙ୍କୁ ଜାହାଜ ଉପରକୁ ଯିବାକୁ କହିବାରୁ ସେମାନେ ତଳକୁ ଓହ୍ଲାଇଲେ ।

 

ମୋର ବିମାନଟି ଜାହାଜ ଉପରେ ଆସି ପଡ଼ିଛି, ଏମିତି ସମୟରେ ଅନ୍ଧକାର ମଧ୍ୟରେ ଶୁଣିବାକୁ ପାଇଲି ବନ୍ଧୁକ ଫୁଟିବାର ଶବ୍ଦ ଏବଂ ସଙ୍ଗେ ସଙ୍ଗେ ମୁଁ ମୂର୍ଚ୍ଛିତ ହୋଇଗଲି ।

 

ଜ୍ଞାନ ଫେରି ଦେଖିଲି, ଜାହାଜର ଗୋଟିଏ କେମେରାରେ ମୁଁ ଶୋଇଛି । ମୋତେ ଘେରି ଜାହାଜର ଲୋକମାନେ ଓ କ୍ୟାପ୍ଟେନ ବସିଛନ୍ତି ।

 

ମୋତେ ଚକ୍ଷୁ ଖୋଲିବାର ଦେଖି ସେମାନେ ହିନ୍ଦୀରେ ପଚାରିଲେ, ମୁଁ କିଏ, କେଉଁଠୁ ଆସିଲି ଏବଂ ମୋତେ କେଉଁମାନେ ଏମିତି ଶୂନ୍ୟପଥରେ ଉଡ଼ାଇ ନେଇ ଆସୁଥିଲେ ।

 

ମୁଁ ସେମାନଙ୍କୁ ସବୁ କଥା କହିବି ବୋଲି କହିଲି ।

 

ଏହି ଜାହାଜଟି ଥିଲା ଭାରତୀୟ ଜାହାଜ, ତାହାର ନାମ ଜଗନ୍ନାଥ ତରୀ । ଭାରତକୁ ଫେରୁଥିଲା । ପୁଣି ଦେଶକୁ ଫେରିଯାଇପାରିବି ବୋଲି ଆନନ୍ଦରେ ଅଧୀର ହୋଇପଡ଼ିଲି ।

 

କ୍ୟାପ୍ଟେନ ଓ ଜାହାଜର ନାବିକମାନଙ୍କ ନିକଟରେ ମୁଁ ମୋର ଭ୍ରମଣ କାହାଣୀ କହିଲି । ଆଉ ଏହି ସେହି ଅଜ୍ଞାତ ଦେଶର କଥା ।

 

ମୋ ମାତୃଭୂମି ଓଡ଼ିଶାର ସେହି କ୍ଷୁଦ୍ର ଗ୍ରାମ ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିକଟବର୍ତ୍ତୀ ନିପାତପୁର ଫେରିଆସିଲି । କିନ୍ତୁ ମୋତେ କେହି ଚିହ୍ନିପାରିଲେ ନାହିଁ । ଜଣେ ଦୁଇ ଜଣ ଗ୍ରାମ୍ୟ ବୃଦ୍ଧ କହିଲେ, ‘‘ହଁ, ବୁଲୁ ବୋଲି ଗୋଟିଏ ପିଲା ଥିଲା ଏହି ଗ୍ରାମରେ । ସେ ଅନେକ ଦିନର କଥା ।’’

 

ବୃଦ୍ଧ ବୁଲୁର ଜୀବନ କାହାଣୀ ‘ଅଜ୍ଞାତ ଦେଶ କଥା’ ଏହିଠାରେ ଶେଷ ହେଲା ।

Image